ସଭ୍ୟତାର ଆଗେ




ସମାଜ ସଂଗଠନ

     ଲଢ଼େଇ ଲାଗି ଲୋଡ଼ା, ହାତ ଅଉ ହତିଆର ଉଭୟ। ଲଢ଼ିବା ଳୋକଙ୍କୁ ଠିକ୍‌ ମନେ ପକାଇବା ଯୁଦ୍ଧ-କୌଶଳର ଏକ ପ୍ରଧାନ ଅଙ୍ଗ। ପ୍ରକୃତି ଓ ଜନ୍ତୁ ଜଗତ ବିରୁଦ୍ଧରେ ମଣିଷ ଯେଉଁ ଅବିରାମ ସଂଗ୍ରାମ ଚଳାଇ ଆସିଲା, ଅବସ୍ଥାକୁ ଚାହିଁ ନିଜ ସମାଜକୁ ସଜାଉନଥିଲେ  କେତେକାଳୁଁ ସେ ଲୋପ ପାଇ ଯାଆନ୍ତାଣି। କିଏ ଜାଣେ ହୁଏତ କାହିଁ କେତେ ଜାତି ଏ ସୈନ୍ୟସଜ୍ଜା କରି ନଜାଣି ବା ତହିଁରେ ଭୁଲ ଭଟକା କରି ସଂଗ୍ରାମରେ ପରାଭବ ଲଭିଥିବେ, କିଏ ବା ଆଗେଇ ପାରିନଥିବ,କିଏ ପଛେଇ ହାରି ଆସିଥିବ, କିଏ ବା ବିଲକୁଲ୍‌, ମୂଳପୋଛ ହୋଇ ଯାଇଥିବ। ଯେଉଁ ଜାତିମାନେ ଅବସ୍ଥାକୁ ଚାହିଁ ବ୍ୟବସ୍ଥା କରି ପାରିଲେ ସେମାନେ ହିଁ ଏ ସଂଗ୍ରାମରେ ଆଗକୁ ମାଡ଼ି ଚାଲିଲେ ଜୟଯୁକ୍ତ ହେଲେ।

ଆରଣ୍ୟକ ଯୁଗରେ-

    ଆରଣ୍ୟକ ଯୁଗର ପ୍ରଥମ ସୋପାନରେ ନିଜର ଜୀବନ ଧାରଣ କରି ମନୁଷ୍ୟକୁ ହିଂସ୍ରଜନ୍ତୁଙ୍କ  ସହିତ ଲଢ଼ିବାକୁ ପଡ଼ିଥିଲା। ସେମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ଲାଗି ମଣିଷ ହାତରେ ହତିଆର ନଥିଲା। ସତର୍କତାହିଁ ଥିଲା ପ୍ରଧାନ ଅବଲମ୍ବନ। ତେଣୁ ସେ କାଳରେ ମଣିଷ ପଶୁ ଭଳି ପଲରେ ରହୁଥିଲା। ଖାଦ୍ୟ ସଂଗ୍ରହ ପାଇଁ ବା ଅନୁନ୍ନତ ଅବସ୍ଥାରେ ଉତ୍ପାଦନ ଲାଗି ଉପକରଣ ଗୁଡ଼ିକର ଯେତିକି ଆବଶ୍ୟକ ଥିଲା, ଶ୍ରମଶକ୍ତିର ଲୋଡ଼ା ଥିଲା ତହିଁରୁ ଅଧିକ। କେବଳ ପୁରୁଷ ବ କେବଳ ନାରୀକୁ ନେଇ ଏ ପଲ ଗଢ଼ାଗଲେ ଅଳ୍ପଦିନେ ପଲଟି ଲୋପ ପାଇଯିବ। ନାରୀ ଶ୍ରମ-ଶକ୍ତିର ଜନନୀ। ତେଣୁ କେତେଗୁଡ଼ିଏ ନାରୀ ଓ ପୁରୁଷଙ୍କୁ  ନେଇ ଏହି ପଲ ଗଢ଼ି ଉଠିଥିଲା। ପଲର ପ୍ରତ୍ୟେକ ନାରୀ ପ୍ରତ୍ୟେକ ପୁରୁଷର ପ୍ରତ୍ୟେକ ନାରୀର ସ୍ବାମୀ ଥିଲା- ଅନେକଟା ପଶୁପଲର ବ୍ୟବସ୍ଥା । ଏ ପ୍ରକାରର ଗୋଷ୍ଠୀହିଁ ହେଲା ମାନବ ସମାଜର ଆଦିମ ସଙ୍ଗଠନ।

