ସଭ୍ୟତାର ଆଗେ




ତାହାହିଁ ହେଲା। ଏହି ବନ୍ଦିମାନେ ହେଲେ ଦାସ। ରୋଟା ମୋଟା ଗଣ୍ଡାଏ ଖାଇବାକୁ ଦେଇ ସେମାନଙ୍କୁ ପଶୁଭଳି ଖଟାଗଲା। ସବୁଠୁଁ କଠିନ ଶାରୀରିକ ପରିଶ୍ରମ ଓ ସମାଜର ନିକୃଷ୍ଟ କାର୍ଯ୍ୟଗୁଡ଼ିକ ଏମାନଙ୍କ ଜରିଆରେ କରାଇ ନିଆହୁଏ। ଅବାଧ୍ୟ ହେଲେ ସେମାନଙ୍କୁ ହତ୍ୟା କରାଯାଏ। ଦାସମାନେ ଉତ୍ପାଦନର ଏକ ପ୍ରଧାନ ଅଙ୍ଗ ରୂପେ କାର୍ଯ୍ୟ କରୁଥିଲେ ହେଁ ଉତ୍ପାଦନ ଉପରେ ସେମାନଙ୍କର କୌଣସି ଅଧିକାର ନଥିଲା। ଉତ୍ପାଦନର ଉପକରଣ ଓ ଉତ୍ପନ୍ନ ସବୁ ପ୍ରଭୁମାନଙ୍କର। ଏ ବ୍ୟବସ୍ଥା ଫଳରେ ସମାଜର ଅର୍ଥନୀତିରେ ଦେଖାଦେଲା ନୂଆ ଏକ ଧରଣ। ଆଗେ ଯେଉଁମାନେ ଉତ୍ପାଦନ କରୁଥିଲେ ଉତ୍ପନ୍ନରେ ସେମାନଙ୍କର ସମାନ ଅଧିକାର ଥିଲା। ଏବଠୁଁ ସମାଜରେ ଦୁଇ ଶ୍ରେଣୀର ଲୋକେ ଦେଖାଦେଲେ। ଦଳେ ପରିଶ୍ରମ କରି ଉତ୍ପାଦନ କରନ୍ତି ଅଥଚ ପରିଶ୍ରମର ଫଳଭୋଗୀ ନୁହଁନ୍ତି। ଅନ୍ୟ ଦଳେ ଅପରର ପରିଶ୍ରମ ପରେ ନିର୍ଭର କରି ଚଳନ୍ତି। ଉତ୍ପାଦନକାରୀ ଦାସମାନଙ୍କୁ ଉତ୍ପନ୍ନ ଓ ଉତ୍ପାଦନର ଅବଲମ୍ବନ ଉପରେ ସମସ୍ତ ଅଧିକାରରୁ ବଞ୍ଚିତ କରି ରଖାଯାଇଥାଏ। ଉତ୍ପାଦନର ଅବଲମ୍ବନଗୁଡ଼ିକ ହେଲା ପ୍ରଭୁ ଶ୍ରେଣୀର ବ୍ୟକ୍ତିଗତ ସଂପତ୍ତି(Private)ଉତ୍ପନ୍ନରେ ସେମାନେ ହେଲେ ହକ୍‌ଦାର। ଉତ୍ପାଦନ ପ୍ରଣାଳୀ ପ୍ରଭୁ ଓ ଦାସ ଏହି ଦୁଇ ପରସ୍ପର ସ୍ବାର୍ଥବିରୋଧୀ ଦୁଇ କିସମର ଲୋକଙ୍କୁ ନେଇ ଗଢ଼ା ହେଲା।

