ସଭ୍ୟତାର ଆଗେ




ଶାସକ ପଦ

        ପ୍ରତିନିଧି ସଭାର ପ୍ରତିନିଧିମାନଙ୍କୁ ଗଣ ନିର୍ବାଚିତ କରୁଥିଲା। ଜାତିର କର୍ମଚାରୀମାନଙ୍କୁ ସମୁଦାୟ ଜାତିର ଜନସାଧାରଣ ନିର୍ବାଚନ କରେ। ପରେ ଏମାନଙ୍କର ନିର୍ବାଚନ କରେ। ପରେ ଏମାନଙ୍କର ନିର୍ବାଚନ ପ୍ରତିନିଧିସଭା ଦ୍ବାରା ହେଲା। ନିର୍ବାଚନ ସହିତ ନିର୍ବାଚିତ ବ୍ୟକ୍ତିଙ୍କୁ ପଦଚ୍ୟୁତ କରିବାର ଅଧିକାର ମଧ୍ୟ ନିର୍ବାଚକମାନଙ୍କର ଥିଲା। ନିର୍ବାଚନ କେତେକ ନିର୍ଦ୍ଦିଷ୍ଟ ବର୍ଷ ଲାଗି ହେଉଥିଲା, କିନ୍ତୁ ଜନସାଧାରଣ ନିଜ ନିଜ ଧନ୍ଦାରେ ବ୍ୟସ୍ତ ରହିବାରୁ କିଛିକାଳ ପରେ ପଦଗୁଡ଼ିକ ଆଜୀବନ ଭୋଗ୍ୟ ହୋଇଗଲା। ନିର୍ବାଚନ ଓ ପଦଚ୍ୟୁତିର ଅଧିକାର ଦ୍ବାରା ଜାତିର ଜନସାଧାରଣ ରାଷ୍ଟ୍ରଶକ୍ତି ଉପରେ ନିଜର କର୍ତ୍ତୃତ୍ବ ରଖିପାରୁଥିଲେ। ରାଷ୍ଟ୍ରଶକ୍ତି ଦୁଇ କିସମର ଲୋକଙ୍କ ଦ୍ବାରା ଗଠିତ ହେଲା:- କେତେକ ରାଷ୍ଟ୍ରର ନୀତିନିୟାମକ ବା ବ୍ୟବସ୍ଥାପକ ଓ କେତେକ କର୍ମକର୍ତ୍ତା। ପ୍ରତିନିଧି ସଭା ଯେଉଁମାନେ ଗଠନ କରୁଥିଲେ  ଜାତି ଓ ତହିଁର ଧର୍ମ ବିଷୟରେ ସେମାନଙ୍କର ଜ୍ଞାନ ଥିବା ଆବଶ୍ୟକ । ଯୁଦ୍ଧବିଦ୍ୟା, ଶାସନବିଧାନ ଆଦିରେ ପାରଗତା। କର୍ମକର୍ତ୍ତା ହେବାଲାଗି ଯୋଗ୍ୟତା। ଜନସାଧାରଣ ଉତ୍ପାଦନ କାର୍ଯ୍ୟରେ ବ୍ୟସ୍ତରହି ଜାତିର ଧର୍ମ ଓ ପୂଜା-ପଦ୍ଧତି, ଶାସନର ନୀତି ନିୟମ ବା ଯୁଦ୍ଧବିଦ୍ୟା ଶିକ୍ଷା କରିବାକୁ ଫୁରସତ୍‌ ପାଉନଥିଲେ। ପ୍ରତିନିଧିର ପରିବାରର ଲୋକେ ପ୍ରତିନିଧିତ୍ବ,ପୂଜାପଦ୍ଧତି ବିଷୟରେ ଓ ରାଜା ପରିବାରର ନିକଟ ସମ୍ପର୍କୀୟମାନେ ରାଜକାର୍ଯ୍ୟରେ ଅନ୍ୟମାନଙ୍କଠାରୁ ଅଧିକ ଜ୍ଞାନାର୍ଜନ କରିବାକୁ ସୁଯୋଗ ସୁବିଧା ପାଉଥିଲେ। ଫଳରେ ନିର୍ବାଚନରେ ରାଜାର ପୁଅ ରାଜା ହେବାଲାଗି, ପ୍ରତିନିଧିର ନିକଟ ସମ୍ପର୍କୀୟ ପ୍ରତିନିଧି ହେବା ଲାଗି ଯୋଗ୍ୟତର ବିବେଚିତ ହେଲା। ଆଇନ ପ୍ରଣୟନ ଲାଗି, ଧର୍ମ ଓ ପ୍ରଥାର ଅର୍ଥ ନିର୍ଦ୍ଧାରଣ ଲାଗି ଓ ବଳପ୍ରୟୋଗ ଲାଗି ଶାସକ ଗୋଷ୍ଠୀ ହାତରେ ଯେଉଁ କ୍ଷମତା ଦିଆଗଲା, କାଳକ୍ରମେ ତାହା ବ୍ୟକ୍ତି ଓ ବ୍ୟକ୍ତି ମଧ୍ୟରେ ଏବଂ ବ୍ୟକ୍ତିର ସଂପତ୍ତି ଉପରେ ଅଧିକାରକୁ ମଧ୍ୟ ନିୟନ୍ତ୍ରଣ କଲା । ଏହି ରାଷ୍ଟ୍ରଶକ୍ତିକୁ ଯେଉଁମାନେ ପରିଚାଳିତ କଲେ, ବ୍ୟକ୍ତିଗତ ସମ୍ପତ୍ତିରେ ସେମାନେ ଅଧିକ ଅଧିକାର ଲାଗି ବନ୍ଦୋବସ୍ତ କରିପାରିଲେ, ଜାତିର ସ୍ବାର୍ଥକୁ କ୍ଷୁର୍ଣ୍ଣ କରି ନିଜ ଲାଗି ସୁବିଧା ହାସଲ କରିପାରିଲେ। ରାଷ୍ଟ୍ରୀୟପଦ ପରିବାରର ସ୍ବାର୍ଥରକ୍ଷା ଲାଗି ହତିଆର ହେଲା। ଶାସନ ସଂସ୍ଥାରେ ଜନସାଧାରଣ ସକ୍ରିୟ ଭାଗ ନେବାକୁ ଅସମର୍ଥ ଥିବାର ସୁଯୋଗ ନେଇ ଶାସକ ଗୋଷ୍ଠୀ ନିଜ ନିଜ ପରିବାର ମଧ୍ୟରେ ରାଷ୍ଟ୍ରୀୟ ପଦକୁ ଏକଚାଟିଆ କରିବାକୁ ଚେଷ୍ଟାକଲେ। କାଳକ୍ରମେ ତାହାହିଁ ହେଲା। ଜାତିର ନିଦ୍ଦିଁଷ୍ଟ ପରିବାରର ବ୍ୟକ୍ତିହିଁ କେବଳ ରାଷ୍ଟ୍ରୀୟ ପଦପାଇଁ ଯୋଗ୍ୟ ବୋଲି ପ୍ରଥା ସମାଜରେ ଦେଖାଦେଲା।

