ଲୁହ ଗାଡ଼ିଆରେ ଏଲିସ୍
ଖାଇ ଦେଇଚି ତ।
“ ଏ ହେଲା କଣ!” ଏଲିସ୍ ଅବାକ୍ ହେଇ ଭାବିଲା, “ଦୁନିଆର ସବୁଠୁ ବଡ଼ ଦୂରବୀକ୍ଷଣ ଯନ୍ତ୍ରକୁ ଖୋଲିଲେ ତ ଏତେ ଡେଙ୍ଗା ହେବନାହିଁ। ମୋର ପାଦ ଗଲା କୁଆଡ଼େ?” (ଯାହାକୁ ଚାହିଁଲା ବେଳକୁ ଏଲିସ୍ ଦେଖେ ତ ପାଦ ଯାଇ କାହିଁ ତଳେ ପଡ଼ିଲାଣି ଯେ ଆଉ ଆଖିକି ଦିଶୁନାହିଁ) “ବିଚରା ପାଦ ଦିଟା କଣ କରିବେ ଏଣିକି! କିଏ ତାଙ୍କୁ ଭଲା ଆଉ ଜୋତା ପିନ୍ଧେଇଦେବ। ମୁଁ ତ ଆଉ ପାରିବି ନାହିଁ ଦେଖୁଚି। ମୁଁ ଯାଇ କାହିଁ କୋଉଠି,ମୋର ତମ କଥା ଭାବିବାକୁ ଫୁରସତ କାହିଁ? ତମ କଥା ତମେ ବୁଝିବ ଏଣିକି।” ପାଦକୁ ୟେ କଥା ଏଲିସ୍ କହିଦେଲାତ,କିନ୍ତୁ ପଛେ ପୁଣି ଭାବିଲା, “ଆଚ୍ଛା, ମୁଁ ଯେବେ ତାଙ୍କ ପ୍ରତି ଟିକିଏ ସହାନୁଭୂତି ନ ଦେଖାଏ, ସେମାନେ ମୋ କଥା ମାନିବେ କାହିଁକି ? ମୁଁ ଯେତେବେଳେ ତାଙ୍କୁ କୁଆଡ଼େ ଯିବାକୁ କହିବି, ସେମାନେ ତ ଚଙ୍କିବେ ନାହିଁ । ନା, ତାଙ୍କୁ ପଟେଇ ରଖିବା କଥା। ଆଚ୍ଛା, ପୂର୍ବକୁ ପର୍ବ ପ୍ରତିବର୍ଷ ତାଙ୍କ ପାଇଁ ହଳେ ଲେଖା ନୂଆ ଜୋତା କିଣିଦେବା।”
ଜୋତା କିମିତି ପଠାଇବ, ପାରସଲ ଉପରେ ଠିକଣା କଣ ଲେଖିବ, ଆଦି ନାନା କଥା ଏଲିସ୍ ଭାବି ଯାଉଚି, ଏତିକିବେଳେ ତା ମୁଣ୍ଡ ଯିମିତି ଛାତ ଦେହରେ ଖଡ଼ାଙ୍ଗ କରି ବାଜିଛି, ତାର ଭାବନା ସବୁ ଦପ୍ କରି ବନ୍ଦ ହୋଇଗଲା। ଏଲିସ୍ ଏତେବେଳକୁ ଛ ହାତ ଉଚ୍ଚ ହୋଇଗଲାଣି; ଦେଖିଲା ଆଉ ଡେରି କଲେ ବିପଦ; ସେଇଠୁ ଧଡ଼ପଡ଼ ହୋଇ ଟେବୁଲ ଉପରୁ ଚାବିଟା ଉଠେଇ ନେଇ ବଗିଚା ଫାଟକ ପାଖକୁ ଧାଇଁଲା ଦରଜା ଖୋଲିବାକୁ। କିନ୍ତୁ ଦରଜା ଖୋଲିବ ବା କେମିତି? ସେ ଏତେ ଡେଙ୍ଗା ହୋଇ ଯାଇଛି ଯେ, ଦରଜାକୁ ଆଉ ହାତ ନ ପାଏ। ଏଲିସ୍ ସେଇଠୁ କରମାଡ଼ି ଶୋଇ ପଡ଼ି କଷ୍ଟେମଷ୍ଟେ ଗୋଟିଏ ଆଖିରେ ଜଳା ବାଟେ ବଗିଚାକୁ ଅନେଇଲା। କିନ୍ତୁ ସେ ସରୁ ଜଳା ବାଟେ ଗଳିବା ତ ଆଉ ସମ୍ଭବ ନୁହେଁ। ଏଲିସ୍ ଆଉ କଣ କରେ । କିଛି ଉପାୟ ନ ପାଇ ବସିପଡ଼ି କାନ୍ଦିଲା ଭୋ ଭୋ। ଏଲିସ୍ ଏକଲା ବସି ସେମିତି କାନ୍ଦୁଛି। କେତେବେଳ ହେଲା କାନ୍ଦିଲାଣି; ହଠାତ୍ ତାର ମନେପଡ଼ିଲା, ସେ ଏଡ଼େ ବଡ଼ ମାଇକିନା ଝିଅଟାଏ ହେଇ କାନ୍ଦୁଛି କଣ, କି ଲାଜ କଥା! କିନ୍ତୁ ନ କାନ୍ଦିବା ପାଇଁ ନିଜକୁ ଯେତେ ବୋଧ ଶୋଧ କଲା, କାନ୍ଦ ତ ମୋଟେ ରହିଲା ନାହିଁ।