ଅଜବ ଦେଶରେ
ଏଲିସ୍
ଲେଖା-ଲୁଇ ଜେରଲ
ଅନୁବାଦକ-ଶ୍ରୀ ରଘୁନାଥ ଦାସ
ମୋତେ ପଢ଼
ଲୁଇ ଜେରଲ ବୋଲି ଇଂଲାଣ୍ଡ ଦେଶର ଜଣେ ପିଲାଳିଆ ବୁଢା (ବା ବୁଢ଼ାଳିଆ ପିଲା) ଦିନକରେ ଗୋଟିଏ ଅଝଟିଆ ପିଲାକୁ (ତୁମେ ନୁହଁ ) ଏହି ଗପ ବହିଟି ଉପହାର ଦେଲେ। ସେ ପିଲା ଉପହାରଟି ପାଇଲା ଯେ, ହେଲେ ପିଲା ତ ଅତି ବେହୁସିଆର, ତାକୁ ହଜେଇଦେଲା। ସେ ହଜାଉ କି ନ ହଜାଉ ଉପହାରଟି ହଜିଗଲା, କାହିଁକି ନା, ସେ ଉପହାର ଥିଲା ପିଲାଙ୍କ ଲାଗି , ଯେବେ ସେ ସବୁଦିନ ପିଲା ହୋଇଥାନ୍ତା ତେବେ ସେ ବହି କାହିଁକି ହଜିଥାନ୍ତା କି! କିନ୍ତୁ ସେ ଅମାନିଆ ବଡ଼ ହୋଇଗଲା। ଏ ବହି ତା ଠାରୁ ପଳାଇଯାଇ ଘୂରି ବୁଲିଲା, ଚାରିଆଡ଼େ ‘ମୋତେ ପଢ଼, ମୋତେ ପଢ଼’ ବୋଲି ପାଟି କରି। ବହି ପଛେ ବହୁତ ପିଲା ଗୋଡ଼ାଇଲେ ଇଂରେଜ ପିଲା, ଫରାସୀ ପିଲା, ହିନ୍ଦୀ ପିଲା, ବଙ୍ଗାଳୀ ପିଲା, ଓଡ଼ିଆ ପିଲା-ଦୁନିଆ ଯାକର ଯେତେ ପିଲା। ସବୁ ପିଲା ବହିକୁ ଘେରିଗଲେ, ବହି ତହୁଁ ତରବରରେ ଗୋଟାଏ ଟବୁଲ ଉପରକୁ ଉଠିଗଲା। ବର୍ତ୍ତମାନ ପ୍ରଶ୍ନ ହେଲା ଦୁନିଆର ଏତେ ପିଲା, ଖଣ୍ଡେ ବହି ପଢ଼ିବେ କିପରି? ପିଲାଙ୍କ ଭିତରେ କନ୍ଦାକଟା ଆରମ୍ଭ ହେଲା। କନ୍ଦାକଟା ଚାଲିଛି, ଏହି ସମୟରେ ବହିଟା ଖୋଲିଗଲା ଓ ବଡ଼ ପାଟିରେ କହିଲା, “ଦେଖ ପିଲାମାନେ, କାନ୍ଦନାହିଁ। ତୁମେ ଯେତେ ଜଣ ଅଛ, ମୁଁ ସେତେ ଖଣ୍ଡ ହୋଇଯାଉଛି।” ଏକଥା ଶୁଣି ପିଲାଙ୍କ ଭିତରେ ଭାରି ଭାଳେଣି ପଡ଼ିଲା, ବହିଟା ଯଦି ଏତେ ଖଣ୍ଡ ହୋଇଯାଏ ,ତେବେ କଣ ହବ ଭଲା। ଖାଲି ଗୋଟିଏ ଅଧେ ଅକ୍ଷର ସିନା ପ୍ରତି ପିଲାଏ ପାଇବେ ,ହାୟ ହାୟ ଏଡ଼େ ସୁନ୍ଦର ବହିଟା କୁତାକୁତା ହୋଇଯିବ। ଆମେ କିଆଁ କନ୍ଦାକଟା କଲେ ବୋଲି ଦୁଃଖ କରି ପିଲାମାନେ ଆହୁରି ଜୋରରେ କାନ୍ଦିବାକୁ ଲାଗିଲେ। ଆଖି ବୁଜି ସେମାନେ କିଛି ସମୟ କାନ୍ଦିଲେଣି, ଏତିକିବେଳେ ପାଟି ଶୁଭିଲା,“ମୋତେ ପଢ଼।” ପିଲାମାନେ ଆଖି ଖୋଲି ଦେଖନ୍ତି ଥାକ ଥାକ ବହି। ସେମାନେ ହଠାତ୍ ଖୁସି ହୋଇଗଲେ।, ବହିରୁ ଖଣ୍ଡେ ଖଣ୍ଡେ ଘେନିଯାଇ ଖୋଲି ଦେଖନ୍ତି ଯେ ବହି ମୋଟେ ଛିଣ୍ଡିନାହିଁ, ସୁନ୍ଦର ବନ୍ଧେଇ ହେଇଚି, ଚମତ୍କାର ଛପା ହେଇଚି, ଆଉ ବହିରେ ଛବି ଅଛି। ସେ ଛପା ଏଭଳି ତାଜିବ୍ ଛପା ଯେ ଇଂରେଜ ପିଲା ପଢ଼ିଲା ବେଳକୁ ତାହା ଇଂରାଜୀ, ଫରାସୀ ପିଲା ପଢ଼ିଲା ବେଳକୁ ତାହା ଫରାସୀ, ବଙ୍ଗାଳି ପିଲା ପଢ଼ିଲା ବେଳକୁ ତାହା ବଙ୍ଗଳା ଆଉ ଓଡ଼ିଆ ପିଲା ପଢ଼ିଲା ବେଳକୁ ତାହା ଓଡ଼ିଆ। ପିଲାମାନେ ଯେତେବେଳେ ପଢ଼ିବାକୁ ବସିଛନ୍ତି, ବାଜେକଥା କହି ଗୋଳମାଳ କରିବା ଠିକ୍ ନୁହେଁ। ସେମାନେ ପଢ଼ିବାରେ ମନ ଦିଅନ୍ତୁ ଓ ମନ ଦେଇ ପଢ଼ନ୍ତୁ।