ସଭ୍ୟତାର ଆଗେ




ବର୍ବର ଯୁଗ

    ଜନ୍ତୁର ମାଂସକୁ ଖାଦ୍ୟ ରୂପେ ବ୍ୟବହାର କରିବା ପରଠାରୁ ଖାଦ୍ୟ ସଂଗ୍ରହରେ ମଣିଷ ଯେତେ ଶ୍ରମ ଓ ସମୟ ନିୟୋଗ କରୁଥିଲା, ତାହା ଅନେକ ପରିମାଣରେ କମିଗଲା। ଗୋଟିଏ ଗୋଟିଏ ଶିକାର ବହୁତ ଲୋକଙ୍କର ଅନେକ ଦିନର ଖାଦ୍ୟ ହୋଇପାରିଲା। ଏହି ବଳକା ଶ୍ରମ-ଶକ୍ତି ମଣିଷକୁ ଆଗେଇ ନେଲା ନୂଆ ଏକ ଯୁଗକୁ –ବର୍ବର ଯୁଗ।ନୂଆ ଯୁଗରେ ମଣିଷ ପ୍ରକୃତିର ଦାନ ଉପରେ ଖାଲି ନିର୍ଭର କରି ରହିଲାନାହିଁ। ନିଜର ଆବଶ୍ୟକୀୟ ପଦାର୍ଥମାନ ଉତ୍ପାଦନ କରିବାରେ ଲାଗିଲା, ନିଜର ଶ୍ରମ ଓ କୌଶଳ ପ୍ରୟୋଗ କରି ପ୍ରାକୃତିକ ବସ୍ତୁକୁ ନିଜର ସୁବିଧା ମୁତାବକ ରୂପ ଦେଲା ପ୍ରକୃତିକୁ ନିଜ ଆୟତ୍ତକୁ ଆଣିବାକୁ, ପାର୍ଥିବ ଜୀବନକୁ ଉପଭୋଗ କରିବାକୁ। ଏ ଯୁଗର ପ୍ରଥମ ସୋପାନରେ ମାଟି ପାତ୍ରର ପ୍ରଚଳନ ଦେଖାଯାଏ। ଲୁଗା ବୁଣି ଜାଣି ନଥିଲେ ବି ମଣିଷ ବାଉଁଶ, ବେତ ପ୍ରଭୃତି ବୁଣି ଶିଖିଲାଣି, କାନ୍ଥ ଓ ପଥରରେ ଛବି ଆଙ୍କୁଛି, ମନକଥା ପ୍ରକାଶ କରିବା ଲାଗି ଠାର ଓ ସଂକେତାଦି ଛାଡି କଥିତ ଭାଷାର ବ୍ୟବହାର କଲାଣି। ଜନ୍ତୁ ଶିକାରଦ୍ବାରା ଖାଦ୍ୟ କଷ୍ଟ କେତେକ ପରିମାଣରେ ଲଘୁ ହୋଇଯାଇଥିଲା ସତ କିନ୍ତୁ ଖାଦ୍ୟର ଅନିଶ୍ଚିତା ତେବେ ବି ମଣିଷର ମୁଣ୍ଡ ଘାରୁଛି । ଏ ସମସ୍ୟାର ସମାଧାନ କରିବାକୁ ଯାଇ ମଣିଷ ମକା ଜାତୀୟ ଫସଲ ଓ ପନିପରିବାର ଚାଷ ଆରମ୍ଭ କଲା। ଗାଁକୁ ନିରାପଦ କରିବା ଲାଗି ର୍ଗା ଚାରିକଡ଼େ ବାଉଁଶ ବା କାଠର ଘେର ବୁଲାଇଲା। ଏ ଯୁଗର ମାଧ୍ୟମ ସୋପାନରେ ଦେଖାଯାଏ ମଣିଷ ଚାଷ ପ୍ରତି ଅଧିକ ଧ୍ୟାନ ଦେଇଛି। ଫଳମୂଳ କେବଳ ସଂଗ୍ରହ ନ କରି , ଏବେ ସେ ନିଜେ ବୃକ୍ଷରୋପଣ କରୁଛି , ପାଣି ମଡ଼େଇ ରବି ଫସଲ ଉତ୍ପନ୍ନ କରୁଛି, ବଣ୍ୟ ଜନ୍ତୁଙ୍କୁ କେବଳ ଶିକାର ନ କରି କେତେକ ଜନ୍ତୁଙ୍କୁ ପୋଷା ମନେଇ ନିଜ ପାଖେ ନେଇ ରଖିଲାଣି। ସେମାନଙ୍କ ମାଂସ ଓ ଦୁଗ୍ଧ ଖାଦ୍ୟ ରୂପେ ବ୍ୟବହାର କରୁଛି । ଏ ସମୟରେ ସେ ତୁଳା ଉତ୍ପାଦନ କରିପାରିଲା, ଲୁଗା ବୁଣି ଶିଖିଲା, ବସ୍ତ୍ର ବ୍ୟବହାର କଲା। ଏବେ ସେ ନିଜର ବାସସ୍ଥଳୀକୁ ଅଧିକ ସୁଦୃଢ଼ କରିଛି, ଗୃହପାଳିତ ପଶୁଙ୍କୁ ନିରାପଦ ରଖିବ ବୋଲି ଗାଁ ଚାରିକଡ଼ରେ ବାଉଁଶ,କାଠ ବା ପଥର ପାଚିରୀ ଘେରାଇଛି।

