ସଭ୍ୟତାର ଆଗେ




    ଲୋକସଂଖ୍ୟା ବୃଦ୍ଧି ପାଇବା ଫଳରେ ଗୋଷ୍ଠୀ ମଧ୍ୟରେ କେତେଗୁଡ଼ିଏ ସମ୍ପ୍ରଦାୟ ଓ ସମ୍ପ୍ରଦାୟ ମଧ୍ୟରେ କେତେଗୁଡ଼ିଏ ଗୋତ୍ର ସୃଷ୍ଟି ହେଲା। ପ୍ରତ୍ୟେକ ଗୋତ୍ର ଓ ସମ୍ପ୍ରଦାୟ ମଧ୍ୟ ବିଶିଷ୍ଟ ପୂଜାପଦ୍ଧତି, ପ୍ରଥା ଓ ଚଳନୀ ଦାବି ଗଢ଼ି ଉଠିଲା। ଗୋତ୍ରର ପୂଜାପଦ୍ଧତି ଲାଗି ଜଣେ ହୋତା କାହିଁ କାହିଁ ଉପହୋତା ମଧ୍ୟ ନିର୍ବାଚନ କରାଯାଏ। ସେହିପରି ସମ୍ପ୍ରଦାୟର ହୋତା। ଗୋଷ୍ଠୀର ସଂଘବଦ୍ଧ ଜୀବନ ଅନୁରୂପ ଗୋତ୍ର ଓ ସମ୍ପ୍ରଦାୟର ଜୀବନ ଗଢ଼ା ହେଲା । ଗୋତ୍ର  ତାର ଜୀବନକୁ ନିୟନ୍ତ୍ରଣ କରୁଥିଲା, ବେଳେବେଳେ ଆବଶ୍ୟକ ହେଲେ ସମ୍ପ୍ରଦାୟର ସାହାଯ୍ୟ ଭିକ୍ଷା କରୁଥିଲା। ସମ୍ପ୍ରଦାୟ ଗୋତ୍ର ଗୋତ୍ର ମଧ୍ୟରେ ସମ୍ପର୍କକୁ ନିୟନ୍ତ୍ରିତ କରୁଥିଲା। ଗୋଷ୍ଠୀ ବା ଜାତି ଜାତୀୟ ଜୀବନକୁ ନିୟନ୍ତ୍ରିତ କରୁଥିଲା।

   ଆରଣ୍ୟକ ଯୁଗରେ ଜାତି ଯେତେବେଳେ ଗୋତ୍ରରେ ବିଭକ୍ତ ହେଲା ପ୍ରତ୍ୟେକ ଗୋତ୍ରର ସ୍ବାତନ୍ତ୍ର୍ୟ ଓ ସଂସ୍କୃତି ରକ୍ଷା କରି ଜାତିର ଜୀବନକୁ ନିୟନ୍ତ୍ରିତ ଓ ପରିଚାଳିତ କରିବାର ଆବଶ୍ୟକତା ଦେଖାଦେଲେ। ଏହି ନିୟନ୍ତ୍ରଣ ବ୍ୟବସ୍ଥା ଶାସନର ପୂର୍ବଭାଗ ବୋଲି କୁହାଗଲେ ମଧ୍ୟ ଏହା ଶାସନ ନୁହେଁ। ଶାସ୍ତିଦେବା ବା ବଳ ପ୍ରୟୋଗ କରିବା ଲାଗି ସମାଜରେ ଅଦ୍ୟାବଧି କୌଣସି ଅନୁଷ୍ଠାନ ଗଢ଼ି ଉଠିନାହିଁ। ଏ ନିୟନ୍ତ୍ରଣ ବ୍ୟବସ୍ଥା ଜାତିର ଜନଗଣଠାରୁ ସ୍ବତନ୍ତ୍ର ନଥିଲା।

    ଲୋକସଂଖ୍ୟା ଅଧିକ ବୃଦ୍ଧି ପାଇବା ସହିତ ଜାତିର ଅଧିକୃତ ଅଞ୍ଚଳ ବିସ୍ତୃତି ଲାଭ କଲା। ଆଗେ ଜାତି ସଭାରେ ସମସ୍ତେ ଯୋଗ ଦେଇ ମିଳିତ ନିଷ୍ପତ୍ତି କରୁଥିଲେ। କିନ୍ତୁ ଗୋଚାରଣ ଓ କୃଷି ପ୍ରଭୃତି ବିଭିନ୍ନ ଫନ୍ଦା ସମାଜରେ ଜୀବନଧାରଣର ପ୍ରଧାନ ପନ୍ଥା ହେବାଠାରୁ ଜାତିର ସମସ୍ତେ ଏକାଠି ବସି ବିଚାର କରିବା ସମ୍ଭବପର ହେଲାନାହିଁ।

