ଅଜବ ଦେଶରେ ଏଲିସ୍




ଏଲିସ୍‌ କଥାକୁ ପାରା ମୋଟେ କାନ ନ ଦେଇ ଆଗ ପରି କହି ଚାଲିଲା, “ଚେରର ସନ୍ଧି ଦେଖିଲି, ହୁଡ଼ା ଦେଖିଲି, ବାଡ଼ ଦେଖିଲି କାହିଁ ଏଥିରେ ନ ହେଲା। ଏ ସାପଙ୍କୁ ଆଉ ପାରି ହେବନାହିଁ। କି ଉପାୟ କରିବି ଏଥିରେ କୁହ!”

    ଏଲିସ୍‌ର ଅକଲ ଗୁଡୁମ୍‌ ହେଇଗଲା, ସେ ଦେଖିଲା ପାରାକୁ ବୁଝେଇବାକୁ ଚେଷ୍ଟା କରି କିଛି ଲାଭନାହିଁ, ପାରା ମନକୁ ଯାହା ଆସୁଚି ଯେ କହିସାରୁ ଆଗ, ତାପରେ ଯାହା କହିବାର ସେ କହିବ।

  ପାରା କହି ଚାଲିଥାଏ, “ଅଣ୍ଡା ଉଷୁମାଇବା ତ କାଠିକର ପାଠ। ସେଥିରେ ପୁଣି ଦିନ ନାହିଁ, ରାତି ନାହିଁ ଏ ସାପଙ୍କୁ ଜଗିବ କିଏ? ତିନି ହପ୍ତା ହେଲା ଆଖି କଷା ପଡ଼ିନାହିଁ।”

    ଉଃ, କଣ କରିବି ଏଥିରେ ! ମୁଁ ଦେଖି ଦେଖି ବଣ ଭିତରେ ଯୋଉଟା ବଡ଼ଗଛ, ସେହି ଗଛରେ ଆଶ୍ରା ନେଲି, ଭାବିଲି ଏଇଥର ସାପଠୁ ରକ୍ଷା ପାଇବି। ଭଲା, ଗଛରେ ବସିଚି କି ନାହିଁ, ଇଏ ଏବେ ଆକାଶରୁ କୁଆଡୁ ଖସିଲେଣି। କଣ କରିବି ଏଣିକି। ଏ, ସାପ ଉଃ।

    ଏଲିସ୍‌ ଥଙ୍ଗମଙ୍ଗ ହେଇ କହିଲା, “କହିଲି ପରା ମୁଁ ସାପ ନୁହେଁ। ମୁଁ ହଉଚି, ମୁଁ ହଉଚି-”

    “ଆଚ୍ଛା, ତୁମେ ତେବେ କଣ? ମୁଁ ବେଶ୍‌ ବୁଝୁଚି  ଯେ ଗୋଟାଏ କଣ ଫାନ୍ଦି କରି କହିବାକୁ ବସିଚ।”

    ଏଲିସ୍‌ ଭାବିଲା ଆଗେ କଣ ବୋଲି ତାକୁ କହିବ। ଦିନକ ଭିତରେ ବଡ଼ ସାନ ହେଇ ଭଳିକି ଭଳି କେତେ ଭଳି ତ ସେ ହେଲାଣି। କଣ ବୋଲି କହିବ? ଥ’ ଥ’ ହେଇ ସବା ଶେଷରେ କହିଲା, “ମୁଁ ଆଉ କିଛି ନୁହଁ, ଛୋଟ ଝିଅଟିଏ।”

   ପାରା ଏଲିସ୍‌ କଥାକୁ ତୁଚ୍ଛା ମିଛ ମଣି କହିଲା, “ପସନ୍ଦିଆ କଥାଟାଏ କହିଲ ଏକା! ମୁଁ ମୋ ଦିହାତିରେ କେତେ ଝିଅ ଦେଖିଚି, ଆଉ ଇମିତିକା ଶହେ ହାତ ଲମ୍ବର ବେକ ଥିଲା ବାଲା ଝିଅ କେବେ ବି ଦେଖିନଥିବି। ନାଇଁ, ନାଇଁ, ତମେ ସାପ, ମନା କଲେ ମୁଁ କ’ଣ ମାନିବି? ଛୋଟ ଝିଅ, ନା ତ ସତ କହିବ ସେଇଠୁ କହିବ, ତମେ କେବେହେଲେ ଅଣ୍ଡା ତୁଣ୍ଡରେ ଲଗେଇନ?”

    ଏଲିସ୍‌ ସବୁବେଳେ ସତକଥା କହେ, ସେ କହିଲା-“ନାଇଁ, ମୁଁ ତ କହୁଚି, ମୁଁ ଅଣ୍ଡା ଖାଇଚି କେତେଥର କିନ୍ତୁ ସାପ ଯେମିତି ଖାଏ, ସେମିତି ନୁହେଁ। ଛୋଟ ଝିଅମାନେ ଯେମିତି ଖାଆନ୍ତି, ସେମିତି-ଏକଥା ତ ତମେ ଜାଣିଚ।”

   “ମୁଁ କାଇଁକି ହେଲେ ସେ କଥା ଟିକିଏ ବିଶ୍ବାସ କରନ୍ତି। ଛୋଟ ଝିଅ ସବୁ ଯେବେ ଅଣ୍ଡା ଖାଉଥିବେ, ତେବେ ସେମାନେ ଗୋଟାଏ ରକମ ସାପ ହେଇଥିବେ ନିଶ୍ଚୟ!”

