ଭିସୁଶୀଲ ଦମ୍ପତି
ଏକା କୋଠାରେ ଜେଲିନେକ୍ଙ୍କ ଠିକ୍ ପାଖଘରେ ସେମାନେ ବାସ କରୁଥିଲେ ।ତାଙ୍କ ନାମ ମଧ୍ୟ ଜୋସେଫ୍ ଓ ମେରୀ। ତଳିଆ ସରକାରୀ କର୍ମଚାରୀ ପରିବାର, ପ୍ରତି ବେଶୀମାନଙ୍କଠାରୁ ବୟସରେ ଟିକିଏ ବଡ଼।ପ୍ରଥମ ମହାଯୁଦ୍ଧ ବେଳେ ଯେତେବେଳେ ସୈନ୍ୟ ହିସାବରେ ତାଙ୍କୁ ଚାଲାଣ କରାଯାଇଥିଲା ସେତେବେଳେ ଜୋସେଫ୍ର ବୟସ ଥିଲା ସତର, ନାସଲ ଅଞ୍ଚଳର ଏକ ଦୀର୍ଘକାୟ ତରୁଣ ଥିଲା ସେ। କେତେ ସପ୍ତାହ ପରେ ସେମାନେ ତାଙ୍କୁ ନେଇ ଆସିଲେ, ଆଣ୍ଠୁଟି ତାର ଏକବାରେ ଚୁନା ହୋଇଯାଇଛି, ସେ ଆଣ୍ଠୁ ଆଉ ଆରୋଗ୍ୟ ହେଲାନାହିଁ। ମେରୀ ସହିତ ତାଙ୍କର ପ୍ରଥମ ଦେଖା ହୁଏ ବ୍ରାନୋର ଗୋଟାଏ ହାସପାତାଳରେ,ମେରୀ ସେଠି ଥିଲା ନର୍ସ;ତାଠାରୁ ଜୋସେଫ୍ ଆଠ ବର୍ଷ ବଡ଼,ଏକ ଅଶାନ୍ତିପୂର୍ଣ୍ଣ ଦାମ୍ପତ୍ୟଜୀବନ ସେ ସେତେବେଳେ ପରିତ୍ୟାଗକରି ଆସିଛି।ଏଇ ଦୀର୍ଘକାୟ ରେଳବାଇ କିରାନୀ ଆଉ ସ୍ତ୍ରୀ ଲୋକଟି ଜଡ଼ିତ ହୋଇପଡ଼ିଲେ ଏପରି ଏକ ବନ୍ଧନରେ ଯାହାକୁ ସାଧାରଣ ଭାବରେ ନିଷିଦ୍ଧ ବୋଲି କହିବାକୁ ହେବ।
ମୋର ଧରାହେବାର କିଛିଦାନ ପରେ ସ୍ବାମୀ ଧରାପଡ଼ିଲା।ତାକୁ ଏଠାରେ ଦେଖି ମୁଁ ପ୍ରଥମେ ଭୟ କରୁଥିଲି। ସେ ଯଦି କହିଦିଏ,କେତେ କ୍ଷତି ହେବ ଆମ୍ଭମାନଙ୍କର। କିନ୍ତୁ ସେ କହିଲାନାହିଁ। ସେ ଜଣେ ବନ୍ଧୁଙ୍କୁ କେତେଖଣ୍ଡ ରାଜନୈତିକ ଇସ୍ତାହାର ପଢ଼ିବାକୁ ଦେଇଥିଲା- ସେଥିପାଇଁ ତାକୁ ଅଣା ହୋଇଥିଲା। ଇସ୍ତାହାରଠାରୁ ବେଶୀ ଦୂର ସେ ଆଗେଇ ନଥିଲା।
କିଛିଦିନ ଆଗରୁ ପାକୋନି ଆଉ ପିକ୍ସୋଭାର ଅପରିଣାମଦର୍ଶିତାରୁ ଏହି କଥା ବାହାରିପଡ଼ିଲା ଯେ ହୋନଜା ଚାନି ଭିସୁଶୀଲୋଭାର ଭଉଣୀ ସଙ୍ଗେ ବାସ କରୁଛନ୍ତି। ସେଠୁ ସେମାନେ ଜୋ ଭିସୁଶୀଲକୁ ଜେରା କରିବାକୁ ଧରି ନେଇ ଆସିଲେ , ମୋର ଗିରଫ ହେବାର ଦୁଇ ଦିନ ପରେ। ତା ପାଖରୁ ଆମ୍ଭମାନଙ୍କର କେନ୍ଦ୍ରୀୟ ପରିଷଦର ଶେଷ ସ୍ତମ୍ଭ ସମ୍ବନ୍ଧରେ କିଛି ବାହାର କରିବାକୁ ସେମାନେ ଚେଷ୍ଟା କଲେ । ତୃତୀୟ ଦିନ ସେ ଆସିଲା ୪୦୦ ନମ୍ବରକୁ , ସାବଧାନରେ ବସିଲା। କ୍ଷତ ବିକ୍ଷତ ଶରୀରରେ ବସିବାକୁ ଭୀଷଣ ବ୍ୟଥା ହୁଏ। ମୁଁ ତା ଆଡ଼କୁ ଉଦ୍ବିଘ୍ନ ଭାବରେ ଚାହିଁଲି। ଉତ୍ସାହ ଥିଲା ସେ ଦୃଷ୍ଟିରେ । ସେ ଠିକ୍ ନାସଲ୍ ଅଞ୍ଚଳ ଲୋକର ଭଙ୍ଗୀରେ ପ୍ରତ୍ୟୁତ୍ତର ଦେଲା;
‘ଯେତେବେଳେ ଅସ୍ବୀକାର କରିଛି, ସେତେବେଳେ ମୋର ପିଠିପଟଟା ଯେତେ କ୍ଷତବିକ୍ଷତ କରନ୍ତୁ ପଛକେ, ମୋଠାରୁ କିଛି ବାହାର କରି ପାରିବେନାହିଁ।’
ମୁଁ ଏହି ଦମ୍ପତିଙ୍କୁ ଜାଣିଥିଲି-ସେମାନେ ପରସ୍ପରକୁ କେତେ ଭଲ ପାଉଥିଲେ, ଦିନେ ଦି’ଦିନ ପାଇଁ ଛଡ଼ାଛଡ଼ି ହେଲେ ଦୁହେଁଯାକ କିପରି ନିଃସଙ୍ଗ ବୋଧ କରୁଥିଲେ। ବର୍ତ୍ତମାନ ତ ମାସ ମାସ ଚାଲିଯାଉଛି। ମିଜେଲ ଉପରେ ତାଙ୍କର ସେଇ ସୁନ୍ଦର ଘରେ ତାର ସ୍ତ୍ରୀ ବର୍ତ୍ତମାନ ଏକା କି ଦୁଃଖରେ ଦିନ କାଟୁଛି ମୁଁ ବୁଝିପାରୁଛି । ଏହି ବୟସରେ ନିଃସଙ୍ଗତା ଓ ମୃତ୍ୟୁଠାରୁ ତିନିଗୁଣ କଷ୍ଟକର। ଏହାର ମଧ୍ୟରେ ତାର ସ୍ବାମୀକୁ ଫେରେଇ ଆଣିବାକୁ ସେ କେତେ ଫନ୍ଦି ନ କରୁଛି। ତାହାକୁ ସେ ତାଙ୍କ ଜୀବନର ଏହି କ୍ଷୁଦ୍ର ଗାଥାମଧ୍ୟକୁ ଫେରାଇ ଆଣିବାକୁ ଚାହେଁ, ସେମାନେ ଏଠାରେ ଥଟ୍ଟାରେ ପରସ୍ପରକୁ ଛୋଟ ବାବା ଆଉ ଛୋଟ ମା ବୋଲି ଡକାଡକି ହୁଅନ୍ତି। କିନ୍ତୁ ସେ ଚଳିବାକୁ ଗୋଟାଏ ବାଟ ପାଇଛି ଗୋପନ ଆନ୍ଦୋଳନର କର୍ମପନ୍ଥା,ଦୁଇ ଜଣଙ୍କର କାମ ସେ ଏକାକୀ କରୁଛି।
୧୯୪୩ ସାଲ ନୂତନ ବର୍ଷର ପୂର୍ବ ଦିନ ସ ଏକାକିନୀ ଟେବୁଲ ପାଖରେ ବସିଲା। ସ୍ବାମୀ ତାର ଯେଉଁଠି ବସନ୍ତି ସେଠି ଥିଲା ତାଙ୍କର ଛବି। ରାତି ଅଧ ହେଲାରୁ ସେ ଶୂନ୍ୟ ଆସନରେ ସାମନାରେ ରଖାଯାଇଥିବା ଗିଲାସ ସଙ୍ଗେ ନିଜ ଗିଲାସ ଟିକିଏ ଛୁଆଁଇଦେଇ ସ୍ବାସ୍ଥ୍ୟ-ପାନ କଲା ପରେ ସ୍ବାମୀ ଉଦ୍ଦେଶ୍ୟରେ-କାମନା କଲା ସ୍ବାମୀଙ୍କର ପ୍ରତ୍ୟାବର୍ତ୍ତନ-ସ୍ବାମୀ ଯେପରି ସାଧୀନତା ଲାଭ ପର୍ଯ୍ୟନ୍ତ ବଂଚି ରହିବେ ଏଇଥିଲା ତାର ସବୁଠୁ ବଡ଼ କାମନା।
