ତାଆସ ଦେଶରେ ଏଲିସ୍
ଏଲିସ୍ ଗୋଟିଏ ଗୋଟିଏ ଯାଇ ପହଞ୍ଚିଲା ଗୋଟିଏ ସୁନ୍ଦର ବଗିଚା ଭିତରେ । ସେ ବଗିଚା ହେଉଚି ଅଜବ ଦେଶ ପାଟରାଣୀଙ୍କର। ସେ ଦେଶର ରାଜା, ରାଣୀ, ପାଇକହେରିକା ସବୁ ତାଆସର। ସେଠି ପୁଣି ଏଲିସ୍ ଦେଖିଲା ଏକ ଅଦ୍ଭୁତ କଥା।
ସେ ଦେଶର ପାଟରାଣୀ ହେଉଛନ୍ତି ହରତନ ବିବି। ହରତନ ବିବି ତାଆସ ହେଲେ କଣ ହବ ତାଙ୍କ ମିଜାଜଟା ବଡ଼ କଡ଼ା ଧରଣର ଥିଲା। ଟିକିଏ ଟିକିଏ କଥାରେ ସେ କାଳେ ରାଗି ଯାଆନ୍ତି ଇମିତିକା ଯେ ସାଙ୍ଗେ ସାଙ୍ଗେ ମୁଣ୍ଡକାଟ ହୁକୁମ ଦେଇ ଦିଅନ୍ତି।
ଏଲିସ୍ ଯେତେବେଳେ ଏହି ବଗିଚା ଭିତରକୁ ପଶିଯାଇଚି, ସେ ଦେଖିଲା ପାଟରାଣୀ ଛୋଟରାଣୀଙ୍କ ସାଙ୍ଗରେ ଖେଳରେ ମାତିଛନ୍ତି। ସେ ପୁଣି ଏକ ତାଜୁବ୍ ରକମର ଖେଳ, ସେ ଖେଳରେ ନିୟମ ବୋଲି କିଛି ନଥିଲା, ଗୋଲ୍ପୋଷ୍ଟ ବି ନଥିଲା, ଇମିତିକି ପେଣ୍ଡୁ ବି ନଥିଲା। ପେଣ୍ଡୁ ବଦଳରେ ଗୋଟାଏ କଣ ଗୋଲାକାର ଜନ୍ତୁକୁ ପେଣ୍ଡୁ କରି ସେମାନେ ଖେଳୁଥିଲେ। ମଜା ହେଉଚି, କେହି ପେଣ୍ଡୁରେ ନାତ ମାରୁ ନଥିଲେ , ପେଣ୍ଡୁଟା ମନକୁ ମନ ଏପଟକୁ ସେପଟ ଗଡ଼ଗଡ଼ ଗଡ଼ୁଥାଏ। ଆଉ ଏପାଖରେ ଦିଟା, ସେପାଖରେ ଦିଟା ତାଆସର ଗୋଲାମ ଛିଡ଼ା ହୋଇ ସାଜିଥାନ୍ତି ଗୋଲପୋଷ୍ଟ। ଏ ଅଦ୍ଭୁତ ଖେଳ କେତେବେଳେ ଯାଏ ଖୁବ୍ ସରଗରମ ହେଇ ଚାଲିଲା। କିନ୍ତୁ ଏ ପ୍ରକାର ଗଣ୍ଡଗୋଳିଆ ଖେଳରେ ଯା ହବାର କଥା ସେଇୟା ହେଲା। ପେଣ୍ଡୁ ଖେଳର ନିୟମ, କିଏ ହାରିଲା, କିଏ ଜିଣିଲା, କିମିତି କଣ ହବ ଏଇସବୁ ବିଷୟରେ ଦି ରାଣୀଙ୍କ ଭିତରେ ଇମିତି କଳିକଜିଆ ଲାଗିଲା ଯେ ନାହିଁ ନଥିବାର । ଶେଷକୁ ପାଟରାଣୀ ରାଗି ଯାଇ ସାନରାଣୀର ମୁଣ୍ଡକାଟ ହୁକୁମ ଦେଲେ। ସେଇଠୁ ଖେଳ ସରିଲା।
