ସଭ୍ୟତାର ଆଗେ




ଆଦିମ ଗୋଷ୍ଠୀଗତ ବିବାହକୁ ନିୟନ୍ତ୍ରିତ କରିବାକୁ ଯାଇ ସମାଜ ବିଭିନ୍ନ ପୁରୁଷାନୁଯାୟୀ ଯୌନ ସମ୍ପର୍କ ପ୍ରତିଷ୍ଠା କରିବାକୁ ବିଧି ବାନ୍ଧିଲା। ଯୌଥ ବିବାହ କିନ୍ତୁ ଏ ନୂଆ ବ୍ୟବସ୍ଥାରେ ବଞ୍ଚି ରହିଥିଲା। “ପରିବାରର ଅନ୍ତର୍ଭୁକ୍ତ ପିତାମହ ବର୍ଗ ଓ ପିତାମହୀ ବର୍ଗ ସମସ୍ତେ ସମସ୍ତଙ୍କର ସ୍ବାମୀ ଓ ସ୍ତ୍ରୀ; ସେମାନଙ୍କର ସନ୍ତାନମାନେ ଅର୍ଥାତ୍‌ ପିତୃବର୍ଗ ଓ ମାତୃବର୍ଗ ମଧ୍ୟ ତଦ୍ରୁପ (ପରସ୍ପରର ସ୍ବାମୀ ଓ ସ୍ତ୍ରୀ) ସେମାନଙ୍କର ସନ୍ତାନମାନେ ପୁଣି ବୈବାହିକ ମିଳନ ଲାଗି ତୃତୀୟ ଚକ୍ର ଗଠନ କରନ୍ତି ଏବଂ ସେମାନଙ୍କର ସନ୍ତାନମାନେ-ଅର୍ଥାତ୍‌ ପ୍ରପୌତ୍ର ବର୍ଗ ସେହିପରି ଚତୁର୍ଥ ଚକ୍ର ଗଠନ କରନ୍ତି।”(Engels: Origin of Family) ପିତାମାତା  ଓ ସନ୍ତାନ ଏପରି ବିଭିନ୍ନ ପୁରୁଷ ମଧ୍ୟରେ ବୈବାହିକ ସମ୍ପର୍କ ନିଷିଦ୍ଧ ହେଲେ ମଧ୍ୟ ସମାନ ପୁରୁଷ ମଧ୍ୟରେ ଅର୍ଥାତ୍‌ ଭ୍ରାତା ଭଗିନୀଙ୍କ ମଧ୍ୟରେ ଯୌଥ ବିବାହ ପ୍ରଚଳିତ ଥିଲା। ଏ ପ୍ରକାର ବୈବାହିକ ମିଳନ ଫଳରେ ପ୍ରତ୍ୟେକ ଦମ୍ପତି-ଚକ୍ର ଅନ୍ୟମାନଙ୍କଠାରୁ ପୃଥକ ହୋଇ ବସବାସ କରିବାକୁ ଲାଗିଲେ। ଗୋଷ୍ଠୀ ମଧ୍ୟରେ ଏମାନଙ୍କୁ ଭିତ୍ତି କରି କେତେଗୁଡ଼ିଏ ପରିବାର ଗଢ଼ି ଉଠିଲା। ଏ ପ୍ରକାର ପରିବାରକୁ ସପିଣ୍ଡ ପରିବାର (Consanguine Family) ଆଖ୍ୟା ଦିଆଯାଏ। ଏ ରୀତିରେ ବିବାହ ଆରଣ୍ୟକ ଯୁଗର ନିମ୍ନତମ ସ୍ତରରେ ପ୍ରଚଳିତ ଥିଲା। ଗୋଷ୍ଠୀ ମଧ୍ୟରେ ପରିବାରର ଗଠିତ ହେବା ଫଳରେ ପରିବାରକୁ ଭିତ୍ତି କରି ପରିବାର ଅନ୍ତର୍ଭୁକ୍ତ ବ୍ୟକ୍ତିମାନେ ସେମାନଙ୍କ ଜୀବନ ନିର୍ବାହ କରୁଥିଲେ। ଏହାଦ୍ବାରା କିନ୍ତୁ ଗୋଷ୍ଠୀଗତ ଜୀବନ ଲୋପ ପାଇନଥିଲା,ପରିବାର ଗୋଷ୍ଠୀର ଅଧୀନ ଓ ତହିଁର ଏକ ଅଙ୍ଗ ରୂପେ କାର୍ଯ୍ୟ କରୁଥିଲା।

    ସପିଣ୍ଡ ପରିବାରରେ ଏକ ମାତାର ସନ୍ତାନମାନଙ୍କ ମଧ୍ୟରେ ଯୌନ ସମ୍ପର୍କ ସ୍ଥାପିତ ହେବାର ଅଧିକାର ସମାଜରେ ପ୍ରଚଳିତ ଥିଲା। ଉନ୍ନତତର ସନ୍ତାନ ଜନନ ଲାଗି ଭିନ୍ନ ଉକ୍ତ ସହିତ ମିଳନ ପାଇଁ ମଣିଷର ସ୍ବତଃପ୍ରବୃତ୍ତିବଶତଃ ହେଉ ବା ଏକ ମାତାର ସନ୍ତାନମାନଙ୍କର ମିଳନରୁ ଜାତ ସନ୍ତାନମାନେ ରୁଗ୍‌ଣ ଓ ଦୁର୍ବଳ ହୋଇ ସମାଜର ଶ୍ରମଶକ୍ତି ହ୍ରାସ କରାଉଛନ୍ତି, ଏ ବିଷୟରେ ସମାଜର ସଚେତନ ଉପଲବ୍ଧି ପାଇଁ ହେଉ, କିଛିକାଳ ପରେ ପ୍ରଥମେ ଏକ ମାତାର ସନ୍ତାନମାନଙ୍କ ମଧ୍ୟରେ ଓ ପରେ ମାତୃ ପକ୍ଷୀୟ ଦୂର ସମ୍ପର୍କୀୟମାନଙ୍କ ମଧ୍ୟରେ ବି ବୈବାହିକ ସମ୍ପର୍କ ନିଷିଦ୍ଧ ହେଲା। କିନ୍ତୁ ଏବେ ବି ଯୌଥବିବାହ ରୀତି ଚାଲୁ ରହିଛି। ଏ ନିଷେଧ ଫଳରେ ଭଉଣୀମାନେ ସହୋଦର ଭାଇମାନଙ୍କ ଛଡ଼ା ଗୋଷ୍ଠୀର ଏପରି କି ପରିବାରର ଭାଇମାନେ ଅନ୍ୟତ୍ର ବିବାହ ହୋଇ ଅନ୍ୟ ଏକ ପାରିବାହିକ ସଂସାର ଗଢ଼ିଲେ। ଏହାଦ୍ବାରା ସପିଣ୍ଡ ପରିବାର ଭାଙ୍ଗିଯାଇ ନୂଆ ପ୍ରକାରର ପରିବାର ଗଢ଼ାହେଲା. ଯାହାକୁ ‘ପୁନାଲୁଆ-ପରିବାର’ (Pumaluan Family) ବୋଲାଯାଏ। ହାୱାଲର ଆଦିମ ଆଧିବାସୀମାନଙ୍କ ମଧ୍ୟରେ ପୁନାଲୁଆ ନାମକ ଉପରୋକ୍ତ ରୀତିରେ ବୈବାହିକ ପ୍ରଥା ଇତିହାସ ଯୁଗରେ ବି ପ୍ରଚଳିତ ଥିବାରୁ ଏହାର ନାମକରଣ ଏପରି ହୋଇଅଛି। ଆର୍ଯ୍ୟଜାତିମାନଙ୍କ ମଧ୍ୟରେ ଏ ପ୍ରକାର ପରିବାରକୁ ‘ଗୋତ୍ର’ ଆଖ୍ୟା ଦିଆଯାଇଥିଲା ବୋଧହୁଏ। ଭଉଣୀମାନଙ୍କୁ କେନ୍ଦ୍ରକରି ବିଭିନ୍ନ ବାସ ସଂସ୍ଥାନ ଗଢ଼ି ଉଠିଥିଲା। ଦକ୍ଷ ପ୍ରଜାପତି ଉପଖ୍ୟାନରେ ଦକ୍ଷଙ୍କର ଷାଠିଏ କନ୍ୟା ସାତ ପ୍ରଜାପତିଙ୍କୁ ସ୍ବାମୀ ରୂପେ ବରଣ କରି ସୃଷ୍ଟି ଆରମ୍ଭ କଲେ ବୋଲି ବର୍ଣ୍ଣନା ଅଛି, ତାହା ସୂଚନା ଦିଏ ।