ଏ ବାଇୟା ମୂଲକରେ ଏଲିସ୍ କଣ କରିବ, କୁଆଡ଼େ ଯିବ ଏବେ? ବହୁତ ଭାବି ଭାବି କରି କରି ସେ କାଲା ଶଶାର ଘର ଆଡ଼େ ମୁହାଁଇଲା। ଏଲିସ୍ କିଛି ଦୂର ଯାଇଚି, ଆଗରେ ଗୋଟାଏ ଘର ଦିଶିଲା-କାଲା ଶଶାର ଘର। ତା ସାମନାରେ ଗୋଟିଏ ଗଛ ତଳେ ଖଣ୍ଡେ ଟେବୁଲ୍ ପଡ଼ିଥିଲା। ଏଇ ଟେବୁଲ୍ କଡ଼ରେ କାଲା ଶଶା ଆଉ ଟୋପିବାଲା ଦୁଇ ଜଣ ଯାକ ବସି ମହାଆନନ୍ଦରେ ଚା ଖାଉଥିଲେ। ଦୁଇଜଣଙ୍କ ମଝିରେ ଗୁଣ୍ଡୁଚି ମୂଷାଟିଏ ବସି ଢୋଳାଉଥିଲା। ତା ଏକଡ଼େ ଶଶା, ସେକଡ଼େ ଟୋପିବାଲା ବସି ନାନା ଖୁସିଗପ ପକେଇଥିଲେ। ଏ ଦୁହେଁ ଗୁଣ୍ଡୁଚିକି ମାଣ୍ଡି ଭଳି ବ୍ୟବହାର କରୁଥାନ୍ତି। କେତେବେଳେ ଶଶା, କେତେବେଳେ ଟୋପିବାଲା, ତା ଉପରେ କହୁଣି ଭାରା ଦେଇ କଥାବାର୍ତ୍ତା ଚଳେଇଥାନ୍ତି। ଗୁଣ୍ଡୁଚିର ଏ ଅବସ୍ଥା ଦେଖି ଏଲିସ୍ର ତା ପ୍ରତି ଭାରି ଦୟା ହେଲା, ଭାବିଲା ବିଚରାକୁ ବଡ଼ ଅଡ଼ୁଆ ଲାଗୁଥିବ, ଯାହାହେଉ ବିଚରା ଶୋଇଯାଇଛି, କିଛି ତାକୁ ମାଲୁମ୍ ପଡ଼ୁନଥିବ।
ଗଳ୍ପ ଗୁଜବ ମଝିରେ ମଝିରେ କଥା ପଡୁ ପଡ଼ୁ ଯାଇ ଲାଖେ ଗୁଣ୍ଡୁଚିମୂଷା ଉପରେ। ଶଶା ଆଉ ଟୋପିବାଲା ଚୁପ୍ ହେଇ ଯାଆନ୍ତି, ଗୁଣ୍ଡୁଚି କଣ କହୁଚି ଶୁଣିବା ଲାଗି। ଗୁଣ୍ଡୁଚିର କିନ୍ତୁ ନିଦ ନ ଭାଙ୍ଗେ, ସେମିତି ବସି ଢୋଳାଉଥାଏ। ଏଲିସ୍ ଗୋଟିଏ ଗୋଟିଏ ଯାଇ ସେଠି ପହଞ୍ଚିଲା। ଏଲିସ୍ ତାଙ୍କ ଆଡ଼କୁ ଯିବାର ଦେଖି ସେମାନେ ଚିର୍ଚିରେଇ ଉଠିଲେ- ପାଟି କଲେ,“ଦୂର ତ ଏଠୁ। ଏଠି କୋଉଠି ଥାନ ଅଛି ଯେ ଆସୁଚୁ।” ପ୍ରକୃତରେ ଟେବୁଲଟା ଖୁବ୍ ବଡ଼ କିନ୍ତୁ ତିନିହେଁ ଯାକ ଜାକିଜୁକି ହୋଇ ତାର ଗୋଟାଏ କଣରେ ଯାଇ ଜମା ହୋଇଥାନ୍ତି। ତାଙ୍କ କଥାରେ ଏଲିସ୍ ଚଟିଯାଇ କହିଲା, ତମର ତ ଏଡ଼େ ବଡ଼ ଟେବୁଲଟାଏ ପଡ଼ିଚି, ତାର ଗୋଟାଏ କଡ଼କୁ ବସିବାକୁ ମୋ ଲାଗି ଢେର ଜାଗା ହେବ। ଏକଥା କହି ସେ ଯାଇ ଟେବୁଲର ଗୋଟାଏ କଣ ମାଡ଼ି ଗୋଟାଏ ଆରାମ ଚଉକିରେ ବସିପଡ଼ିଲା।
ବଣଭୁଆ ଆଗେ ଏଲିସ୍କୁ ଯୋଉକଥା କହିଥିଲା, ୟେ ଦିଟା ଯାକ ଦାୟୀ ବୋଲି; ସେଠି ଟିକିଏ ବସିଲା ଉତ୍ତାରୁ ଏଲିସ୍ ସେକଥା ସମଝି ପାରିଲା । କାହିଁକିନା, ପହିଲେତ, ଶଶା ଆଉ ଟୋପିବାଲା ଦିଜଣ ଯାକ ଏଣୁତେଣୁ ଗୁଡ଼ାଏ ଭଡ଼ରଭାଡ଼ର ହେଉଥାନ୍ତି, ସେ କଥାରେ ବାଗ ନାହିଁ, କି ବାଇଶ ନାହିଁ॥ ତାପରେ କଣ ନା, ସେ କାଲା ଶଶା ମଝିରେ ମଝିରେ ତା ଛାତି ପକେଟରୁ ଚେନବନ୍ଧା ଘଣ୍ଟାଟି ବାହାର କରି ଦେଖୁଥିଲା,ଆଉ ସେ ଘଣ୍ଟାଟା ଠିକ୍ ଚାଲୁନାହିଁ ବୋଲି ତାକୁ ଗରମ ଚା’କପ୍ ଭିତରେ ଆଉ ଡୁବେଇ ପାକିଟରେ ପୁଣି ରଖୁଥାଏ। ତାପରେ ନିଦ ଢୁଳଢୁଳ ଗୁଣ୍ଡୁଚିକୁ ସେମାନେ ବାରମ୍ବାର କହୁଥାଆନ୍ତି ଗୋଟିଏ ଗପ କହିବାକୁ । ସେ ଭଲା କି ଗପ କହିବ। ଥରକୁ ଥର ଢୋଳେଇ ସେ ନିଦରେ ଘୁଙ୍ଗୁଡି ଛାଡ଼ୁଥାଏ। ମଝିରେ ମଝିରେ ଉଠିପଡ଼ି ଏଣୁତେଣୁ କଣ ବିଳବିଳେଇ ପଦେ ଅଧେ କହି ପକାଏ, ପୁଣି ଶୋଇପଡ଼େ । ପୁଣି ଯେତେବେଳେ ଚୁମୁଟାଚୁମୁଟି କରି ତାକୁ ଉଠାନ୍ତି, ସେ ପୁରି ପଦେଅଧେ କହି ଦେଇ ଫେର୍ ଢୋଳେଇ ପଡ଼େ। ଏଥିରେ ଶଶା ଆଉ ଟୋପିବାଲା ଦି’ଜଣ ଯାକ ବଡ଼ ରାଗିଲେ।ରାଗିଯାଇ ଗୁଣ୍ଡୁଚିକୁ ଧରି ଏକ୍ଦମ୍ ଚା କପ୍ ଭିତରେ ପକେଇଦେବାକୁ ଯାଉଥିଲେ ଭଲା କଥା ହେଲା ଗୁଣ୍ଡୁଚିକି। ଯାହାହେଉ, ସେ ବହୁତ କଷ୍ଟରେ ସେ ଦିଜଣଙ୍କ ହାତରୁ ବର୍ତ୍ତିଲା।
