ଶାସନ
ଆଗେ ଜାତିର ଧର୍ମ ଜାତିର ଜନସାଧାରଣ ରକ୍ଷା କରୁଥିଲେ। ପ୍ରତିନିଧି ସଭାର ନିଷ୍ପତ୍ତିକୁ କାର୍ଯ୍ୟରେ ପରିଣତ କରିବା ଜାତିଯୁକ୍ତ ପ୍ରତ୍ୟେକ ଲୋକର କର୍ତ୍ତବ୍ୟ ଓ ଅଧିକାର ଥିଲା। ଦାସ ପ୍ରଥାର ପ୍ରଚଳନ ହେବାଠାରୁ ସମାଜ ଦୁଇଶ୍ରେଣୀରେ ବିଭକ୍ତ ହୋଇଗଲା। ଦାସମାନେ ଜାତିର ଅନ୍ତର୍ଭୁକ୍ତ୍ ନୁହନ୍ତି। ଉତ୍ପାଦନର ଅବଲମ୍ବନ ଓ ଉତ୍ପନ୍ନ ଉପରେ ଜାତିର ପ୍ରଭୁତ୍ବ ରକ୍ଷା କରିବା ଲାଗି ଜାତିର ପ୍ରତିନିଧିସଭାକୁ ଯେଉଁସବୁ ନିଷ୍ପତ୍ତି ନେବାକୁ ପଡ଼େ, ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ଦାସମାନଙ୍କ ଉପରେ ବଳ ପ୍ରୟୋଗ କରିବା ଆବଶ୍ୟକ ପଡ଼ିଲା। ସମୁଦାୟ ସମାଜର ବ୍ୟବସ୍ଥା ନାଁରେ ଚାଲିଥିବା ଏକ ଶ୍ରେଣୀର ସ୍ବାର୍ଥନ୍ବେଷୀ ନୀତି ଓ ନିୟମମାନ ସମାଜର ଅନ୍ୟଶ୍ରେଣୀ ପ୍ରତି କ୍ଳେଶକର ହେଉଥିଲା। ଦାସମାନେ ଏ ବ୍ୟବସ୍ଥାକୁ ଲଙ୍ଘନ କରି ଶୃଙ୍ଖଳମୁକ୍ତ ହେବାକୁ ସର୍ବଦା ଚେଷ୍ଟା କରୁଥିଲେ। ସେମାନେ ଯେପରି ଏ ବ୍ୟବସ୍ଥାଗୁଡ଼ିକ ମାନି ଚଳନ୍ତି ସେଥିଲାଗି ଶାସ୍ତିର ବ୍ୟବସ୍ଥା କରାଗଲା। ଏହିଠାରୁ ସମାଜରେ ଉଦ୍ଭବ ହେଲା ଶାସନ ବୋଲି ନୂଆ ଏକ ଅନୁଷ୍ଠାନ । ସମାଜରେ ଏଥିପୂର୍ବେ ପ୍ରଚଳିତ ସମସ୍ତ ବ୍ୟବସ୍ଥାଠାରୁ ଏହା ଭିନ୍ନ ଧରଣର, ନିଆରା ପ୍ରକାରର। ଏହା ପଛରେ ସମାଜର ସବୁ ଶ୍ରେଣୀର ଅନୁମୋଦନ ନାହିଁ। ଦାସମାନଙ୍କ ଦୃଷ୍ଟିରେ ଏହା ହିଂସାର ଅବତାର। ନ୍ୟସ୍ତସ୍ବାର୍ଥ ଶ୍ରେଣୀର ସ୍ବାର୍ଥରକ୍ଷା ଲାଗି ବଞ୍ଚିତ ଶ୍ରେଣୀ ଉପରେ ବଳ ପ୍ରୟୋଗ ଦ୍ବାରା ଚଳିତ ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ହେଲା ଏହାର କାର୍ଯ୍ୟ।
ଅବିରତ ଦ୍ବନ୍ଦ ଉପରେ ପ୍ରତିଷ୍ଠିତ ଏହି ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥାକୁ ଚାଲୁ ରଖିବା ଲାଗି ରାଜା ସାଙ୍ଗକୁ କେତେ କଟୁଆଳ ବି ଦରକାର ପଡ଼ିଲେ। ଶାସନ ବ୍ୟବସ୍ଥାକୁ ଚାଲୁ ରଖିବା ଲାଗି ରାଜା ସାଙ୍ଗକୁ କେତେ କଟୁଆଳ ବି ଦରକାର ପଡ଼ିଲେ। ଶାସନ ବ୍ୟବସ୍ଥାର ଏମାନେ ହେଲେ କାର୍ଯ୍ୟକାରୀ ଅଙ୍ଗ। ଜାତିର ଧର୍ମରକ୍ଷା କରିବା, ପ୍ରତିନିଧି ସଭାର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା , ଶାସନକୁ ସୁଶୃଙ୍ଖଳ ରଖିବା ହେଲା ରାଜା ଓ ଜଗୁଆଳମାନଙ୍କର କର୍ତ୍ତବ୍ୟ। କର୍ତ୍ତବ୍ୟରୁ କ୍ରମେ ଏହା ସେମାନଙ୍କର ଏକାଏକ ଅଧିକାରରେ ପରିଣତ ହେବା ସ୍ବାଭାବିକ କଥା। ଏହାଫଳରେ ସମାଜରେ ନୂଆ ଏକ ଅନୁଷ୍ଠାନ-ଶାସନକଳ-ପ୍ରତିଷ୍ଠା ଲାଭ କଲା। ଏ ଶାସନକଳ ଚଳାଇବା ଅଳ୍ପ କେତେକ ଲୋକଙ୍କ ଉପରେ ନ୍ୟସ୍ତ। ଏ ପର୍ଯ୍ୟନ୍ତ ଚଳି ଆସିଥିବା ସମାଜ ବ୍ୟବସ୍ଥାଠାରୁ ଏହା କେବଳ ଆକାରରେ ନୁହେଁ, ପ୍ରକାରରେ ମଧ୍ୟ ଭିନ୍ନ। କାରଣ ଏ ପର୍ଯ୍ୟନ୍ତ ଜାତିର ଧର୍ମ ଓ ନିଷ୍ପତ୍ତି ସମୁଦାୟ ଜାତିର ସ୍ବାର୍ଥରକ୍ଷା ଲାଗି ହେଉଥିଲା, ସର୍ବସମ୍ମତିକ୍ରମେ ଚାଲିଥିଲା, ସର୍ବଜନ ସମାଦୃତ ଥିଲା। ତାହା ପାଳନ କରିବା ସମସ୍ତଙ୍କର କର୍ତ୍ତବ୍ୟ। ତହିଁରେ ଲାଗି ନେବା ଲାଗି ସମାଜର ପ୍ରତ୍ୟେକ ଅଧିକାରୀ। ଏବେ ଶାସକ ଗୋଷ୍ଠୀ ଉପରେ ରହିଲା ଦାୟିତ୍ବ ସେମାନେ ଦୂର ବିରୋଧସ୍ବାର୍ଥ ଶ୍ରେଣୀ ମଧ୍ୟରେ ଶୃଙ୍ଖଳା ରକ୍ଷା କରିବେ।