ରାଜନୀତି ଆଉ ଆମେ




ଗାନ୍ଧିବାଦ

        ଧନୀ ଓ ଗରିବ… ସମାଜ ଏହିପରି ଦୁଇଟି ଭାଗରେ ବିଭକ୍ତ ହୋଇଯାଇଛି। ଅଧିକାଂଶ ଗରିବ…ତେଣୁ ସମାଜରେ ମଣିଷର ଜୀବନ ବଡ଼ ଜଞ୍ଜାଳିଆ ହୋଇଯାଇଛି…ମଣିଷର ପ୍ରକୃତି ବି ଖରାପ ହୋଇଯାଉଛି। ସାମ୍ୟବାଦ ଏ ସମସ୍ୟାକୁ ତୁଟାଏ,ସମସ୍ତଙ୍କୁ ସମାନ ଧନ ଦେଇ। ଏଇ ବାଣ୍ଟିବା ଲାଗି ଟାଣୁଆ ସରକାରୀ ବ୍ୟବସ୍ଥା ଲୋଡ଼ା ବି। ଗାନ୍ଧିଜୀ ଅନ୍ୟ ଗୋଟିଏ ଉପାୟରେ ଅବସ୍ଥା ସୁଧାରିବା ଲାଗି ବାଟ ଦେଖାନ୍ତି…ଯାହାକୁ କହନ୍ତି ଗାନ୍ଧିବାଦ।

         ଆମେ ଦେଖୁଥାଇଁ,କଳଦେଶରେ ଚାଲୁ ହେବା ପରେ ପରେ ସମାଜରେ ପୁଞ୍ଜିପତିମାନଙ୍କର ଦୌରାତ୍ମ୍ୟ ବଢ଼ିଗଲା…ସେମାନେ କଳ ଜରିୟାରେ ଅନ୍ୟମାନଙ୍କଠାରୁ ଧନ ଶୋଷିନେଲେ। ଫଳରେ ପୁଞ୍ଜିବାଦର ବିଷ ସାରା ଦେଶରେ ଦାରିଦ୍ର୍ୟ ବିଛାଇ ଦେଇଛି, ନାନା ଅସୁବିଧା, ନୀଚ ଓ ହୀନ ଭାବ ସମାଜ ଭିତରେ ପଶି ଯାଇଛି। ଏଥିପୂର୍ବରୁ ଥବା ସମାଜରେ ଜୀବନରେ ଶାନ୍ତି ଥିଲା, ସନ୍ତୋଷ ଥିଲା, ମଣିଷର ଏ ହୀନ ଅବସ୍ଥା ହୋଇ ନଥିଲା। ରାଜ୍ୟ ଓ ସାମନ୍ତମାନଙ୍କ ଶୋଷଣକୁ ବାଦ୍‌ ଦେଲେ ଲୋକଙ୍କ ଜୀବନରେ ହର୍ଷ ଓ ସରସତା ଥିଲା।

         ଗାନ୍ଧିଜୀ ତେଣୁ କଳର ବିରୋଧ କରନ୍ତି…ସେ ସମାଜକୁ ପୁଣି ସେହି ଅରଟ, କୁଟୀରଶିଳ୍ପ ଯୁଗକୁ ଫେରାଇ ନେବାକୁ ଚାହାନ୍ତି। ମଣିଷ ଯେବେ ଆଗକାଳିଆ ଉପାୟରେ ତାର ଜୀବିକା ଅର୍ଜନ କରେ, ତାର ରୋଜଗାର ହେବ ଅଳ୍ପ। ତହିଁରୁ ତାହାର ଖର୍ଚ୍ଚ ଯାଇ ବଳିବ ଖୁବ୍‌ କମ୍‌। କାହାରି ହାତରେ ଅଧିକ ପୁଞ୍ଜି କମିବ ନାହିଁ କିମ୍ବା କେହି ଅତି ବେଶି ଅଭାବରେ ପଡ଼ିବ ନାହିଁ। ଏହି ଉପାୟରେ ସମାଜରୁ ପୁଞ୍ଜିବାଦର ଅବିଗୁଣ ଦୂର ହୋଇଯିବ। ସମସ୍ତଙ୍କର ଅବସ୍ଥା ପ୍ରାୟ ସମାନ ହୋଇଯିବ। ଏହାକୁ ତେଣୁ ଅନ୍ୟ ଏକ ପ୍ରକାରର ସାମ୍ୟବାଦ କୁହାଯାଇପାରେ। ଏଠି ଧନ ସମାନ ଭାବରେ ବାଣ୍ଟିବାଲାଗି ସରକାରୀ କଳ ଲୋଡ଼ାହୁଏନାହିଁ, ତା ଛାଏଁ ଛାଏଁ ସମାନ ହୋଇ ବଣ୍ଟା ହୋଇଯାଏ।