     ମଣିଷ ପଶୁ ପାଳନ ଆଉ କୃଷି ଶଖିଲା ସତ। କିନ୍ତୁ ଶସ୍ୟ ଓ ପଶୁଙ୍କ ଲାଗି ଦାନା ଉତ୍ପାଦନ କରିବା ପାଇଁ ଚାଷ ଜମି କାହିଁ? ଚାରିଆଡ଼େ ତ ଜଙ୍ଗଲ। ଗଛ କାଟିବା ଲାଗି ଲୁହାର ଅସ୍ତ୍ର ଦରକାର।

    ଲୁହା ଢଳେଇ କରିବାର ଉପାୟ ଉଦ୍ଭାବନ ଠାରୁ ମଣିଷ ଅଉ ଏକ ପାହାଚ ଆଗକୁ ମାଡ଼ିଲା। ସେଇଠୁ ଆରମ୍ଭ ଏ ଯୁଗର ଉତ୍ତମ ସୋପାନ। ପଥର ଓ ତମ୍ବା ଅସ୍ତ୍ର ବଦଳରେ ଲୁହାର ଅସ୍ତ୍ର ଓ ଉପକରଣ ଦେଖାଦେଲା। ଲୁହା କୁରାଢ଼ୀ ସାହାଯ୍ୟରେ ମନୁଷ୍ୟ ଜଙ୍ଗଲ ସଫା କଲା, ତାକୁ ଚାଷ ଜମିରେ ପରିଣତ କଲା,ଜମି ଚାଷ କରି ଖାଦ୍ୟଶସ୍ୟ  ଓ ପଶୁଙ୍କ ଲାଗି ଦାନା ଉତ୍ପାଦନ କଲା। ଯେଉଁ ଜାତିମାନେ ଲୁହାର ବ୍ୟବହାର ଜାଣିପାରିଲେ ନାହିଁ ସେମାନେ ବର୍ବର ଯୁଗର ମାଧ୍ୟମ ସୋପାନ ଟପି ପାରିଲେ ନାହିଁ। ଆମେରିକାର ଆଦିମ ଅଧିବାସୀମାନେ ଲୁହାର ବ୍ୟବହାର ଜାଣିନଥିବାରୁ ଅନୁନ୍ନତ ଅବସ୍ଥାରେ ପଡ଼ି ରହିଥିଲେ ସଭ୍ୟଜାତିମାନେ ସେ ଦେଶ ଆବିଷ୍କାର କଲା ପର୍ଯ୍ୟନ୍ତ। ଲୌହର ପ୍ରଚଳନ ଓ ଖାଦ୍ୟଶସ୍ୟର ଉତ୍ପାଦନ ମନୁଷ୍ୟ ସମାଜରେ ଏକ ଯୁଗାନ୍ତକାରୀ ବିପ୍ଳବ ଆଣିଦେଲା। ଖାଦ୍ୟ ଓ ବାସର ସଂସ୍ଥା ଦିଗରୁ ମନୁଷ୍ୟ ନିଶ୍ଚିତ ହେଲା, ଗୋଚାରଣ ଭୂମି ବା ଚାଷ ଜମି ଲାଗି ମଣିଷକୁ ଆଗେ ଯେଭଳି ଠାଆକୁ ଠାଆ ଖୋଜିବାକୁ ପଡ଼ୁଥିଲା, ଏବେ ତା ଆଉ ଦରକାର ନାହିଁ। ତାର ଯାଯାବର ଜୀବନ ଏଇଠୁ ଶେଷ। ଯେଉଁ ଅଞ୍ଚଳରୁ ସେ ତାର ଗ୍ରାସାଚ୍ଛାଦନ ବ୍ୟବସ୍ଥା କରି ପାରିଲା, ସେଠି ସେ ତାର ଡେରା ବାନ୍ଧିଲା, ସେ ସ୍ଥାନର ସେ ସ୍ଥାୟୀ ବାସିନ୍ଦା ହେଲା।

