ଠେକୁଆ ଗାତରେ ଏଲିସ୍
ଦିନକରେ ପୋଖରୀ କୂଳରେ ଏଲିସ୍ର ଅପା ବସିଚି, ତା ପାଖକୁ ଲାଗି କରି ବସିଚି ଏଲିସ୍। କିଛି ବୋଲି କିଛି କାମ ନାହିଁ, ତୁଚ୍ଛାଟାରେ ବସି ବସି ଏଲିସ୍କୁ ଚିଡ଼ା ଲାଗିଲା। ଏଲିସ୍ର ଅପା କଣ ଖଣ୍ଡେ ବହି ଧରି ବସିଛି । ଏଲିସ୍ ଉଙ୍କି ମାରି ଥରେ ଦିଥର ଅପାର ବହିକୁ ଚାହିଁଲା। ବହିଟାରେ କିନ୍ତୁ ଗୋଟାଏ ବୋଲି ଚିତ୍ର ନାହିଁ କି କୋଉଠି ବୋଲି କଥା କାହାଣୀଟିଏ ନାହିଁ। ଏଲିସ୍ ଭାବିଲା-“ବହିରେ ଯେବେ ଛବି ନାହିଁ କି କଥା ଭାଷା ନାହିଁ ସେ ଭଳିଆ ବହି ଥାଇ କେତେ, ନଥାଇ କେତେ। ”
ଖରାବେଳେ, ଭାରି ଗରମ ହଉଚି। ଏଲିସ୍କୁ ଟିକିଏ ଟିକିଏ ଆସକତିଆ ଲାଗୁଛି; ଗୋଟାଏ ଦିଟା ହାଇ ଆସିଲା। ନିଦ ଢୁଳ ଢୁଳ ଆଖିରେ ଏଲିସ୍ ଭାବୁଥାଏ, ଫୁଲ ମାଳଟାଏ ଗୁନ୍ଥିଲେ କେମିତି ହୁଅନ୍ତା! ମାଳ ଗୁନ୍ଥିବାକୁ ହେଲେ ତ ଫେର ବସିଲାଠୁ ଉଠିବାକୁ ହବ। ଏଲିସ୍ ଇମିତିକା ଭାବୁଛି ଏଇ ସମୟରେ ତାରି କତିରେ ଗୋଟାଏ ଧୋବ ଫରଫର ଠେକୁଆ ଦୌଡ଼ି ପଳାଇଲା। ସେ ଠେକୁଆ ଇମିତି ସେମିତି ଠେକୁଆ ନୁହଁ; ଜାମା ଜୋଡ଼ ପିନ୍ଦି ଫିଟ୍ଫାଟ୍ ବାବୁ। ହେଲେ ତାକୁ ଦେଖି ଏଲିସ୍କୁ ତାଜୁବ୍ ଲାଗି ନଥିଲା। ଠେକୁଆ ମନକୁ ମନ କହି ଚାଲିଥାଏ, “କି ହେଲାରେ;କି ହେଲାରେ;ମୋର ତ ଉଛୁର ହୋଇଯିବ।” ଠେକୁଆ ଏଭଳିଆ କଥା କହିବାଟା ବି ସେତେବେଳେ ଏଲିସକୁ ଅସଙ୍ଗତ ବୋଧ ହୋଇନଥିଲା। କିନ୍ତୁ ଯାଉ ଯାଉ ଯେତେବେଳେ ଠେକୁଆ ସତକୁ ସତ ତା ଛାତି ପାକିଟରୁ ଚେନ୍ବନ୍ଧା ଘଡ଼ିଟାଏ ବାହାର କରି ସମୟ କେତେ ହେଲା ବୋଲି ଦେଖିଲା, ଦେଖି କରି ଯୋଗାଡ଼ ଆହୁରି ବେଗେ ବେଗେ ପକାଇଲା, ଏଲିସ୍ ଆଉ ସମ୍ଭାଳି ପାରିଲା