ଅଜବ ଦେଶରେ ଏଲିସ୍




ଏକଥା ଶୁଣି ସେ ସମସ୍ତେ ମିଳି ଏକ ଦୌଡ଼ା ଆରମ୍ଭ କରିଦେଲେ । ଅଜବ ଦୌଡ଼ ସେ ଏକ। ଆଇନକାନୁନ୍‌ କିଛି ନାହିଁ। ଯାହାର ଇଚ୍ଛା ଯେତେବେଳେ ଯେ ଦୌଡ଼ିଲା, ତାର ଯୋଉଠି ଖୁସି ସେଠି ସେ ଦୌଡ଼ ଶେଷ କଲା । କଉକସ୍‌ ଦୌଡ଼ ଚାଲିଚି ବଗପକ୍ଷୀ ବଡ଼ପାଟି କରି କହିଲା, ଦୌଡ଼ରେ କିଏ ଜିଣିଲା, କିଏ ଆଗ ହେଲା ବୋଲି। ବଗପକ୍ଷୀ ବହୁତ ଭାବିଚିନ୍ତି ଥୋଡ଼ାଏ ସମୟ ମୁଣ୍ଡରେ ହାତଦେଇ ବସିଲା ପରେ ଖୁବ୍‌ ଗମ୍ଭୀର ଭାବରେ ମୁଣ୍ଡ ହଲେଇ ଭାଷିଲା,“ସମସ୍ତେ ଜିଣିଲ, ସମସ୍ତେ ଆଗ ହେଇଛ।” ଏଲିସ୍‌ ମନେ ମନେ ଭାବିଲା, “ଯେ କିମିତି କଥା, ପ୍ରତିଯୋଗିତାରେ ସମସ୍ତେ କିମିତି ଆଗ ହେବେ?” ଯାହାହେଉ, ବଗପକ୍ଷୀର ସିଦ୍ଧାନ୍ତ ଅନ୍ୟ ପଶୁପକ୍ଷୀମାନ ଯେତେବେଳେ ମାନିନେଲେ, ସେତେବେଳେ ଏଲିସ୍‌ ମଧ୍ୟ ତା ଠିକ୍‌ ବୋଲି ସ୍ବୀକାର କଲା।

   ଏତେ ଦୌଡ଼ାଦୌଡ଼ି କରି ମଧ୍ୟ ସେହି ସବୁ ପଶୁପକ୍ଷୀଙ୍କର ଦେହରୁ ପାଣି ଶୁଖିଲା ନାହିଁ। କଣ ହବ? ଇମିତି ଘଡ଼ିଏ ବସି ବିଚାର କରୁ କରୁ ଯାହା ହଉ ଦେହରୁ ପାଣି ମରିଗଲା।

    ପ୍ରତିଯୋଗିତା ତ ସଇଲା। ଏଥର କଥା ଉଠିଲା “ସୁନାପାଗ”  କିଏ ନେବ। ମହା ଏକ ସମସ୍ୟା ୟେ। ସମସ୍ତେ ତ ଆଗ ହେଇଛନ୍ତି, ସମସ୍ତେ ସୁନାପାଗ ପାଇବେ।  କମ୍‌ କଥା ନୁହେଁ। ଏତେ ସୁନାପାଗ ଆସିବ କାହୁଁ? ବଗ କହୁଥିଲା ସମସ୍ତେ ଆଗ ହେଇଚ, ସମସ୍ତେ ଦୁନାପାଗ ପାଇବ। ପଶୁପକ୍ଷୀସବୁ ତାକୁ ପଚାରିଲେ, “କିଏ ଦବ ?” ବଗ ଏଲିସ୍‌ ଆଡ଼କୁ ଆଙ୍ଗୁଠି ଦେଖେଇ କହିଲା, “ସେଇ ଦବ।” ଏଲିସ୍‌ ଏବେ କରେ କଣ? ହତ ବୁଦ୍ଧି ହୋଇ ଏଲିସ୍‌ ତା ଜାମା ପାକିଟରେ ହାତ ଭରତି କରିଦେଲା ବେଳକୁ ଭାଗ୍ୟେକୁ ପାକିଟିରେ କେତୋଟି ମିଠେଇ ଥିଲା। ମିଠେଇ ଗୁଡ଼ାକ ଯାହା ହେଉ ଲୁଣା ପାଣିରେ ମିଳେଇ ଯାଇନଥିଲା। ଏଲିସ୍‌ ସମସ୍ତଙ୍କୁ ଡାକି କହିଲା, “ଆସ, ସମସ୍ତେ ତ ଆଗ ହେଇଚ। ସମସ୍ତେ ଭାଗ କରି ଏହିସବୁ ମିଠେଇ ବାଣ୍ଟି ନେବା” ମିଠେଇ ବାଣ୍ଟିଲା ବେଳକୁ ଠିକ୍‌ ଯେତେ କଣ, ସେତିକିଟି ମିଠେଇ ସମସ୍ତେ ଗୋଟିଏ ଗୋଟିଏ ପାଇ ମହାଖୁସିରେ ପାଟିକି ଟକାଟାକ୍‌ ପକାଇ ଦେଇ ପାଟି ପାକୁପାକୁ କଲେ।

