ଅଜବ ଦେଶରେ ଏଲିସ୍




ଯା କହୁଚି ସରସର କରି ଏଲିସ୍‌ର ଗୋଡ଼ ଖସିଗଲା ଯେ ଦୁଲ୍‌ କରି ପାଣିରେ କଚାଡ଼ି ପଡ଼ି ବୁଡ଼ିଗଲା ବେଳକୁ ଦେଖିଲା ସେ ଯେତେ କାନ୍ଦିଥିଲା ସବୁଯାକ ଲୁହ ଜମି ଛ’ ହାତ ଗହିଡ଼ା ଗୋଟାଏ ଗାଡ଼ିଆ ହେଇ ଯାଇଛି। ଏଲିସ୍‌ ଲୁହ ଗାଡ଼ିଆରେ ପଡ଼ି ଏପଟ ସେପଟ ହାତ ଗୋଡ଼ ବାଡ଼େଇ ଦମେ ପହଁରିଲା। “ଭଲା, ମୁଁ କାହିଁକି ଏତେ କାନ୍ଦିଲି! ଦୋଷ ତ କରିଚି, ଏବେ ମୁଁ ଦଣ୍ଡ ପାଇବି ନାହିଁ ତ ପାଇବ କିଏ? ଦଣ୍ଡ ହବ ଆଉ କିଛି ନାହିଁ, ଏହି ଆପଣା ଲୁହରେ ଆପେ ବୁଡ଼ି ମରିବି। ଅଜବ କଥା ଏ ଗୋଟାଏ ହେବ। ” ଏଲିସ୍‌ ଇମିତି ଭାବୁଚି ତାକୁ ଶୁଭିଲା ଗାଡ଼ିଆ ଭିତରେ ତା ଠୁ ଟିକିଏ ଦୂରରେ ଛିଡ଼ାହୋଇ କଣ ଗୋଟାଏ ଚବର ଚବର ହଉଚି। ଏଲିସ୍‌ ପହଁରି ପହଁରି ସେଇଆଡ଼େ ଗଲା, ଦେଖିବ କଣଟାଏ ଇମିତି ହଉଚି। ପାଖକୁ ଯାଇ ଦେଖେ, ଗୋଟାଏ ମୂଷା ସେ ପାଣିରେ ପଡ଼ିଯାଇଛି।

  ମୂଷିକ  ମହାଶୟଙ୍କୁ ଦେଖି ଏଲିସ୍‌ ଭାବିଲା, ଏହାକୁ ପଚାରିଲେ ହୁଏତ ଏଠୁ ବାହାର ହେବାର କୌଣସି ଗୋଟାଏ ଉପାୟ ମିଳିଯାଇପାରେ । ଏଠି ଯେତେବେଳେ ସବୁ କଥା ଅଦ୍ଭୁତ, ମୂଷାର ବି କଥାବାର୍ତ୍ତା କରିବାର ଶକ୍ତି ଥାଇପାରେ। ପଚାରି ବୁଝିଲେ କ୍ଷତି ବା କଣ? ମୂଷାକୁ ଡାକି ଏଲିସ୍‌ କହିଲା, “ଏ ମୂଷାଭାଇ, ଏ ପୋଖରୀରୁ ବାହାରିବାର ଉପାୟ କଣ ଅଛି ଜାଣିଚ ଯେବେ ମୋତେ କହ, ମୁଁ ପହଁରି ପହଁରି ନ଼ୟାନ୍ତ ହୋଇଗଲିଣି।” ମୂଷା ଏଲିସ୍‌ ଆଡ଼କୁ ଖାଲି ଅନେଇ ରହିଲା ଗୋଟିଏ ଟିକି ଆଖିରେ ମିଟ୍‌ ମିଟ୍‌ କରି , କିନ୍ତୁ କିଛି କହିଲାନାହିଁ, ପଦେ ବୋଲି। ଏ ହାଲ ଦେଖି ଏଲିସ୍ ଭାବିଲା ମୂଷାଟା ବୋଧହୁଏ ଓଡ଼ିଆ ବୁଝିପାରୁନାହିଁ। ଏଇଟା ନିଶ୍ଚୟ ପଶ୍ଚିମା ମୂଷା। ଏଲିସ୍‌ ଥରେ ମହା ମୁସ୍କିଲରେ ପଡ଼ିଲା। ତାକୁ ହିନ୍ଦି ଆସେନାହିଁ। ହିନ୍ଦି ଭାଷା ପଢ଼ିବାକୁ ସେ ଏବେ ଆରମ୍ଭ କରିଚି। ପ୍ରଥମ ଭାଗ ଯାଏଁ ତାର ଦୌଡ଼। ଯାହାହେଉ; ହିନ୍ଦି ଶିକ୍ଷା ବହିର ପ୍ରଥମ ଭାଗର ପ୍ରଥମ ପ୍ରଥମ ପୃଷ୍ଠାରୁ ପ୍ରଥମ ଧାଡ଼ି ଏଲିସ୍‌ର ମନେଥିଲା, ସେ ତାକୁ ହିଁ କହି ପକେଇଲା, “ଯାହାଁ ଦିଲ୍ଲୀ କହାଁ ହୈ?”

