ସଭ୍ୟତାର ଆଗେ




ଜାତୀୟ ଜୀବନକୁ ନିୟନ୍ତ୍ରଣ କରିବାର ଏ ପ୍ରକାର ବ୍ୟବସ୍ଥା ଚାଲୁ ରହିଲା ବର୍ବରଯୁଗ ମଧ୍ୟମ ସୋପାନ ପର୍ଯ୍ୟନ୍ତ। ଚାଷଯୋଗ୍ୟ ବା ପଶୁଚାରଣ ଯୋଗ୍ୟ ଜମି ଖୋଜିବାକୁ ଯାଇ ସେ କାଳରେ ଜାତି ଜାତି ମଧ୍ୟରେ ଯୁଦ୍ଧ ଅନେକ ସମୟରେ ଲାଗୁଥିଲା। ଦେଖାଗଲା ଧର୍ମଗୁରୁ ଯୁଦ୍ଧରେ ନେତୃତ୍ବ ଦେବାଲାଗି ସବୁବେଳେ ଯୋଗ୍ୟ ହେଉନାହିଁ। ଜାତିର ଜୀବନରେ ଏ ଅଭାବ ଦୂର କରିବାକୁ ଯାଇ ଜଣେ ସ୍ବତନ୍ତ୍ର ସେନାପତି ପଦର ସୃଷ୍ଟି ହେଲା। ସେନାପତି ଜାତି ଦ୍ବାରା ନିର୍ବାଚିତ ହେଉଥିଲା ଏବଂ ଆବଶ୍ୟକ ହେଲେ ତାକୁ ବରଖାସ୍ତ ମଧ୍ୟ କରାଯାଉଥିଲା। ପ୍ରଥମାବସ୍ଥାରେ ସୈନ୍ୟଚାଳନା କେବଳ ସେନାପତି ଉପରେ  ନିର୍ଭର କଲା, (ପ୍ରତିନିଧି ସଭାର ପୂର୍ବପରି ବିଚାରକ ଓ ବ୍ୟବସ୍ଥାପକର କାର୍ଯ୍ୟକରେ) ପରେ ପ୍ରତିନିଧି ସଭାର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ବି ସେନାପତିର କର୍ତ୍ତବ୍ୟରେ ପରିଣତ ହେଲା। କର୍ତ୍ତବ୍ୟରୁ କାଳକ୍ରମେ ଏହା ତାହାର ଅଧିକାର ହେଲା। ସେନାପତି ହେଲା ଜାତିର ସେନାନାୟକ ଓ କାର୍ଯ୍ୟ୍ୟକାରକ। ଗ୍ରୀକ୍‌ ଜାତିମାନଙ୍କ ମଧ୍ୟରେ ବାସୀଲସ୍‌ (Basileus) ଲାଟିନ୍‌ ଜାତିମାନଙ୍କ ମଧ୍ୟରେ ପ୍ରିନ୍‌ସେପ୍‌ (Princep) ଆର୍ଯ୍ୟଜାତିମାନଙ୍କ ମଧ୍ୟରେ ରାଜପଦ ଏହିପରି ଭାବେ ଗଢ଼ା ହୋଇଥିଲା। ପ୍ରାଚୀନତମ ଆର୍ଯ୍ୟ ଗ୍ରନ୍ଥ ଋକ୍‌ବେଦରେ ବର୍ଣ୍ଣିତ ଏକ ଆଖ୍ୟାୟିକା ରାଜପଦ କିପରି ସମାଜରେ ଦେଖାଦେଲା, ସେହି ପ୍ରାଚୀନ ସ୍ମୃତି ଲିପିବଦ୍ଧ କରିଛି।

‘ଦେବାସୁରା ବା ଏକ୍ଷୁ ଲୋକେଷୁ ସମୟତଂତ…

ତାଂ ସ୍ତତୋ{ସୁରା ଅଜୟନ୍‌…।

ଦେବା ଅବ୍ରୁବନ୍ନରାଜତୟା ବୈନୋଜୟନ୍ତି ରାଜନଂ

କରବାମହା ଇତି ତଥେତି।’[ ଅତ୍ରେୟ ବ୍ରାହ୍ମଣ]

   ଅର୍ଥ:- ଦେବ (ଏକ ଜାତି)ଓ ଅସୁର(ଅନ୍ୟ ଏକ ଜାତି) ମାନେ ଯୁଦ୍ଧ କରୁଥିଲେ… ଅସୁରମାନେ ଦେବମାନଙ୍କୁ ପରାସ୍ତ କଲେ…ଦେବମାନେ କହିଲେ, “ଆମର ରାଜା କେହି ନଥିବାରୁ ଅସୁରମାନେ ଆମକୁ ପରାସ୍ତ କଲେ। ଚାଲ, ଜଣେ ରାଜା ବାଛିବା।”