ବୋଧହୁଏ ଏ ପ୍ରକାର ପରିବାର ପ୍ରତିଷ୍ଠାତା।ଏ ପ୍ରକାର ପରିବାରରେ ପୁତ୍ର ସନ୍ତାନମାନେ ବିବାହ ପରେ ମା’ର ପରିବାର ପରିତ୍ୟାଗ କରୁଥିଲେ। ତେଣୁ ମା ଓ ତାର ଭାଇ ଭଉଣୀ ଏବଂ ସେମାନଙ୍କର ସ୍ବାମୀମାନେ , କନ୍ୟାସନ୍ତତି ଓ ସେମାନଙ୍କର ସ୍ବାମୀମାନେ, କନ୍ୟାର କନ୍ୟାମାନେ ଓ ସେମାନଙ୍କର କନ୍ୟାମାନେ …ଏହିପରି ଭାବେ ଏ ପରିବାର ଗଠିତ ହେଉଥିଲା ଓ ଏମାନେ ଏକ ପରିବାରଭୁକ୍ତ ଆଉ ଏକ ବାସ ଏକତ୍ର ଚଳାଚଳ ହେଉଥିଲେ। ‘ଭାତୃବର୍ଗ ଓ ଭଗିନୀବର୍ଗ, ଏପରିକି ମାତୃପକ୍ଷରେ ଦୂର ସମ୍ପର୍କୀୟ ଏ ସମସ୍ତଙ୍କ ମଧ୍ୟରେ ଯୌନ ସମ୍ପର୍କ ଯେବେ ନିଷିଦ୍ଧ ହୋଇଗଲା, ଉପରୋକ୍ତ (ପାରିବାରିକ) ଉପଗୋଷ୍ଠୀ (group) ରୂପାନ୍ତର ଗ୍ରହଣ କଲା-ଜେନ୍‌ସକୁ (ଲେ:ସଂସ୍କୃତ, ଜନ:?) ଅର୍ଥାତ୍‌ ନାରୀପକ୍ଷୀୟ  ଉକ୍ତ ସମ୍ପର୍କୀୟଙ୍କୁ ନେଇ ଏହା ନିବିଡ଼ଭାବେ ସୀମାବଦ୍ଧ ଏକ (ସାମରିକ ଅନୁଷ୍ଠାନ) ଚକ୍ର ଗଠନ କଲା, ଯେଉଁମାନଙ୍କ ମଧ୍ୟରେ ପରସ୍ପର ସହିତ ବିବାହ ନିଷିଦ୍ଧ ଥିଲା।’ (Engels: Origin of Family)ପୃଥିବୀର ପ୍ରତ୍ୟେକ ଜାତିରେ ଏ ପ୍ରକାର ଅନୁଷ୍ଠାନ ଥିବାର ଜଣାଯାଏ। ଗ୍ରୀକ୍‌ ଭାଷାରେ (ଜେନୋସ୍‌) (genos) ଲାତିନ୍‌ ‘ଜେନ୍‌ସ୍‌’ (gens)ଗଥିକ  ‘କୁନି’(kuni) ପ୍ରାଚୀନ ନୋର୍ଡ଼ିକ୍‌ ଓ ଆଙ୍ଗ୍‌ଲୋ ସାକ୍‌ସନ୍‌ ‘କିନ୍‌’(kyn),ଇଂରାଜୀ (kin)ମଧ୍ୟ ଉଚ୍ଚ ଜର୍ମାନ୍‌ ‘କୁନ୍ନେ’(kunne) ଓ ସଂସ୍କୃତ ‘ଗଣ’ ଶବ୍ଦର ବ୍ୟବହାର କୁଟୁମ୍ବ ବା ଏକ ବଂଶୋଦ୍ଭବ  ଏହି ଅର୍ଥ ପ୍ରକାଶ କରେ। ଅନୁମାନ କରାଯାଏ ଏ ବିଭିନ୍ନ ଜାତି ଏକ ଆଦିମ ଗୋଷ୍ଠୀକୁ ବିଚ୍ଛିନ୍ନ ହୋଇଯିବା ପୂର୍ବରୁ ସେମାନଙ୍କର ସମାଜରେ ଏହି ପ୍ରକାର ଅନୁଷ୍ଠାନ ଗଢ଼ିଉଠିଥିଲା।

