ସଭ୍ୟତାର ଆଗେ




ପଣ୍ୟର ଅଧିକ ପ୍ରଚଳନ ହେବା ସହିତ ଜୀବନଧାରଣ ଲାଗି ବିଦେଶରୁ ଯେପରି ଅଧିକରୁ ଅଧିକ ଲୋକ ଆସି ଅନ୍ୟ ଦେଶର ସ୍ଥାୟୀ ବାସିନ୍ଦା ହୋଇଗଲେ, ଜାତି ଛାଡ଼ି ସେହିପରି କେତେକ ଲୋକ ଅନ୍ୟ ଦେଶକୁ ଚାଲିଗଲେ। ଦେଶର ଅଧିବାସୀଙ୍କ ମଧ୍ୟରେ ଅଣଜାତିଆମାନଙ୍କ ସଂଖ୍ୟା ବୃଦ୍ଧି ପାଇଲା। ଜାତି ଓ ଅଣଜାତିର ଲୋକଙ୍କ ଅର୍ଥନୈତିକ ଜୀବନରେ ମିଶ୍ରଣ ଫଳରେ ଉଭୟଙ୍କୁ ନେଇ ବୃଦ୍ଧି ଭିତ୍ତିରେ କେତେଗୁଡ଼ିଏ ଅନୁଷ୍ଠାନ ଗଢ଼ିଉଠିଲା। ବ୍ୟବସାୟ ସୂତ୍ରରେ ସଂଗଠନମାନଙ୍କ ଜରିଆରେ ଉଭୟଙ୍କ ମଧ୍ୟରେ ସାମାଜିକ ବନ୍ଧନ ଦୃଢ଼ ହେବାକୁ ଲାଗିଲା। ତିନି ବର୍ଣ୍ଣକୁ ନେଇ ଗଢ଼ା ହୋଇଥିବା ସମାଜ ସଂସ୍ଥାରେ ଏବେ ଚତୁର୍ଥ ବର୍ଣ୍ଣ ଶୂଦ୍ରମାନେ ମଧ୍ୟ ସ୍ଥାନ ପାଇଲେ। ଦେଶର ଅଥନୈତିକ ଓ ସାମାଜିକ ଜୀବନ ସହିତ ଓତପ୍ରୋତ ଭାବରେ ଜଡ଼ିତ ଏତେ ଅଧିବାସୀଙ୍କ ଦାବିକୁ ଏଡ଼ି ଦେଇ ଦେଶର ଆର୍ଥିକ ବ୍ୟବସ୍ଥାକୁ ବଞ୍ଚାଇ ରଖିବା ବା ଶାସନ ଚଳାଇବା ଅସମ୍ଭବ ହୋଇପଡ଼ିଲା। ଶାସନ ବ୍ୟବସ୍ଥାକୁ  ନୂଆ ଛାଞ୍ଚରେ ନ ପକାଇଲେ ସମାଜର ସ୍ଥିତି ବିପନ୍ନ ହେଲା। ସମାଜରେ ଦେଖାଦେଲା ନୂଆ ପ୍ରକାରର ଶାସନ ସଂସ୍ଥା-ଦେଶର ଅଧିବାସୀମାନଙ୍କୁ ନେଇ ରକ୍ତସମ୍ପର୍କୀୟ ନେଇ ଗଢ଼ା ହୋଇଥିବା (Communal) ଶାସନ ବ୍ୟବସ୍ଥା ହାତରୁ କ୍ରମଶଃ ଦେଶର ଶାସନକ୍ଷମତା ଆସିଲା ଅଧିବାସୀ(Citizenship) ଭିତ୍ତିରେ ଗଢ଼ା ହୋଇଥିବା ଶାସନ ବ୍ୟବସ୍ଥା ହାତକୁ । ନାଗରିକ ହେବାର ଯୋଗ୍ୟତା ଏବେ ଧର୍ମ ବା ରକ୍ତ ସଂପର୍କ ନୁହେଁ। ଏବେ ପ୍ରତ୍ୟେକ ମୁକ୍ତ ସ୍ଥାୟୀ-ଅଧିବାସୀ ଦେଶର ନାଗରିକ, ଦେଶର ଶାସନ ସଂସ୍ଥାରେ ଭାଗ ନେବାକୁ ଯୋଗ୍ୟ।