ମାସକ ପରେ ସେ ବି ଗିରଫ ହେଲା। ୪୦୦ନମ୍ବରର ଆମେ ଅନେକେ ଟିକିଏ ବିଚଳିତ ହୋଇପଡ଼ିଲୁଁ କାରଣ ତାରି ମଧ୍ୟସ୍ଥତାରେ ଆମେ ବାହାର ସଙ୍ଗେ ଯୋଗାଯୋଗ ସ୍ଥାପନ କରୁଥିଲୁଁ ।
ଗୋଟିଏ କଥା ବି ସେ ଖୋଲି ନାହିଁ।
ସେମାନେ ତାକୁ ମାରିଲେ ନାହିଁ। ସେ ସେତେବେଳେ ଏତେ ଅସୁସ୍ଥ ଯେ ବାଡ଼ିଆ ଖାଇଥିଲେ ସେ ମରି ଯାଇଥାନ୍ତା। କିନ୍ତୁ ଆହୁରି କୁତ୍ସିତତର ଥିଲା ତା ପ୍ରତି ନିର୍ଯ୍ୟାତନା ତାର କଳ୍ପନା ଖେଳାଇ।
ତାର ଗିରଫର କିଛିଦିନ ପରେ ତାର ସ୍ବାମୀକୁ ପୋଲାଣ୍ଡ ଚାଲାଣ କରାହେଲା କାମ କରିବାକୁ। ଏଥର ସେମାନେ କହିଲେ, “ଦେଖ, ସୁସ୍ଥ ମନୁଷ୍ୟ ପକ୍ଷରେ ବି କି ଦୁଃଖମୟ ସେ ଜୀବନ! ତୁମର ସ୍ବାମୀତ ପଙ୍ଗୁ । ଏ ଭିଡ଼ ଖଟଣି ସେମାନେ ସମ୍ଭାଳି ପାରିବେ ନାହିଁ। ସେ ସେଠି ନିଶ୍ଚୟ ମରିଯିବ। ତୁମେ ଆଉ ତାକୁ ଦେଖିପାରିବ ନାହିଁ। ତା ପରେ ଏ ବୟସରେ ଆଉ କୁଆଡ଼େ ଯିବ ସ୍ବାମୀ ଖୋଜିବାକୁ । ଅବୁଝା ହୁଅନାହିଁ,କଣ ଜାଣ କହିଦିଅ। ଆମେ ତୁମକୁ ସଙ୍ଗେ ସଙ୍ଗେ ତୁମର ସ୍ପାମୀଙ୍କୁ ଫେରାଇ ଦେବୁ। ‘ ମୋର ଜୋ, ବିଚାର ଜୋ ସେଠି କେଉଁଠି ମରିଯିବ। କିଏ ଜାଣେ କି ରକମ ସେ ମୃତ୍ୟୁ ? ମୋର ଭଉଣୀଙ୍କୁ ସେମାନେ ହତ୍ୟା କରିଛନ୍ତି। ମୋର ସ୍ବାମୀକୁ ସେମାନେ ମାରିବେ, ଆଉ ମୁଁ ଏକା ପଡ଼ିରହିବି ,ମୃତ୍ୟୁ ପର୍ଯ୍ୟନ୍ତ ଏକା। ଏ ବୟସରେ ଆଉ କାହାକୁ ମୁଁ ପାଇବି ? କିନ୍ତୁ ତାଙ୍କୁ ମୁଁ ବଞ୍ଚେଇ ପାରନ୍ତି। ଗୋଟିଏ ମୂଲ୍ୟ ବିନିମୟରେ ସେମାନେ ତାଙ୍କୁ ଫେରାଇଦେବେ। ନା,ନା, ନା, ନା,ସେ ଦାମ ଦେଲେ ମୁଁ ତ ଆଉ ରହିବି ନାହିଁ, ଆଉ ସେ ଭାବରେ ଯାହାଙ୍କୁ ମୁଁ ଫେରି ପାଇବି ସେ ତ ମୋର ସ୍ବାମୀ ନୁହନ୍ତି।
ସେ ଗୋଟାଏ କଥା ବି କହି ଦେଇନାହିଁ।
ସେ ବି ଦିନେ ଅଦୃଶ୍ୟ ହୋଇଗଲା ଗେଷ୍ଟାପୋର ନାମହୀନ ଚାଲାଣ ଭିତରେ । ଆଉ ତାର ଅଳ୍ପଦିନ ପରେ ଖବର ଆସିଲା ଯେ ତାର ଜୋ ପୋଲାଣ୍ଡରେ ମରିଯାଇଛି।