  ଏ କଥାଟା ମୂଷା କାନରେ ଯିମିତି ପଡ଼ିଚି, ମୂଷା ଖପ୍‌ କରି ଡେଇଁପଡ଼ିଲା ଦଶହାତ ଦୂରକୁ; ଭୟରେ ତାଦେହ ଠକ୍‌ ଠକ୍‌ ଥରିଲା ଗୋଟାପଣେ। ଏଲିସ୍‌ଯେ ବୃଥାରେ ମନୁଷ୍ୟକୁ ଡରାଇଦେଲା, ସେଥିଲାଗି ସେ ବଡ଼ ଦୁଃଖିତ ହୋଇ କହିଲା, “ ମୂଷାଭାଇ, ମୋର ଦୋଷ ମାଫ୍‌ କରିବ। ମୁଁ ବିଲ୍‌କୁଲ୍‌ ଭୁଲି ଯାଇଥିଲି, ତମର ବିଲେଇ ସାଙ୍ଗେ ଅପଡ଼।” ମୂଷା କିନ୍ତୁ ଏଲିସ୍‌ର କଥା ଏଥର ସମଝି ପାରି ସରୁ  ସ୍ବରରେ ଦରଦ ଦେଇ କହିଲା, “ଆଚ୍ଛା, ମୋରି ଭଳି ତମେ ଯେବେ ହୋଇଥାନ୍ତ, କହ ତ ଭଲା , ତମର ବିଲେଇ ସହ ଅପଡ଼ ହୋଇଥାନ୍ତା କି ନାହିଁ?”

