ଟୋପିବାଲା ଜବାବ ଦେଲା , “ହଜୁର;, ଟୋପି ତ ମୋର ନୁହେଁ।”
ରାଜା ପଚାରିଲେ, “ତେବେ କାହାର? ଚୋରାମାଲ ବୋଧହୁଏ ।ତା ହେଲେ ତ ତତେ ଜେଲ୍ ଯିବାକୁ ପଡ଼ିବ। ”
“ଟୋପିବାଲା କହିଲା, ନା ମଣିମା, ମୁଁ ଟୋପି ବିକ୍ରି କରେ। ଯେତେବେଳେ ଯାଏ ଟୋପିଟା ବିକ୍ରି ହେଉନାହିଁ, ସେତେବେଳେ ଯାଏ ସେଇଟା ମୋ ମୁଣ୍ଡରେ ଥାଏ।”
ରାଜା ତାପରେ ତାକୁ ପଚାରିଲେ, “ଆଚ୍ଛା, ଏଥର କହ ତ ଦେଖି, ଏହି ଚୋରି ବିଷୟରେ ତୁ କଣ ଜାଣିଛୁ?”
ମହାରାଜାଙ୍କଠୁ ଅଭୟବାଣୀ ଶୁଣି ବି ଟୋପିବାଲାର ମନକୁ ଛାଡ଼ିନଥାଏ। ବିଚାରା ତ ଏକେ ମୁଣ୍ଡପାଗଲା ଲୋକ, ସେଥିରେ ହଠାତ୍ ତାର ଆଖି ପଡ଼ିଗଲା ପାଟରାଣୀଙ୍କ ଢ଼େଗା ଢ଼େଗା ଗୋଲ ଗୋଲ ଲାଳଗୁଲାଇ ଆଖି ଉପରେ। ଟୋପିବାଲାର ବାଉଳୁଚାଉଳୁ କଥାବାର୍ତ୍ତା ଶୁଣି ପାଟରାଣୀ ରାଗରେ ପାଚିଗଲେଣି, ତାଙ୍କ ଆଖି ରକ୍ତ ଭଳିଆ ଲାଲ୍ ଟକ୍ ଟକ୍ ହେଇଗଲାଣି, ଆଉ ସେ ଆଖିରେ ପରଚକ୍ଷୁ ମଡେଇ ଟୋପିବାଲାର ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ କଟମଟ କରି ଅନାଉଛନ୍ତି। ଏ ହାଲ୍ ଦେଖି ଟୋପିବାଲା ତ ବିଲ୍କୁଲ୍ ଭଡ଼କିଗଲା। ଆଉ ଭଡ଼କି ଯାଇ ବାଉଳୁଚାଉଳୁ କରି ଯାହା ପାରେ ତ ବକିବାକୁ ଲାଗିଲା। ଇମିତିକା ରୁଟିଟୁକୁରା କାମୁଡ଼ିବାକୁ ଯାଇ ଭୁଲ୍ରେ କପ୍ ଉପରୁ ଖଣ୍ଡେ କା’ଡୁ କରି କାମୁଡ଼ି ଦେଇ ଭାଙ୍ଗିଦେଲା। ଏଥିରେ ତା ଦାନ୍ତକୁ ବଡ଼ କାଟିଲା, କାଟିଲାରୁ ସେ ‘ଉହୁ ଉହୁ ’ବୋଲି ପାଟି କରି ଉଠିଲା। ମହାରାଜା ଟୋପିବାଲାର ଏହି ପ୍ରକାର ରୀତିଗତି ଦେଖି ହୁକୁମ ଦେଲେ, “ ଆଃ, ଏଇଟାକୁ ବରଖାସ୍ତ କରିଦିଅ।”
ଟୋପିବାଲା ଯିମିତି ଛାଡ଼ ଯାଇଛି, ଅଦାଲତର ତା ଛତା ଯୋତା ସବୁ ପରିଚିତ। ଯେ ମାଇଲା ଏକ ଚିଲା। ପାଟରାଣୀ କିନ୍ତୁ ଟୋପିବାଲାର କାଣ୍ଡକାରଖାନା ଦେଖି ବେଜାଏ ଚଟି ଯାଇଥିଲେ। ଟୋପିବାଲା ଦୌଡ଼ି ପଳାଉଥିବାର ଦେଖି ସେ ତାଙ୍କର ଗୋଲାମମାନଙ୍କୁ ହୁକୁମ ଦେଲେ “ତାର ମୁଣ୍ଡ କାଟିପକା ତ।”କିନ୍ତୁ ଗୋଲାମ ସବୁ ଟୋପିବାଲାକୁ ଧରନ୍ତି ବା କିପରି! ଆଖି ପିଛୁଳାକେ ସେ ଯାଇ କୁଆଡ଼େ ଅଦୃଶ୍ୟ ହୋଇଗଲା ଯେ, ଆଉ ତା’ର ଟେର୍ ନାହିଁ।