     ମହାମଉଜ କରି ଏମାନେ ଯେତେବେଳେ ଖାଇବାରେ ବ୍ୟସ୍ତ, ଏଲିସ୍‌ର ନଜର ପଡ଼ିଗଲା, ସେଇ ଧୋବ ଫରଫର ଠେକୁଆ ସାହେବ ଏପାଖ ସେପାଖ ମୁହଁ ବୁଲେଇ, ଇଆଡ଼େ ସିଆଡ଼େ ଚାହିଁ ଚାହିଁ ତାଙ୍କ ଆଡ଼କୁ ଗୋଟିଏ ଗୋଟିଏ ପାଦ ପକେଇ ଆସୁଛନ୍ତି। କିଛି ହଜେଇଛନ୍ତି ବୋଧହୁଏ, ଭାରି ବ୍ୟସ୍ତରେ ଖୋଜୁଛନ୍ତି। ତାଙ୍କୁ ଦେଖିଲାକ୍ଷଣି ବୁଝାଯିବ, ସେ ମହାଚିନ୍ତାରେ ପଡ଼ିଛନ୍ତି। ମନକୁ ମନ ଭଟ୍‌ଭଟ୍‌ ହେଇ ସେ କହୁଥିଲେ, “ମୋ କପାଳ ଫାଟିଲା! କୋଉଠି ଯେ ପକେଇଲି ମୋର ସେ ହାତମୋଜା ହଳକ ଆଉ ପଙ୍ଖାଟା ! ତାକୁ ଯେବେ ଖୋଜି ନ ପାଏଁ, ତେବେ ମହାରାଣୀ ମୋ ଉପରେ ଖପ୍‌ପା ହେବେ ଯେ। ଖପ୍‌ପା ହେଇ ମୁଣ୍ଡକାଟ ହୁକୁମ ବି ଦେଇପାରନ୍ତି-କିଏ ଜାଣେ?” ଏକଥା ଏଲିସ୍‌ କାନରେ ଯିମିତି ପଡ଼ିଚି, ଏଲିସ୍‌ ସାଙ୍ଗେ ସାଙ୍ଗେ ଜାଣିପାରିଲା, ଠେକୁଆ ଆଉ କିଛି ଖୋଜୁନାହିଁ, ଖୋଜୁଚି ସେ ଯୋଉ ପଙ୍ଖା ଆଉ ହାତମୋଜା ଫୋପାଡ଼ି ଦେଇ ଡିଆଁ ମାରି ପଳେଇଥିଲା,ତାକୁ। ଏଲିସ୍‌ ତ ସୁନାପିଲା, ଭାରି ଭଲ ପ୍ରକୃତି ତାର । ଠେକୁଆର ଦରବ କୋଉଠି ରହିଲା, ସେଥିପାଇଁ ଏଲିସ୍‌ ଖୋଜାଟାଏ ଲଗେଇଦେଲା। ଏଲିସ୍‌ ଯେତେ ଖୋଜେ ଆଉ ପାଏନାହିଁ। ଘର ତମାମ କିମିତି ବଦଳିଗଲା ଭଳିଆ ଜଣାଗଲା-ସେ ବଡ଼ ଘର ନାହିଁ, ସେ କାଚ ଟେବୁଲ ନାହିଁ, କି ସେ ଛୋଟ କବାଟ ନାହିଁ-ସବୁ କୁଆଡ଼େ ଉଭେଇ ଗଲାଣି ସେତେବେଳକୁ।