   “ନା, ଅପଡ଼ ତ ନିଶ୍ଚେ ହୋଇଥାନ୍ତା; ତେବେ ମୁଁ ଭାବୁଚି ପୁଷି ଅଛି ତାକୁ ତମେ ଭାରି ଭଲ ପାଉଥାଆନ୍ତ। ପୁଷିଟି ମୋର ଭାରି ଭଲ ବିଲେଇ।…”ଏଲିସ୍‌ ପୁଣି ସେହି ବିଲେଇ କଥା କହି ଚାଲିଲା। ମୂଷା ବେଳକୁ ବେଳ ବେଶି ଡରି ଏଲିସ୍‌ଠୁଁ ଦୂରକୁ ଦୂରକୁ ପହଁରି ପଳେଇବାକୁ ବସିଲା। ଏଲିସ୍‌ ସେଇଠୁ କୋମଳ ସ୍ବରରେ ମୂଷାକୁ ଡାକିଲା, “ମୂଷାଭାଇ, ଡରିଲ କି? ନାଇଁ, ଆଉ ଏଣିକି ମୁଁ ବିଲେଇ କଥା ପାଟିରେ ଧରିବି ନାହିଁ। ତମେ ମୋ ପାଖକୁ ଆସ।” ଏଲିସ୍‌ଠୁ ଅଭୟପାଇ ମୂଷା ତା ପାଖକୁ ଫେରିଲା। ଏତେବେଳକୁ ଗାଡ଼ିଆରେ ଆଉ କେତେ ପଶୁ-ପକ୍ଷୀ ପଡ଼ି ଗାଡ଼ିଆପାଣିକୁ ଛାଇଦେଲେଣି। ଏଲିସ୍‌ ପହଁରି ପହଁରି ତା ହାତ ଗୋଡ଼ ରହିଗଲାଣି। ମୂଷା ଛାନିଆ ହୋଇ ଠକ୍‌ ଠକ୍‌ ଥରୁଛି। ମୂଷା ସେଇଠୁ ଏଲିସ୍‌କୁ କହିଲା, “ଆସ, ଆମେ କୂଳକୁ ଯିବା। ସେଠି ବସି ଆମେ ଦୁଃଖ-ସୁଖ ହେବା। ପହଁରି ପହଁରି ଆମେ କ୍ଳାନ୍ତ ହୋଇ ପଡ଼ିଲେଣି।”

  ତା’ ପରେ ମୂଷାଟା ସାଙ୍ଗେ ପହଁରି ପହଁରି ଘରର ଯୋଉ ଆଡ଼ଟା ଶୁଖିଲା ଥିଲା ଏଲିସ୍‌ ସେଇଆଡ଼େ ପହଞ୍ଚିଲା। ସାଙ୍ଗରେ ବହୁତ ପଶୁପକ୍ଷୀ ବି ସିମିତି ପହଁରି ପହଁରି ଆସି ସେଠି ଜମାହେଲେ। ପ୍ରତ୍ୟେକଙ୍କ ଦେହର ପର ଓ ରୁମ ଓଦା ଜୁଡୁବୁଡୁ । ତାଙ୍କର ଓଦା ପର, ପକ୍ଷରୁ ପାଣି ଟପ୍‌ ଟପ୍‌ ବୋହିଯାଉଚି, ରୁମ ସବୁ ଦେହରେ ଲାଗିଯାଇଚି-କି ଅଦ୍ଭୁତ ଦିଶୁଛନ୍ତି ସେ ପଶୁ-ପକ୍ଷୀ ସବୁ।

  ଓଦା ହୋଇ ଯାଇଥିବା ପଶୁପକ୍ଷୀମାନଙ୍କର ବୁଦ୍ଧିଶୁଦ୍ଧି ଯେ ଲୋପ ପାଇ ଯାଇଥିଲା ତାହା ଏଲିସ୍‌ ଖୁବ୍‌ ସହଜରେ ବୁଝିପାରିଲା, ସେମାନଙ୍କର ବୋକାଙ୍କ ଭଳି କଥାବାର୍ତ୍ତାରୁ। ସମସ୍ତେ ତ ଓଦା, ଭାବନା ପଡ଼ିଲା କିପରି ଦେହରୁ ପାଣି ଶୁଖିବ।  ତାଙ୍କ ଭିତରେ ଏ ବିଷୟରେ ଆଲୋଚନା ସୁରୁ ହୋଇଗଲା। ପହିଲେ ପହିଲେ ଏଲିସ୍‌କୁ ଅଚିହ୍ନା ପଶୁମାନଙ୍କ ସାଙ୍ଗରେ କଥାବାର୍ତ୍ତା କରିବାକୁ ଅଡୁଆ ଲାଗୁଥିଲା। କିନ୍ତୁ କିଛି ବେଳ କଥାବାର୍ତ୍ତା ହେବାପରେ ଏଲିସ୍‌କୁ ବୋଧହେଲା ଯେପରି ସେମାନେ ତାର ଅତି ପୁରୁଣା ପରିଚିତ ବନ୍ଧୁ। ଆଲୋଚନା ଭାରି ସରଗରମରେ ଚାଲିଥାଏ। ମୂଷା ସେଠି ଜଣେ ପଣ୍ଡିତ। ଆଲୋଚନା ଯେତେବେଳେ ଟିକିଏ ଗଣ୍ଡଗୋଳିଆ ଧରିଲା; ମୂଷା ଉଠି ବଡ଼ପାଟି କରି କହିଲା, “ବସିପଡ଼, ସମସ୍ତେ ବସିପଡ଼। ଶୁଣ, ମୋ କଥା ଶୁଣ। ମୁଁ ତୁମର ଦେହ ଶୁଖେଇ ଦଉଚି ଏଇଲାଗେ।”

