ଅଜବ ଦେଶରେ ଏଲିସ୍




ଏଲିସ୍‌ ସେ ଘର ଭିତରକୁ ଯିମିତି ପଶିଯାଇଛି ଭାରି ଛିଙ୍କ ମାଡ଼ିଲା। ସେ ମନକୁ ମନ ଭାବିଲା, “ଇଏ ଯୋଉ ତରକାରି ବସିଚି, ସେଥିରେ ଲଙ୍କା ଗୁଡ଼ାଏ ବହୁତ ଦିଆହେଉଚି ନିଶ୍ଚୟ।”

   ଲଙ୍କାର କୁହୁଳା ଗନ୍ଧ ଘରଯାକ ଭର୍ତ୍ତି। ସାନରାଣୀ ବି ମଝିରେ ମଝିରେ ଛିଙ୍କୁଥାଆନ୍ତି। ଛୁଆଟା ବି ଛିଙ୍କୁଥାଏ,ଛିଙ୍କି ସାରିଲେ କାନ୍ଦୁଥାଏ,ତା ପରେ ଫେର୍‌ ଛିଙ୍କୁଥାଏ…ସେମିତି ଅନବରତ। ରୋଷେଇଘର ଭିତରେ ନ ଛିଙ୍କିବାବାଲା ଖାଲି ଦିଜଣ-ରାନ୍ଧୁଣି ଆଉ ଚୁଲିକରରେ ବସିଥିବା ଗୋଟାଏ ବିଲେଇ। ବିଲେଇଟା ସେଠି ବସି ଅନବରତ ଦାନ୍ତ ନିକଟୁଥାଏ।

     ଏଲିସ୍‌ ସେହି ବିଲେଇ ବିଷୟ ନେଇ ସାନରାଣୀଙ୍କ ସାଙ୍ଗରେ ଟିକିଏ କଥାଭାଷା ହେଇଚି, ଏଇ ସମୟରେ ରାନ୍ଧୁଣୀ ଚୁଲିରୁ କଡ଼ାଟା ଓହ୍ଲାଇ ଆଣି ନିଆଁ ଗୋଜଣାଠୁ ଆରମ୍ଭ କରି ଚଟୁ, ଥାଳି, କରଛୁଲୀ ଇତ୍ୟାଦି ତା ହାତରେ ଯାହା ପଡ଼ିଲା ସବୁ ସାନରାଣୀଙ୍କ ଉପରକୁ ଫୋପାଡ଼ିଲା। ସାନରାଣୀ କିନ୍ତୁ ଏଥିରେ ମୋଟେ ଚଙ୍କୁ ନଥାନ୍ତି। ଯିମିତି ବସିଥାନ୍ତି, ସିମିତି। ପିଲାଟା କିନ୍ତୁ ଭାରି କାନ୍ଦିଲା। ସାନରାଣୀ ଯେତେ ବୁଝେଇଲେ କାହିଁରେ ବୁଝିଲା ନାହିଁ। ସବା ଶେଷକୁ ଏଲିସ୍‌  କୋଳକୁ ସାନରାଣୀ ପିଲାଟିକୁ ଫୋପାଡ଼ିଦେଲେ। ରାନ୍ଧୁଣୀର ଏ ଫିଙ୍ଗା ଫୋପଡ଼ା ଦେଖି ଏଲିସକୁ ଭାରି ଡର ମାଡ଼ିଲାଣି ସେତେବେଳକୁ। ଏଲିସ୍‌ ପିଲାଟିକୁ ଧରି ପଦାକୁ ପଳେଇ ଆସିଲା। ପିଲାଟା ଏଲିସ୍‌ କୋଳରେ ଘାଡୁରୁ ଘାଡୁରୁ ହେଉଥାଏ। ପଳେଇ ଆସିଲା ବେଳେ ଏଲିସ୍‌ ମନକୁ ମନ କହି ହେଉଥାଏ “ଆଚ୍ଛା, ଏ ପିଲାଟାକୁ ନଉଚି ଯେ କଣ କରିବି ଏକୁ ନେଇ?”

   ଯିମିତି ନଅର ବାହାରକୁ ଖୋଳ ବଢ଼େଇଚି, ଏଲିସ୍‌ କୋଳକୁ ଅନେଇ ଦିଏତ, ତା କୋଳରେ ସେ ପିଲାଟା ଗୋଟାଏ ଘୁଷୁରି ପାଲଟି ଯାଇଚି। ପିଲାଟା ଇମିତି ହଠାତ୍‌ ଘୁଷୁରି ହୋଇଯିବା ଦେଖି ଏଲିସ୍‌ର ରୁମ ଟାଙ୍କୁରି ଉଠିଲା, ଭୟରେ ତାର ଗୋଡ଼ହାତ ବରଡ଼ା ଭଳିଆ ଥରିଲା। “ମୋ ମା ଲୋ” ବୋଲି ଗୋଟାଏ ପାଟି କରି ଦେଇ ଘୁଷୁରିଟାକୁ ନାଥୁ କରି ତଳେ କଚାଡ଼ିଦେଲା। ଘୁଷୁରିଟା ଏକା କୁଦାମାରି ନସର ପସର ହୋଇ ବଣ ଭିତରେ ଯାଇ କୁଆଡ଼େ ଲୁଚିଗଲା ଯେ ଏଲିସ୍‌କୁ ଆଉ ଦିଶିଲା ନାହିଁ।