   ତେଣୁ ପ୍ରତି ଗୋତ୍ରରୁ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଜାତିର ପ୍ରତିନିଧିସଭା ଗଢ଼ାଗଲା। ଏହି ସମୟରେ ମନେହୁଏ ପ୍ରତ୍ୟେକ ଜାତିର ଗୋତ୍ରସଂଖ୍ୟା ବା ଗୋତ୍ରର ଲୋକସଂଖ୍ୟା ଗଣିବାର ଆବଶ୍ୟକତା ଦେଖା ଦେଇଥିଲା। ସାମାଜିକ ଭିତ୍ତି ଉପରେ ଗଢ଼ା ଗୋତ୍ରଗୁଡ଼ିକର ରାଜନୈତିକ ନାମକରଣ ‘ଗଣ’ କୁ ହେଲା ବୋଧହୁଏ। ପ୍ରତିନିଧିଙ୍କୁ ନିର୍ବାଚନ କରିବାର ଅଧିକାର ସହିତ ତାଙ୍କୁ ଫେରାଇ ଆଣିବାର ଅଧିକାର ବି ଗଣର ଥିଲା।  ଜାତିର ଏହି ପ୍ରତିନିଧି ସଭା (Council of Chiefs) ଆଲୋଚନାରେ ଜାତିର ଯେ କୌଣସି ବ୍ୟକ୍ତି ଭାଗ ନେଇପାରୁଥିଲା। ଆଲୋଚନା ପରେ ପ୍ରତିନିଧିସଭା ଯେଉଁ ନିଷ୍ପତ୍ତି ଗ୍ରହଣ କରନ୍ତି, ସେହି ଅନୁସାରେ ଜାତି କାର୍ଯ୍ୟକାରୀ ହୁଏ। ପ୍ରତିନିଧିସଭା ଏକାଧାରରେ ଜାତିର ବ୍ୟବସ୍ଥାପକ, ବିଚାରକ ଓ କାର୍ଯ୍ୟକାରକ ଥିଲା। ଆଦିମ ଅବସ୍ଥାରେ ଏହି ପ୍ରଚାର ଗଣ ଶାସନ ବା ‘ଗଣତନ୍ତ୍ର’ ଚାଲୁ ରହିଥିଲା। ଏହା କେବଳ ଅନୁମାନର ବିଷୟ ନୁହେଁ। ଆମେରିକା ଆବିଷ୍କାର ପରେ ଦେଖାଗଲା ସେଠିକାର ଆଦିମ ଅଧିବାସୀମାନଙ୍କ ସମାଜ ବର୍ବର ଯୁଗର ପ୍ରଥମ ସୋପାନରେ । ସେଠିକାର ଇରୋକ୍ବିଜ୍‌ ଜାତିପୁଞ୍ଜ ମଧ୍ୟରେ  ଏଭଳି ଶାସନ ପଦ୍ଧତି ପ୍ରଚଳିତ ଥିଲା ବୋଲି ମର୍ଗନ ‘ଆଦିମ ସମାଜ’ ଗ୍ରନ୍ଥରେ ବର୍ଣ୍ଣନା କରିଛନ୍ତି।

       “ଜାତିର ପ୍ରତିନିଧିସଭା ଯୁଦ୍ଧ ଘୋଷଣା ବା ଶାନ୍ତିସ୍ଥାପନ କରିପାରେ, ଦୂତ ପଠାଇପାରେ। ଦୂରକୁ ଅଭିନନ୍ଦନ ଜଣାଇପାରେ, ଅନ୍ୟଜାତି ସହିତ ବନ୍ଧୁତା ସୂତ୍ରରେ ଆବଦ୍ଧ ହୋଇପାରେ। ଶାସନ ସମସ୍ୟାମାନ ଏଡ଼େ ସରଳ ଓ ଅଳ୍ପ ଥିଲା ଯେ ପ୍ରତିନିଧି ସଭା ହିଁ ଶାସନ ଲାଗି ଯେ ସେ କ୍ଷମତା ଆବଶ୍ୟକ, ସେ ସମସ୍ତ ପ୍ରୟୋଗ କରୁଥିଲା।”(ମାର୍ଗନ)

    ପ୍ରତିନିଧିସଭା ବସି ନଥିବା ବେଳେ ଜାତିର ଦରକାରୀ ଜରୁରୀ କାମ ଚଳାଇବା ଲାଗି କୌଣସି କୌଣସି ଜାତି ମଧ୍ୟରେ ଜଣେ ମୁଖ୍ୟବ୍ୟକ୍ତି ନିର୍ବାଚିତ ହେବାର ଦେଖାଯାଏ  କିନ୍ତୁ ସେ ପ୍ରତିନିଧିସଭାର ଅଧୀନସ୍ଥ ହୋଇ କାର୍ଯ୍ୟ କରୁଥିଲା। କାହିଁ କାହିଁ ଦେଖାଯାଏ  କେତେଗୁଡ଼ିଏ କ୍ଷୁଦ୍ରଜାତି, ବୋଧହୁଏ ଆତ୍ମରକ୍ଷା ପାଇଁ ମିଳିତ ହୋଇ ଗୋଟିଏ ଗୋଟିଏ ସଂଯୁକ୍ତ ଜାତି ପରିଷଦ ଗଢ଼ିଛନ୍ତି। ସଂଯୁକ୍ତ ଜାତି ପରିଷଦକୁ ପ୍ରତ୍ୟେକ ଜାତି ସମାନ ସଂଖ୍ୟକ ସଦସ୍ୟ ପଠାନ୍ତି ଓ ପରିଷଦରେ ପ୍ରତ୍ୟେକ ଜାତିର ଅଧିକାର ଆସନ ସମାନ ଥିଲା। ପରିଷଦରେ ସମସ୍ତେ ଯହିଁରେ ଏକମତ ହେଉଥିଲେ;ତାହାହିଁ ଗୃହୀତ ହେଉଥିଲା।ଅର୍ଥାତ୍‌ (ମିଳିତ ଜାତିସଂଘର ଭିଟୋ ବ୍ୟବସ୍ଥାଭଳି)ଯେ କୌଣସି ଜାତି ପରିଷଦ ଆଗରେ  ଉପସ୍ଥାପିତ ପ୍ରସ୍ତାବକୁ ନାକଚ କରିଦେଇପାରେ। କୌଣସି ଜାତିର ଆଭ୍ୟନ୍ତରୀଣ  ବିଷୟରେ ହସ୍ତକ୍ଷେପ କରିବାର ଅଧିକାର ସଂଯୁକ୍ତ ଜାତି ପରିଷଦର ନଥିଲା।




+ -

© Jataayu Charitable Trust
Site designed,developed & maintained by Tekons