ମୋର ଶେଷ ଉଇଲ
ଲାଇବ୍ରେରୀଟି ଛଡ଼ା ମୋର ଆଉ କିଛି ନଥିଲା। ଗେଷ୍ଟାପୋମାନେ ସେଇଟିକୁ ନଷ୍ଟ କରିଦେଇଛନ୍ତି।
ମୁଁ ସାଂସ୍କୃତିକ ଓ ରାଜନୈତିକ ନାନା ସମସ୍ୟାମୂଳକ, ପ୍ରବନ୍ଧ, ସାହିତ୍ୟ ଓ ନାଟକର ସମାଲୋଚନାମାନ ଲେଖିଥିଲି। ଏ ମଧ୍ୟରୁ ବେଶୀ ଭାଗ ଥିଲା ସାମ୍ବାଦିକତା । ଏହି ଲେଖା ମଧ୍ୟରୁ ଅଧିକାଂଶ ଚଳନ୍ତି ଦିନର ସମସ୍ୟା ନେଇ। ସେଦିନ ଚାଲିଯାଇଛି, ସୂତରାଂ ତାହାର ଆଉ ମୂଲ୍ୟ ନାହିଁ।କେତେଗୁଡ଼ିଏ ଜୀବନ ସହିତ ଜଡ଼ିତ। ମୋର ଆଶା ଥିଲା ଗୁସ୍ତିନା ସେଗୁଡ଼ିକ ପ୍ରକାଶ କରିବ ବର୍ତ୍ତମାନ ଆଉ ସେ ଆଶା ନାହିଁ। ତେଣୁ ମୁଁ ମୋର କମ୍ରେଡ଼ ଲାଡ଼ିଆ ଷ୍ଟଲ୍କୁ ଅନୁରୋଧ କରୁଛି, ସେ ତା ଭିତରୁ ଭଲଗୁଡ଼ିକ ବାଛି ପାଞ୍ଚଖଣ୍ଡି ବହିରେ ଭାର କରି ପ୍ରକାଶ କରିବେ।
୧। ରାଜନୈତିକ ପ୍ରବନ୍ଧ ଓ ଆଲୋଚନା।
୨ । ଦେଶର ଘଟନାବଳୀ ସମ୍ବନ୍ଧରେ ବିବରଣ।
୩। ସୋଭିଏତ୍ ୟୁନିଅନର କଥା।
୪ ଓ ୫। ସାହିତ୍ୟ ଓ ନାଟକ ସମ୍ବନ୍ଧରେ ଗବେଷଣା ଓ ଆଲୋଚନା।
ଏଗୁଡ଼ିକରୁ ଅଧିକାଂଶ ‘ଭେରବା’(ସୃଜନୀ ସାହିତ୍ୟ), ‘ରୁଦେ ପ୍ରଭା’(ସାମ୍ୟବାଦର ଅଧିକାର)ରେ ମିଳିପାରିବ। ଅନ୍ୟଗୁଡ଼ିକ କମେନ୍, ପ୍ରାମେନ୍, ପ୍ରୋଲେକାଲ୍ଟ, ଦୋବା, ଦି ସୋସିଏଲିଷ୍ଟ, ଆଭାନ୍ତଷ୍ଟାର୍ଡ ଏବଂ ଅନ୍ୟାନ୍ୟ ସାହିତ୍ୟିକ ଓ ରାଜନୀତିମୂଳକ ପତ୍ରିକାରେ ମିଳିବ।
କୁଲିୟାସ ଦେୟାର ସମ୍ବନ୍ଧରେ ଯେଉଁ ଗବେଷଣା କରିଥିଲି, ତାର ପାଣ୍ଡୁଲିପି ଜିରଗାଲେଙ୍କ ନିକଟରେ ଅଛି ପ୍ରକାଶକ ହିସାବରେ ତାଙ୍କ ସାହସ ନିମିତ୍ତ ତାଙ୍କୁ ମୁଁ ଭଲପାଏଁ । ଜର୍ମାନ ଅଧିକାର ବେଳେ ସେ ମୋର ‘ବୋଦେନା ନେମ୍କେଭା’ ପ୍ରକାଶ କରିଥିଲେ। ସାବିନ୍ ଓ ଜାନ୍ ନେରୁଦା ସମ୍ବନ୍ଧରେ କିଛି ଲେଖା ଲୁଚା ହୋଇଥିଲା ଯେଉଁ କୋଠାରେ ଜେଲିନେକ୍, ଭିସୁଲିସ୍ ଓ ସୂଚନିକମାନେ ରହୁଥିଲେ। ତାଙ୍କ ଭିତରୁ ଅଧିକାଂଶ ମରିଗଲେଣି।
ଚଳନ୍ତି ଯୁଗ ନେଇ ଗୋଟାଏ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲି। ମୋର ପିତାମାତାଙ୍କ ନିକଟରେ ତାର ଦୁଇଟି ପରିଚ୍ଛେଦ ଅଛି, ଆଉ ଗୁଡ଼ିକ ବୋଧହୁଏ ନଷ୍ଟ ହୋଇଯାଇଛି । ଗେଷ୍ଟାପୋ ଫାଇଲ୍ କାଗଜପତ୍ର ମଧ୍ୟରେ ମୋର କେତେକ ଗଳ୍ପର ପାଣ୍ଡୁଲିପି ଦେଖୁଛି।
ସାହିତ୍ୟର କେହି ଆଗାମୀ ଐତିହାସିକଙ୍କ ହସ୍ତରେ ଦେଇଗଲି ଜାନ ନେରୁଦାଙ୍କ ପ୍ରତି ମୋର ଶ୍ରଦ୍ଧା। ସେ ଆମ୍ଭମାନଙ୍କର ଶ୍ରେଷ୍ଠ କବି; ତାଙ୍କ ଦୃଷ୍ଟି ଆମ ଅପେକ୍ଷା ବହୁଦୂର ଭବିଷ୍ୟତକୁ ପ୍ରସାରିତ। ତାଙ୍କ ସମ୍ବନ୍ଧରେ ଏପରି କୌଣସି ଆଲୋଚନା ହୋଇନନହିଁ ଯଦ୍ଦ୍ବାରା ତାଙ୍କୁ ଉପଲବ୍ଧ କରାଯିବ ବା ତାଙ୍କର ମୂଲ୍ୟ ନିର୍ଦ୍ଧାରଣ କରାହେବ। ସର୍ବହରାର କବି ହିସାବରେ ତାର ଛବି ଏ ପର୍ଯ୍ୟନ୍ତ ଅଙ୍କା ହୋଇନାହିଁ। ସେ ସ୍ମିଚେଭ୍ର ଏକ ପ୍ରାନ୍ତରେ ଜନ୍ମ ହୋଇଥିଲେ। ସ୍ମିଚେଭ୍ ଶ୍ରମଜୀବୀ ଜନତାରର ଏକ ସ୍ଥଳୀ । ତାଙ୍କର ‘କବରର ଫୁଲ ’ଲାଗି ମାଲମସଲା ଯୋଗାଡ଼ କରିଥିଲେ ରିଂହଫାର ମିଲର ପରିପାର୍ଶ୍ବରୁ। ସେଇ ପଟ୍ଟଭୂମିକା ବ୍ୟତୀତ ‘କବରର ଫୁଲ’ରୁ ‘୧୮୯୦ ମେ ପହିଲା ’ର କବି ନେରୁଦାଙ୍କୁ ବୁଝିବା କଷ୍ଟକର। ଅଧିକାଂଶ ଲୋକ ଏପରିକି ଶାଲଦାଙ୍କ ପରି ବିଚକ୍ଷଣ ସମାଲୋଚକ ପର୍ଯ୍ୟନ୍ତ ମନେକରନ୍ତି ଯେ, ତାଙ୍କର ସାମ୍ବାଦିକତା ତାଙ୍କର କବିତା-ଲେଖା ପଥରେ ଅନ୍ତାରାୟ ହୋଇଥିଲା। ଏ ବାଜେ କଥା । ନେରୁଦା ସାମ୍ବଦିକ ଥିଲେ ବୋଲି ତାଙ୍କ ପକ୍ଷରେ ‘ଗାଥା’, ‘ସନେଟ୍’, ‘ଶୁକ୍ରବାରର ସ୍ତୋତ୍ର’ ଏବଂ ‘ସହଜ ସୂର’ ପରି ବିଖ୍ୟାତ ରଚନା ସମ୍ଭବ ହୋଇଛି। ସାମ୍ବଦିକତା କ୍ଳାନ୍ତିକାର ଓ ମଣିଷକୁ ଲକ୍ଷ୍ୟଚ୍ୟୁତ କରେ, କିନ୍ତୁ ପାଠକ ସହିତ ତାହା ସ୍ଥାପନ କରେ, ପ୍ରତ୍ୟକ୍ଷ ଯୋଗ। କବିତା ସୃଷ୍ଟି କରିବାକୁ ଶିଖାଏ- ତେବେ ନେରୁଦାଙ୍କ ପରି ସଚ୍ଚୋଟ ସାମ୍ବାଦିକ ହେବା ଦରକାର। ସମ୍ବାଦପତ୍ର ଲେଖି ଜାନ ନେରୁଦା ମୋଟା କବିତା ବହି ଲେଖି ପାରିଥାନ୍ତେ, କିନ୍ତୁ ଶତାବ୍ଦୀ ଶତାବ୍ଦୀ ଧରି ସେ କବିତା ବଞ୍ଚି ରହି ନଥାନ୍ତା। ବର୍ତ୍ତମାନ ଯେ କେହି ‘ସାବିନା’ ଲେଖା ପରିସମାପ୍ତ କରିପାରେ, ଏଥିରେ ତାର ଶ୍ରମ ସାର୍ଥକ ହେବ ନିଶ୍ଚୟ।
