ଏହିପରି ଏଲିସ୍ ଦେଖିଲା ସାମନାରେ ଗୋଟିଏ ଛୋଟ ତିନିଗୋଡ଼ିଆ କାଚଟେବୁଲ ଆଉ ତା ଉପରେ ସୁନାର ଟିକି ଚାବିଟିଏ। ଏ ଚାବିଟି ଦେଖି ଏଲିସ୍ ଟିକିଏ ବଳ ପାଇଲା ; ଭାବିଲା ଏଇ ଚାବିରେ ଘରର କୋଉ ଦରଜା ଖୋଲି ହେବ ତ! ଏ ଦରଜା ସେ ଦରଜା ସବୁ ତାଲାରେ ଏଲିସ୍ ସେ ଚାବିକି ମୋଡ଼ିଲା; କିନ୍ତୁ ହାୟ, ତାଲାଗୁଡ଼ାକ ହୁଏ ତ ନିହାତି ବଡ଼, ନୋହିଲେ ଚାବିକାଠିଟା ନିହାତି ଟିକିଟିଏ; କୋଉ ଦରଜା ନ ଖୋଲେ । ଏଲିସ୍ ଏଥିରେ ଦବି ନ ଯାଇ ଆଉ ଥରେ ପ୍ରତ୍ୟେକ ଦରଜାର ତାଲାରେ ଚାବି ଲଗେଇ ପରଖ କରିବାକୁ ଲାଗିଲା, କାଳେ କୋଉ ଦରଜା ଖୋଲିଯାଇପାରେ। ଏଥର ହଠାତ୍ ତା ନଜରରେ ପଡ଼ିଲା ଗୋଟାଏ ଛୋଟ ପରଦା ଝୁଲୁଛି। ପରଦା ସେପଟେ ଦେଖିଲା ବେଳକୁ ସେଠି ଛୋଟ ଗୋଟିଏ ଦରଜା ଅଛି; ଦରଜା ଯେ, ମୋଟେ ଦି ଚାଖଣ୍ଡ ଉଚ୍ଚ। ଏଲିସ୍ ସେ ଦରଜାରେ ସୁନା ଚାବିକାଠି ଲଗେଇ ମୋଡ଼ିଲା। ସେ ଚାବି ଯେତେବେଳେ ତାଲାକୁ ଠିକ୍ ହେଲା ଏଲିସ୍ର ଖୁସି ଦେଖେ କିଏ। ଦରଜା ଖୋଲିଗଲା; ଏଲିସ୍ ଦେଖେ ତ ସେ ଦରଜାରୁ ଗୋଟିଏ ସରୁ ହୋଇ ରାସ୍ତା ପଡ଼ିଛି। କିନ୍ତୁ ରାସ୍ତାଟି ଏତେ ସରୁ ଯେ ସେଥିରେ ବଡ଼ ଜୋର ଗୋଟାଏ ଗାତୁଆ ମୂଷା ଗଳିଯାଇପାରେ । ଏଲିସ୍ ହାମୁଡ଼େଇ ପଡ଼ି ସେ ଗାତଟି ଭିତରକୁ ଚାହିଁ ଦେଖେ, ସେଇ ମୂଷା ଗାତ ଭଳି ରାସ୍ତା ଯାଇ ପଡ଼ିଚି ଗୋଟିଏ ନାହିଁ ନଥିବା ଦିବ୍ୟସୁନ୍ଦର ବଗିଚା ଭିତରକୁ। ଭଳିକି ଭଳି ସେଠି କେତେ ଭଳି ରଙ୍ଗ ବେରଙ୍ଗ ଫୁଲ ଫୁଟି ବଗିଚାଟିକି ଉଜ୍ଜ୍ବଳ କରି ଦେଇଛି। ଏଡ଼େ ସୁନ୍ଦର ବଗିଚା ଏଲିସ୍ ଆଉ ଆଗରୁ କେବେ ଦେଖିନଥିଲା। ବଗିଚାକୁ ଦେଖି ଘର ଭିତରୁ ବାହାରି ସେଠିକି ଯିବାକୁ ଏଲିସ୍ର ମନ ହାଇଁପାଇଁ ହେଲା। କିନ୍ତୁ ସେ ଏଡ଼ିକି ଟିକିଏ ବାଟ , ବାଟ ତ ନୁହେଁ, ମୂଷାଗାତ। ତା ଭିତରେ ଯିବ ବା କିଭଳି? ଥରେ ଦିଥର ଏଲିସ୍ ସେ ବାଟରେ ଯିବାକୁ ଚେଷ୍ଟା କଲା, କିନ୍ତୁ ବୃଥା ହେଲା। ଦରଜାରେ ଏଲିସ୍ର ମୁଣ୍ଡଟା ଗଳିଲା ନାହିଁ ଆଗ! ଏଲିସ୍ର ମନେ ହେଉଥାଏ “ଖାଲି ମୁଣ୍ଡଟା ଗଳିଗଲେ ବି କଣ ହବ, କାନ୍ଧଟାକୁ ଛାଡ଼ି ମୁଣ୍ଡଟା ଖାଲି ଯେବେ ଯାଏ, କୋଉଥିକି ହବ ସେ । ଦୂରବିକ୍ଷଣ ଯନ୍ତ୍ର ଭଳିଆ ମୁଁ ହୋଇଥାଆନ୍ତି କି ଭଲା, ଭାଙ୍ଗିଦେଲେ ଛୋଟ ହୋଇଯାଆନ୍ତି, ଫେର୍ ଖୋଲି ଦେଲେ ବଡ଼ ହୋଇଯାଆନ୍ତି॥”
ଏଲିସ୍ ଦେଖିଲା ଦରଜା ପାଖରେ ଛିଡ଼ା ହେଇ କିଛି ଲାଭ ନାହିଁ, ସେ କାଚ ଟେବୁଲ୍ ପାଖକୁ ଫେରି ଆସିଲା ତା ମନରେ ବି ଗୋଟାଏ ଆଶା ଥାଏ, କିଛି ନ ହେଲେ ବି ଆପଣାକୁ ଦୂରବୀକ୍ଷଣ ଯନ୍ତ୍ର ଭଳିଆ ଭଙ୍ଗାଭଙ୍ଗୀ କରିପାରିବା ଲାଗି କୌଣସି ସୂତ୍ର ଯେବେ କୋଉଠୁ ମିଳେ! ଏଥର କିନ୍ତୁ ଏଲିସ୍ ଯେତେବେଳେ ଟେବୁଲ ପାଖକୁ ଯାଏ,ସେ ଦେଖିଲା ଯେ ଟେବୁଲ ଉପରେ ଛୋଟ ବୋତଲଟାଏ ଥୁଆ ହେଇଚି। (“ ଏ ବୋତଲ ତ ଏଠି କୋଉଠି ନଥିଲା।”ଏଲିସ୍ ମନକୁ ମନ ଟୁପ୍ଟାପ୍ ହେବାକୁ ଲାଗିଲା,) ଆଉ ବୋତଲ ଉପରେ ଗୋଟାଏ କାଗଜ ଟିକଟ ମାରି ତା ଦେହରେ ସୁନ୍ଦର ବଡ଼ ବଡ଼ ଅକ୍ଷରରେ ଛାପା ହେଇଚି, “ମୋତେ ପିଅ।”
‘ମୋତେ ପିଅ’ ବୋଲି କହିଦେବା ତ ସହଜ କଥା କିନ୍ତୁ ଏଲିସ୍ ବଡ଼ ଚାଲାଖ,ସେ କଣ ଏଡ଼େ ଚଞ୍ଚଳ ନ ଭାବି ନ ଚିନ୍ତି ପିଇଦେବ! “ନା, ମୁଁ ଆଗ ଦେଖିବି, କୋଉଠି ‘ବିଷ’ବୋଲି ଲେଖା ହେଇଚି କି ନାହିଁ।” ସେ ପରା କେତେ ବଢ଼ିଆ ବଢ଼ିଆ ଗପ ପଡ଼ିଚି; ସେଥିରେ ସବୁ କୋଉ ପିଲା ନିଆଁରେ ପୋଡ଼ିଗଲା, ନୋଇଲେ କାହାକୁ ବାଘଭାଲୁ ଖାଇଗଲା, ନୋଇଲେ ସିମିତି କିଛି ଅନିଷ୍ଟ ହେଲା। କାହିଁକି ଭଲା ହୋଇଥାନ୍ତା। ବାପା ମାଆ ଭାଇ ଭଉଣୀ ଯୋଉସବୁ କଥା ଶିଖେଇଥିଲେ ସେ କଥା ମନେ ନ ରଖି ନ ମାନିଲେ ବୋଲି ସିନା! ବଡ଼ ବଡ଼ ପରା କହନ୍ତି, ତତଲା ଲାଲ ଟହ ଟହ ଖଡ଼ିକାକୁ ଧଇଲେ ହାତ ଫୋଟକା ହୋଇଯିବ, ଛୁରୀରେ ଆଙ୍ଗୁଠିଟି କାଟି ପକେଇଲେ ସେଥିରୁ ରକତ ବୋହିବ। ଏଲିସ୍ର ମନେ ଅଛି, ତାକୁ ମାଆ କହିଥିଲେ ଯେ ଯେବେ କୋଉ ବୋତଲ ଉପରେ ‘ବିଷ’ ବୋଲି ଲେଖା ହେଇଥିବ, ସେ ବୋତଲରୁ ପିଇଲେ ସାଙ୍ଗେ ସାଙ୍ଗେ ହେଉ କି ଦିନେ କି ଦି ଦିନେ ହେଉ ଯେତେବେଳେ ହେଲେ ଦେହ ଖରାପ ହେବ। ଏଲିସ୍ ସେ କଥା ଜମା ଭୂଲିନାହିଁ।