ନାହିଁ, ତାଜୁବ୍ ହେଇ ଖପ୍ କରି ଛିଡ଼ା ହୋଇପଡ଼ିଲା। ଏତେବେଳକୁ ଏଲିସ୍ର ହେଜ ହେଲା ଯେ ୟେ ତ ଏକ ନୂଆ କିସମ ଠେକୁଆ, ଏଇଭଳି କୋଉ ଠେକୁଆର ଭିତର କୋଟ ପାକିଟ,କି ଘଣ୍ଟା ଥିବାର ତ ସ କେବେ ଦେଖିନଥିଲା। ଏଲିସ୍କୁ ବଡ଼ କଉତୁକିଆ ଲାଗିଲା; ସେ ଠେକୁଆ ପଛେ ପଛେ ପ୍ରକାଣ୍ଡ ଗାତ ଅଛି। ଠେକୁଆ ଖପ୍କିନା ସେଇ ଗାତ ଭିତରକୁ ଡେଇଁ ପଡ଼ିଲା। ଏଲିସ୍ ସାଙ୍ଗେ ସାଙ୍ଗେ ତାପଛରେ ବି ଡେଇଁ ପଡ଼ିଲା ସେଇ ଗାତ ଭିତରକୁ।
ସେଇ ଗାତ, ଭିତରଟା କିଛି ଦୂର ଯାଏ ସୁଡ଼ଙ୍ଗ ଭଳିଆ କ୍ରମଶଃ ଢାଲୁ ହୋଇ ଯାଇଛି। ତେଣୁ ଏଲିସ୍ ବହୁଦୂର ପର୍ଯ୍ୟନ୍ତ ବେଶ୍ ଚାଲି ଚାଲି ଗଲା। କିନ୍ତୁ ଗୋଟାଏ ଜାଗାରେ ଗାତଟା ହଠାତ୍ କୂଅ ଭଳିଆ ଏମିତି ସଳଖ ହେଇଯାଇଚି ଯେ ଅନ୍ଧାର ଭିତରେ ଗୋଡ଼ ବଢେଇ ଦେଇ ଏଲିସ୍ ଆଉ ଯାଏ କୁଆଡ଼େ । ସିଧାସଳଖ ସର ସର କରି ଏଲିସ୍ ସେଇ କୂଅ ଭିତରେ ପଡ଼ିଗଲା ତ।
କୂଅଟା ଭାରି ଗହିଡ଼ିଆ ଥିଲା ବୋଧହୁଏ,ନୋଇଲେ ହୋଇପାରେ ସେ ଧୀରେ ଧୀରେ ଖସୁଥିଲା। କାହିଁକି ନା, ଗଳି ପଡ଼ିବା ବେଳେ ତା ଚାରିକରକୁ ଆଖି ଫେରେଇବାକୁ, ଆଉ ଏହାପରେ ତାର ଯେ କଣ ହବ ଏକଥା ଭାବିବାକୁ ତାକୁ ତ ଢେର୍ ବେଳ ମିଳିଲା।କୋଉଠି ଯାଇ ଶେଷରେ ପଡ଼ିବ; ଏକଥା ଜାଣିବାକୁ ଏଲିସ୍ ପହିଲେ କୂଅ ତଳକୁ ଆଖି ତଳକୁ ଆଖି ପକାଇଲା। ତଳଟା ଖାଲି କିଟିମିଟିଆ ଅନ୍ଧାର, କିଛି ଦିଶିଲା ନାହିଁ । ସେଇଠୁ କୂଅ ଆଡ଼କୁ ଚାହିଁଲା , ଦେଖିଲା ବେଳକୁ ସେଠି କେତେ ବୋଲି କେତେ ଦରବ ସଜା ହେଇ ଥୁଆ ହେଇଚି;ବହି ଥାକ ଥାକ ଥୁଆ ହେଇଚି। କୋଉଠି କିମିତି କଣ୍ଟାରୁ ମାନଚିତ୍ର ଆଉ ଛବି ବି ଝୁଲୁଚି। ଗୋଟାଏ ଥାକରୁ ଏଲିସ୍ ଗୋଟାଏ ବଡ଼ ବୋତଲ ବି ଉଠେଇନେଲା। ଉଠେଇନେଇ ଦେଖେ ତା ଉପରେ ସୁନ୍ଦର ସୁନ୍ଦର ଅକ୍ଷରରେ ଲେଖା ହେଇଛି –‘କମଳା ଆଚାର’। ଏଲିସ୍ର ଜିଭଟା ପାଟି ଭିତରେ ଉପର ତଳ ହୋଇଗଲା। ମଲା ମଲା, ଖାଲି ଶିଶିଟା! ଶିଶିଟା ଫୋପାଡ଼ିଦବ ବୋଲି ସେ ଭାବୁଥିଲା,କିନ୍ତୁ ପକେଇଲା ନାହିଁ। ତଳେ କିଏ ଥିବ, ତାହା ଦେଦରେ ବାଜି କାଳେ ସେ ମରିଯିବ, ସେହିଯୋଗୁଁ ଏଲିସ୍ ଗଳି ପଡ଼ୁ ପଡ଼ୁ ଆଉ ଗୋଟାଏ ଥାକ ଦେଖି ଶିଶିଟାକୁ ସେଠି ଥୋଇଦେଲା।
ଏହିପରି ଶୂନ୍ୟରେ ଗଳି ପଡୁ ପଡୁ ଏଲିସ୍ ନାନା କଥା ଭାବିବାକୁ ଲାଗିଲା, ବାଃ, କେତେ ବାଟ ଆଉ ପଡ଼ିବି ଭଲା। ଆଚ୍ଛା ତ, ଇମିତିକା ଥରେ ପଡ଼ିଲେ, କୋଠା ତଳକୁ ଖସି ପଡ଼ିବାକୁ ତ ମୁଁ ଆଉ ପଡ଼ିବା ତଳେ ଗଣିବି ନାହିଁ। ଘରେ ସମସ୍ତେ ମତେ ସାବାସ୍ କରିବେ ଏଥର । ଏଥର, କୋଉଠୁ ପଡ଼ିଲେ ବି ମୁଁ ତ କାହା ଆଗରେ କହିବି ନାହିଁ। ଛାତ ଉପରୁ ହେଉନା କାହିଁକି!
ଆଚ୍ଛା ହେଲା ଏବେ! ମୁଁ ତ ଗଳି ପଡ଼ୁଛି, ପଡୁଛି ଯେ କେତେ ବାଟ କେଜାଣି? ଆଉ କଣ ଏ ଗାତଟା ସରିବ ନାହିଁ କି? ଗାତଟା ମାଟି ଫୁଟେଇ ଏକଦମ୍ ପୃଥିବୀର ଆରପଟେ ଯାଇ ବାହାରିନାହିଁ ତ? ଯେବେ ସେ ପଟେ ବାହାରିଥାଏ,ତେବେ ବେଶ୍ ଗୋଟେ ମଜା ହେବ। ସେଠିକାର ଲୋକେ ତ ତଳକୁ ମୁଣ୍ଡ କରି ପୃଥିବୀ ଆଡ଼େ ଗୋଡ଼ କରି ଝୁଲୁଥିବେ। ବାଃ , ତେବେ ସେଟା କୋଉ ଦେଶ ମତେ ପଚାରି ବୁଝିବାକୁ ପଡ଼ିବ। ଆଚ୍ଛା, ମୁଁ ଯେବେ ସେ ଦେଶ ନାଁ ତାହାରିକି ପଚାରେ, ସେ ତ ଭାବିବ ମୁଁ କେତେ ମୁର୍ଖ। ନାଃ ପଚାରିବି ନାହିଁ, କୋଉଠି ତା ଛକଫକ ଜାଗାରେ ହେଲେ ଲେଖା ହେଇଥିବ, ପଢ଼ିଦେବି।
