ସଭ୍ୟତାର ଆଗେ




ଶାସନ ସଂସ୍ଥା

    ଆଦିମାନବ ଥିଲା ଯାଯାବର। ଖାଦ୍ୟାନ୍ବେଷଣରେ ଗୋଷ୍ଠୀ ଏକ ଅଞ୍ଚଳରୁ ଅନ୍ୟ ଏକ ଅଞ୍ଚଳକୁ ଯାଏ। ସେ ଯୋଉଠି ରହିଲା, ସେତେବେଳ ଲାଗି ସେହି ହେଲା ତାର ବାସଭୂମି, ତା ଅଞ୍ଚଳ। ବିଭିନ୍ନ ଗୋଷ୍ଠୀ ଏକ ସମୟରେ ଗୋଟିଏ ଅଞ୍ଚଳକୁ ଦଖଲ କରିବାକୁ ଚାହୁଁଥିଲେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ଲାଗୁଥିଲା। ଯେଉଁ ଗୋଷ୍ଠୀ ପରାସ୍ତ ହୋଇ ଯାଉଥିଲା, ସେ ପଳାଇ ଯାଉଥିଲା; ବନ୍ଦୀ ହେଲେ ପୁରୁଷମାନଙ୍କୁ ହତ୍ୟା କରାଯାଉଥିଲା ଏବଂ ନାରୀମାନଙ୍କୁ ବୋଧହୁଏ ବିଜେତା ଗୋଷ୍ଠୀରେ ସାମିଲ୍‌ କରାଯାଉଥିଲା। ପୁରୁଷମେଧ ଓ ଅଶ୍ବମେଧ ବିଧି ବୋଧହୁଏ ଆଦିମ ଜୀବନରେ ଅପର ଗୋଷ୍ଠୀର ବନ୍ଦୀ ସୈନ୍ୟମାନଙ୍କର ହତ୍ୟା ଓ ଗୋଷ୍ଠୀର ଏକାଧିପତ୍ୟ ଅଧିକାରର ସୂଚନା ଦିଏ।

   ଗୋଷ୍ଠୀ ମଧ୍ୟରେ ଜୀବନ ସଂଘବଦ୍ଧ ଥିଲା। ସମାଜରେ ଏତେବେଳକୁ କେହି ଶାସକ ବା ଶାସିତ ନଥିଲେ;ଶାସନର ଲୋଡ଼ାନଥିଲା ହୁଏତ। ଗୋଷ୍ଠୀର ସବୁ କାର୍ଯ୍ୟଦକ୍ଷ ଲୋକେ କାମ କରନ୍ତି, ଉତ୍ପନ୍ନ ଗୋଷ୍ଠୀର ସମ୍ପତ୍ତି, ଯାହାର ଯାହା ଦରକାର ସେ ତାହା ନିଏ। ଗୋଷ୍ଠୀରେ ପ୍ରତ୍ୟେକ ପ୍ରତ୍ୟେକକୁ ସାହାଯ୍ୟ କରେ।କାହାରିକୁ ବିପଦ ପଡ଼ିଲେ ଅନ୍ୟମାନେ ତାକୁ ରକ୍ଷା କରନ୍ତି। କାହାରି କିଛି କ୍ଷତି ହେଲେ ଅନ୍ୟମାନେ ତାର ପ୍ରତିଶୋଧ ନିଅନ୍ତି। ଭଲ ମନ୍ଦରେ ଗୋଷ୍ଠୀର ସମସ୍ତେ ବସି ବିଚାର କରନ୍ତି, ଗୋଷ୍ଠୀର ଜନମତ ଉପରେ ନିଷ୍ପତ୍ତି ଗ୍ରହଣ କରାହୁଏ; ତଦନୁସାରେ ଗୋଷ୍ଠୀ କାର୍ଯ୍ୟକରେ;ଆଇନକାନୁନ୍‌ ଏମାନଙ୍କର ନଥିଲା। ପ୍ରଥା, ଚଳନୀ, ପୂଜା ପଦ୍ଧତି ଉପରେ ଗଢ଼ି ଉଠିଥିବା ଗୋଷ୍ଠୀର ଧର୍ମ ଥିଲା ଗୋଷ୍ଠୀ ବିଚାର, ନିଷ୍ପତ୍ତି ଓ କ୍ରିୟାକଳାପ ଲାଗି ଏକମାତ୍ର ପଥ ନିର୍ଦ୍ଦେଶକ। ଗୋଷ୍ଠୀର ସ୍ବତନ୍ତ୍ର କୌଣସି ସେନାବାହିନୀ ନଥିଲା। ଗୋଷ୍ଠୀର ସବୁ ସମର୍ଥ ଲୋକେ-ପୁରୁଷ ଓ ନାରୀ- ଯୁଦ୍ଧକୁ ବାହାରନ୍ତି। କେହି ଗୋଷ୍ଠୀର ଗର୍ହିତ କାର୍ଯ୍ୟ କରିଥିଲେ, ଗୋଷ୍ଠୀ ତାର ନିନ୍ଦାକରେ, ଅପରାଧ ଗୁରୁତର ହୋଇଥିଲେ, ଅପରାଧୀ ଗୋଷ୍ଠୀରୁ ନିର୍ବାସିତ ହୁଏ । ବ୍ୟବସ୍ଥା,ବିଚାର,କାର୍ଯ୍ୟକାରୀ କର୍ମକର୍ତ୍ତା , ସେନାଗୋଷ୍ଠୀ ମଧ୍ୟରେ ଏପରି ପୃଥକ୍‌ ପୃଥକ୍‌ କୌଣସି ବିଭାଗ ଦେଖାଦେଇନଥିଲା। ପ୍ରତ୍ୟେକ ବିଷୟରେ ଗୋଷ୍ଠୀର ମତ ଦରକାର ପଡ଼େ। ମହାଭାରତ ଶାନ୍ତି ପର୍ବରେ ପ୍ରାଚୀନ କାଳରେ ସମାଜ କି ପ୍ରକାରେ ଚାଲିଥିଲା, ତାହାର ବର୍ଣ୍ଣନା ମିଳେ।