ମହାରାଜ ଫେର୍ ଆଜ୍ଞା ଦେଲେ, “ଡାକ ୟା ପର ସାକ୍ଷୀକୁ।” ଉତ୍ସୁକ ହେଇ ଏଲିସ୍ ଏ ପାଖ ସେପାଖ ଅନେଇଲା,କିଏ ୟା ପର ସାକ୍ଷୀ, କୋଉଠି ଅଛି ବୋଲି । ଏହି ସମୟରେ ଠେକୁଆ ଉଠି “ଏଲିସ୍” ବୋଲି ପାଟିକରି ଡାକିଲା। ଏଲିସ୍ ନିଜ ନାଁ ଡାକରା ହେବାର ଶୁଣି ଚମକି ପଡ଼ିଲା, ଅବାକ୍ ହେଲା, ଇଏ କିମିତିକା କଥା। ମୁଁ ତ ଚୋରି ଡକାୟତି କିଛି ଦେଖିନାହିଁ, ସେ ବିଷୟରେ ମୋଟେ କିଛି ଜାଣେ ନାହିଁ। ମୁଁ ବା କି ସାକ୍ଷୀ ହେବି?
ଏଲିସ୍ର ଅକଲ ଗୁଡୁମ୍ ହେଇଗଲା; ତରବର ହେଇ ସାକ୍ଷୀଙ୍କ କାଠଗଡ଼ା ଭିତରକୁ ପଶିଗଲା ବେଳକୁ ଏଲିସ୍ର ଦେହରେ ବଜି, ବିଚାରକମାନଙ୍କ ବେଞ୍ଚଟା ଓଲଟିଗଲା। ବେଞ୍ଚ ଓଲଟିଚି ଯିମିତି ବେଞ୍ଚ ଉପରେ ଯୋଉସବୁ ପଶୁପକ୍ଷୀ ବସିଥିଲେ, ସେମାନେ ସମସ୍ତେ ଭୁଷ୍ଭାଷ୍ ଦୁଲ୍ଦାଲ୍ ହୋଇ ଭୂଇଁରେ ଗଡ଼ଗଡ଼େଇଲେ। ୟା ଉପରେ ସେ ତା ଉପରେ ଯେ, ଲଟାପଟା ଝଟାପଟା ସେମାନେ।
ଅପ୍ରତିଭ ହେଇ ଏଲିସ୍ ବେଞ୍ଚ ଖଣ୍ଡକ ପୁଣି ସଜାଡ଼ିଦେଇ ସେମାନଙ୍କୁ ଗୋଟି ଗୋଟି ଉଠେଇ ଫେର୍ ବେଞ୍ଚ ଉପରେ ବସାଇଲା। ଦୁର୍ଘଟଣା ଲାଗି ଏଲିସ୍ ମହାରାଜା ଓ ବିଚାରକ ଭଦ୍ରବ୍ୟକ୍ତିମାନଙ୍କଠୁ କ୍ଷମା ମାଗିନେଲା।
ଏହାପରେ ମକଦ୍ଦମାରେ ଜମାନବନ୍ଦି ନିଆହେଲା। ରାଜା ଏଲିସ୍କୁ ପଚାରିଲେ, “ତୁମେ ଏ ମକଦ୍ଦମା ବିଷୟରେ କଣ ଜାଣିଚ?”
ଏଲିସ୍ ଉତ୍ତର ଦେଲା, “କିଛି ଜାଣିନାହିଁ।”
ମହାରାଜା କହିଲେ,“କିଛି ଜାଣିନାହଁ?”
ଏଲିସ୍ ଜବାବ ଦେଲା, “ନାଇଁ, ମଣିମା।”
ମହାରାଜ ବିଚାରକମାନଙ୍କ ଆଡ଼େ ଅନେଇ କହିଲେ, “ଆପଣମାନେ ଏଇ କଥାଟା ଟିପି ରଖନ୍ତୁ। ଏଇଟା ଖୁବ୍ ଦରକାରୀ କଥା। ”ମାମଲାରେ ରାୟ ଦେଲାବେଳେ ଏଇ କଥାଟା ଆମକୁ ଭାରି ସାହାଯ୍ୟ କରିବ।”
ମହାରାଜଙ୍କର କଥା ଶୁଣି ଠେକୁଆ ଆଖିକି କପାଳରେ ଖୋସି ପଚାରିଲା, “ମଣିମା! ସାକ୍ଷୀର ଏ କଥାଗୁଡ଼ାକ ଦରକାରୀ କଥା, ନା ବାଜେ କଥା ?”