    ଠେକୁଆ ଖୋଜୁଚି, ହଠାତ୍‌ ତାର ନଜର ଏଲିସ୍‌ ଉପରେ ପଡ଼ିଗଲା। ଏଲିସ୍‌କୁ ଦେଖି ଠେକୁଆ ବଡ଼ ପାଟି କରି ମୁରବୀ ଭଳି କହିଲା, “କିଲୋ ମେରୀ, ତୁ ଏଠି କଣ କରୁଚୁ? ଗଲୁ ଦେଖି, ଘରକୁ ଦୌଡ଼ି ଯା; ବେଗି-। ଧାଇଁ ଯାଇ ମୋ ଲାଗି ମୋଜା ହଳେ ଆଉ ପଙ୍ଖାଟିଏ ଘିନିଆ। ଯା ବେଗି।” ଠେକୁଆର ଏ ଗର୍ଜନରେ ଏଲିସ୍‌ ଇମିତି ଅତରଛା ହୋଇଗଲା ଯେ ଠେକୁଆ ଯୋଉଆଡ଼କୁ ହାତ ଦେଖେଇ ଦେଲା, ସେଇଆଡ଼େ ଏଲିସ୍‌ ଦୌଡ଼ିଗଲା। କିନ୍ତୁ ଏଲିସ୍‌ ଚଲାଖ,ଠେକୁଆ କଥାରୁ ସେ ବେଶ୍‌ ଠଉରେଇ ନେଲା ଯେ ଠେକୁଆ ତାକୁ ତାର ଝିଅ ବୋଲି ଭ୍ରମ କରୁଛି। ଏଥିରେ ଏଲିସ୍‌ ବା ରାଗନ୍ତା କାହିଁକି? ଠେକୁଆର ଏ ଭୁଲ୍‌ ତାକୁ ବଡ଼ ମଜାଦାର ମାଲୁମ ହେଲା, ହସବି ମାଡ଼ିଲା। ହସକୁ ଚାପି ଏଲିସ୍‌ ମନକୁ ମନ ଭାବିଲା, “ଆଚ୍ଛା, ଠେକୁଆ ବିଚାରାକୁ ତାର ମୋଜାହଳକ ଓ ପଙ୍ଖାଟି ଆଣିଦେବା। ଯେତେବେଳେ ସେ ଜାଣିବ ମୁଁ ତାର ଝିଅ ନୁହେଁ, ସେତେବେଳେ ବିଚାରା କଣ ଭାବିବ।” ଏହି କଥା ପାଞ୍ଚି ସେ ଯାଉଁ ଯାଉଁ ସାମନା ଗୋଟାଏ କବାଟ ପାଖକୁ ଗଲା, ଦେଖିଲା, କବାଟ ଫିଟା ଅଛି, ତା ଉପରେ ବଡ଼ ବଡ଼ ଅକ୍ଷରରେ ଲେଖାଅଛି, “ଧୋବ ଠେକୁଆ।”