    ଏଲିସ୍‌ ଏଥିକି କଣ କହିବ, ତାକୁ ବୁଦ୍ଧି ଦିଶିଲା ନାହିଁ। ସେ ତୁନି ପଡ଼ିବା ଦେଖି ପାରା କହି ଚାଲିଲା, “ମୁଁ ଭଲ କରି ଜାଣେ, ତମେ ଏଠି ଅଣ୍ଡା କୋଉଠି ଅଛି ଖୋଜୁଚ। ସେଣିକି ତମେ ଛୋଟ ଝିଅ ହେଉଥାଅ କି ସାପ ହେଇଥାଅ,ମୋର ସେଥିରେ ଯାଏ ଆସେ ନାହିଁ କିଛି।”

     “ନାଇଁ, ମୁଁ ଏଠିକି ଅଣ୍ଡା ଖୋଜିବା ପାଇଁ ଆସିନାହିଁ।” ଏଲିସ୍‌ ପାରାକୁ ନିର୍ଭର ଜବାବ ଦେଲା।

    “ଆଚ୍ଛା, ତେବେ ଏଠୁ ଚାଲିଯାଅ” କହି ପାରା ତା’ ବସାରେ ଯାଇ ବସିଲା।

     ଏଲିସ୍‌ ଗଛ ଗହଳରେ କଷ୍ଟେମଷ୍ଟେ ମୁଣ୍ଡ ମାଡ଼ିଦେଲା, ଗଛର ଡାହିସବୁ ବେକରେ ଗୁଡ଼େଇ ହେଇ ଯାଉଥାଏ ଯେ ସେଥିରୁ ମୁକୁଳି ଆସିବା ବଡ଼ କଷ୍ଟକର ବ୍ୟାପାର ହେଉଥାଏ। ଏହି ସମୟରେ ଏଲିସ୍‌ର ମନେ ପଡ଼ିଗଲା, ତା’ ହାତରେ ଛତୁ ଟୁକୁରା ତ ଅଛି! ଏଥର ବଡ଼ ସାବଧାନ ହୋଇ ଏ ପଟରୁ ଟିକେ ସେପଟରୁ ଟିକେ ଛତୁ ଛିଣ୍ଡେଇ ଖାଇ ଖାଇ କେତେବେଳେ ଡେଙ୍ଗା କେବେ ବାଙ୍ଗିରୀ ହେଇ କିଛି ସମୟ ପରେ ଯାହା ହେଉ ଏଲିସ୍‌ ତାହାର ସ୍ବାଭାବିକ ଅବସ୍ଥାକୁ ଫେରିଆସିଲା!

    ଏଥର ବଡ଼ ନିଶ୍ଚିନ୍ତ ହେଇ ଏଲିସ୍‌ ବଣ ମଧ୍ୟରେ ଏଣେତେଣେ ବୁଲିବାକୁ ଲାଗିଲା। ଏହିପରି ବୁଲୁଛି, କିଛିକ୍ଷଣ ପରେ ଏଲିସ୍‌ ଦେଖିଲା ଯେ ଆଗରେ ଗୋଟାଏ ନଅର । ନଅର ସାମନାରେ ସେ ଛିଡ଼ା ହେଇ ଭାବୁଚି କଣ କରିବ ବୋଲି, ଏଇ ସମୟରେ ଅର୍ଦ୍ଦଳି ଭଳିଆ ପୋଷାକ ପିନ୍ଧି ଜଣେ  (ଦେଖିବାକୁ ଅନେକଟା ମାଛ ଭଳିଆ ) ବଣ ଭିତରରୁ କୁଆଡ଼ୁ ଧାଇଁ ଧାଇଁ ଆସି ନଅର ସିଂହଦୁଆର କବାଟରେ ଠକ୍‌ ଠକ୍‌ କଲା। ସେପଟରୁ ଆଉ ଗୋଟିଏ ଅର୍ଦ୍ଦଳି (ଚେହେରା ତାହାର ବେଙ୍ଗ ଭଳିଆ, ଗୋଲ ମୁହଁ, ଡିମା ଡିମା ଆଖି )  ଦରଜା ଖୋଲିଦେଲା। ଦିଟାଯାକ ଅର୍ଦ୍ଦଳି ମୁଣ୍ଡରେ ପାଉଁଶ ବୋଳି ହେଇଥାନ୍ତି, ଦହିଙ୍କ ମୁଣ୍ଡରେ ଜଟ। ଏ ଅଜବ ହାଲ ଦେଖି ଏଲିସ୍‌କୁ ବଡ଼ ମଜା ଲାଗିଲା, ବଣରେ ଗଛ ଆଢୁଆଳରେ ଛପିଯାଇ ତାଙ୍କ କଥାଭାଷାକୁ ଏଲିସ୍‌ କାନ ପାରିଲା।

     ମାଛ-ଅର୍ଦ୍ଦଳି ଆଗ ତା କାଖସନ୍ଧିରୁ ଲମ୍ବା ଏକ ଚିଠି ବାହାର କଲା। ଚିଠିଟା ଏତେ ଲମ୍ବା ଯେ ଆପେ ସେଥିରେ ସେ ବୁଡ଼ି ଯାଉଥାଏ। ଚିଠିଟାକୁ ବଢ଼େଇ ଦେଇ ଅତି ଗମ୍ଭୀର ସ୍ବରରେ ସେ କହିଲା, “ସାନରାଣୀଙ୍କ ନିକଟରୁ ଫୁଟବଲ ଖେଳିବାକୁ ମହାରାଣୀଙ୍କୁ ନିମନ୍ତ୍ରଣ।” 

 

 




+ -

© Jataayu Charitable Trust
Site designed,developed & maintained by Tekons