ଗୋଲାମ ସେ ରାଜ୍ୟର କେତେକ ଅଜବ ଜୀବଜନ୍ତୁ ଦେଖେଇ ସବା ଶେଷରେ ଏଲିସ୍କୁ ନେଇଗଲା ରାଜସଭାକୁ। ଏଲିସ୍ ସେଠି ପହଞ୍ଚି ଶୁଣେ ଯେ ହରତନ ଗୋଲାମ କାଳେ ପାଟରାଣୀଙ୍କର ମେଞ୍ଚାଏ ଆଚାର ଚୋରି କରିଚି। ତାରି ସେଦିନ ବିଚରା ତାରିଖ। ଏଲିସ୍ ଏକଥା ଶୁଣି ଭାବିଲା, ଏ ତ ବେଶ୍ ମଜାଦାର କଥା; ଆଚ୍ଛା, ଅଜବ ଦେଶର କଣ କିଭଳି ବିଚାର ହଉଚି ଟିକିଏ ବସି ଶୁଣିବା।
ରାଜ୍ୟସଭାରେ ସେତେବେଳେ ଦେଖଣାହାରି ଲୋକ ମେଳାମେଳା ହେଉଛନ୍ତି। ରାଜ୍ୟ ଯାକର ପଶୁପକ୍ଷୀ, ନାନା ରଙ୍ଗର ତାଆସ ବି ସମସ୍ତେ ଆସି ସଭାରେ ରୁଣ୍ଡ ହେଇଛନ୍ତି। ରାଜା ଆଉ ପାଟରାଣୀ ଦିଟା ଉଚ୍ଚ ସିଂହାସନ ଭିତରେ ପାଖକୁ ଲାଗି ବସିଛନ୍ତି। ଗୋଟାଏ କଡ଼କୁ କାଠଗଡ଼ା ଉପରେ ଆସାମୀ ହରତନ ଗୋଲାମ ଶିକୁଳିରେ ବନ୍ଧା ହୋଇଥିଲା, ତା ଦି ପାଖରେ ଦିଟା ଅସ୍ତଧାରୀ ପାଇକ ଖାଡ଼ାପହରା ଥିଲେ। ଗୋଟିଏ ଧୋବ ଠେକୁଆ ମହାରାଜାଙ୍କ ଶ୍ରୀଛାମୁରେ ହାଜର ଥାଏ, ଗୋଟାଏ ହାତରେ ତା’ର ଗୋଟାଏ ଶିଙ୍ଘା, ଅନ୍ୟ ହାତରେ ତାଡାଏ କାଗଜ। ରାଜସଭାର ମଧ୍ୟସ୍ଥଳରେ ଗୋଟିଏ ଟେବୁଲ ଉପରେ ଥୁଆ ହୋଇଥିଲା ଚୋରାମାଲ ସେହି ଆଚାର ଶିଶିଟା। ଆଚାରକୁ ଦେଖି ଏଲିସ୍ର ଜିଭ ଲାଳେଇଲା। ଏହି ସମୟରେ ମହାରାଜାଙ୍କ ଆଜ୍ଞାପାଇ ଧୋବ ଠେକୁଆ ପାଟି କରି କହିଲା, “ଅଦାଲତରେ କେହି ପାଟିତୁଣ୍ଡ କରନ୍ତୁ ନାହିଁ। ସମସ୍ତେ ଚୁପ୍ ହୁଅନ୍ତୁ। ଏଇକ୍ଷଣି ବିଚାର ଆରମ୍ଭ ହେବ।”
ମହାରାଜ ସେଇଠୁ ଧୋବ ଠେକୁଆକୁ ଆଜ୍ଞା ଦେଲେ, “ବର୍ତ୍ତମାନ ତୁମର ଅଭିଯୋଗ ପଢ଼ି ଶୁଣାଅ।”
ଆଜ୍ଞା ପାଇ ଠେକୁଆ ତିନିବାର ତାହାର ଶିଙ୍ଗୀ ଫୁଙ୍କିଦେଲା, ତା’ ପରେ ଗୋଟାଏ କାଗଜମୋଡ଼ା ଖୋଲି ହରତନ ଗୋଲାମ ବିରୋଧରେ ପାଟରାଣୀଙ୍କର ଅଭିଯୋଗ ପଢ଼ି ଶୁଣାଇଦେଲା।
ଏଥର ଚାଲିଲା ବିରାରପାଲା। ରାଜା ହୁକୁମ ଦେଲେ,“ସାକ୍ଷୀ ଡାକ।”
ଠେକୁଆ ଡାକିଲା, “ପହିଲା ନମ୍ବର ସାକ୍ଷୀ ହାଜର ହୈ?”