    ଚାଷ ପ୍ରଣାଳୀରେ ଉନ୍ନତି ହେତୁ ମଣିଷ ଏବେ ଏକ ସ୍ଥାନରେ ସ୍ଥାୟୀ ବାସିନ୍ଦା ହୋଇଛି। ଫଳରେ ଗୃହ ନିର୍ମାଣ ପ୍ରତି ସେ ଅଧିକ ଯତ୍ନବାନ ହେଲା। ବାସସ୍ଥଳୀରୁ ଅଧିକ ସୂଦୃଢ଼ କରିବା ସଂଗେ ସଂଗେ ସୁନ୍ଦର ଓ ସୁରୁଚି ସମ୍ପନ୍ନ କରିବାକୁ ଚେଷ୍ଟା କଲା। ସ୍ଥିର ଜୀବନ ଓ ଦାସମାନଙ୍କର ମୋଫତ୍‌ ପରିଶ୍ରମ ହେତୁ ନୂଆ ନୂଆ ଓ ଅଧିକରୁ ଅଧିକ ପଦାର୍ଥ ଉତ୍ପାଦନ କରିବା ମଣିଷ ପକ୍ଷରେ ସମ୍ଭବପର ହେଲା। ମଣିଷ ହାତ ଦେଲାଶିଳ୍ପରେ । ଏଥି ପୂର୍ବରୁ ବସ୍ତ୍ରଶିଳ୍ପ,ଲୌହ ଶିଳ୍ପ ପ୍ରଭୃତି ସାମାନ୍ୟ କେତୋଟି ଶିଳ୍ପ ପ୍ରତିଷ୍ଠା ଳାଭ କରିଥିଲେ ହେଁ ସମାଜରେ ସେଗୁଡ଼ିକର ସ୍ଥାନ ଥିଲା ନଗଣ୍ୟ। ଏବଠୁଁ ନାନା ବିଭାଗରେ ଶିଳ୍ପ ପ୍ରତିଷ୍ଠା ଲାଭ କଲା। କାରିଗରୀ କୃଷି ଭଳି ଜୀବନ ଧାରଣର ଏକପନ୍ଥା ବା ବୃତ୍ତିହେଲା। ବିଭିନ୍ନ ଶିଳ୍ପର ପ୍ରତିଷ୍ଠା ଫଳରେ ସମାଜରେ ଶ୍ରମ ବିଭାଗ ଅଧିକ ସ୍ପଷ୍ଟ ହୋଇଗଲା। କୃଷକମାନେ ଗ୍ରାମଞ୍ଚଳରେ ଓ କାରିଗରମାନେ ନଗରରେ ବାସ କରିବାକୁ ଲଗିଲେ। ଆର୍ଯ୍ୟ ସମାଜରେ ବଂଶାନୁକ୍ରମେ କୌଣସି ବୃତ୍ତି ଅବଲମ୍ବନ ଫଳରେ ପ୍ରଥମେ ବର୍ଣ୍ଣ ବିଭାଗ ଓ ପରେ ବିଭିନ୍ନ ଜାତି ବିଭାଗ ଦେଖାଦେଲା।

    ବର୍ବର ଯୁଗର ପ୍ରଥମ ଓ ମଧ୍ୟ ସୋପାନରେ ଦ୍ରବ୍ୟ ବିନିମୟ ସୂତ୍ରରେ ବାଣିଜ୍ୟ ବ୍ୟବସାୟ ହେଉଥିଲା। କିଛିକାଳ ପରେ ଯେତେବେଳେ ଗୃହପାଳିତ ପଶୁ ବ୍ୟକ୍ତିଗତ ସଂପତ୍ତିରେ ପରିଣତ ହେଲା, ଗୋରୁ ଛେଳି ବା ମେଣ୍ଢା ବିନିମୟରେ ଖରିଦ ବିକ୍ରି ଚାଲିଲା। ଆଗେ କେବଳ ଗୋଷ୍ଠୀ ବା ଜାତିର ଚାହିଦା ମୁତାବକ ଶିଳ୍ପଦ୍ରବ୍ୟ ଉତ୍ପନ୍ନ ହେଉଥିଲା। ଏବେ ଶିଳ୍ପ ଦ୍ରବ୍ୟ ବ୍ୟବସାୟ ଓ ବାଣିଜ୍ୟ ସୂତ୍ରରେ ଗୋଷ୍ଠୀ ଓ ଜାତି ବାହାରେ ଖରିଦ ବିକ୍ରିଲାଗି ଉତ୍ପନ୍ନ ହେଲା। ସମାଜର ଅର୍ଥନୀତିରେ ଏହା ଏକ ନୂଆ କଥା-ପଣ୍ୟ। ଜାତି ବା ଗୋଷ୍ଠୀର ଚାହିଦା ନୁହେଁ, ବ୍ୟକ୍ତିଗତ ଲାଭ ପାଇଁ ଏହା ଉତ୍ପନ୍ନ ହେଲା। ଏ ନୂତନ ରୀତି କୃଷି ଉପରେ ମଧ୍ୟ ତା’ର ପ୍ରଭାବ ପକାଇଲା। ଗୋଷ୍ଠୀ, ଜାତି ବା ଗଣର ଉପଭୋଗ ଲାଗି ହୋଇଆସୁଥିବା କୃଷି ଉତ୍ପାଦନ ଏବେ ହେଲା ବ୍ୟକ୍ତିଗତ ମୁନାଫୀ ପାଇଁ। ଫଳରେ ଯେଝା ଚାଷ ଜମିରେ ଯିଏ ମାଲିକ ହେଲା। ଜମି ଆଉ ଜାତୀୟ ସଂପତ୍ତି ହୋଇ ରହିପାରିଲା ନାହିଁ।