     ଏହି ଗୋଷ୍ଠୀ ଏକାଠି ରହୁଥିଲେ, ଗୋଟିଏ ପରିବାର ଭଳି । ଖାଦ୍ୟ ସଂଗ୍ରହ ଓ ବାସ-ସଂସ୍ଥାନର ଅସୁବିଧା ହେତୁ ଗୋଟିଏ ଗୋଷ୍ଠୀରେ ବେଶି ସଂଖ୍ୟକ ଲୋକ ରହିବା ସମ୍ଭବପର ନଥିଲା। ଯାହା ଫଳମୂଳ ସଂଗ୍ରହ ହୁଏ, ତାହା ଗୋଷ୍ଠୀର ସମ୍ପତ୍ତି, ସମସ୍ତଙ୍କର ସେଥିରେ ସମାନ ଅଧିକାର । ଯାହାର ଯେତେ ଦରକାର ସେ ସେତେ ପାଏ। ପିଲା ଆଉ ବୁଢ଼ା ବୁଢ଼ୀଙ୍କର ତତ୍ତ୍ବ ନେବା ଗୋଷ୍ଠୀର କର୍ତ୍ତବ୍ୟ, ଗୋଷ୍ଠୀର ପରସ୍ପର ପରସ୍ପରକୁ ସାହାଯ୍ୟ କରନ୍ତି, ବିପଦରୁ ରକ୍ଷା କରନ୍ତି ଓ କାହାରିକୁ ଆଘାତ ହେଲେ, ଅନ୍ୟମାନେ ଅଣ୍ଟା ଭିଡ଼ି ବାହାରନ୍ତି, ତାର ପ୍ରତିଶୋଧ ନିଅନ୍ତି। ଗୋଷ୍ଠୀରେ ପ୍ରତ୍ୟେକ ବୟସ୍କ ଲୋକର କର୍ତ୍ତବ୍ୟ ଓ ଅଧିକାର, ଆସନ ଓ ସମ୍ମାନ ସମାନ ଥିଲା। ଉତ୍ପାଦନ ପ୍ରଣାଳୀର ଏହି ଆଦିମ ଅବସ୍ଥାରେ ସମାଜରେ କୌଣସି ପ୍ରକାର ଶ୍ରମ ବିଭାଗ ଦେଖାଦେଇନଥିଲା। ନାରୀକୁ ପୁରୁଷ ସହିତ ସହଯୋଗ କରି ପ୍ରାୟ ସମାନ କାମ କରିବାକୁ ପଡ଼େ, ଭଲ ମନ୍ଦରେ ପରାମର୍ଶ ଲୋଡ଼ା ପଡ଼ୁଥିଲା ଉଭୟଙ୍କର। ପୁରୁଷ ଓ ନାରୀ ଉଭୟଙ୍କର କର୍ତ୍ତବ୍ୟ ଯେପରି ସମାନ ଥିଲା। ଅଧିକାର ମଧ୍ୟ ସେହିପରି ସମାନ। ସମାଜରେ ଏହି ପ୍ରାଥମିକ ସଂଗଠନକୁ ପାଶ୍ଚାତ୍ୟ ପଣ୍ଡିତମାନେ ଆଦିମ ଗୋଷ୍ଠୀଗତ ଜୀବନ (Primitive Communism) କହିଥାନ୍ତି। ଏ ବ୍ୟବସ୍ଥାରେ ମଣିଷ ଯେ କେତେକାଳ କଟାଇଛି,ତାହାର କିଛି ହିସାବ ନାହିଁ। କିନ୍ତୁ ତାକୁ ଏହିଭଳି କେତେ ପୁରୁଷ ରହିବାକୁ ପଡ଼ିଥିଲା ନିଶ୍ଚୟ।