ରାଜା କହିଲେ, “ହଁ, ହଁ, ମୁଁ କହିଲି ବାଜେକଥା।” ତାପରେ ମହାରାଜ ଆଇନ ବହି ପଢ଼ି କହିଲେ , “ଯେଉଁମାନେ ଏକ ମାଇଲରୁ ବେଶି ଡେଙ୍ଗା ,ସେମାନେ ଅଦାଲତରେ କହିପାରିବେ ନାହିଁ।”
ଏକଥା ଶୁଣି ସମସ୍ତେ ଏଲିସ୍ ଆଡ଼କୁ ଚାହିଁଲେ। ଏଲିସ୍ ନିଜକୁ ସମର୍ଥନ କରିବା ଲାଗି ଜଲ୍ଦି କହିପକେଇଲା, କାଇଁ? “ମୁଁ ତ ମାଇଲିଏ ଡେଙ୍ଗା ନୁହଁ।”
ରାଜା କହିଲେ, “ତୁମେ ନିଶ୍ଚୟ ଏକମାଇଲ୍ ଉଚ୍ଚା।”
ରାଣୀ ରାଜାଙ୍କର କଥାରେ ତାଳ ଦେଇ ବଡ଼ ଗମ୍ଭୀର ଭାବରେ କହିଲେ, “ପ୍ରାୟ ଦୁଇ ମାଇଲ ହେବ।”
ରାଜା କହିଲେ, “ତୁମେ ତାହାହେଲେ ଏ ଅଦାଲତରୁ ବରଖାସ୍ତ ହେଲ।”
ଏଲିସ୍ କିନ୍ତୁ ଏକଥାରେ ମୋଟେ ଦବିଗଲା ନାହିଁ, ବେପରୁଆ ଭାବରେ ବଡ଼ ପାଟିକରି କହିଲା, “ଭାରି ଡରଉଚ ତମେ। ମୁଁ କଣ ତମକୁ କରିବି। ମୁଁ ଜାଣେ ଯେ ତମେ ସବୁ ହେଇ ହେଇ ମୁଠାଏ ତାଆସ, ଆଉ କଣ?” ଏକଥା ଏଲିସ୍ ଯିମିତି କହିଚି ସବୁ ତାଆସ ତକ ଫର୍ ଫର୍ ହେଇ ଏଲିସ୍କୁ ଦଣ୍ଡ ହେବାଲାଗି ତା ପିଠିରେ ଚଟ୍ଚାଟ୍ ହେଇପଡ଼ିଲେ। ଏଲିସ୍ ଦିହାତ ଘୂରେଇ ସେମାନଙ୍କୁ ଏଡ଼େଇ ଦବାରେ ଲାଗିଥାଏ।
ଏତିକି ବେଳକୁ ଏଲିସ୍ର ନିଦ ଭାଙ୍ଗିଗଲା। ଉଠିକରି ଦେଖେ ଯେ ସେ ତା ଅପା କୋଳରେ ମୁଣ୍ଡଟି ରଖି ଶୋଇଚି, ଶୋଇ ଏତେବେଳଯାଏଁ ଏଇସବୁ ମଜା ସପନ ଦେଖୁଥିଲା। ଏଲିସ୍ ଉଠିବାର ଦେଖି ତା ଅପା ବଡ଼ କଅଁଳ କରି ତାକୁ କହିଲା, “ଟିକି ଭଉଣୀଟି ମୋର ନିଦ ଭାଙ୍ଗିଲାନା?”ଚା ଖାଇବା ବେଳ ହେଲାଣି ପରା, ଡେରି ହେଲେ ଚା ଥଣ୍ଡା ହୋଇଯିବଟି। ଏଲିସ୍ ଉଠି କଣ ସବୁ ସପନ ଦେଖିଲା ଯେ କଥା ତା ଅପାକୁ କହିଲା। ତା ଅପା ସବୁ ଶୁଣି ଅବାକ୍ ହେଇ କହିଲା, “ବାଃ, ଭାରି ମଜାଦାର ସପନ ଦେଖିଲୁତ।”