    ପଣ୍ୟ ସମାଜର ଅର୍ଥନୀତିରେ ଦେଖାଦେବା ପରଠାରୁ ବାଣିଜ୍ୟ ବୃଦ୍ଧି ଲାଭ କଲା। ବାଣିଜ୍ୟାଦି ଲାଗି ଦୂରକୁ ବାର୍ତ୍ତା ପଠାଇବା ପାଇଁ ଲିଖିତ ଲିପି ଲୋଡ଼ାପଡ଼ିଲା । ଶିଳ୍ପର ପ୍ରତିଷ୍ଠା ଓ ଲିଖିତ ଲିପିର ପ୍ରଚଳନ ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଦେଲା। ପଶୁଭଳି ଗ୍ରାସାଚ୍ଛାଦନରେ ମଣିଷର ଚିନ୍ତା ଏବେ ସୀମାବଦ୍ଧ ନୁହେଁ। ଜୀବନକୁ ବିକଶିତ କରିବା ଲାଗି ହେଲା ତାର ଚେଷ୍ଟା। ଦାସପ୍ରଥାର ପ୍ରଚଳନ ଫଳରେ ସମାଜର ପ୍ରଭୁଶ୍ରେଣୀ କଠିନ ଶାରୀରିକ ପରିଶ୍ରମରୁ ଅବ୍ୟାହତି ପାଇ ମାନସିକ ବିକାଶ ଲାଗି ସୁବିଧା ପାଇଲେ। ମଣିଷ ନିଜର ଅନୁଭୂତି ଓ ମନକଥାକୁ ଲିପବଦ୍ଧ କରି ଶିଖିଚି। ଏହିଠାରୁ ବର୍ବର ଯୁଗ ଶେଷ। ଶିଳ୍ପ ଓ ଲିପି, ସଭ୍ୟତାର ପ୍ରଥମ ସୂଚନା। ଏହାପରେ ମଣିଷ ଜୀବନକୁ ସୁନ୍ଦର କରିବାକୁ ଲାଗିଲା, କାବ୍ୟ ଓ କଳାର ସୌଧ ତୋଳିଲା।

     ପୃଥିବୀରେ ବିଭନ୍ନାଞ୍ଚଳରେ ସଭ୍ୟସମାଜର ପ୍ରତିଷ୍ଠା ହୋଇଥଲା- ସିନ୍ଧୁ ଉପତ୍ୟକାରେ ମହେଞ୍ଜଦାରୋ ମେସୋପତାମିଆର ବେବିଲୋନ୍‌ ସଭ୍ୟତା, ପ୍ରାଚୀନ ଭାରତରେ ଆର୍ଯ୍ୟ ସଭ୍ୟତା, ମିଶରର ପ୍ରାଚୀନ ସଭ୍ୟତା , ଗ୍ରୀସ୍‌ ଦେଶରେ ହେଲେନିକ୍‌ ସଭ୍ୟତା, ଇତାଲିରେ ରୋମୀୟ ସଭ୍ୟତା ଇତ୍ୟାଦି। ଏ ସଭ୍ୟତା ଗୁଡ଼ିକ ହଜାର ହଜାର ବର୍ଷ ତଳର। ସେତେବେଳକୁ ଆଜିକାଲି ଭଳି ଛାପାକଳ ନଥିଲା, ଖବରକାଗଜ ନଥିଲା, ଇତିହାସ ଲେଖା ନଥିଲା। ଏତେକାଳ ପରେ ସେ ସବୁ ଜାତି ଉପରେ ଯେଉଁ ସାମାନ୍ୟ ତଥ୍ୟ ମିଳେ ତନ୍ମଧ୍ୟରୁ ଅଧିକାଂଶ ଲିପିର ପ୍ରଚଳନ ହେବା ପରେ ଅର୍ଥାତ୍‌ ସଭ୍ୟ ଯୁଗରେ। ଫଳରେ ଅନେକଙ୍କର ଏ ପ୍ରକାର ଧାରଣା ହୋଇଥାଏ  ଯେ ସେ ସବୁ ଜାତି ପ୍ରାଚୀନତମ ଅବସ୍ଥାରୁ ହିଁ ସଭ୍ୟ ଥିଲେ। ପ୍ରାଚୀନ ସଭ୍ୟତା ଯେତେ ଉନ୍ନତ ହୋଇଥାଉନା କାହିଁକି, ପୃଥିବୀରେ ଏଭଳି କୌଣସି ଜାତି ନଥିଲେ ଯେଉଁମାନେ ପ୍ରଥମରୁ ହିଁ ସଭ୍ୟ।




+ -

© Jataayu Charitable Trust
Site designed,developed & maintained by Tekons