ଅଜବ ଦେଶରେ ଏଲିସ୍




ଏଥକୁ ବେଙ୍ଗ ଅର୍ଦ୍ଦଳି ସେହିପରି ଗମ୍ଭୀର ସ୍ବରରେ ଜବାବ ଦେଲା, ମହାରାଣୀଙ୍କ ଠାରୁ ଫୁଟବଲ୍‌ ଖେଳିବାକୁ  ସାନରାଣୀଙ୍କ ପାଖକୁ ନିମନ୍ତ୍ରଣ।

   ତାପରେ ମୁଣ୍ଡକୁ କାହିଁରେ କଣ ନୁଆଇଁ ଉଭୟ ଉଭୟଙ୍କୁ ନମସ୍କାର ହେଲେ। ଏତିକିବେଳେ ଦିହିଙ୍କର ଜଟ ଛନ୍ଦି ହେଇଗଲା। ୟା ଦେଖି ଏଲିସ୍‌କୁ ଭାରି ହସ ମାଡ଼ିଲା। ଏଲିସ୍‌ ଦେଖିଲା, ପାଖରେ ଥିଲେ କାଳେ ତା ହସ ତାଙ୍କ କାନରେ ବାଜିଯିବ, ଏଥିପାଇଁ କିଛିଦୂର ଜଙ୍ଗଲ ଭିତରକୁ ସେ ପଛେଇଗଲା। ଟିକିଏ ପରେ ଆସି ଦେଖିଲା ବେଳକୁ ମାଛ-ଅର୍ଦ୍ଦଳି ଚାଲି ଗଲାଣି, ଆଗ ଜଣଙ୍କ ଡିମା ଡିମା ଆଖିରେ ଭକୁଆଙ୍କ ଭଳି ଉପରକୁ ଅନେଇ ଦୁଆର ପାଖରେ ଭୂଇଁ ଉପରେ ଚକାମାଡ଼ି ବସିଯାଇଚି।

    ଏଲିସ୍‌ ମନରେ ଭୟ ଥିଲେ ବି ସେ ଧୀରେ ଧୀରେ ସିଂହଦୁଆର ଯାଏଁ ଗଲା, ଯାଇ ଦୁଆରେ ଠକ୍‌ ଠକ୍‌ କଲା।

     ବେଙ୍ଗ-ଅର୍ଦ୍ଦଳି ପାଟିକି ପାକୁ ପାକୁ କରି ଏଇ ସମୟରେ ଏଲିସ୍‌କୁ କହିଲା, “ଦୁଆର ଠକ୍‌ ଠକ୍‌ କରି କିଛି ଲାଭନାହିଁ। ତାହାର କାରଣ ଦୁଇଟି। ପ୍ରଥମରେ, ମୁଁ ଦରଜାର ଯୋଉ ପାଖରେ ଅଛି, ତମେ ବି ସେଇପାଖରେ। ଦ୍ବତୀୟତଃ, ତା ଭିତରେ ସେମାନେ ଇମିତି ପାଟିତୁଣ୍ଡ କରୁଛନ୍ତି ଯେ ତମ ଆବାଜ ମୋଟେ ତାଙ୍କ କାନରେ ବାଜିବ ନାହିଁ।”ସତକୁ ସତ ନଅର ଭିତରେ ଭାରି ଗଣ୍ଡଗୋଳ ହେଉଥାଏ, ଧଡ଼ଧାଡ଼୍‌, ଭୁଷଭାଷ୍‌, ଦୁମ୍‌ଦାମ।

   ଏଲିସ୍‌ ଅର୍ଦ୍ଦଳିକି ପଚାରିଲା କିମିତି କଲେ ସେ ନଅର ଭିତରକୁ ଯାଇପାରିବ। ଏଲିସ୍‌ କଣ କହୁଚି ସେ କଥାକୁ ନ ଶୁଣି ଅର୍ଦ୍ଦଳି ତାର କହି ଚାଲିଥାଏ,“ଦୁଆର ଠକ୍‌ ଠକ୍‌ କରି କି ଲାଭ? ଯେବେ ଦରଜାର ଏ ପଟେ ମୁଁ,ସେ ପଟେ ତମେ; ନୋଇଲେ ସେ ପଟେ ମୁଁ; ଏପଟେ ତମେ…” ଅର୍ଦ୍ଦଳି ଏଲିସ୍‌ ସଙ୍ଗେ କଥାବାର୍ତ୍ତା କରୁଥିଲେ ବି ତା ଆଖି ଉପରକୁ ଥାଏ। ଏଇଟା ବଡ଼ ଅଭଦ୍ରତା ବୋଲି ଏଲିସ୍‌କୁ ବୋଧହେଲା; ପୁଣି ଏଲିସ୍‌ ଭାବିଲା ୟା ବି ହେଇପାରେ  ସେ ସିଧା ଅନେଇ ପାରୁନାହିଁ; ତା ଆଖି ଦିଟା ମୁଣ୍ଡ ଉପରେ ଯାଇ। ଯାହାହେଉ, ସେ ତା କଥାର ଜବାବ ଦେଉଚି ତ । ଏଲିସ୍‌ ପୁଣି ଥରେ ବଡ଼ ପାଟିରେ ପଚାରିଲା, ମୁଁ କିମିତିକା ନଅର ଭିତରକୁ ଯିବି। ଅର୍ଦ୍ଦଳି କହିଲା, “ମୁଁ ଏଇଠି ବସି ରହିବି କହିଲି-”

