ବଣ ମଧ୍ୟରେ ଏଲିସ୍
ବଣରେ ପଶି ଏଲିସ୍ ମହାଭାବନାରେ ପଡ଼ିଲା। କିଭଳିଆ ସେ ତାର ଆଗକାର ସ୍ବାଭାବିକ ଅବସ୍ଥାକୁ ଫେରିଆସିବ, ସେହି ଭାବନାରେ ବିଚରା କାଠ ହେଇଗଲା। କାରଣ,ଠେକୁଆ ଘରେ ସେ ଯେଉଁ ଅଜବ ଖଜା ଖାଇଲା, ସେଥିରେ ତା’ ଉଚ୍ଚାମୋଟେ ଟିପେ ହେବ ଥିଲା; ତାଠୁ ତ ଆଉ ସେ ଛୋଟ ହେଇପାରିବ ନାହିଁ।
ନାନା ଉପାୟ ଚିନ୍ତାକରି କରି ଏଲିସ୍ ବଣ ଭିତରେ ଚାଲିଛି। ଶେଷରେ ଏକ ଛତୁ ଉପରେ ତାର ଆଖିପଡ଼ିଲା। ଛତୁ ଆଉ ଏଲିସ୍ ଏକା ଉଚ୍ଚା। ଏଲିସ୍ ଛତୁ ତଳ ଦେଖିଲା, ତା ଦି କଡ଼,ପଛପଟ,ଚାରିଆଡ଼ ଦେଖିଲା। ସେଇଠୁ ତାର ମନ ହେଲା, ଦେଖିବା, କଣ ତା ଉପରେ ଅଛି। ଉଙ୍କିମାରି ଛତୁ ଉପରକୁ ଦେଖିଲାବେଳକୁ ସେଠି ଅଛି ଗୋଟାଏ ନୀଳ ରଙ୍ଗର ଗୋବର ପୋକ। ଗୋବରପୋକ ଛତୁ ଉପରେ ମହା ମଉଜରେ ଗୋଡ଼ ହାତ ଲମ୍ବେଇ ଦେଇ ମୁହଁରେ ଏକ ଗୁଡ୍ଗୁଡ୍ ହୁକ୍କାର ଲମ୍ବା ନଳୀ ଲଗେଇ ବସି ଢ଼ୋଳାଉଛି।
ଏଲିସ୍ ଏହି ଗୋବରପୋକ ପାଖକୁ ପରାମର୍ଶ ପାଇଁ ଗଲା-କିମିତି ସେ ପୁଣି ବଡ଼ ହବ?ନିଶାର ଟୁଳରେ ଗୋବରପୋକଟା ପ୍ରଥମେ ଢଳଢଳ ଆଖିରେ ଥରେ ଏଲିସ୍ ଆଡ଼କୁ ଚାହିଁ ତାପରେ ନିତାନ୍ତ ତାଚ୍ଛଲ୍ୟ ଭଙ୍ଗୀରେ ପୁଣି ଆଖି ବୁଜିଦେଲା। ପୁଣି ଥରେ ଏଲିସ୍ ଯେତେବେଳେ ତାକୁ ପଚାରିଲା ସେ ତାଗରେ ଝିଁ ଝିଁ କରି ଛିଡ଼ା ହୋଇପଡ଼ି କହିଲା, “କି କଥା କହୁଛୁ? ତିନି ଇଞ୍ଚ ଡେଙ୍ଗା କି କେମିତି ହେଲା?”