    ଏ ଆଦିମ ଅବସ୍ଥାରେ ଚାଷ ବା ପଶୁପାଳନ ଏକା ଏକା କରିବା ସମ୍ଭବ ନ ଥିଲା। ନଈ ବନ୍ଧେଇବା, ନାଳ କାଟିବା, ଜଙ୍ଗଲ ସଫା କରିବା, ଖୁଆଡ଼ କରିବା ପ୍ରଭୃତି କାର୍ଯ୍ୟ ଏକା ଏକା କରି ହୁଏ ନାହିଁ। ଫଳରେ ଜାତି ବା ଗଣର ସମସ୍ତେ ମିଳି କୋଠ ଚାଷ କରନ୍ତି ବା କୋଠରେ ପଶୁପାଳନ କରନ୍ତି। ଜମି ବା ଗୋଠ ଉପରେ ଅଧିକାର ସମୁଦାୟ ଜାତି ବା ଗଣର। କ୍ରମଶଃ ଉତ୍ପାଦନ ପ୍ରଣାଳୀରେ ଉନ୍ନତ ହେବା ସହ ଅଳ୍ପ କେତେକ ଲୋକଙ୍କୁ ନେଇ ଉତ୍ପାଦନ ସମ୍ଭବ ହୋଇପାରିଲା। ଏହା ସହିତ ଜମି ବା ଗୋଠ କ୍ରମଶଃ ଜାତି ବା ଗଣର ଅଧିକାର ଲୋପ ପାଇ କେତେକ ପରିବାର ମଧ୍ୟରେ ଓ ଶେଷରେ ବ୍ୟକ୍ତିରେ ତାହା ସୀମାବଦ୍ଧ ହେଲା। 

      ଚାଷ ଓ ଗୋଚାରଣ ଦ୍ବାରା ମଣିଷ ତାର ଆବଶ୍ୟକଠାରୁ ଅଧିକ ଉତ୍ପାଦନ କରି ପାରିଲା। ନିଜର ଅଭାବ ମେଣ୍ଟାଇବା ପରେ ତା ହାତରେ ଆଉ ବି କିଛି ବଳକା ରହିଲା ଆଗେ ଶତ୍ରୁପକ୍ଷର ବନ୍ଦୀମାନଙ୍କୁ ଖାଦ୍ୟ ଯୋଗାଇବା ଲାଗି ମଣିଷ ପାଖରେ ବଳକା ଖାଦ୍ୟଦ୍ରବ୍ୟ ହେଉନଥିଲା। ସେମାନଙ୍କୁ  ହତ୍ୟା କରିବାହିଁ ଥିଲା ଏକ ମାତ୍ର ପନ୍ଥା। ଏବେ ବଳକା ଖାଦ୍ୟଦ୍ରବ୍ୟ ସାହାଯ୍ୟରେ ସେମାନଙ୍କୁ ବଞ୍ଚାଇ ରଖିବା ସମ୍ଭବ ହେଲା॥ ମଣିଷ ଦେଖିଲା ବନ୍ଦୀମାନଙ୍କୁ ହତ୍ୟାନକରି ଏମାନଙ୍କୁ ଖାଲି ବଞ୍ଚି ରହିଲା ଭଳି ଗଣ୍ଡାଏ ଖାଇବାକୁ ଓ ଖଣ୍ଡେ ପିନ୍ଧିବାକୁ ଦେଇ ତାଙ୍କ ଜରିଆରେ କଠିନ ପରିଶ୍ରମଗୁଡ଼ିକ କରାଇ ନେବା ସୁବିଧାଜନକ ହେବ, ଉତ୍ପାଦନ ଅଧିକ ହେବା ମଣିଷକୁ ଟିକିଏ ଆରାମ ମିଳିବ। 




+ -

© Jataayu Charitable Trust
Site designed,developed & maintained by Tekons