   ଏଇ ସମୟରେ ନଅରର ଦରଜା ଖୋଲିଗଲା, ଆଉ ସେଣୁ ନଅର ଭିତରୁ ବଡ଼ ଏକ ପିଆଲା ସରର୍‌ କରି ଛିଟ୍‌କି ଆସିଲା ଅର୍ଦ୍ଦଳିର ମୁଣ୍ଡ ସଳଖା, ତା ନାକରେ ଘଷି ହେଇ ସେଇଟା ଯାଇ ଗୋଟାଏ ଗଛରେ ବାଜି ଚୂନା ହେଇଗଲା।

    ଏଥିରେ ଅର୍ଦ୍ଦଳି ଆଦୌ ଟିକିଏ ବୋଲି ନ ଚମକି ଆଗ ଭଳି କହି ଚାଲିଲା, ସତେ ଯେପରି କିଛି କୋଉଠି ହେଇନାହିଁ।

    “-ତା ପର ଦିନ ବି ହୋଇଯାଇପାରେ ।”

     ଏଲିସ୍‌ ଏଥର ଆହୁରି ବଡ଼ ପାଟି କରି ପଚାରିଲା,  “ମୁଁ କିମିତି ନଅର ଭିତରକୁ ଯିବି କହ।” ଅର୍ଦ୍ଦଳି ତାହାର ଜବାବ ଦେଲା, “ନଅରକୁ ତମେ ଯିବ! ଏହି ହେଲା ପ୍ରଥମ କଥା।” ଏଲିସ୍‌ ଏତେବେଳକୁ ବଡ଼ ଅଧୈର୍ଯ୍ୟ ହୋଇପଡ଼ିଲାଣି, “ଉଃ, ଏ ଲୋକଗୁଡ଼ାକ କି ଭଳି ଯେ ଯୁକ୍ତି କରି ବସନ୍ତି, ଜଣେ ତ ୟାଙ୍କ ସାଙ୍ଗେ କଥାବାର୍ତ୍ତା କଲେ ପାଗଳ ହେଇଯିବ।”

    ଏହି ସମୟରେ ଅର୍ଦ୍ଦଳି ପୁଣି ଆରମ୍ଭ କରିଦେଲା, “ମୁଁ ଏଠି ବସି ରହିବି ଆଜି,କାଲି ପଅରଦିନ, ତା ପରଦିନ, ତା ପର ଦିନ…”

    “ମୁଁ କଣ କରିବି ?” ଏଲିସ୍‌ ବିରକ୍ତ ହେଇ ପଚାରିଲା।

    “ତମ ଇଚ୍ଛା ଯାହା ହଉଚି, ତା କର।” ଅର୍ଦ୍ଦଳି ୟା ପରେ ସୁସୁରି ବଜେଇବାକୁ ଲାଗିଲା।

     “ଆଉ ୟାଙ୍କ ସଙ୍ଗେ କଥାଭାଷା କରି କିଛି ଲାଭନାହିଁ। ଏକଦମ୍‌ କୁଡ୍‌ବକ୍‌ଟାଏ।” ୟା ଭାବି ଏଲିସ୍‌ ଆପେ ଦରଜା ଖୋଲି ନଅର ଭିତରକୁ ପଶିଲା।

     ନଅର ଦରଜାଠୁ ସିଧା ସଳଖ ରାସ୍ତା ପଡ଼ିଚି। ଏଲିସ୍‌ ସେ ବାଟ ଧରି ଯାଇ ହାଜର ହେଲା ନଅର ଭିତରେ, ଗୋଟାଏ ବଡ଼ ରୋଷେଇ ଘର ତା ଭିତରେ। ଘରଟା ଯାକ ଏମୁଣ୍ଡ ସେମୁଣ୍ଡ ଧୂଆଁରେ ଭର୍ତ୍ତି। ଘର ମଝିରେ ଗୋଟାଏ ତିନିଗୋଡ଼ିଆ ଟୁଲ୍‌ ଉପରେ ସାନରାଣୀ ବସିଛନ୍ତି, କୋଳରେ ଛୋଟ ପିଲାଟିଏ। ଚୁଲି ଜଳୁଚି, ଗୋଟାଏ ବଡ଼ କଡ଼ା ଚୁଲି ଉପରେ ବସିଛି। ରାନ୍ଧୁଣି ସେ କଡ଼ା ଉପରେ ନଇଁପଡ଼ି କଣ ଘାଣ୍ଟିବାରେ ବ୍ୟସ୍ତ। 

 

 




+ -

© Jataayu Charitable Trust
Site designed,developed & maintained by Tekons