ପହିଲା ନମ୍ବର ସାକ୍ଷୀ ହେଉଚି ସେଇ ପାଗଲା ଟୋପିବାଲା। ଗୋଟାଏ ହାତରେ ଚା କପ୍, ଆର ହାତରେ ରୁଟି ଟୁକୁରାଏ ଧରିଚି, ଯାଇ ଅଦାଲତ ଭିତରେ ହାଜର। ଅଦାଲତ ଭିତରେ ପ୍ରବେଶ କରିବା ପରେ ସେ ଯାଇ ସମଝି ପାରିଲା ଏମିତିକା ରୁଟି ଆଉ ଚା କପ୍ ଧରି ଅଦାଲତ ଭିତରକୁ ଆସିବା ତାର ବଡ଼ ବେକୁଚି ହେଇଚି। ସେ ଯୋଗୁଁ ଦି ଚାରି ଢୋକ ବେଗେ ବେଗେ ଢୋକି ଦେଇ ମହାରାଜାଙ୍କ ଛାମୁରେ ଜଣେଇଲା, “ହଜୁର, ମୋତେ ମାଫ୍ କରିବାର ହୁକୁମ ହେଉ, ବଡ଼ ଭୁଲଟାଏ କରିପକେଇଚି, ରୁଟି ଆଉ ଚା କପ୍ ଧରି ଅଦାଲତ ଭିତରକୁ ଚାଲି ଅସିଲି, କିନ୍ତୁ ମଣିମା ବୁଝିବା ହେଲେ, ମୋର ଏଥିରେ କସୁର୍ ହେଲା କଣ? ମୁଁ ବସି ଚା ପିଉଥିଲି, ପିଉଥିଲି ତ। କଥା ନାହିଁ, ବାର୍ତ୍ତା ନାହିଁ, ଆଗରୁ କୁହାବୋଲା ନାହିଁ, ସିଧାସଳଖ ମୋତେ ଧରି ଆଣିଲେ, କଣ ନା ତୁମକୁ ସାକ୍ଷୀ ଦେବାକୁ ପଡ଼ିବ, ଚାଲ। ବାଃ।”
ମହାରାଜ ବୋଧହୁଏ ତାର ଏହି ଅପରାଧ ଆଗତୁରା ମାପ କରି ଦେଇଥିଲେ। କାହିଁକି ନା, ସେ ବିଷୟରେ ସେ ଆଉ ପଦେ ଅଧେ କିଛି ହେଲେ ନାହିଁ, କିନ୍ତୁ ରାଗରେ ଲାଲ ହେଇଯାଇ ଚଢ଼ାଗଳାରେ କହିଲେ, “ହେ! ତୁ ସମ୍ମାନ କିପରି କରାଇବାକୁ ହୁଏ ତା ବି ଜାଣିନାହୁଁ। ଏଇଲାଗେ ତୋର ଟୋପି ଉତ୍ତାର।”