 

ନୈଚ ରାଜ୍ୟଂ ନ ରାଜା{ସୀନ୍ନ ଚ ଦଣ୍ଡୋ ନ ଦାଣ୍ଡିକଃ।

ଧର୍ମେଣୈବ ପ୍ରଜାଃ ସର୍ବାରକ୍ଷନ୍ତିସ୍ମ ପରସ୍ପରମ୍‌।

ଶ୍ରୁୟନ୍ତେ ହି ପୁରାଣେଷୁ ପ୍ରଜାଧିଗ୍‌ଦଣ୍ଡାଶାସନାଃ।

ପାଲ୍ୟମାନସ୍ତଥା ନ୍ୟୋନ୍ୟମ୍‌, ପରସ୍ପରଂ ଭାବୟନ୍ତଃ॥

ପୁରା ଧିଗ୍‌ ଦଣ୍ଡ ଏବାସୀଦ୍‌।

ସଂହତ୍ୟ ଧର୍ମ-ଚରତାଂ ପୁରାସୀତ୍‌ ସୁଖମେବ ତତ୍‌।

ତେଷାଂ ନାସୀତ୍‌ ଦି ତବ୍ୟଂ ପ୍ରାୟଶ୍ଚିତ୍ତଂ କଥଞ୍ଚନଃ।

    ଗୋଷ୍ଠୀରେ ପ୍ରତ୍ୟେକଙ୍କର କର୍ତ୍ତବ୍ୟ ଯେପରି ସମାନ ଥିଲା ଅଧିକାର ମଧ୍ୟ ସେହିପରି ସମାନ ଥିଲା। କାହାରି ଆସନ ବା ସମ୍ମାନ ଅନ୍ୟମାନଙ୍କ ଠାରୁ ଉଚ୍ଚରେ ନଥିଲା। ଗୋଷ୍ଠୀଗତ ଜୀବନରେ ସାମ୍ୟ, ମୈତ୍ରୀ ଓ ମୁକ୍ତି ପୂର୍ଣ୍ଣମାତ୍ରାରେ ପ୍ରକାଶ ପାଉଥିଲା। ଏହା ଥିଲା ଆଦିମ ଗୋଷ୍ଠୀଗତ ଜୀବନ ଯେଉଁଠି ରାଷ୍ଟ୍ରନାହିଁ, ରାଷ୍ଟ୍ର ଶକ୍ତି ନାହିଁ ଅଥଚ ସମାଜ ସୁଶୃଙ୍ଖଳ ଗତିରେ ଚାଲିଛି।