ମୋ ପ୍ରତି ପିତାମାତାଙ୍କର ଭଲ ପାଇବା ଓ ସେମାନଙ୍କର ସହଜ ଓ ସରଳ ଜୀବନଯାପନର ଉଦାରତା ବିବେଚନା କରି ମୁଁ ଇଚ୍ଛା କରୁଥିଲି ସେମାନଙ୍କର ଶେଷ ଜୀବନ କିପରି ସୁଖମୟ ରହିବ। ଏହି ସଂକଳ୍ପ ମୋର ଅଧିକାଂଶ ରଚନାକୁ ସାର୍ଥକ କରିଥିଲା । ମୁଁଚାହେଁ, ମୁଁ ଚାଲିଗଲେ ସେମାନଙ୍କର ଜୀବନରେ ଯେପରି ବିଷାଦ ମେଘ ଘୋଟି ନ ଆସେ।‘ଶ୍ରମିକ ମରଣଶୀଳ ’ କିନ୍ତୁ ତାର ଶ୍ରମର ଫଳ ବଞ୍ଚି ରହେ, ଆଉ ମୁଁ ସେହିମାନଙ୍କର ଚିରସଙ୍ଗୀ ହୋଇ ରହିବ, ସେହିମାନଙ୍କର ପରିମଣ୍ଡଳର ଆଲୋକ ଓ ଉଷ୍ଣତା ମଧ୍ୟରେ ।
ମୋର ଭଉଣୀ ଲିବା ଆଉ ଭେରାଙ୍କ ନିକଟରେ ମୋର ଅନୁରୋଧ, ଆମ ପରିବାରରେ ଆଜି ଯେଉଁ ଶୂନ୍ୟତା ଆସି ପହଞ୍ଚିଲା; ଯେପରି ତାଙ୍କର ହସ ଆଉ ଗୀତ ଦ୍ବାରା ସେ ଶୂନ୍ୟତା ପୂର୍ଣ୍ଣ କରିଦେଇ, ବାପା ଓ ମା’ଙ୍କୁ ଭୁଲାଇ ରଖିବାକୁ ଚେଷ୍ଟା କରିବେ। ସେମାନେ ଯେତେବେଳେ ପେଚେକ୍ ବିଲ୍ଡିଂରେ ମୋତେ ସାକ୍ଷାତ କରିବାକୁ ଆସିଲେ ବହୁତ ଅଶ୍ରୁପାତ କରିଥିଲେ, କିନ୍ତୁ ତାଙ୍କ ହୃଦୟରେ ଆନନ୍ଦ ମଧ୍ୟ ଥିଲା ଏବଂ ସେଥିଯୋଗୁଁ ତ ଆମେ ପରସ୍ପରକୁ ଏତେ ଭଲପାଉଁ। ସେମାନେ ସେମାନଙ୍କର ଚତୁର୍ଦ୍ଦିଗରେ ଆନନ୍ଦ ବିତରଣ କରି ଚାଲିଛନ୍ତି-ସେମାନଙ୍କର ଆନନ୍ଦ ଯେପରରି କୌଣସି କାରଣରୁ ନ୍ୟୂନ ନହୁଏ। ଏହି ଶେଷ ସଂଗ୍ରାମରେ ଆଜି ଯେଉଁମାନେ ରତ, ସେମାନଙ୍କର ପ୍ରତ୍ୟେକଙ୍କର ମୁଁ କରମର୍ଦ୍ଦନ କରୁଛି, ଆଉଆମ ପରେ ଯେଉଁମାନେ ଆସିବେ ତାଙ୍କ ଲାଗି ମୁଁ ହସ୍ତ ପ୍ରସାରଣ କରୁଛି ମଧ୍ୟ। ଗୁସ୍ତିନା ଆଉ ମୋର ହାତ ସେମାନେ ମୁଠାରେ ଚାପି ଧରିବେ- ଆମେ ଆମର କର୍ତ୍ତବ୍ୟ କରିଛୁଁ ବୋଲି।
ପୁନର୍ବାର କହୁଛି ଆମେ ଜୀବନଯାପନ କରିଛୁଁ ଆନନ୍ଦରେ-ତାହାରି ପାଇଁ ସଂଗ୍ରାମରେ ଅଗ୍ରସର ହୋଉଛୁଁ। ଆଉ ତାହାରି ପାଇଁ ପ୍ରାଣ ଦେଇଛୁଁ। ଆମର ନାମ ସଙ୍ଗରେ ଦୁଃଖ ଯେପରି ଜଡ଼ିତ ନ ରହେ।
ମେ ୧୯, ୧୯୪୩ ଜେ: ଏଫ୍: