ସଭ୍ୟତାର ଆଗେ




ବହୁକାଳ ଗୋତ୍ର ଜୀବନରେ ଅଭ୍ୟସ୍ତ ହୋଇଥିବା ଯୋଗୁଁ ହେଉ, ସମାଜରେ ଉତ୍ପାଦନର ଅନୁନ୍ନତ ଅବସ୍ଥା ଥିବାଯୋଗୁଁ ହେଉ, ଯୁଗ୍ମ ପରିବାର ଦେଖାଦେବା ପରେ ଅନେକ କାଳ ଧରି ଗୋତ୍ରର ବିଭିନ୍ନ ପରିବାର ଏକତ୍ର ବାସ କରୁଥିଲେ ଏବଂ ସେମାନଙ୍କର ଉତ୍ପନ୍ନକୁ ଏକତ୍ର ଉପଭୋଗ କରୁଥିଲେ।

    ଗୋଷ୍ଠୀରେ ଲୋକ ସଂଖ୍ୟା ବୃଦ୍ଧି ପାଇଲା। କାହିଁ କାହିଁ ଗୋଷ୍ଠୀ ବିଭକ୍ତ ହୋଇଯାଇ ତହିଁରେ କେତେଗୁଡ଼ିଏ ଭାଇଆରା ଦଳ ଦେଖାଦେଲେ। ଭାଇଆରା ଦଳ ମଧ୍ୟରେ ପୁଣି କେତେଗୁଡ଼ିଏ ଜେନ୍‌ସ୍‌ (ଗୋତ୍ର) ଅନୁଷ୍ଠାନ; ଗୋତ୍ରରେ ପୁଣି ଏବେ କେତେଗୁଡ଼ିଏ ଯୁଗ୍ମ ପରିବାର ଗଢ଼ି ଉଠିଲା।  ଅନ୍ୟାନ୍ୟ ଗୋଷ୍ଠୀଠାରୁ ଆତ୍ମରକ୍ଷା ପାଇଁ ଗୋଷ୍ଠୀ ଏବେ ବି ସଂଘବଦ୍ଧ ଜୀବନଯାପନ କରୁଛି; ଏକ ଅଞ୍ଚଳ ଛାଡ଼ି ଅନ୍ୟ ଅଞ୍ଚଳକୁ ଗଲାବେଳକୁ ସମୁଦାୟ ଗୋଷ୍ଠୀ ଗତିକରୁଛି। କଥିତ ଭାଷାର ପ୍ରଚଳନଠାରୁ ପ୍ରତ୍ୟେକ ଗୋଷ୍ଠୀର ଭାଷା ଅନ୍ୟ ଗୋଷ୍ଠୀର ଭାଷାଠାରୁ ନିଆରା ହେଲା।ପ୍ରତ୍ୟେକ ଗୋଷ୍ଠୀ ମଧ୍ୟରେ ପୂଜାପଦ୍ଧତି, ପ୍ରଥା ଚଳନୀ ଆଦି ନେଇ ଜାତିର ସ୍ବତନ୍ତ୍ର ସଂସ୍କୃତି ବା ଧର୍ମ ମଧ୍ୟ ଗଢ଼ି ଉଠିଲା। ଏଠାରୁ ଗୋଷ୍ଠୀ ଆଦିମ ଜାତି (Tribe) ରୂପେ ଓ ଭାଇଆରା ଦଳ ସଂପ୍ରଦାୟ (Phratry) ରୂପେ ପରିଚିତ ହେଲେ। ଜାତି, ସଂପ୍ରଦାୟ ଗୋତ୍ର ଓ ପରିବାର ଯେଝା ଯେଝା କର୍ମ କ୍ଷେତ୍ରରେ ସ୍ବାଧୀନ ଥିଲେ। ହେଲେ, ସଂଘବଦ୍ଧ ଜୀବନକୁ ସୁନିୟନ୍ତ୍ରିତ କରିବା ଲାଗି ପରିବାର ଉପରେ ଗୋତ୍ରର, ଗୋତ୍ର ଉପରେ ସଂପ୍ରଦାୟର ଓ ସଂପ୍ରଦାୟ ଗୁଡ଼ିକ ଉପରେ ଜାତିର କର୍ତ୍ତୃତ୍ବ ଥିଲା।