ଏଲିସ୍ ବୁଝିଲା ଯେ ଏ ଗୋବର ପୋକଟା ଆପେ ତିନିଇଞ୍ଚରୁ ବେଶି ଲମ୍ବା ନୁହଁ ବୋଲି ଏପରି କଥା କହୁଚି। “କିନ୍ତୁ ତିନି ଇଞ୍ଚ ଲମ୍ବା ହେବା ତ ମୋ ପକ୍ଷରେ ସ୍ବାଭାବିକ ନୁହେଁ । ଦୟାକରି ମତେ କହି ଦିଅନ୍ତୁ ମୁଁ କିପରି ଲମ୍ବା ହୋଇପାରିବି।”
ଏଥରକ ଏଲିସ୍ର କଥା ଶୁଣି ଗୋବରପୋକଟା ଆଖିବି ଖୋଲିଲା ନାହିଁ, ହୁକ୍କାରୁ ଖୁବ୍ ଜୋର୍ରେ ଧୂଆଁ ଟାଣୁଥିବା ନା ସେତେବେଳେ, ସେଇଯୋଗୁ। ଗୋବରପୋକ ତା ନାକ ମୁହଁ ବାଟେ ଫସ୍ ଫସ୍ ଧୂଆଁ ଛାଡ଼ି ଛାଡ଼ି ଟିକିଏ ପରେ ବଡ଼ ଉଦାସୀନ ଭାବରେ ବିଜ୍ଞ ପଣ୍ଡିତ ପରି ଉତ୍ତର ଦେଲା, “ଶୀଘ୍ର ତୁମେ ଏତିକି ଉଚ୍ଚତାରେ ଅଭ୍ୟସ୍ତ ହୋଇଯିବ,” ଏତିକି କହିଦେଇ ଗୋବରପୋକଟା ପୁଣି ତାହାର ହୁକ୍କା ଟାଣିବାରେ ଳାଗିଲା, ଆଖି ବୁଜି ଦେଇ ମହା ଆରାମରେ ଫସ୍ଫସ୍ କରି ଧୂଆଁ ଛାଡ଼ିଲା।
ବାରମ୍ବାର ପଚାରିବା ଦ୍ବାରା ଗୋବରପୋକ ସୁଖ ଦିବାନିଦ୍ରାରେ ବ୍ୟାଘାତ ଘଟାଇବାକୁ ଏଲିସ୍ ଚାହୁଁନଥିଲା। ସେଥିଲାଗି ଏଥର ଆଉ କୌଣସି ପ୍ରଶ୍ନ ନ କରି ସେ ଖାଲି ଛିଡ଼ା ହୋଇ ରହିଲା। ଏଲିସ୍ ଆଶା କରିଥାଏ,ଯେତେବେଳେ ଗୋବରପୋକ ନିଦରୁ ଉଠିବ, ସେ ଖୁସ୍ ମିଜାଜରେ ତାକୁ ଗୋଟାଏ ଉପାୟ କହିଦେଇପାରେ।
ପ୍ରାୟ ମିନିଟେ କି ଦି ମିନିଟ୍ ପରେ ଗୋବର ପୋକର ନିଦ ଭାଙ୍ଗିଲା। ମୁହଁରୁ ହୁକ୍କାନାଳୀଟା ବାହାର କରି ଦୁଇ ତିନିଥର ଲମ୍ବା ହାଇ ମାରି ଅଳସ ଭାଙ୍ଗି ସେ ଚେଇଁ ବସିଲା। ତା’ପରେ ଧୀରେ ଧୀରେ ସେ ହୁକ୍କାଟା ହାତରେ ଧରି ଛତୁ ଉପରୁ ଓହ୍ଲାଇ ଜମିଦାରିଆ ଠାଣିରେ ଢଳି ଢଳି ଘାସ ଉପରେ ଚାଲିଲା। ଚାଲି ଯାଉ ଯାଉ ଏଲିସ୍କୁ କହିଗଲା, “ଏ ଛତୁର ଏକ ଦିଗରୁ ଫାଳେ ଖାଇଲେ ତୁମେ ପୁଣି ଡେଙ୍ଗା ହେବ,ଆଉ ଫାଳେ ଖାଇଲେ ବାଙ୍ଗରା ହେଇଯିବ।”ଏକଥା କହି ଗୋବରପୋକ ସେ ଥାନରୁ ଅଦୃଶ୍ୟ ହୋଇଗଲା ।