   ସମାଜରେ ଚଳିଆସୁଥିବା ଜାତି ଓ ଅଣଜାତି ଓ ଶ୍ରେଣୀବିଭାଗ ହୋଇ ଉଭୟମିଳି ଜନସାଧାରଣରେ ପରିଣତ ହେଲେ। ଦେଶର ଜନସାଧାରଣଙ୍କୁ  ନେଇ ଗଢ଼ିଉଠିଲା ନୂଆ ପ୍ରକାରର ଜାତି(Nation) ଆଦିମ ଜାତିଠାରୁ ଏହା ପୃଥକ୍‌ କାରଣ ଆଦିମ ଜାତି ରକ୍ତସଂପର୍କ ଓ ଧର୍ମଦ୍ବାରା ଗଢ଼ା ହୋଇଥିଲା, ଏହାର ଗଠନ ହେଲା ସମାଜ ବାସସ୍ଥଳୀ ଓ ସଂସ୍କୃତି(ଭାଷା, ଇତିହାସ,ଜୀବନ ପଦ୍ଧତି ଆଦି) ନେଇ ଜାତିଆଣ ଶାସନସଂସ୍ଥା ଯେତେବେଳେ ସମାଜକୁ ଆଗେଇ ନେବାକୁ ଅସମର୍ଥ ହେଲା, ସମାଜରେ ଦେଖାଦେଇଥିଲା ଏହି ପ୍ରକାରର ବୈପ୍ଳବିକ ପରିବର୍ତ୍ତନ , ନୂଆ ରୀତିରେ ଶାସନ ସଂସ୍ଥା ପ୍ରତିଷ୍ଠା। ଏହିଠାରୁ ରାଜନୀତି ହିଁ ଶାସନ ସଂସ୍ଥାର ଭିତ୍ତି ହେଲା।

    ରାଜନୈତିକ ଭିତ୍ତିରେ ଗଠିତ ଶାସନସଂସ୍ଥା ଧର୍ମ ଭିତ୍ତିରେ ଗଠିତ ସଂସ୍ଥା ଭଳି ତିନୋଟି ବିଭାଗରେ ବିଭକ୍ତ ଥିଲା, ଜନଦରବାର, ପ୍ରତିନିଧି ସଭା ଓ କର୍ମକର୍ତ୍ତା। ଏବେ ପ୍ରଥା ବା ଧର୍ମ ରାଜ୍ୟର ଆଇନ ହୋଇନପାରେ । ଜନଦରବାରର ନିଷ୍ପତ୍ତି ହିଁ ରାଜ୍ୟର ଆଇନ ଗଢ଼ିଲା।  ଲିପିର ପ୍ରଚଳନ ଏତେବେଳକୁ ହେଲାଣି, ଦେଶର ବ୍ୟବସ୍ଥାପକ ସଭା ଯେଉଁ ବ୍ୟବସ୍ଥା କଲା ତାହା ଲିପିବଦ୍ଧ ହେଲା। ଲୋକେ ନିଜର ସୁବିଧା ଅସୁବିଧା ନେଇ ନୂଆ ନୂଆ ବ୍ୟବସ୍ଥାମାନ ଗଢ଼ିଲେ। ମଣିଷ ସଭ୍ୟ ଯୁଗରେ ପହଞ୍ଚିବା ବେଳକୁ ଶାସନ ସଂସ୍ଥା କାହିଁ ରାଜନୈତିକ ଭିତ୍ତିରେ ଗଢ଼ା ହେଲାଣି, କାହିଁବା ହେବାକୁ ଯାଉଛି। ଦେଶ ଓ ଜାତି ଭେଦରେ ରାଜନୈତିକ ଅନୁଷ୍ଠାନ ଗୁଡ଼ିକରେ ଈଷତ୍‌ ପାର୍ଥକ୍ୟ ଦେଖା ଦେବା ସ୍ବାଭାବିକ।  ହେଲେ, ଏତେ ବେଳକୁ ସବୁ ଦେଶ ଓ ସବୁ ଜାତିର ଶାସନସଂସ୍ଥା ଲୋକଶାସିତ ଥିଲା। ଦେଶର ନାରୀ, ଦାସ ପ୍ରଭୃତି କେତେକ ଅଧିବାସୀ ରାଜନୈତିକ ଅଧିକାରରୁ ବଞ୍ଚିତ ହେଲେ ମଧ୍ୟ ଶାସନ ସଂସ୍ଥା ଏବେଠୁ ଲୋକଙ୍କର ଇଚ୍ଛାଧୀନ। ମୁକ୍ତ ଜନସାଧାରଣଙ୍କ ମଧ୍ୟରେ ରାଜନୀତି କ୍ଷେତ୍ରରେ ସାମ୍ୟ, ମୈତ୍ରୀ ଓ ଭାତୃତ୍ବ ପ୍ରତିଷ୍ଠିତ ହେଲା।