   ଆଦିମ କାଳରେ ପ୍ରାକୃତିକ ଶକ୍ତି ଆଗରେ ମଣିଷ ନିଜକୁ ଅତି ଦୁର୍ବଳ ଓ ଅସହାୟ ମନେ କରୁଥିଲା। କାହିଁକି ଯେ ବର୍ଷା ହେଉଛି, ବଜ୍ର ପଡ଼ୁଛି; ବନ୍ୟା ପ୍ଳାବନ ଘଟୁଛି, ତାର କାରଣ ସେ କିଛି ବୁଝି ପାରୁନଥିଲା, ଭାବୁଥିଲା କେହି ଏଗୁଡ଼ିକ କରାଉଛି। ତେଣୁ ନଦୀ,ବଣ, ମେଘ ସବୁକୁ ଗୋଟିଏ ଗୋଟିଏ ଦେବ ଦେବୀ ମନେ କରି ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ପୂଜାର୍ଚ୍ଚନା କରୁଥିଲା। କାଳକ୍ରମେ ପ୍ରତ୍ୟେକ  ଗୋଷ୍ଠୀ ମଧ୍ୟରେ ଏହିପରି କେତେଗୁଡ଼ିଏ ପୂଜା ପଦ୍ଧତି ଗଢ଼ି ଉଠିଲା।

    ଜୀବନ ସଂଗ୍ରାମ ଲାଗି ଅତୀତରେ ଅନୁଭୂତି ଗୁଡ଼ିକ ଥିଲା ଅମୂଲ୍ୟ ସଂପଦ। କୌଣସି ଏକ ପରିସ୍ଥିତିରେ ଗୋଷ୍ଠୀ କି ନିଷ୍ପତ୍ତି ନେଇଥିଲା, କିଭଳି କାର୍ଯ୍ୟ କରିଥିଲା,ମଣିଷ ସେଥିରୁ ଶିକ୍ଷା ଗ୍ରହଣ କରିବାକୁ ଚାହେଁ। ଜୀବନ ଯାତ୍ରାର ଅଚିହ୍ନା ପଥରେ ପୂର୍ବ ପୁରୁଷଙ୍କ ଚଳନୀ ତା ଲାଗି ବାଟ ଅବାଟର ପ୍ରଧାନ ଶତ୍ରୁ ହେଲା। ପୂର୍ବ ଚଳନୀକୁ ମାନି ସେ ବାଟ ଚାଲେ। ଲିପିର ଉଦ୍ଭାବନ ଏବେ ବି ହୋଇନାହିଁ। ସ୍ମରଣ ରଖିବା ଛଡ଼ା ଅନ୍ୟ ଉପାୟ ନଥିଲା, କିଛିକାଳ ପରେ ଏହି ଚଳନୀଗୁଡ଼ିକର ଉତ୍ପତ୍ତି କିଭଳି ଓ କାହିଁକି ହୋଇଥିଲା ସେ ଭୁଲିଗଲା; ସେ ସବୁକୁ ମାନି ଚଳିବାର ଅନ୍ଧ ବିଶ୍ବାସ ତା ଭିତରେ ରହିଲା ମାତ୍ର । ପୁରୁଣା ଚଳନୀ ଅନୁସାରେ ତାର ଜୀବନ ଧାରାକୁ ନିୟନ୍ତ୍ରିତ କରିବା ତା ନିକଟରେ ଏକ ପବିତ୍ର କର୍ତ୍ତବ୍ୟ ହୋଇ ଛିଡ଼ାହେଲା। ଏହିପରି ପ୍ରତ୍ୟେକ ଗୋଷ୍ଠୀରେ ଉଦ୍‌ଭବ ହେଲା କେତେ ଗୁଡ଼ିଏ ପ୍ରଥା।