ଏଲିସ୍ ମହା ମୁସ୍କିଲରେ ପଡ଼ିଲା ଏବେ। ଛତୁ ତ ଗୋଲ, ତା’ର ପୁଣି ଏପାଖ, ସେପାଖ କଣ? ବହୁତ ଭାବି ଏଲିସ୍ ଗୋଟାଏ ଉପାୟ ପାଞ୍ଚିଲା। ଛତୁର ଏପଟରୁ ଟିକିଏ, ସେପଟରୁ ଟିକିଏ ଛିଣ୍ଡେଇ ଦିହାତରେ ତାକୁ ଅଲଗା ଅଲଗା କରି ଧଇଲା। ଟିକିଏ ଟିକିଏ କରି ଖାଇ ଏଲିସ୍ ପରୀକ୍ଷା କରି ଦେଖିବାକୁ ଲାଗିଲା ସେ କେତେବେଳେ ତାର ସ୍ବାଭାବିକ ଉଚ୍ଚତାରେ ପହଞ୍ଚୁଛି। ପହିଲେ ଡାହାଣ ହାତରେ ଥିବା ଛତୁରୁ ଯେମିତି ଟିକିଏ କାମୁଡ଼ି ଦେଇଛି, ତା ଥୋଡ଼ିଟା ଧଡ୍ କରି ତା ପାଦରେ ବାଡ଼େଇ ହେଇଗଲା। ଦେଖିଲା ବେଳକୁ ସେ ମାଟି ସାଙ୍ଗରେ ମିଶିଯିବ କି ନାହିଁ ଏମିତି। ବଡ଼ ବିକଳରେ ଚଟାପଟ୍ ସେ ଛତୁର ଆରପଟରୁ ଟିକେ ଛିଣ୍ଡେଇ ପାଟିରେ ପକେଇଦେଲା। ପକେଇ ଦେଇଛି ଯିମିତି ଫେର୍ ସେ ଛତୁ ଡେଙ୍ଗା ହେଇଗଲା। “ କୁଆଡ଼େ ଗଲେ ମୋ କାନ୍ଧ ଦିଟା; କାହିଁ ଦିଶୁ ନାହାନ୍ତି ତ। ଆହା, ମୋ ହାତ ଦିଟା ରହିଲା କୋଉଠି ?” ଏଲିସ୍ ମନକୁ ମନ ପଚାରିଲା। ଏଲିସ୍ ଯେତେବେଳେ ତାର ହାତ ଦିଟା ହଲାଇଲା, ଦେଖେ ତ ଦୂରରେ କାହିଁ ତଳେ ଗଛର କଅଁଳିଆ ସବୁଜ ପତ୍ରଗୁଡ଼ାକ ଦୋହଲି ଯାଉଛନ୍ତି। ଏଲିସ୍ ଦେଖିଲା, ହାତକୁ ଆଉ ମୁଣ୍ଡ ପାଖକୁ ଆଣି ହେବନାହିଁ କୌଣସି ମତେ। ଆଚ୍ଛା, ତେବେ ମୁଣ୍ଡକୁ ହାତ ପାଖକୁ ନେବା, ଏହା ଭାବି ତା ବେକକୁ ଚାରିପଟକୁ ଯେମିତି ବୁଲଇଚି,ଦେଖିଲା ସାପ ଭଳିଆ ତା ବେକ ଚାରିପଟକୁ ବୁଲିଯାଉଚି। ଏଲିସ୍ ବେକ ଭାଙ୍ଗି ତଳକୁ ନଇଁପଡ଼ି ଗଛପତ୍ର ତଳେ କୋଉଠି ତା ହାତ ରହିଗଲା ବୋଲି ପତର ଗହଳରେ ମୁହଁ ମାଡ଼ି ଦେଲା ବେଳକୁ ଗୋଟାଏ ସାଇଁ ସାଇଁ ଶବଦ ଶୁଣାଗଲା। କ’ଣଟା ବୋଲି ମୁହଁ ଟେକି ଦେଖେ ତ ପାରାଟାଏ ତା ମୁହଁରେ ପରକୁ ବାଡ଼େଇବାରେ ଲାଗିଚି।
ପାରା ଚିରଚିରେଇ ଉଠିଲା, “ସାପ! ସାପ!”
ଏଲିସ୍ ତରବରରେ କହି ପକେଇଲା, “ମୁଁ ସାପ ନୁହେଁ, ସାପ ନୁହେଁ। ଏ ମୋର ମୁହଁକୁ ତୁଚ୍ଛାରେ ବାଡ଼ୋଉଛୁ କାହିଁକି?”
“ସାପଟାଏ! ସାପଟାଏ” ପୁଣି ପାରା ପାଟିକଲା। ଏଲିସ୍ ଭଲା ତାକୁ କେମିତି ବୁଝେଇବ ସେ ସାପ ନୁହେଁ ବୋଲି। ପାରା ଏଇ ସମୟରେ କାନ୍ଦୁଣୁ ମାନ୍ଦୁଣୁ ହେଇ କହିଲା “ଯେତେ ଉପାୟ କଲି କିଛି ନା ହେଲା। କାହିଁ ନେବି ତାଙ୍କୁ କୁହହେ ଭଲା?”
ଏଲିସ୍ କଅଁଳେଇ ପଚାରିଲା, “ତୁ କୋଉ କଥା କହୁଚୁ ମୁଁ ବୁଝିପାରୁ ନାହିଁ।”