  ସମସ୍ତେ ବସି ପଡ଼ିଲେ; ମୂଷା ମଝିରେ ଠିଆ ହୋଇଥାଏ; ଚାରି କରରେ ମଣ୍ଡଳୀ କରି ସମସ୍ତେ ଜମା ହୋଇଥାନ୍ତି। ମୂଷା କଥା ଶୁଣିବାକୁ ଏଲିସ୍‌ ବଡ଼ ଉତ୍ସୁକ  ହୋଇ ଚାହିଁଥାଏ। ସେ ମନେ ମନେ କହୁଥାଏ ଦେହରୁ ମୋର ବେଗେ ପାଣି ନ ଶୁଖିଲେ ଭାରି ସର୍ଦ୍ଦି ହେବ।

 ମୂଷା ଗୋଟାଏ ବଡ଼ ପଣ୍ଡିତ ଭଳିଆ ଇତିହାସର ସବୁଠୁ ନିରସ ଗଳ୍ପଗୁଡ଼ାକ ଏକ ନିଃଶ୍ବାସରେ କହିବାକୁ ଲାଗିଲା। ତାର ବିଶ୍ବାସ, ଇତିହାସ ନିରସ କଥାଗୁଡ଼ାକ ଶୁଣିଲେ ତାଙ୍କ ଦେହରୁ ପାଣି  ଶୁଖିଯିବ। କିନ୍ତୁ ଏଥିରେ ବିଶେଷ କିଛି ଲାଭ ହେଲାନାହିଁ। ମୂଷାର କଥା ଶୁଣି ଶୁଣି ଏଲିସ୍‌ ଦେଖିଲା ଯେ ତା ଲୁଗାପଟା ମୋଟେ ଶୁଖିନାହିଁ। 

    ଏହି ସମୟରେ ଆଖିରେ ପରଚକ୍ଷୁ ଲଗେଇ ବଗପକ୍ଷୀ ଛିଡ଼ା ହେଇ ଏକ ପ୍ରସ୍ତାବ କଲା, “ଆସ; ଆମେ ଟିକିଏ କଉକସ୍‌ ଦୌଡ଼ କରିବା। ତାହାହେଲେ ନିଶ୍ଚୟ ଆମ ଦେହରୁ ପାଣି ନିଗିଡ଼ି ଶୁଖିଯିବ।”

   ଏଲିସ୍‌ ପଚାରିଲା,“କଉକସ୍‌ ଦୌଡ଼ କଣ?” ବଗ ସାଙ୍ଗେ ସାଙ୍ଗେ ଉତ୍ତର ଦେଲା, “କଣ ବୋଲି ଆଉ ବୁଝେଇବି? କଉକସ୍‌ ଦୌଡ଼ ବୋଇଲେ କଉକସ୍‌ ଦୌଡ଼। ଦୌଡ଼ିଲେ ବୁଝିବ, ସେ ଜିନିଷଟା କଣ!”

 




+ -

© Jataayu Charitable Trust
Site designed,developed & maintained by Tekons