ତା ଆଖିରୁ ଲୁହ ଝର ଝର ବୋହି ପଡ଼ୁଥାଏ,କେତେ ଯେ ଲୁହ ଇମିତି ବୋହି ବୋହି ଗଲା ତାର କିଛି ଠିକଣା ନାହିଁ, ମାଠିଆ ଲୁହ। ଲୁହ ବୋହି ସେ ଘର ଅଧେ ପୂରିଗଲା। ଏଲିସ୍ର ଚାରି କରଯାକ ଚାଖଣ୍ଡେ ବହଳର ଲୁହଗାଡ଼ିଆ।
ଏଲିସ୍ ବସି ସେମିତି କାନ୍ଦୁଚି। ଏହି ସମୟରେ ଦୁଆରରେ ଶୁଣାଗଲା କିଏ ପାଣିରେ ଗୋଡ଼ ଚବର ଚବର କରି ଆସିଲା ଭଳି। ଏଲିସ୍ ତରବର ହୋଇ ଆଖିରୁ ଲୁହପୋଛି ପକେଇଲା, କିଏ ଆସିଛି ଦେଖିବ ବୋଲି। ଦେଖିଲା ବେଳକୁ ଫଟ୍ଫାଟ୍ ବାବୁସେହି ଧୋବ ଠେକୁଆ ମହୋଦୟ ଫେରୁଛନ୍ତି। ପୋଷାକ ପିନ୍ଧିଛନ୍ତି ଯେ ଚକ୍ଚାକ୍ କାହିଁରେ କେତେ। ତାର ଗୋଟାଏ ହାତରେ ସେ ଧରିଚି ଦାମିକା ହାତମୋଜା ହଳେ, ଆଉ ହାତରେ ପ୍ରକାଣ୍ଡ ଏକ ପଙ୍ଖା। ବଡ଼ ତରବର ହୋଇ ବାବୁ ମସ୍ ମସ୍ ମାଡ଼ି ଆସୁଛନ୍ତ,ମନକୁ ମନ ଭଟ୍ ଭଟ୍ ହେଉଛନ୍ତି“ ଉଃ, ରାଣୀ! ମୁଁ ତାଙ୍କୁ ଏତେବେଳ ଯାଏଁ ଅଟକାଇ ରଖିଦେଲି, ସେଥିରେ ସେ ବା ଚଟି ନ ଯାନ୍ତେ କିଭଳି! ମୋରତ ଆଗ କାଇଲି ହୋଇଚି। କହିବି କାହାକୁ? ଉଃ।”
ଏଲିସ୍ ଏତେବେଳକୁ ବଡ଼ ହତାଶ ହୋଇପଡ଼ିଥାଏ।ଠେକୁଆକୁ ଦେଖି ଟିକିଏ ଆଶ୍ବସ୍ତ ହୋଇ ଭାବିଲା, ଏହାକୁ କହିଲେ ଏଠୁ ବାହାର ହେବାର କାଳେ କିଛି ଗୋଟାଏ ଉପାୟ କରାଯାଇପାରେ । ତେଣୁ ଅତି ନମ୍ର ହୋଇ କୋମଳ ସ୍ବରରେ ଆରମ୍ଭ କଲା, “ମହାଶୟ, ଦୟାକରି ଟିକିଏ ଶୁଣିବେ କି…”। ଏଲିସ୍ ଆଉ କଣ କହିଥାନ୍ତା; ତା’ପାଟି ଶୁଣି ଠେକୁଆ ତରକି ଇମିତି ଗୋଟାଏ ଡିଆଁ ମାରିଲା ଯେ ଏକଦମ୍ ଦେ ଭାଗିସ୍, ଆଉ ସେଠି ନାହିଁ, ଖାଲି ତା ହାତର ସେହି ମୋଜା ଆଉ ପଙ୍ଖା ପଡ଼ିଚି ସେଠି।
