ସଭ୍ୟତାର ଆଗେ




ସଭ୍ୟତାର ଆଗେ

 

  ପୁରାଣ ଠାରୁ ଆହୁରି ପୁରୁଣା ସେ କାଳ।ସେବେ ଏ ଆକାଶ ଏହିପରି ଥିଲା, କିନ୍ତୁ ଉଡ଼ାଜାହାଜ ତ ଦୂରର କଥା ଗୁଡ଼ିଟାଏବି ରହୁନଥିଲା। ସମୁଦ୍ର ଥିଲା କିନ୍ତୁ କାହିଁ ହୁଲିଟାଏ ବି ନାହିଁ। ବିସ୍ତୃତ ସ୍ଥଳଭାଗ ପଡ଼ିଛି, କିନ୍ତୁ କେଉଁଠି ହେଲେ ପତର କୁଡ଼ିଆ ଖଣ୍ଡେ ଦେଖିବ ନାହିଁ। ଦେଶ ପରେ ଦେଶ ରହିଛି, ହେଲେ କୌଣସି ଦେଶର ନାଆଁ ନାହିଁ। ଯେଉଁଠି ଖରା ବର୍ଷା ବେଶୀ ସେ ଅଞ୍ଚଳକୁ ଜଙ୍ଗଲ ଛାଇ ଯାଇଛି। ଯେଉଁଠି କମ୍‌ ବର୍ଷା ସେଠି ଗୁଳ୍ମ ହୋଇଛି। ଆହୁରି କମ୍‌ ବର୍ଷା ଯେଉଁ ଅଞ୍ଚଳରେ ସେଠି ଖାଲି ଘାସ ହେଉଛି। ଯେଉଁଠି ବର୍ଷା ପ୍ରାୟ ନାହିଁ, ସେ ମରୁଭୂମି ହୋଇପଡ଼ିଛି। ଯେଉଁ ଅଞ୍ଚଳରେ ସୂର୍ଯ୍ୟ ତାପ ଟାଣ ନୁହେଁ, ସେଠି ଶୀତ ଜୋର, ବରଫ ପଡ଼ୁଛି। ପୃଥିବୀ ରହିଛି କିନ୍ତୁ ମଣିଷର ହାତ କୋଉଠି ବାଜି ନାହିଁ।

    କେତେବର୍ଷ ତଳର କଥା କହି ହେବନାହିଁ;କେତେ ମନ୍ବନ୍ତର ଆଗେ; ହୁଏତ ଲକ୍ଷେ ବର୍ଷ ହେବ କିମ୍ବା ତହିଁରୁ ଅଧିକ। ସହର ନାହିଁ, ରାସ୍ତା ନାହିଁ, ଜଙ୍ଗଲ ଭିତରେ କେତେଗୁଡ଼ିଏ ପ୍ରାଣୀ ଭୂଇଁ ଉପରେ ଚଳପ୍ରଚଳ ହୋଇ ବୁଲୁଛନ୍ତି। ମାଙ୍କଡ଼ଙ୍କ ଭଳି ଫଳ ତୋଳି ଖାଉଛନ୍ତି। ସେମାନେ କଥାଭାଷା କରିପାରୁନାହାନ୍ତି। ବେଳେ ବେଳେ ପଶୁଭଳି ଚିତ୍କାର କରୁଛନ୍ତି ଯାହା। ଦିନରେ ଚଲାବୁଲା କରୁଛନ୍ତି, ରାତିକି ଗଛମୂଳେ, ପଥର କୋରଡ଼ରେ ଆଶ୍ରା ନେଇଛନ୍ତି। ଜାନୁଆର ଦେଖିଲେ ଲୁଚିଯାଉଛନ୍ତି,ପାରିଲେ ପଳାଉଛନ୍ତି।

    ପଶୁଭଳି ଏମାନଙ୍କର ଆଚାର,ବ୍ୟବହାର ଓ ଜୀବନ; ହେଲେ ଏମାନେ ପଶୁ ନୁହନ୍ତି। ଏମାନେ ଅନ୍ୟ ପ୍ରାଣୀଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ୍‌ ବୋଧହୁଏ। ବଡ଼କଥା, ଅନ୍ୟ ପ୍ରାଣୀମାନେ ପ୍ରକୃତି ଯେଉଁ ପରିସ୍ଥିତି ଭିତରେ ତାଙ୍କୁ ପକେଇଛି, ତାକୁ ମାନି ନେଉଛନ୍ତି; ଏମାନେ କିନ୍ତୁ ପ୍ରାକୃତିକ ପରିସ୍ଥିତି ବିରୁଦ୍ଧରେ ଲଢ଼ୁଛନ୍ତି, ଅସୁବିଧାଜନକ ପରିସ୍ଥିତି ବିରୁଦ୍ଧରେ ସଂଗ୍ରାମ କରି ତାକୁ ନିଜର ଆୟତ୍ତକୁ ଆଣିବା ଲାଗି ଏମାନଙ୍କର ପ୍ରବୃତ୍ତି ପ୍ରବଳ। ଏମାନେ ଅନୁଭୂତିରୁ ଅଭିଜ୍ଞତା ହାସଲ କରୁଛନ୍ତି, ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରୁଛନ୍ତି। ଶିକ୍ଷାକୁ ଜୀବନ ସଂଗ୍ରାମରେ କାମରେ ଲଗାଉଛନ୍ତି। ଏମାନେ ପଶୁଙ୍କ ଠାରୁ ନିଆରା ପ୍ରକାରର ପ୍ରାଣୀ,ଉନ୍ନତତର ଜୀବ। ଏମାନେ ମଣିଷ।




+ -

© Jataayu Charitable Trust
Site designed,developed & maintained by Tekons