   ଶାସକଗୋଷ୍ଠୀଙ୍କ ପରିବାର ଜାତିର ଅନ୍ୟ ପରିବାରଗୁଡ଼ିକଠାରୁ ସ୍ବତନ୍ତ୍ର ହେଲା ଏମାନେ ହେଲେ ଜାତିର ସମ୍ଭ୍ରାନ୍ତ ପରିବାର। ଜାତିର ଅନ୍ୟମାନେ ଶାସକ ହେବାରୁ ବଞ୍ଚିତ ହେଲେ। ଆର୍ଯ୍ୟ ସମାଜରେ ଏହିପରି ଏକ ଦିଗରେ ବ୍ରାହ୍ମଣ ଓ କ୍ଷତ୍ରୀୟ ପରିବାରବର୍ଗ ଓ ଅନ୍ୟ ଦିଗରେ ବୈଶ୍ୟ ପରିବାରବର୍ଗ ଦେଖାଦେଇଥିଲେ। ରାଷ୍ଟ୍ରଶକ୍ତିର ନାୟକ ହେଲେ ବ୍ରାହ୍ମଣ ଓ କ୍ଷତ୍ରୀୟମାନେ। ଗ୍ରୀକ୍‌ ସମାଜରେ ସେହିପରି ଜାତି ସମ୍ଭ୍ରାନ୍ତ ପରିବାର (Class) ଓ ଜନସାଧାରଣ (Mass)ରେ ବିଭକ୍ତ ହୋଇଯାଇଥିଲା, ଶାସନ କରିବାର ଅଧିକାର ଥିଲା ସମ୍ଭ୍ରାନ୍ତ ପରିବାରବର୍ଗଙ୍କର। ଫଳରେ ସମାଜରେ ଦେଖାଗଲା ସମ୍ଭ୍ରାନ୍ତ ପରିବାରଙ୍କର ଏକଚାଟିଆ ଶାସନ ସଂସ୍ଥା (Oligarchy) ରୋମୀୟ ସମାଜରେ ସେହିପରି ପାଟ୍ରିସିଆନ ଓ ପପୁଲସ୍‌ ଦୁଇ ଶ୍ରେଣୀ ଦେଖାଦେଇଥିଲା।




+ -

© Jataayu Charitable Trust
Site designed,developed & maintained by Tekons