   ସମାଜରେ ପୂଜାପଦ୍ଧତି ଓ ପ୍ରଥା ଗଢ଼ିଉଠିବା ପରେ ପୂଜା ପଦ୍ଧତି ପ୍ରଥା ଗୁଡ଼ିକ ଠିକ୍‌ ଠିକ୍‌ କଣ, ଏହା ଜାଣିବା ଲାଗି ଗୋଷ୍ଠୀର ଅଳ୍ପ ବୟସ୍କମାନେ ବୃଦ୍ଧ ଓ ପ୍ରବୀଣମାନଙ୍କ ଉପରେ ନିର୍ଭର କରିଥିବେ ନିଶ୍ଚୟ । ପୂଜା ଆଦି ଯଥାବିଧି ସମାହିତ ହେବାଲାଗି ଧର୍ମର ଯଥାଯଥ ପ୍ରୟୋଗ ଲାଗି ସବୁଠାରୁ ପ୍ରବୀଣ ବ୍ୟକ୍ତିକୁ ଆଚାର୍ଯ୍ୟରୂପେ ପ୍ରଥମେ ଆବଶ୍ୟକମତେ ,ପରେ ନିର୍ଦ୍ଦିଷ୍ଟ ସମୟ ଲାଗି, ଗୋଷ୍ଠୀ ନିର୍ବାଚିତ କଲା। ସେହିପରି ଯୁଦ୍ଧକୁ ସୁଶୃଙ୍ଖଳିତ ଭାବେ ପରିଚାଳିତ କରିବା ଜଣେ ସେନାପତି ଆବଶ୍ୟକ ହେଲା। ପ୍ରଥମାବସ୍ଥାରେ ହୁଏତ ଆଚାର୍ଯ୍ୟ ସେନାପତି କାର୍ଯ୍ୟ ମଧ୍ୟ ଚଳାଉଥିଲା। ଏ ପଦ, ଗୋଷ୍ଠୀ ନିର୍ବାଚନ ଦ୍ବାରା ପୂରଣ କରୁଥିଲା ଏବଂ ଆବଶ୍ୟକ ପଡ଼ିଲେ ନିର୍ବାଚିତ ବ୍ୟକ୍ତିକୁ ବରଖାସ୍ତ କରୁଥିଲା। ଗୋଷ୍ଠୀ ମଧ୍ୟରେ ଏମାନଙ୍କର କୌଣସି  ସ୍ବତନ୍ତ୍ର  ବା ଅଧିକ ଅଧିକାର ନଥିଲା ସତ, କିନ୍ତୁ ପ୍ରବୀଣ ବିଜ୍ଞମାନେ ସମାଜରେ ଯେପରି ସମ୍ମାନିତ ହୋଇଥାନ୍ତି କାଳକ୍ରମେ ଏମାନେ ସେହିପରି ସମ୍ମାନାସ୍ପଦ ହେଲେ। ଗୋଷ୍ଠୀ ଉପରେ ଏମାନଙ୍କର କୌଣସି କର୍ତ୍ତୃତ୍ବ ନଥିଲା। ସାର୍ବଭୌମ କ୍ଷମତା ଗୋଷ୍ଠୀରେହିଁ ନିହିତ ଥିଲା। 

    ଗୋଷ୍ଟୀରେ ପରିବାର ଗଠନ ହେବାପରେ ବି ଜୀବନ ସେହିପରି ସଂଘବଦ୍ଧ ଥିଲା;  ସମୁଦାୟ ଗୋଷ୍ଟୀ ବସି ବିଚାର କରେ ନିଷ୍ପତ୍ତି ଗ୍ରହଣ କରେ ଓ ତଦନୁସାରେ କାର୍ଯ୍ୟକାରୀ ହୁଏ।




+ -

© Jataayu Charitable Trust
Site designed,developed & maintained by Tekons