ଏହିପରି କେତେ କଥା ଏଲିସ୍ର ମନକୁ ଆସୁଥାଏ। କେତେ କଣ ସେ ଭାବି ଯାଉଚି; ଏହି ସମୟରେ ଲଥ୍ କରି ଗୋଟାଏ ଜାଗାରେ ସେ ପଡ଼ିଲା। ଭାଗ୍ୟକୁ ତାର; ନଡ଼ା ଆଉ ଶୁଖିଲା ପତର ଗଦାଟାଏ ଥିଲା, ତାହାରି ଉପରେ ସେ ପଡ଼ିଲା ଯେ ତା ଦେହରେ ମୋଟେ ଆଞ୍ଚ୍ ଲାଗିଲା ନାହିଁ। ପଢ଼ିଚି ଯିମିତି ସେ ଝାଡ଼ିଝୁଡ଼ି ହେଇ ଖପ୍ କରି ଛିଡ଼ା ହୋଇଗଲା। ଉପରକୁ ଯେତେବେଳେ ଏଲିସ୍ ଅନାଏ, ଉପରଟା ଭ଼଼ୟାନକ ଅନ୍ଧକାର । କିନ୍ତୁ ଏଲିସ୍ର ମୁହଁ ସିଧାସଳଖ ହେଇ ଗୋଟାଏ ବାଟ ପଡ଼ିଛି କେତେ ଦୂର ଯାଏଁ। ସେଠି ଚାହିଁଲା ବେଳକୁ ସେ ଧୋବ ଠେକୁଆଟା ନସର ପସର ହେଇ ଧାଇଁଚି ସେହି ବାଟ ଧରି। ଠେକୁଆକୁ ଦେଖି ଏଲିସ୍ ସାଙ୍ଗେ ସାଙ୍ଗେ ତା ପିଛା ଧରି ପବନ ପରି ଛୁଟିଗଲା। ଗୋଟାଏ ବାଙ୍କ ବୁଲିଲା ବେଳକୁ ଠେକୁଆ ମନ କହୁଥାଏ, ଏଲିସ୍ର କାନରେ ପଡ଼ିଗଲା “ଓଃ ମୋର ତ ବଡ଼ ଡେରି ହୋଇଗଲା।”
ବାଙ୍କଠି ଏଲିସ୍ ପଛରେ ଲାଗିଯାଇଥିଲା ପ୍ରାୟ, କିନ୍ତୁ ବାଙ୍କଟା ବୁଲି କରି ଦେଖିଲା ବେଳକୁ ଠେକୁଆ କୁଆଡ଼େ ଅଦୃଶ୍ୟ ହୋଇଗଲାଣି। ଏଲିସ୍ ଆଉ ତାର ସନ୍ଧାନ ପାଇଲା ନାହିଁ। ଏଲିସ୍ ବାଙ୍କ ବୁଲି ଦେଖେ ତ ଗୋଟାଏ ଲମ୍ବା ମସ୍ତବଡ଼ ଘର ଭିତରେ ସେ ଆସି ଠିଆ ହେଇଚି, ସେ ଘର ଛାତରୁ ଆଲୁଅ ମାଳମାଳ ଓହଳିଚି; ଚାରିଆଡ଼ ଖାଲି ଉଜାଲା ହେଇଯାଇଛି। ସେ ବଖୁରିଟିରେ ବହୁତ ଗୁଡ଼ିଏ ଦରଜା ଅଛି- ଚାରିପଟ ଯାକ, କିନ୍ତୁ ସବୁ ଦରଜା ଯାକ ବନ୍ଦ। ଏପଟ ସେପଟ ହେଇ ଏଲିସ୍ ସବୁ କବାଟରେ ହାତ ମାରି ଆସିଲା, କୋଉଟା ବି ଖୋଲିଲା ନାହିଁ। ଏଲିସ୍ ଏବେ କରେ କଣ? ଘର ମଝିରେ ଠିଆ ହୋଇ ଏଲିସ୍ ମନେ ମନେ ବିଚାରିଲା; ଆଚ୍ଛା ହେଲା ତ! ମୁଁ ଏବେ ଘରୁ ବାହାରେ କିଭଳିକା?