     ସେହିପରି ଉତ୍ପାଦନ ପ୍ରକ୍ରିୟାର ସୃତିକୁ ଜାଗରୁକ ରଖିବା ଲାଗି ସେଗୁଡ଼ିକର ପୁନରାବୃତ୍ତି ପାଇଁ ଗୋଷ୍ଠୀରେ ଯଜ୍ଞାଦିର ଅନୁଷ୍ଠାନ କରାଯାଉଥିଲା। ଏ ପ୍ରକାର ପୂଜା ପଦ୍ଧତି, ଯଜ୍ଞ ଓ ପ୍ରଥା ଗୋଷ୍ଠୀ ଜୀବନର ଅନୁସଙ୍ଗ ହେଲା। ଏହା ଗୋଷ୍ଠୀକୁ ‘ଧାରଣ କରୁଥିଲା’ ଅର୍ଥାତ୍‌ ଏକତା ରକ୍ଷା କରୁଥିଲା, ତେଣୁ ଏହାହିଁ ହେଲା ଗୋଷ୍ଠୀର ଧର୍ମ।

    ଗୋଷ୍ଠୀରେ ଲୋକସଂଖ୍ୟା ବୃଦ୍ଧି ପାଇବା ସହିତ ସମସ୍ତ ଗୋଷ୍ଠୀ ଏକତ୍ର ବାସ କରିବା ସୁବିଧାଜନକ ହେଲାନାହିଁ। ଗୋଷ୍ଠୀର ଏକତା ରକ୍ଷା କରି ଗୋଷ୍ଠୀକୁ ବିଭିନ୍ନ ପରିବାରରେ ବିଭକ୍ତ କରିବାର ଆବଶ୍ୟକତା ମଣିଷ ଅନୁଭବ କଲା। ପ୍ରଥମାବସ୍ଥାରେ ଯେଉଁ ବୈବାହିକ ବ୍ୟବସ୍ଥା ଥିଲା, ବୟସ ଭେଦରେ ସେ ପ୍ରକାର ଯୌନ ସମ୍ପର୍କର ଅଧିକାର ପ୍ରତି ଯେ ଅସନ୍ତୋଷ ପ୍ରକାଶ ପାଇଥିବ, ତାହା ସହଜେ ଅନୁମାନ କରାଯାଇପାରେ। ପରିବାରର ଏକତା ରକ୍ଷା କରିବା ଦୃଷ୍ଟିରୁ ଯୌନ ସମ୍ପର୍କରେ ଅଧିକାରରେ ଯାହା ଅସନ୍ତୋଷର କାରଣ, ସେଗୁଡ଼ିକ ଦୂର କରିବାକୁ ଯାଇ ବୈବାହିକ ସମ୍ପର୍କକୁ ସମାଜ ଅଧିକ ଶୃଙ୍ଖଳିତ ଓ ନିୟନ୍ତ୍ରିତ କଲା। ଉତ୍ପାଦନର ଉପକରଣ ଉନ୍ନତି ସାଧନାରେ ଯେପରି ବିଭିନ୍ନ ସ୍ତର ଦେଖାଯାଏ, ସମାଜରେ ବୈବାହିକ ସମ୍ପର୍କ ସେହିପରି ବିଭିନ୍ନ ସ୍ତର ଦେଇ ଗତି କରିଛି।




+ -

© Jataayu Charitable Trust
Site designed,developed & maintained by Tekons