ସଭ୍ୟତାର ଆଗେ




ଆରଣ୍ୟକ ଯୁଗ

 

     ପ୍ରାୟ  ଦୁଇ ଲକ୍ଷ ବର୍ଷ ତଳର କଥା। ଏମାନେ ଆଦିମ ମନୁଷ୍ୟ, ଆମର ପୂର୍ବ ପୁରୁଷ। କ୍ରମ ବିକାଶ ଫଳରେ ବାନର, ବଣ ମଣିଷ, ବାମନ ଓ ଶେଷରେ ମଣିଷ ରୂପରେ ଏମାନେ ପୃଥିବୀର ବିଭିନ୍ନ ଅଞ୍ଚଳରେ ଦେଖା ଦେଇଛନ୍ତି। ଏହି ଆଦିମ ଅବସ୍ଥାରେ ମନୁଷ୍ୟ ପଶୁଠାରୁ ସାମାନ୍ୟ ଉନ୍ନତ ହୋଇଛି ମାତ୍ର। ଖାଦ୍ୟ ନିଜେ ଉତ୍ପାଦନ କରି ଜାଣିନାହିଁ,ଘର ତୋଳିବା ଶିଖି ନାହିଁ, ପ୍ରକୃତି ଦତ୍ତ ପଦାର୍ଥଗୁଡ଼ିକ ଉପରେ ନିର୍ଭର କରୁଛି। ଏହି ଆରଣ୍ୟକ ଯୁଗ(Age of savagery) ।

    ମଣିଷ ପ୍ରକୃତି ଉପରେ ଖାଦ୍ୟ ଲାଗି ନିର୍ଭର କରି ସବୁଦିନେ ଫଳମୂଳ ପାଇପାରେ ନାହିଁ। ଖାଦ୍ୟର ଏ ଅସୁବିଧା ଦୂର କରିବାକୁ ଯାଇ ମଣିଷ ସନ୍ଧାନ ପାଇଲା ଅନ୍ୟ ଏକ କିସମର ଖାଦ୍ୟର …ବେଙ୍ଗ କଙ୍କଡ଼ା ମାଛ ଆଦି। ଏସବୁ ମାରିବାଲାଗି ମଣିଷ ପହିଲେ ଢେଲା ଓ ପରେ ପଥରର ଅନୁନ୍ନତ ଅସ୍ତାଦିର ସାହାଯ୍ୟ ନେଲା। ମାଛ ଜାତୀୟ ଖାଦ୍ୟକୁ କଞ୍ଚା ଖାଇ ହେଲାନାହଁ। ଏ ନୂଆ ପ୍ରକାର ଖାଦ୍ୟ ସାମଗ୍ରୀକୁ ଖାଇବା ଉପଯୋଗୀ କରିବାକୁ ଯାଇ ମଣିଷ ଶିଖିଲା ରନ୍ଧନ ପ୍ରକ୍ରିୟା, ଅଗ୍ନିର ବ୍ୟବହାର। ପ୍ରଥମ ଅବସ୍ଥାରୁ ମଣିଷ ଆଉ ପାହାଚେ ଆଗକୁ ମାଡ଼ିଲା। ଅଗ୍ନି ଜୀବନର ଏକ ଉପାଦେୟ ପଦାର୍ଥ ହେଲା।ଅଗ୍ନିର ବ୍ୟବହାର ଦ୍ବାରା ହିଂସ୍ର ଜନ୍ତୁଙ୍କ ଠାରୁ ନିଜକୁ ସହଜେ ରକ୍ଷା କରି ପାରିଲା। ଅଗ୍ନି ସାହାଯ୍ୟରେ ପ୍ରାଣୀମାନଙ୍କ ମଧ୍ୟରେ ସେ ସବୁଠୁ ବଳଶାଳୀ ହେଲା, ପଶୁ-ଜଗତକୁ ଜୟ କଲା। ନିଆଁ ହୁଲା କରି ସେ ଏବେ ଅନ୍ଧାର ଗୁମ୍ଫାରେ ପଶି ବରଫ ଓ ବର୍ଷାରୁ ରକ୍ଷା ପାଇଲା। ପରେ ଅଗ୍ନିର ବ୍ୟବହାର ଅଧିକ ଜାଣିବା ପରେ ଗୁମ୍ଫାଛାଡ଼ି ସେ ଖୋଲା ପଡ଼ିଆରେ କୁଡ଼ିଆ ଡେରିଲା। ହିଂସ୍ରଜନ୍ତୁଙ୍କ ଦୌରାତ୍ମ୍ୟରୁ ଜନକ୍ଷୟ ବହୁ ପରିମାଣରେ କମିଗଲା। ଫଳରେ ଖାଦ୍ୟ ପଦାର୍ଥ ନିଅଣ୍ଟ ପଡ଼ିଲା। ଖାଦ୍ୟାଭାବ ଦୂର କରିବାକୁ ଯାଇ ମଣିଷ ସନ୍ଧାନ ନେଲା ନୂଆ ଖାଦ୍ୟ ସାମଗ୍ରୀର-ଜନ୍ତୁ ଶିକାର। ଜନ୍ତୁ ଶିକାର ଲାଗି ଲୋଡ଼ା ଅଧିକ ଉନ୍ନତ ଧରଣର ଅସ୍ତ୍ର। ଏ ସୋପାନରେ ମଣିଷ ପ୍ରଥମେ ପଥରର ଅଧିକ ମାର୍ଜିତ ଅସ୍ତ୍ର ବ୍ୟବହାର କଲା, ପରେ ଉଦ୍ଭାବନ କଲା ଧନୁ ଓ ତାର , ତାର ଆହୁରି ମୁନିଆଁ କରିବା ଲାଗି ତମ୍ବାର ବ୍ୟବହାର ଶିଖିଲା। ଏହି ଆରଣ୍ୟକ ଯୁଗର ଉତ୍ତମ ସୋପାନ। ଏ ଅବସ୍ଥାରେ ମନୁଷ୍ୟ ଛୋଟ ଛୋଟ ଗାଁରେ ରହିବାକୁ ଶିଖିଲାଣି, ଛାଲ ଓ ବକଳ ପିନ୍ଧୁଛି, ଟୋକେଇ ବୁଣୁଛି, କାଠର କୁଣ୍ଡି ଓ ବାସନ ବ୍ୟବହାର କରୁଛି। କାଠଗୁଣ୍ଡିକୁ ପୋଡ଼ି, ଧାରୁଆ ପଥରରେ ଖୋଳି ନଈ ନାଳରେ କାଠୁଆ କରି ବ୍ୟବହାର କରୁଛି।

 




+ -

© Jataayu Charitable Trust
Site designed,developed & maintained by Tekons