ଏଲିସ୍ ଯେତେବେଳେ ଦେଖିଲା ଯେ ଶଶା ଆଉ ଟୋପିବାଲା ଦିର୍ହିଙ୍କ ଦିହେଁ ବାୟା-ୟାକୁ ବଳି ସେ, ତାକୁ ବଳି ଇଏ, ସେ ପଛେଇ ପଛେଇ ଧୀରେ ଧୀରେ ସେଠୁ ଖସ୍ତମ୍ କଲା। ଆସୁଥିଲା ବେଳେ ଏଲିସ୍କୁ ଭାରି ଡର ମାଡୁଥାଏ, ଛାତି ଖାଲି ପଡ଼ୁଥାଏ, କାଳେ ସେ ଦିଟା ତାକୁ ପଛରୁ ଡାକିବେ କି ପଛରେ ଗୋଡ଼ାଇବେ। ପଛକୁ ଅନେଇ ଅନେଇ ହାଉଲେ ହାଉଲେ ସେ ଖସି ଆସିଲା ଯାହାହେଉ ତାପରେ ସେମାନେ, ଏଲିସ୍ କେତେବେଳେ ଖସି ଆସିଲା ତ ନଜର କରିନାହାନ୍ତି।
ଏଲିସ୍ ସେଠୁ ଅଳ୍ପ ବାଟ ଆସିଚି ଦେଖିଲା ଗୋଟାଏ ଗଛ ଦିହରେ କବାଟଟାଏ ଲାଗିଛି ଆଉ ଗଛ ଭିତରକୁ ପଶିବାକୁ ସେବାଟେ ବାଟ ଫିଟିଚି। ଏଲିସ୍କୁ ତା ଦେଖି ବଡ଼ କଉତିକିଆ ଲାଗିଲା, ସେ ସେଇଠୁ ସେ ଗଛ ଭିତରକୁ ପଶିଲା।
ଗଛ ଭିତରକୁ ପଶି ଦେଖେ, ସେ ଯାଇ ଆଗର ସେଇ ବଡ଼ ଘରେ ପହଞ୍ଚିଛି, ପାଖରେ ତାର ସେ ଟିକି କାଚ ଟେବୁଲ ଥୁଆ ହେଉଚି। ଏଲିସ୍ର ସେ ସୁନ୍ଦର ବଗିଚା କଥା ମନେ ପଡ଼ିଗଲା।
ବଗିଚା ଭିତରକୁ ଯିବାକୁ ଠିକ୍ କରି ଏଲିସ୍ ସୁନାକାଠିରେ ବଗିଚାଫାଟକ ଫିଟେଇବାକୁ ଗଲା। ସେ ଛୋଟ ଜଳାରେ ଗଳିପାରିବ ନାହିଁ ତ ! ତା’ ପାଖରେ ପାକିଟ୍ ଭିତରେ ଛତୁଟୁକୁରା ରଖିଥାଏ; ସେଥିରୁ ଟିକିଏ ବାହାର କରି ଖାଇ ଦେଇଚି ଯିମିତି , ସିମିତି ଅତିଶୟ ସାନ ହୋଇଗଲା। ଜଳାବାଟେ ଏଥର ଗଳିଯାଇ ଏଲିସ୍ ବଗିଚା ଭିତରେ ପହଞ୍ଚିଲା। ବଗିଚାଟି କି ସୁନ୍ଦର- କେତେ ଭଳି ଫୁଲ ଫୁଟିଚି, ନାଲି,ନେଳି, ହଳଦି, ଧୋବ- କେତେ କିସମର। ଗଛରେ ଫୁଲସବୁ ଖାଲି ଲୋଟି ଯାଉଚି। ମଝିରେ ମଝିରେ ଏଠି ସେଠି ହେଇ କେତେ ଝରଣା ଅଛି, ସେଠୁ ପାଣି ପିଚ୍ ପିଚ୍ ଉପରକୁ ଉଠୁଚି। ଏଲିସ୍ ବଗିଚାର ଏଣେ ତେଣେ ବୁଲି ଦେଖିଲା।