    ଏହାପରେ ସଭ୍ୟତାର ଆଲୋକୋଜ୍ଜ୍ବଳ ପଥ। ପଛରେ ରହିଗଲା ଲକ୍ଷ ଲକ୍ଷ ବର୍ଷର ଅଲେଖା ଇତିହାସ। କେତେ ସହସ୍ର ସଂଗ୍ରାମର ବିଜୟଗାଥା। ସମାଜର ଅନାହତ ଏହି ଗତିପଥରେ କେତେ ପ୍ରଥା ଗଢ଼ି ଉଠିଛି, କେତେ ପୁଣି ଲୋପ ପାଇଛି।  କେତେ ପୂଜାପଦ୍ଧତି ବେଳୁଁ ବେଳ ମଣିଷ ସୃଷ୍ଟି କରିଛି, କେତେ ଅନୁଷ୍ଠାନ ବି ଉଭେଇ ଯାଇଛି।  କେତେ ଶାସନର ସଂସ୍ଥା ଛିଡ଼ା ହୋଇଛି, କେତେ ବି ଭାଙ୍ଗିପଡ଼ିଛି। ଏହି ଦୀର୍ଘ ଐତିହ୍ୟର ସଂଭାର ଘେନି ସମାଜ  ପାଦ ଦେଲା ସଭ୍ୟତା ଉପରେ। ଯେବେ ଲିପିରେ ତାର ପାଦ ଚିହ୍ନ ଅଲିଭା ଅକ୍ଷରରେ ରହିଲା କାଳର ସୈକତ ଉପରେ।

   

ଆଦିମ ସମାଜ, ବିଷୟରେ ଏ ପୁସ୍ତିକା ଯେ ସ୍ଥୁଳ ଧାରଣା ହେଲା, ତାହାକୁ ସମୃଦ୍ଧ ଓ ପରିବର୍ତ୍ତିତ କରି ଲେଖକଙ୍କର ପରବର୍ତ୍ତୀ ଅବଦାନ ‘ପ୍ରାଚୀନ କାଳରେ’ ଗ୍ରୀକ୍‌ ଓ ରୋମ୍‌ ସଭ୍ୟତାରୁ ପାଶ୍ଚାତ୍ୟର ପରମ୍ପରା , ପ୍ରାଚୀନ ଆର୍ଯ୍ୟ ସଭ୍ୟତାରୁ ଭାରତୀୟ ପରମ୍ପରାକୁ ଫୁଟାଇବାକୁ ଯାଇ ପ୍ରାଚୀନ ସମାଜର ଅନୁଷ୍ଠାନ ଗୁଡ଼ିକ ବିଷୟରେ ଲେଖକ ଯେଉଁ ନୂତନ ଆଲୋକପାତ କରିଛନ୍ତି, ତାହା ଉପାଦେୟ; ସମସ୍ତଙ୍କର  ଉପଭୋଗ୍ୟ ହେବ ନିଶ୍ଚୟ ।

                                                                                                                 ସଂପାଦକ-ଗଣ ପ୍ରକାଶନ




+ -

© Jataayu Charitable Trust
Site designed,developed & maintained by Tekons