   ବର୍ବରଯୁଗର ମଧ୍ୟମ ସୋପାନରେ ଜାତିର ଶାସନ ବ୍ୟବସ୍ଥାରେ ଏହିପରି ଦୁଇଟି ବିଭାଗ ଦେଖାଦେଲା-ପ୍ରତିନିଧି ସଭା ଓ ରାଜା। ପ୍ରଥମାବସ୍ଥାରେ ଜାତିର ଅନ୍ୟ ଯେ କୌଣସି ଲୋକଠାରୁ ରାଜାର ଅଧିକ କିଛି ଅଧିକାର ବା ସୁବିଧା ନଥିଲା। ପ୍ରଥମେ ହୁଏତ ଆବଶ୍ୟକ ବେଳେ ଜଣେ ରାଜା ନିର୍ବାଚନ କରାଯାଉଥିଲା; ପରେ ନିଦ୍ଦିଁଷ୍ଟ  କେତେକ ବର୍ଷ ଲାଗି ହେଲା। ଅଥର୍ବ ବେଦରେ ନିମ୍ନଲିଖିତ ଶ୍ଳୋକରୁ ପ୍ରଥମେ ରାଜପଦ ଯେ ନିର୍ବାଚନ ଯେ ନିର୍ବାଚନ ଉପରେ ନିର୍ଭର କରୁଥିଲା, ତାହା ସ୍ପଷ୍ଟ ହୁଏ।

     ଦ୍ବାବିଶୋ ବୃଣତି ରାଜ୍ୟାୟ

      ତ୍ବମିମାଃ ପ୍ରଦିଶଃ ପଞ୍ଚଦେବୀ।

    (ଅର୍ଥ:-ତୁମକୁ ଲୋକେ ନିର୍ବାଚନ କଲେ; ଚତୁର୍ଦ୍ଦିଗରେ ସମସ୍ତେ ତୁମକୁ ନିର୍ବାଚନ କଲେ।)

     ଏ ସମୟରେ ଜଣେ ରାଜାଙ୍କୁ ତଡ଼ି ଅନ୍ୟ ରାଜା ସ୍ଥାପନ କରିବାର କ୍ଷମତା ଜାତିର ଥିଲା;ଏପରିକି ଅନ୍ୟ ପ୍ରଜାଙ୍କ ଭଳି ରାଜା ପ୍ରତି ଦଣ୍ଡବିଧାନ କରାଯିବା ସଭ୍ୟ ଯୁଗରେ ମଧ୍ୟ ପ୍ରଚଳିତ ଥିଲା।

    କାର୍ଷାପଣଂ ଭବେଦ୍‌ଦଣ୍ଡ୍ୟୋ ଯତ୍ରାନ୍ୟ ପ୍ରାକୃତୋ ଜନଃ।

    ତତ୍ର ରାଜା ଭବେଦ୍‌ବଣ୍ଡ୍ୟୋ ସହସ୍ରମିତି ଧାରଣା! (ମନୁ)

   ଜୀବନଧରଣର  ଅବଲମ୍ବନ ଗୁଡ଼ିକ ଜାତି ବା ଗଣର ସମ୍ପତ୍ତି ଥିବା ପର୍ଯ୍ୟନ୍ତ ପ୍ରତିନିଧିତ୍ବ କରି, ଜାତି ବା ଗଣର କୌଣସି ପଦ ଅଧିକାର କରି କେହି ନିଜ ଲାଗି କୌଣସି ସୁବିଧା ହାସଲ କରିପାରୁନଥିଲା। ଏ ପଦ କେବଳ ଦାଯିତ୍ବ ସର୍ବସ୍ବ ଥିଲା; ତେଣୁ ନିଜ ପରିବାର ମଧ୍ୟରେ ଏ ପଦକୁ ଆବଦ୍ଧ ରଖିବାକୁ କାହାରି ବିଶେଷ ଆଗ୍ରହ ପ୍ରକାଶ ପାଇବା ସ୍ବାଭାବିକ ନୁହେଁ। କିନ୍ତୁ ଜମି ଆଦି ଜୀବନର ଉପଜୀବ୍ୟମାନ ବ୍ୟକ୍ତିଗତ ସମ୍ପତ୍ତିହେବା ପରଠାରୁ ସେ ଭୂମିକା ବଦଳିଗଲା। ବ୍ୟକ୍ତିଗତ ସମ୍ପତ୍ତିର ପରିମାଣ ଉପରେ ବ୍ୟକ୍ତି ବା ପରିବାରର ସୁଖସମୃଦ୍ଧି ନିର୍ଭର କଲା ଯାହା ଯୋଗୁଁ ମଣିଷ ମନରେ ସ୍ଥାନ ପାଇଲା ବ୍ୟକ୍ତିଗତ ସମ୍ପତ୍ତି ଲାଗି ଲିପ୍‌ସା, ବ୍ୟକ୍ତିଗତ ସମ୍ପତ୍ତିରେ ଅଧିକ ଅଧିକାର ଲାଭର ପ୍ରବୃତ୍ତି। ପ୍ରତିନିଧି ସଭା ଓ ରାଜା ଜାତୀୟଜୀବନ (ତା ସହିତ ସମ୍ପତ୍ତିରେ ବ୍ୟକ୍ତିର ଅଧିକାର) କୁ ନିୟନ୍ତ୍ରଣ କରୁଥିବା ହେତୁ ପ୍ରତିନିଧିତ୍ବ ବା ରାଜା ପଦ ଅଧିକାର କଲେ ବ୍ୟକ୍ତି ତହିଁରୁ ଫାଇଦା ଉଠାରବାରେ ସୁଯୋଗ ଓ ସୁବିଧା ପାଇବାର ସମ୍ଭାବନା ରହିଲା। ସମ୍ପତ୍ତିରେ ବ୍ୟକ୍ତିଗତ ଅଧିକାର ସହିତ ହ୍ରାସ ପ୍ରଥାର ପ୍ରତିଷ୍ଠା ଏ ସୁଯୋଗ ଓ ସୁବିଧାକୁ ଅଧିକ ସୁଗମ କରିଦେଲା।




+ -

© Jataayu Charitable Trust
Site designed,developed & maintained by Tekons