ଯାହା ହେଉ, ଏ ବୋତଲରେ କୋଉଠି‘ବିଷ’ବୋଲି ଲେଖା ନ ଥିଲା; ଏଲିସ୍ ଆଉ ସମ୍ଭାଳି ନପାରି ସବୁଯାକ ପିଇଦେଲା।
ପିଇଦେଲା ତ, ଯାଏ କୁଆଡ଼େ? ତା ଦେହରେ କିମିତି ଗୋଟାଏ ନିଶା ଥିଲା, ଏଲିସ୍ର ମୁଣ୍ଡ ବୁଲେଇଦେଲା। ତା ପରେ ଏଲିସ୍ କ୍ରମଶ ଛୋଟ ହେବାକୁ ଲାଗିଲା। ଏଲିସ୍ ଭାବିଲା, “ଏ ତ ଏକ ନୂଆ କଥା, ମୁଁ ବୋଧହୁଏ ଦୂରବୀକ୍ଷଣ ଯନ୍ତ୍ର ଭଳି ଏବେ ମୁଦି ହୋଇଯାଉଚି।” ସତକୁ ସତ, ସେଇୟା। ଛୋଟ ହେଇ ହେଇ ସେ ଏବେ ମୋଟେ ଚାଖଣ୍ଡେ ରହିଲା। ନିଜକୁ ଏପରି ଛୋଟ ହୋଇଯିବାର ଦେଖି ଏଲିସ୍ ଖୁବ୍ ଖୁସିହେଲା, କାହିଁକି ନା, ଏଥର ସେ ନିଶ୍ଚେ ଛୋଟ ଦରଜା ବାଟେ ଗଳିଯାଇ ସେ ସୁନ୍ଦର ବଗିଚାରେ ପହଞ୍ଚି ପାରିବ। ପ୍ରଥମେ କିନ୍ତୁ ସେ କିଛି ବେଳ ସତାର କଲା, ଦେଖୁଥିଲା ଆହୁରି ଛୋଟ ହଉଚି କି ନାହିଁ ତାର ବି ଟିକିଏ ଭୟ ହେଉଥାଏ, କାଳେ ଯେବେ ଇମିତି ଛୋଟ ହେଉ ହେଉ ମହମବତୀ ଭଳିଆ ବିଲକୁଲ ଲୋପ ପାଇଯିବ। ସେତେବେଳେ ତାର ରୂପ କି ଭଳିଆ ହବ ଭଲା? ଏତିକି ବେଳେ ତା ମନକୁ ଆସିଲା ମହମବତୀ କଥା; ଏଲିସ୍ କଳ୍ପନା କରିବାକୁ ଚେଷ୍ଟା କଲା ମହମବତୀ ଜଳିଗଲା ତାର ରୂପଟା କି ଭଳିଆ। କାହିଁ, କେବେ ତ ସେ ସିମିତି କିଛି ରୂପ ଦେଖିନାହିଁ।
କିଛି ବେଳ ଅପେକ୍ଷା କଲା ପରେ ଯେତେବେଳେ ଏଲିସ୍ ଦେଖିଲା ଯେ ଆଉ କିଛିହେଲା ନାହିଁ, ସେ ବଗିଚା ଭିତରକୁ ସାଙ୍ଗେ ସାଙ୍ଗେ ଯିବାକୁ ବସିଲା। କିନ୍ତୁ ପୁଣି ତ ଏକ ମୁସ୍କିଲ ବ୍ୟାପାର ! ଛୋଟ ଦରଜା ମୁହଁରେ ପହିଞ୍ଚିଛି, ତାର ମନେପଡ଼ିଗଲା ସୁନାକାଠି କଥା। ସୁନାକାଠି ପାଇଁ ସେ ଟେବୁଲ ପାଖକୁ ଯାଇ ଦେଖେ ତ ଆଉ ତା ହାତ ନପାଏ। କାଚରେ ସୁନାକାଠିଟା ଦିଶୁଚି, ସେ ହାତ ବଢ଼ାଇଲା, କିନ୍ତୁ ଆଉ ନ ପାଏ। ଏଲିସ୍ର ହାତ ଯୋଉଠୁ ନ ପାଇଲା, ସେ ଟେବୁଲର ଗୋଟାଏ ଗୋଡ଼ ଉପରେ ଚଢ଼ିଲା ଚାବି ଆଣିବ ବୋଲି, କିନ୍ତୁ ସେ ଏଡ଼େ ଖସଡ଼ା ଯେ ଏଲିସ୍ ଆଉ ଚଢ଼ିପାରିଲା ନାହିଁ। ଅନେକ ଥର ଚଢ଼ିଲା, କୋଉଥିରେ ଆଉ ଗୋଡ଼ ଠାକୁ ନଥାଏ। ଏଲିସ୍ ଅନେକ ପ୍ରକାରରେ ଚେଷ୍ଟା କଲା ସୁନାକାଠିଟା ଆଣିବ; କୌଣସି ପ୍ରକାରେ କିନ୍ତୁ ହେଲାନି। ଏଲିସ୍ ସେତେବେଳକୁ ଭାରି ହରକତ ହେଇଗଲାଣି; ଦୁଃଖରେ ବସି ପଡ଼ି ଖାଲି କାନ୍ଦିଲା।
“ଆଃ, ଇମିତି କାନ୍ଦି କି ଲାଭ? ଯେତିକି କାନ୍ଦିଲୁ କାନ୍ଦିଲୁ; ଆଉ କାନ୍ଦ ନା , ମୋ ବୋଲ ମାନି।” ମନକୁ ମନ ଏଲିସ୍ ଆପଣାକୁ ଚଟାପଟ ତୁନି କରିଦେଲା। ଏହି ସମୟରେ ଟେବୁଲ ତଳେ ଥୁଆ ହୋଇଥିବା ଗୋଟାଏ କାଚ ବାକ୍ସ ଉପରେ ତାର ନଜର ପଡ଼ିଲା ସେଇ ବାକ୍ସ ଖୋଲି ଏଲିସ୍ ଦେଖିଲା, ତା ଭିତରେ କୁନି ପିଠାଟିଏ ଅଛି ଆଉ ପିଠା ପିଠିରେ ରଙ୍ଗିନ୍ ଚିନିର ଅକ୍ଷରରେ ଲେଖା ହେଇଚି “ମୋତେ ଖାଅ।” ଏଲିସ୍ ତା ଦେଖି ମନକୁ ମନ କହିଲା “ହଉ, ମୁଁ ଏଇଟାକୁ ଖାଇବି। ୟାକୁ ଖାଇଲେ ମୁଁ ଯେବେ ବଡ଼ ହୁଏ, ତେବେ ତ ଭଲ କଥା, ଚାବିକି ହାତ ପାଇବ। ଯେବେ ଛୋଟ ବି ହୋଇଯାଏ, କ୍ଷତି ନାହିଁ, ଦୁଆରେ ବେଶ୍ ଗଳି ଯାଇପାରିବି। ଯିମିତି ହେଲେ ମୁଁ ଯାଇ ବଗିଚାରେ ପହଞ୍ଚିବି; ସେଣିକି ଯାହା ହେବାର ହେଉ।” ଏଲିସ୍ ସେ ପିଠାରୁ ଟିକିଏ ଖାଇ କୋଉ ଆଡ଼କୁ ବଢ଼ୁଚି ଜାଣିବାକୁ ଚଟାପଟ୍ ମୁଣ୍ଡ ଉପରେ ହାତଟା ରଖିଲା। କିନ୍ତୁ ଯେତେବେଳେ ଦେଖିଲା ସେ ଯେତିକି ଥିଲା ସେତିକି, ତାର ଆଶ୍ଚର୍ଯ୍ୟର ସୀମା ରହିଲାନାହିଁ। ପିଠା ଖାଇଲେ ତ କେହି ବଡ଼ ବା ଛୋଟ ହୁଏ ନାହିଁ; ତେବେ, ଏଲିସ୍ ଏ କେତେ ବେଳ ହେଲା ଏପରି ଅଦ୍ଭୁତ ଘଟଣା ସବୁ ଅଙ୍ଗେ ଲିଭେଇ ଆସିଲାଣି ଯେ ଏହିସବୁ ଘଟଣା ତାର ହେଦସୁହା ହୋଇଯାଇଥିଲା। ପ୍ରତ୍ୟେକ କଥାରେ ସେ ଆଶା କରୁଥିଲା, କିଛି ଗୋଟାଏ କିମ୍ଭୁତ କିମାକାର ଘଟିବ; କିନ୍ତୁ ଯେତେବେଳେ ସବୁଦିନିକା ଭଳିଆ କିଛି ବିଶେଷ ଘଟିଲା ନାହିଁ, ତାକୁ କଥାଟା ବଡ଼ ମାନ୍ଦା ଲାଗିଲା। ଯାହା ହେଉ, ସେ ପିଠାଟା ଗୋଟାଯାକ ଖାଇଦେଲା।