    ଏଲିସ୍‌ ଦୁଆରରେ କାହାକୁ ଡକା ହକା ନକରି ସିଧା ସେ ଘର ଭିତରକୁ ପଶିଗଲା। ତାର ଗୋଟାଏ ଡର ଥାଏ, ଠେକୁଆ ଝିଅ ମେରୀ ହାବୁଡ଼ରେ ଯେବେ ପଡ଼େ , ସେ କାଳେ ତାକୁ ଘରୁ ତଡ଼ିଦେବ। ମୋଜା ଆଉ ପଙ୍ଖା ଘେନି ଘରୁ ବାହାରିଆସିବ କଣ, ସେ ଏଇଟା କଣ, ସେଇଟା କଣ ଦେଖିବାକୁ ଟକ ଟକ ହେଇ ଏ ଜିନିଷ ସେ ଜିନିଷ ଟଣାଟଣି କରି ଦେଖିବାକୁ ଲାଗିଲା। ଯାହାହେଉ ଝରକା ପାଖରେ ଟେବୁଲ୍‌ ଉପରେ ପଙ୍ଖାଟିଏ ଆଉ ତିନି ଚାରିହଳ ଧୋବ ହାତମୋଜା ଥୁଆ ହେଉଥିଲା। ତାକୁ ଧରି ଏଲିସ୍‌ ଚାଲି ଆସିବ ବସିଚି, ଏଇ ସମୟରେ ତାର ନଜର ପଡ଼ିଗଲା, ଆଉ ପାଖରେ ରଙ୍ଗିନ ସୁନ୍ଦର ସରବତ୍‌ ଭଳିଆ କଣ ଥୁଆ ହେଉଚି ତା’ ଉପରେ। ଏ ଗିଲାସ ଉପରେ ମତେ ‘ପିଅ’ ବୋଲି କୌଣସି ଟିକିଲି ମରାହେଇ  ନଥିଲା। ତେବେ ବି ତାକୁ ଦେଖି ଏଲିସ୍‌ର ମନ ଆଉ ଥୟ ହେଲା ନାହିଁ, ଲୋଭ ସମ୍ଭାଳି ନପାରି  ପିଇଦେଲା। ପିଇଦେଇ ଏଲିସ୍‌ ଯାଏ କୁଆଡ଼େ । ତାକୁ ଯିମିତି ସେ ଢୋକି ଦେଇଚି, ସାଙ୍ଗେ ସାଙ୍ଗେ ବ‍‍ଢ଼ିବାକୁ ଲାଗିଲା। ବଢ଼ିଲା ବଢ଼ିଲା ଯେ ଠେକୁଆର ଘରର ଛାତକୁ ମୁଣ୍ଡ ଲାଗିଲା। ଫେର୍‌ ବି ବଢ଼ିଲା, ଛାତ ଫୁଟିବ କି କଣ! ଏଲିସ୍‌ ସେଇଠୁ ବସିପଡ଼ିଲା; କିନ୍ତୁ ସେଥିର କଣ ହେବ? ଏଲିସ୍‌ ବଢ଼ି ବଢ଼ି ଘରଯାକ ମାଡ଼ିବସିଲା। ବଡ଼ ବିକଳ ହେଇ ଯିମିତି ସିମିତି ସେଇ ଘର ଭିତରେ ପଡ଼ିରହିଥାଏ। ଏଇ ସମୟରେ ଦୂରରୁ ପାଟି ଶୁଭିଲା, “ମେରୀ!ମେରୀ! ଆଣିଲୁ ମୋ ହାତ ମୋଜା।” ସ୍ବରରୁ  ଏଲିସ୍‌ ଜାଣିପାରିଲା, ଠେକୁଆ ଡାକ ପକେଇଛି ତା ଝିଅକୁ। ଟିକିଏ ଯାଇଚି, ଦୁଆର ପାହାଚରେ କିଏ ଆସୁଥିବାର ଶବ୍ଦ ଶୁଭିଲା। ଏଲିସ୍‌ ଛାନିଆରେ ଗୋଟିପାଣି ଥାରିବାକୁ ଲାଗିଲା। ଥରିଲା ଯେ ତା ସାଙ୍ଗେ ସାଙ୍ଗେ ସେ ଘର ବି ଥରିଲା।