ଏଲିସ୍ ମୋଜା ଆଉ ପଙ୍ଖା ତଳୁ ଉଠାଇନେଲା। ଭାରି ଗରମ ହେଉଥାଏ। ଏଲିସ୍ ସେଇଠୁ ପଙ୍ଖାରେ ବିଞ୍ଚି ହେଲା ବହେ। ବିଞ୍ଚି ହେଉଥାଏ, ଭାବୁଥାଏ,ବାଃ ଏ ଅଜବ ଦେଶରେ ଦେଖୁଚି ତ ସବୁକଥା ଅଦ୍ଭୁତ। କାଲି ତ ସବୁ ଠିକ୍ ଥିଲା। ରାତିକା ରାତି ମୁଁ କଣ ଆଉ ବଦଳିଗଲି କି? ଭାବି କରି ଦେଖେଁ। ଆଚ୍ଛା, ମୁଁ ଯାହା ସବୁ ଜାଣିଥିଲି ସେ ସବୁ ମୋର ହେଜ ଅଛି କି ନାହିଁ ପରଖ କରିବା ଆଗ। ହଁ,ପାଞ୍ଚର ଚାରିଗୁଣା କେତେ? –କେତେ? –ମଲା; ମଲା; ଇମିତି ଗୋଟିଏ ଗୋଟିଏ ହିସାବ କଲେ ତ ମୁଁ କୋଡ଼ିଏ ପାଖ ପହଞ୍ଚି ପାରିବିନାହିଁ। ଛାଡ଼;ପଣିକିଆରୁ କିଛି ଜଣାପଡ଼ିବନାହିଁ, ଭୂଗୋଳ ପରୀକ୍ଷା କରିବା। ଲଣ୍ଡନ ହେଉଛି ପାରିସ୍ର ରାଜଧାନୀ। ପାରିସ୍ ହେଲା ରୋମର ରାଜଧାନୀ। ରୋମ୍ ହେଲା- ନାଇଁ,ନାଇଁ,ମଲା ମୋର, ସବୁ ତ ଭୁଲ୍ ହେଇଗଲା ଯାଃ।
ସେ ଏଇଭଳିଆ ଏଣୁତେଣୁ ଭାବୁଚି, ଏଇ ସମୟରେ ତା ହାତକୁ ଅନେଇ ଦେଲା ବେଳକୁ ସେ ଦେଖିଲା ଯେ ୟାର ଭିତରେ ଅଜାଣତରେ ସେ କେତେବେଳେ ଠେକୁଆର ହାତମୋଜା ଗୋଟିଏ ହାତରେ ପିନ୍ଧି ଦେଇଛି। ୟା ଦେଖି ଏଲିସ୍ ଅବାକ୍ ହେଇଗଲା, ‘ଭଲା, ୟା କିମିତି ହେଲା? ମୁଁ କେଡ଼େ, ଠେକୁଆ କେଡ଼େ ଟିକେ। ତା ହାତମୋଜା ମୋ ହାତକୁ କିମିତି ହେଲା। ବୋଧହୁଏ ମୁଁ ପୁଣି ଛୋଟ ହେଇଯାଉଛି। ଛିଡୁଚି କି କଣ ସେ ଟେବୁଲ୍ ପାଖକୁ ଗଲା, ସେଠି ମାପି ଦେଖିଲା ବେଳକୁ ତା ଉଚ୍ଚାହେଉଚି ଦେଢ଼ ହାତ। ତା ଉପରେ ପୁଣି ବେଳକୁ ବେଳ ସେ ଘୁ ଘୁ ଛିଡ଼ିଯାଉଚି। କାହିଁକି ଇମିତି ଛିଡ଼ି ଯାଉଚି, ଦେଖ୍, ଦେଖ୍, ଏଲିସ୍ ବୁଝିଲା ତା ହାତରେ ସେ ଯୋଉ ପଙ୍ଖାଟା ଧରିଚି, ତାରି ପବନ ବାଜିଲାରୁ। ଭାଗ୍ୟେ ସେ ଭୁଷ୍କିନା ସେ ପଙ୍ଖାଟାକୁ ତଳେ ଫୋପାଡ଼ି ଦେଲା; ନୋଇଲେ ଆଉ ଟିକିଏ ଡେରି ହେଇ ଯାଇଥିଲେ ସେ ତ ବିଲ୍କୁଲ୍ ଛିଡ଼ି ଯାଇଥାନ୍ତା ଯେ ଏକଦମ୍ ଅଦୃଶ୍ୟ ହୋଇ ଯାଇଥାନ୍ତା।
ଏଲିସ୍ର ଛାତିଟା ଧଡ଼ପଡ଼ ପଡ଼ିଲା। “ଭାଗ୍ୟେ ବର୍ତ୍ତିଗଲି। ଦଣ୍ଡେ ଯାଇଥିଲେ ତ ସରିଥିଲି।” ଏଲିସ୍ ଆଉ କୋଉଥିକି ସତାର ନ କରି ଧାଇଁଲା ବଗିଚା ଆଡ଼େ। ଜଳା ଦୁଆରେ ପହଞ୍ଚି ଦେଖେ ତ ଫାଟକ ବନ୍ଦ। ସୁନା କାଠିଟା କାଠ ଟେବୁଲ ଉପରେ ଥୁଆ ହେଇଚି। ଏଲିସ୍ର ହାତ ନ ପାଏ। କଣ କରିବ? “ ଏ ତ ମୁସ୍କିଲ କଥା ହେଲା! ଭଲା ଆଗରୁତ ମୁଁ କେବେ ଏଡେ ଟିକିଟିଏ ନଥିଲି, ନା, କେବେ ତ ନୁହେ! ମୁସ୍କିଲ ହେଲା, ମୁସ୍କିଲ।”