   ଏଲିସ୍‌ ବାଟେ ବାଟେ ଗୋଟିଏ ଗୋଟିଏ ଚାଲିଲା। କିଛି ବାଟ ଯାଇଛି, ଦେଖିଲା ଗୋଟାଏ ପ୍ରକାଣ୍ଡ ଗଛର ଡାଳ ଉପରେ ସେଇ ସାନରାଣୀଙ୍କ ଘରର ବିଲେଇ ବସିଚି। ବିଲେଇ ଏଲିସ୍‌କୁ ଦେଖି ମୁହଁ ବିଚିକିଟେଇ, ଦାନ୍ତ ନିକୁଟି, ନଖ ବାହାର କରି, ଲାଞ୍ଜ ଫୁଲେଇ ଗଁ ଗଁ ଫଁ ଫଁ ହେଲା। ଏଲିସ୍‌ ଦେଖିଲା ଯେ ୟା ସହିତ ବିନୀତ ଭାବରେ କଅଁଳିଆ କରି କଥା ନ କହିଲେ ଆଉ ରକ୍ଷା ନାହିଁ। ବିଲେଇଟା ଇମିତି ବିକ୍ରମ ମୂର୍ତ୍ତି ଧରିଚି, କିଏ ଜାଣେ କାମୁଡ଼ି ନ ଦେବ! ସେଥିଲାଗି ଭାରି ନଇଁଲା ପରି ଏଲିସ୍‌ ବିଲେଇକୁ କହିଲା, “ପୁଷି ଭାଇ, ଏ ବଣରେ କୋଉ ପଟେ କିଏ କିଏ ସବୁ ରହନ୍ତି, ମତେ ଟିକେ ଭଲା କହନ୍ତ। ” ବିଲେଇ ଏଲିସ୍‌ କଥାରେ ଭାରି ଖୁସିଟାଏ ହୋଇ ଗୋଟାଏ ଗାଲରେ ହସି ପକାଇଲା। ତାପରେ ଡାହାଣ ଥାବାଟା ଉଠେଇ ଗୋଟାଏ ଆଡ଼କୁ ଦେଖେଇ କହିଲା, “ ଏପଟେ ଥାଏ ଗୋଟାଏ ଟୋପିବାଲା।” ପୁଣି ବାଁ ଥାବାଟା ଉଠେଇ ଆଉ ଗୋଟାଏ ପଟକୁ ଦେଖେଇ କହିଲା, “ଏପଟେ ଥାଏ ଗୋଟାଏ କାଲା ଶଶା, ହେଲେ ଦିଟା ଯାକ ବାଇୟା।”

    ଏଲିସ୍‌ କହିଲା, “ମୁଁ ବାଇୟାଙ୍କ ପାଖକୁ ଯିବିନାହିଁ।”

    ବିଲେଇ କହିଲା, “ନ ଯାଇକରି ଯିବ କୁଆଡ଼େ ଆମେ ବାଇୟା ଯେତେ ସମସ୍ତେ ଆସି ଏଠି ଜୁଟିଚେଁ। ମୁଁ ବାଇୟା, ତମେ ବାଇୟା।”

    ଏଲିସ୍‌ ବିଲେଇ କଥାରେ କିନ୍ତୁ ଏକମତ ନୁହେଁ। “ତମେ କାହିଁକି କହୁଚ, ମୁଁ ବାଇୟା?”

    ବିଲେଇ କହିଲା, “ତମେ ନିଶ୍ଚୟ ବାଇୟା ହେଇଥିବ, ନୋହିଲେ ତମେ ତ ଏଠିକି ଆସିନଥାନ୍ତ।”

    ତାକୁ ବାଇୟା ବୋଲି କହିବାର ଇଏ ଗୋଟାଏ କାରଣ ବୋଲି ଏଲିସ୍‌ର ମୋଟେ ମନ ମାନିଲା ନାହିଁ। “ଆଚ୍ଛା, ତମେ ବାଇୟା ବୋଲି କୋଉଥିରୁ ଜାଣୁଚ ଭଲା?”

     ବିଲେଇ କହିଲା, “ଆଚ୍ଛା, କୁକୁର ବାଇୟା ନୁହେଁ- ଏ କଥାତ ତମେ ଜାଣିଚ।”

     ଏଲିସ୍‌ କହିଲା, “ମୁଁ ତ ସେୟା ଭାବେଁ।”

     “ଆଚ୍ଛା, ବିଲେଇ ବୁଝେଇ ବସିଲା, ତମେ ଦେଖିଥିବା କୁକୁର ରାଗିଲେ ଗାଉଁ ଗାଉଁ ହୁଏତ ଆଉ ଖୁସି ହେଲେ ଲାଞ୍ଜ ହଲାଏ। କିନ୍ତୁ ମୁଁ, ମୋର ଠିକ୍‌ ଓଲଟା। ମୁଁ ଖୁସି ହେଲେ ଗାଉଁ ଗାଉଁ ହୁଏ, ଆଉ ରାଗିଗଲେ ଲାଞ୍ଜ ହଲାଏ। ଏଥିରୁ ପ୍ରମାଣ ହେଲା ମୁଁ ବାଇୟା।”

    ଏଲିସ୍‌ ତାର ଜବାବ ଦେଲା, “ପୁଷି ଭାଇ, ସେଇଯୋଗୁ ତ ଆମେ ତମେ ଖୁସି ହେଲାବେଳକୁ ଶବ୍ଦକୁ ଗାଉଁ ଗାଉଁ କହୁନା, ଗୁଡୁରୁ ଗୁଡୁରୁ କହୁଁ।”

    “ତମେ କହିଲେ କଣ ହେଇଯିବ।” ୟା କହି ବିଲେଇ କୁଆଡ଼େ ଅଦୃଶ୍ୟ ହେଇଗଲା ଯେ ଏଲିସ୍‌ ଆଉ ତାକୁ ଦେଖିପାରିଲାନାହିଁ। 

 

 




+ -

© Jataayu Charitable Trust
Site designed,developed & maintained by Tekons