   ବର୍ବର ଯୁଗର ପ୍ରଥମ ସୋପାନରେ ମଣିଷ ପଶୁ ପାଳିଲା ଏବଂ ମକା ଜାତୀୟ ଫସଲ ଓ ପନିପରିବା ଚାଷ କଲା। ଉତ୍ପାଦନ ପ୍ରଣାଳୀ ଅନୁନ୍ନତ ଥିବା ହେତୁ କେହି ଜଣେ କୌଣସି ଜମି ଚାଷ କରିବା ସମ୍ଭବ ନ ଥିଲା। ଗୋତ୍ରର ସମସ୍ତ ପରିବାର ମିଳିତ ଭାବରେ ବା କେତେକ ପରିବାର ମିଳି ଚାଷ କରନ୍ତି। ଉତ୍ପାଦନ ଲାଗି ଶ୍ରମଶକ୍ତି ଯେପରି ଅଭାବ ନ ପଡ଼େ, ସେଥିଲାଗି ପୋଷ୍ୟପୁତ୍ର ଗ୍ରହଣ କରି ଗଣଭୁକ୍ତ କରିବା ପ୍ରଥା ସମାଜରେ ଦେଖାଦେଲା। ମିଳିତ ଭାବରେ ପଶୁ ପାଳନ କରାଯାଉଥିଲା। ଜମି, ଗୋଚାରଣ ଭୂମି ବା ପଶୁ କାହାରି ବ୍ୟକ୍ତିଗତ ସମ୍ପତ୍ତି  ନଥିଲା। ଯେଉଁମାନେ ଉତ୍ପନ୍ନ କରୁଥିଲେ, ସେମାନେ ଗୋତ୍ରରେ ଗୋଷ୍ଠୀଗତ ଜୀବନ ଚାଲୁଥିବା ବେଳେ ଉତ୍ପନ୍ନକୁ ଏକତ୍ର ଉପଭୋଗ କରୁଥିଲେ; ପରେ ପରିଶ୍ରମ ଅନୁଯାୟୀ ଭାଗ କରିନେଲେ। ଚାଷ କରୁଥିବା ଯାଏ ଜମି ଉପରେ ଗଣ ପରିବାର ବା ବ୍ୟକ୍ତିର ଦଖଲ କରିବାର ଅଧିକାର ଥିଲା। କେହି ଚାଷ ଛାଡିଦେଲେ , ଅନ୍ୟ ଯେଉଁମାନେ ଚାଷ କରନ୍ତି ସେମାନେ ତହିଁରେ ଫଳଭୋଗୀ ହୁଅନ୍ତି।

   ଉତ୍ପାଦନର ଏ ନୂଆ ପ୍ରକ୍ରିୟା (ଚାଷ ଓ ପଶୁପାଳନ)ରେ ନାରୀ ପୁରୁଷ ସହିତ ସମାନ ସହଯୋଗ କରିପାରିଲା ନାହିଁ। ଯୁଗ ପରଠାରୁ ଦେଖିବା ପୁରୁଷ ହିଁ ପରିବାରର ଅଧିକାଂଶ ସମ୍ପତ୍ତି କମାଉଛି। ଫଳରେ ଗୋତ୍ର ଓ ପରିବାର ମଧ୍ୟରେ ନାରୀର ପ୍ରାଧାନ୍ୟ କ୍ରମଶଃ କମିଲା ଓ ପୁରୁଷର ପ୍ରାଧାନ୍ୟ ବଢ଼ିଲା। ସମାଜରେ ନାରୀ ପୁରୁଷ ସହ ସମାଜ ଆସନ କ୍ରମଶଃ ହରାଇଲା।

    ଯୌଥ ବିବାହ ଓ ଯୌଥ ପରିବାର ଲୋପ ପାଇଛି; ଯୁଗ୍ମ ପରିବାର ପ୍ରତିଷ୍ଠା ଲାଭ କରିଛି ଏବଂ ପୁରୁଷ ସମ୍ପତ୍ତି କମାଉଛି। ଆଗ ଅପେକ୍ଷା ସମ୍ପତ୍ତିର ପରିମାଣ ଏବେ ଢେର ବଢ଼ିଯାଇଛି। ପ୍ରଶ୍ନ ଉଠିଲା ପୁରୁଷର ସମ୍ପତ୍ତି ନେବେ ମାତୃକୂଳର ରକ୍ତ ସମ୍ପର୍କୀ଼ମାନେ, ନା,ପିତୃକୂଳର ରକ୍ତ ସମ୍ପର୍କୀୟମାନେ। ବର୍ବର ଯୁଗର ପ୍ରଥମ ଓ ମଧ୍ୟମ ସୋପାନରେ ଦେଖାଯାଏ  ପିତୃଅର୍ଜିତ ସମ୍ପତ୍ତିରେ ପିତୃକୂଳର ରକ୍ତସମ୍ପର୍କୀୟମାନେ ମାତୃଅର୍ଜିତ ସମ୍ପତ୍ତିରେ ମାତୃକୂଳର ରକ୍ତ ସମ୍ପର୍କୀୟମାନେ ଉତ୍ତରାଧିକାରୀ ହେଉଛନ୍ତି। ଅର୍ଥାତ୍‌ ପୂର୍ବ ପ୍ରଚଳିତ ମାତାନୂବର୍ତ୍ତୀ ଅଧିକାର କ୍ରମଶଃ ହ୍ରାସ ପାଇ ପିତାନୁଗତ ଅଧିକାର ସମାଜରେ ପ୍ରତିଷ୍ଠା ଲାଭ କରିଛି।

