ସଭ୍ୟତାର ଆଗେ




ପରିଚୟ

 

ଲୋକତନ୍ତ୍ର ଶାସନ ବ୍ୟବସ୍ଥାରେ ସର୍ବସାଧାରଣଙ୍କ ସକ୍ରିୟ ସାହାଯ୍ୟ ଓ ସହଯୋଗ ଉପରେ ବେଶ ଓ ଜାତିର ସମସ୍ତ ରକମ ପ୍ରଗତି ନିର୍ଭର କରେ। ସେଥିପାଇଁ ଦେଶ, ସମାଜ ଓ ଲୋକଙ୍କ ଆଗରେ ପ୍ରତିଦିନ ଦେଖାଦେଉଥିବା ବିଭିନ୍ନ ଜଟିଳ ସମସ୍ୟା ସଂପର୍କରେ ଲୋକସାଧାରଣଙ୍କର ସଠିକ୍‌ ଧାରଣା  ରହିବା ଦରକାର। ପ୍ରଚଳିତ ସମାଜ ବ୍ୟବସ୍ଥା ଓ ରାଜ୍ୟ ଶାସନରେ ଯେଉଁ ବିଭ୍ରାଟ ଘଟୁଛି ସେ ସଂପର୍କରେ ସଠିକ୍‌ ଆଲୋଚନା ଅଭାବରୁ ଆମ ଲୋକସାଧାରଣ ସେ ସବୁର ଖିଅ ଧରି ପାରୁନାହାନ୍ତି। ଦେଶର ସାହିତ୍ୟ ଏ ସବୁ ସାମାଜିକ ,ଅର୍ଥନୈତିକ ,ରାଜନୈତିକ ଓ ଅନ୍ୟାନ୍ୟ ଅବ୍ୟବସ୍ଥାର ଧାରାବାହିକ ବୈଜ୍ଞାନିକ ବିଶ୍ଲେଷଣ କରି ସାଧାରଣରେ ରଖିଲେ ଲୋକେ ସବୁ କଥା ଠିକ୍‌ ଠିକ୍‌ ଜାଣୁଥାନ୍ତେ। ଅନ୍ଧ ଅନୁସରଣ ଲୋପ ପାଆନ୍ତା। ଲୋକଙ୍କର ଅଜ୍ଞତାର କେହି ସୁଯୋଗ ନେଇ ପାରନ୍ତେ ନାହିଁ। ଆମ ସାହିତ୍ୟ କିନ୍ତୁ ଏ ଦାୟିତ୍ବ ଯଥାଯଥ ଭାବେ ତୁଲାଇ ପାରୁନାହିଁ। ପୂରାପୂରି ମନଗଢ଼ା ସାହିତ୍ୟରେ ବଜାର ଭରପୁର। ସେପରି ସାହିତ୍ୟର ସାମାଜିକ ମୂଲ୍ୟ ଯେ ନାହିଁ ତାହା କ୍ରମେ ଆମ ଲେଖକମାନେ ବୁଝିଲେଣି।

   ସାହିତ୍ୟ ଜରିଆରେ ଦେଶ, ଜାତି ଓ ସମାଜର ବିଭିନ୍ନ ସମସ୍ୟାର ବୈଜ୍ଞାନିକ ଆଲୋଚନା ସମ୍ବଳିତ ଠିକ୍‌ ନକ୍‌ସା ଲୋକଙ୍କ ଆଗରେ ରଖାଯାଇ ପାରିଲେ ତାର ସମାଧାନର ବାଟ ଲୋକେ ଆପେ ଆପେ ଖୋଜି କାଢ଼ିବେ। ‘ଗଣ ପ୍ରକାଶନୀ’ଏହି ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରିବ। ଜନସାଧାରଣଙ୍କ ସହଯୋଗରେ ଆମେ ଏ କାମରେ ଆଗେଇ ପାରିବୁ ବୋଲି ଆଶା କରିଛୁଁ।

    ଦେଶବାସୀଙ୍କ ହାତରେ ଆମର ପହିଲି ଅର୍ଘ୍ୟ ‘ସଭ୍ୟତାର ଆଗେ’। ଆଦିମ ସମାଜରେ ସାଧାରଣରେ ଜୀବନର ବିଭିନ୍ନ ଦିଗର କ୍ରମବିକାଶ ସମ୍ପର୍କରେ ଆଲୋଚନା ଏଥିରେ ରହିଛି,ଲୋକେ ବୁଝିଲା ଭଳି ଭାଷାରେ। ଏହି ଆଲୋଚନା ଧାରାବାହିକ ଭାବେ ଚାଲିବ। ସାଧାରଣ ଲୋକେ ବହିଟି ପଢ଼ି ଆଦିମ ସମାଜ ସମ୍ପର୍କରେ ଏକ ମୋଟାମୋଟି ଧାରଣା ଏଥିରୁ କରିନେଇ ପାରିବେ। ବହିଟିର ଲେଖକ ରଘୁନାଥ ଦାସ ଓଡ଼ିଶାର ପାଠକ ପାଠିକାମାନଙ୍କ ନିକଟରେ ବହୁ ଆଗରୁ ପରିଚିତ,ତାଙ୍କର ନୂଆ ଧରଣର ଲେଖାଲେଖି ପାଇଁ। ଆମର ବିଶ୍ବାସ ପୁସ୍ତିକାଟି ବିଶେଷ ଆଦରଲାଭ କରିବ। ସାଧାରଣ ପାଠକ-ପାଠିକାମାନଙ୍କ ମଧ୍ୟରେ ଏହାର ବିଶେଷ ଆଲୋଚନା ଆମକୁ ଉତ୍ସାହିତ କରିବ।

 

ପୋ.ଅ . ଚାନ୍ଦିନୀଚୌକ                                                                                    ଚିନ୍ତାମଣି ପାଣିଗ୍ରାହୀ

କଟକ-୨                                                                                                  ସମ୍ପାଦକ,ଗଣ ପ୍ରକାଶନୀ




+ -

© Jataayu Charitable Trust
Site designed,developed & maintained by Tekons