   ପୁନାଲୁଆ ପରିବାର ଯୌଥବିବାହ ଉପରେ ପ୍ରତିଷ୍ଠିତ। ଯୌଥ ବିବାହରେ କେଉଁ ସ୍ବାମୀ ଔଲସରୁ କେଉଁ ପୁତ୍ର ଜାତ ହେଲା, ତାହା ଜାଣିବା ସହଜ ନଥିଲା। ସନ୍ତାନର ମାତୃତ୍ବ ବିଷ଼ୟରେ କିନ୍ତୁ ସନ୍ଦେହ ନାହିଁ। ତେଣୁ ସମାଜର ଏହି ଅବସ୍ଥାରେ ସନ୍ତାନମାନଙ୍କର ପରିଚୟ ଥିଲା ମାତୃକୂଳ ଅନୁଯାୟୀ, ଯଥା- ଅଦିତିର ପୁତ୍ର ଆଦିତ୍ୟ, ଦିତିର ପୁତ୍ର ଦୈତ୍ୟ, ଦନୁର ପୁତ୍ର ଦାନବ, କାର୍ତ୍ତିକାର ପୁତ୍ର କାର୍ତ୍ତିକେୟ ଇତ୍ୟାଦି। ପରିବାରର ସମ୍ପତ୍ତି ଜେନ୍‌ସ ବା ଗୋରୁ ମଧ୍ୟରେ ଯେପରି ରହେ, ସେଥିଲାଗି ତହିଁରେ ଉତ୍ତରାଧିକାରୀ ମାତାନୁବର୍ତ୍ତୀ  ଥିଲା, ଅର୍ଥାତ୍‌ ମାଆକୂଳ ଅନୁସରଣ କରି ତାର କନ୍ୟା ଓ ସେମାନଙ୍କର କନ୍ୟାମାନେ ଏହା ପାଉଥିଲେ।