   କୃଷି ଓ ପଶୁପାଳନ ଜାଣିବା ପରେ ବର୍ବର ଯୁଗର ପ୍ରଥମ ଓ ବିଶେଷକରି ମଧ୍ୟମ ସୋପାନରେ ମଣିଷ ଚାଷ ଜମି ଓ ଗୋଚାରଣ ଭୂମି ଖୋଜି ବୁଲିଲା। ମଧ୍ୟ ଏସିଆ ଅଞ୍ଚଳରେ ବଲ୍‌ଟିକ୍‌ ଓ କାସ୍‌ପିଆନ୍‌ ହ୍ରଦ କୂଳରେ କେତେଗୁଡ଼ିଏ ଜାତି ବାସ କରୁଥିଲେ ବୋଲି ଅନୁମାନ କରାଯାଏ। ଖାଦ୍ୟ ସଂସ୍ଥାର ସନ୍ଧାନରେ ସେମାନେ ମୂଳ ଗୋଷ୍ଠୀ ଛାଡ଼ି ବିଭିନ୍ନ ଦିଗକୁ ଗତି କଲେ। ଦକ୍ଷିଣ ପୂର୍ବ ଦିଗକୁ ଆସି ଆର୍ଯ୍ୟମାନେ ଭାରତରେ ପ୍ରବେଶ କଲେ, ଦକ୍ଷିଣ ପଶ୍ଚିମକୁ ଯାଇ ଡୋରିଆନ୍‌ ଜାତି ପୁଞ୍ଜ ଗ୍ରୀସ୍‌ ଦେଶ ଓ ଲାଟିନ୍‌ ଜାତି ପୁଞ୍ଜ ଇଟାଲୀ ଦେଶ ଅଧିକାର କରିଥିଲେ।

   ଲୌହର ପ୍ରଚଳନଠାରୁ ମଣିଷ ସ୍ଥାୟୀ ବାସିନ୍ଦା ହେବାକୁ ଆରମ୍ଭ କଲା। ଆଦିମ ଜାତି ଚାଷ ଓ ଗୋଚାରଣ ଯୋଗ୍ୟ ଜମି ଦେଖି ସେ ଅଞ୍ଚଳ ଅଧିକାରକରି ରହିଲା। ଅଧିକୃତ ଅଞ୍ଚଳ ଓ ତା’ର ସମସ୍ତ ଜମି, ଜଙ୍ଗଲ ଆଦି ଜାତିର ସମ୍ପତ୍ତି ହେଲା। ସେ ଅଞ୍ଚଳର ଗୋଟିଏ ଗୋଟିଏ ଅଂଶ ପ୍ରତ୍ୟେକ ଗୋତ୍ରର ଦଖଲରେ ରହିଲା। ପ୍ରଥମାବସ୍ଥାରେ ଗୋତ୍ରର ସମସ୍ତେ ବା କେତେକ ପରିବାର ମିଶି ଚାଷ କରୁଥିଲେ ଓ ଜମି ଗୋତ୍ରର କୋଠ ସମ୍ପତ୍ତି ବୋଲି ଗଣ୍ୟ ହେଉଥିଲା। ଗୋତ୍ରରେ ଲୋକସଂଖ୍ୟା ବୃଦ୍ଧି ପାଇବା ସହିତ ନୂଆ ନୂଆ ଜମି ଆବାଦି ହେଲା; ଆଉ କୋଠ ଚାଷ କରିବା ସମ୍ଭବ ହେଲାନାହିଁ। ଜମି ଗୋତ୍ରର ଥିଲେ ବି ପ୍ରତ୍ୟେକ ପରିବାର ଯେଉଁ ଜମି ଚାଷ କରୁଥିଲା, ତହିଁରେ ସେହି ପରିବାର ଦଖଲ-ଅଧିକାର ଅଛି ବୋଲି ବିବେଚିତ ହେଲା। ଏ ଅବସ୍ଥାରେ ଗୋତ୍ର ଆନ୍ତର୍ଗତ ବିଭିନ୍ନ ପରିବାରକୁ ଚାହିଁ ଜମି ବାଣ୍ଟି ଦେବା ଅଧିକ ସୁବିଧାଜନକ ହେଲା। ଏହାପରେ ସମାଜରେ ଗଣ୍ୟ ହେଲା ଓ ସେ ପରିବାର ତାହାକୁ ପ୍ରଥମେ ଗୋତ୍ର ମଧ୍ୟରେ ଅନ୍ୟ ପରିବାରକୁ ଓ ପରେ ଗୋତ୍ର ବାହାରେ ଅନ୍ୟ ଲୋକଙ୍କୁ ହସ୍ତାନ୍ତର କରିବାର ଅଧିକାର ଉଦ୍‌ଭବ ହେଲା। ଏଇ ସମୟରେ ଯାହା ଜାତୀୟ ସମ୍ପତ୍ତି ଥିଲା ଏହିପରି ଭାବେ ତାହା ପାରିବାରିକ ଓ ପରେ ବ୍ୟକ୍ତିର ଏକା ଏକ ସମ୍ପତ୍ତିରେ ପରିଣତ ହେଲା।




+ -

© Jataayu Charitable Trust
Site designed,developed & maintained by Tekons