   ଠେକୁଆ ଦୁଆରମୁହଁକୁ ଆସି କବାଟ ଯେତେବେଳେ ଭିତରକୁ ଠେଲେ, ଦୁଆର ଖୋଲି ନହୁଏ। ଠେକୁଆ ବୁଲିଯାଇ ଝରକା ଠେଲିଲା, ସେ ବି ଖୋଲିଲା ନାହିଁ କଥା କଣ? ଠେକୁଆର ଭାବନା ପଡ଼ିଗଲା। ଘରେ ବାହାରେ ଯେ ଯୋଉଠି ଥିଲେ ସମସ୍ତଙ୍କୁ ଡାକି ଆଣି ବୁହେ ଧୁନ୍ଦାଳି ପକାଇଲା। ନାନା ଉପାୟ କରି ଯେତେବେଳେ କବାଟ ନ ଫିଟିଲା, ଠେକୁଆ ସାଙ୍ଗକୁ ଗୋଟିଏ ଝିଟିପିଟି ମିଶି ଉଭୟ ଏଲିସ୍‌କୁ ଲକ୍ଷ୍ୟକରି ଢ଼େଲା ଛାଡ଼ିଲେ । କିନ୍ତୁ ମଜା କଥା କଣ ହେଲାକି, ଟେକା ପଥରଗୁଡ଼ାକ ଘର ଭିତରକୁ ବାଜିଲାକ୍ଷଣି ସୁନ୍ଦର ସୁନ୍ଦର ଖଜା ହେଇ ଯାଉଥାଏ। ୟା ଦେଖି ଏଲିସ୍‌ ଭାବିଲା, “ଆଚ୍ଛା ଏ ଖଜାକୁ ମୁଁ ଯେବେ ପାଟିକି ପକାଏଁ; କାଳେ ହୁଏତ ଛୋଟ ହେଇଯାବି।” ସାଙ୍ଗେ ସାଙ୍ଗେ ସେ ସେଗୁଡ଼ାକ ଗୋଟେଇ ପକେଇ ଟକ୍‌ଟାକ୍‌  ପାଟିକି ପକେଇଲା।

     ଏଇ ଖଜାଗୁଡ଼ାକ ଖାଇବା ଦ୍ବାରା ଏଲିସ୍‌ର ଭାରି ଉପକାର ହେଲା। ସେ ଏଥରର କ୍ରମଶଃ ଛୋଟ ହେବାକୁ ଲାଗିଲା। ତାପରେ ଏଲିସ୍‌ ଯେତେବେଳେ ଦେଖିଲା ଯେ ଦୁଆର ଦେଇ ଗଳି ଯାଇପାରିବ ଏଥର, ସିମିତି ସାଙ୍ଗେ ସାଙ୍ଗେ ଏକା ଦୌଡ଼କେ ସେ ଘରୁ ବାହାରି ପଳେଇଆସିଲା। କିନ୍ତୁ ପଦାକୁ ଯିମିତି କୁଦାଏ ମାରିବି, ସେ ଯାଇ ପଡ଼ିଲା ସେଇ ରାଗ ତମ ତମ ଠେକୁଆ, ଝିଟିପିଟି ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ମଝିରେ। ସେଠି ବହୁ ପ୍ରକାରର ପଶୁପକ୍ଷୀ ଆସି ରୁଣ୍ଡ ହେଇଥାନ୍ତି। ସମସ୍ତେ ରାଗି ଏପରି ପାଚି ଯାଇଥିଲେ ଯେ ଏଲିସ୍‌କୁ ସାମନାରେ ଦେଖିଲାକ୍ଷଣି ଉତ୍ତମ ମାଧ୍ୟମ ଭଲକରି ଗଣ୍ଡାଏ ପଞ୍ଚାଏ ଦେବା ଲାଗି ତାକୁ ତ ଗୋଡ଼େଇଲେ। ଏଲିସ୍‌ ପ୍ରାଣ ଭୟରେ ଛୁଟିଲା, ଉଠିପଡ଼ି, ପଡ଼ି ଉଠି। କୋଉଠି ଲୁଚିଗଲା ଯେ ସେମାନେ ଆଉ ଦେଖିପାରିଲେ ନାହିଁ। ପ୍ରାଣ ବଞ୍ଚିଗଲା ଯାହାହେଉ ,ଏଲିସ୍‌ ଟିକିଏ ଦମ୍‌ ମାଇଲା।

 

 

 




+ -

© Jataayu Charitable Trust
Site designed,developed & maintained by Tekons