ଆରଣ୍ୟକ ଯୁଗର ମଧ୍ୟମ ଓ ଉତ୍ତମ ସୋପାନରେ ଏ ପ୍ରକାର ପରିବାର ଥିଲା ବୋଲି ଅନୁମାନ କରାଯାଏ। ତ୍ରେତାଯୁଗରେ ସଂସ୍ପର୍ଶକୁ (by association,by bringing togather) ସନ୍ତାନମାନଙ୍କର ଜନ୍ମ ହେଉଥିଲା ବୋଲି ମହାଭାରତ ଶାନ୍ତି ପର୍ବରେ ଯାହା ବର୍ଣ୍ଣନା ଅଛି, ବୋଧହୁଏ ଏ ପ୍ରକାର ବିବାହ ପ୍ରଥା ତାହାଦ୍ବାରା ସୂଚିତ ହୋଇଛି।

ତତସ୍ତୋତାଯୁଗେ କାଳେ ସଂସ୍ପର୍ଶାତ୍‌ ଜାୟତେ ପ୍ରଜା,

ନ ହ୍ୟୁଭୁନ୍‌ ମୈଥୁନୋଧର୍ମ ସ୍ତେଷାମପି ଜନାଧିପ।

    ଏହି ପ୍ରକାର ବୈବାହିକ ସମ୍ପର୍କ ନେଇ ସମାଜରେ ନାନା ପରୀକ୍ଷାମୂଳକ ବ୍ୟବସ୍ଥା ଦେଖା ଦେଇଥିବ ନିଶ୍ଚୟ। ଯୌନ ଜୀବନକୁ ଅଧିକ ଶୃଙ୍ଖଳିତ କରିବା ଲାଗି ହେଉ, ସମ୍ପତ୍ତି ବୃଦ୍ଧି ଓ ତାହା ସନ୍ତାନମାନଙ୍କ ମଧ୍ୟରେ ବଣ୍ଟନ କରିବାରେ ଅସୁବିଧା ହେତୁ ହେଉ, ଆରଣ୍ୟକ ଯୁଗର ଶେଷ ଓ ବର୍ବର ଯୁଗର ଆରମ୍ଭରେ ଯୌଥ ବିବାହ ପ୍ରଥା ଲୋପ ପାଇଲା। ଉତ୍ପାଦନ ପ୍ରଣାଳୀରେ କିଞ୍ଚିତ୍‌ ଉନ୍ନତି ଦେଖାଦେବା ସହିତ ଛୋଟ ଛୋଟ ପରିବାର ଗଠନ କରି ମଣିଷ ଚଳିପାରିଲା।  ଗୋଟିଏ ପୁରୁଷକୁ ଗୋଟିଏ ନାରୀ ଏପରି ବିବାହ ଚାଲୁ ହେଲା। ଆର୍ଯ୍ୟ ସମାଜରେ ଏ ପ୍ରକାର ବିବାହର ଆଖ୍ୟା ଥିଲା ମୈଥୁନ। ‘ଦ୍ବାପରେ ମୈଥୁନ ଧର୍ମଃ ପ୍ରଜାନାମ ଭବନ୍‌ ନୃପ’ (ମହାଭାରତ-ଶାନ୍ତି ପର୍ବ)। ଏତେବେଳକୁ ଏ ପ୍ରକାର ବନ୍ଧନ ଦୃଢ଼ ହୋଇନଥାଏ ପୁରୁଷ ଓ ନାରୀ ସେ କେହି ବିବାହ-ବନ୍ଧନ ଛେଦକରି ପୁନରାୟ ବିବାହ କରି ପାରୁଥିଲେ; ଦାମ୍ପତ୍ୟ ଜୀବନରେ ମଧ୍ୟ ଅପର ପୁରୁଷ ଓ ଅପର ସ୍ତ୍ରୀ ସହିତ ସହବାସ କରିବାର ସ୍ବାଧୀନତା ଥିଲା ଉଭୟଙ୍କର। ହେଲେ ପରିବାର ଦୁଇଜଣଙ୍କୁ ନେଇ ଗଢ଼ା ଯାଉଥିଲା ଯୁଗ୍ମ-ପରିବାର (Pairing family) ରାଧା ଓ କୃଷ୍ଣଙ୍କ ଯୁଗଳମିଳନ ଉପାଖ୍ୟାନ ବୈବାହିକ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ପରେ ଯେଉଁ ଅନୁଷ୍ଠାନ ପ୍ରତିଷ୍ଠା ହେଲା ତାହାରି ସୂଚନା ଦିଏ ବୋଲି ଅନୁମାନ।




+ -

© Jataayu Charitable Trust
Site designed,developed & maintained by Tekons