          କଳରେ କାମ କଲେ ନିଜର ବିଦ୍ୟାବୁଦ୍ଧି ଦେଖାଇବାର ସୁଯୋଗ ନାହିଁ। କଳଗୁଣେ ଜିନିଷ ତିଆରି ହୁଏ। ହଜାରେ ତନ୍ତୀ ଯେଉଁ ହଜାରେ ଭଳି ଲୁଗା ବୁଣି ଥାନ୍ତେ ତାହା କଳରେ ମିଳେ ନାହିଁ; ସବୁ ଏକାଭଳି ।ଏହାଦ୍ବାରା ମଣିଷ କଳର ଅଧୀନ ହୋଇଗଲା। ଜିନିଷ ଗଢ଼ିବାରେ ମଣିଷ ତାର ବୁଦ୍ଧି ଓ କୌଶଳ ଯାହା ଦେଖାଇ ପାରୁଥିଲା, କଳର ମୂଲିଆ ହେଲାଠୁଁ ତା ଲୋପ ପାଇଲା। ଗାନ୍ଧିବାଦ ଏହାର ବିରୋଧ କରେ…ବ୍ୟକ୍ତିତ୍ବର ବିକାଶ ଲାଗି।

          ଆଗେ ଉତ୍ପାଦନ ସାରା ଦେଶରେ ବିଛୁଡ଼ି ହୋଇପଡ଼ିଥିଲା। ପ୍ରତି ଗାଁ କିଛି କିଛି ଜିନିଷ ଆମଦାନି କରୁଥିଲା, ତାହାର ଦରକାରକୁ ଚାହିଁ। ଲୋକେ ଆଉ ଏବଭଳି କଳକୁ ଅନାଇ ବସିରହିଥିଲେ। ପ୍ରତ୍ୟେକ ଗାଁ ତାର ନିଜ ଗୋଡ଼ରେ ଛିଡ଼ା ହେଉଥିଲା,ଶିଳ୍ପବିପ୍ଳବ ପରେ ଉତ୍ପାଦନ ହେଲା ବଡ଼ ବଡ଼ ଶିଳ୍ପକେନ୍ଦ୍ରରେ;ଗାଁଗହଳର ଶିଳ୍ପ ଲୋପ ପାଇଗଲା, ଗାଁରୁ ଲୋକ ଆସି ବଡ଼ ବଡ଼ ସହର ଗଢ଼ିଲେ, ସେଠି ଲୋକ ଗହଳିହେଲା। ଏହାଦ୍ବାରା କେତେଗୁଡ଼ିଏ କଳ ଉପରେ ଦେଶର ଉତ୍ପାଦନ ଶକ୍ତି ନିର୍ଭର କଲା, ଲୋକଙ୍କର ସ୍ବାସ୍ଥ୍ୟ ଭାଙ୍ଗି ପଡ଼ିଲା…ନାନା ଅସୁବିଧା ଘଟିଲା।

          ଏହି ଅସୁବିଧା ଦୂର କରିବାକୁ ଗାନ୍ଧିଜୀ ଆଗକାଳିଆ ଉତ୍ପାଦନର ଆଶ୍ରାକୁ ଅବଲମ୍ବନ କରିବା ଲାଗି ପ୍ରଚାର କରୁଥିଲେ। ଗାନ୍ଧିବାଦରେ କଳକାରଖାନାକୁ ଉଠାଇ ଦେବାକୁ ପଡ଼ିବ ରାଷ୍ଟ୍ରର ଆଇନ ବଳରେ । ଅବଶ୍ୟ କେତୋଟି ଶିଳ୍ପ, ଯଥା, ରେଳବାଇ, ଟେଲିଫୋନ୍‌ ଓ ତାର ଆଦି ବିଷୟ ଉଠାଇ ଦିଆଯିବ ନାହିଁ। ଏହି ଶିଳ୍ପଗୁଡ଼ିକ ସରକାରୀ ହେବା ଉଚିତ ବୋଲି ତାଙ୍କ ମତ।

          ଗାନ୍ଧିବାଦ ଉପରେ ଯେବେ ସମାଜ ଗଢ଼ାଯାଏ, ପୁଞ୍ଜିବାଦର ଅବିଗୁଣ ଗୁଡ଼ିକ ଅନେକ ପରିମାଣରେ ହ୍ରାସ ପାଇବ ନିଶ୍ଚୟ…ଲୋକମାନଙ୍କ ଭିତରେ ସାମ୍ୟ ପ୍ରତିଷ୍ଠା ହେବ। ସାମ୍ୟବାଦରେ ପ୍ରତ୍ୟେକ ଲୋକର ବୁଦ୍ଧି ଓ କୌଶଳକୁ ଯେପରି ବାଦ୍‌ ଦେବାକୁ ପଡୁଛି, ତା ସେଠି ନଥିବ। ପୁଣି ସାମ୍ୟବାଦର ଯେପରି ବିରାଟ ସରକାରୀ ସଂଗଠନ ଦରକାର ରାଜ୍ୟ ଯାକର ସମସ୍ତଙ୍କୁ ଧନ ସମାନ କରି ବାଣ୍ଟିବା ଲାଗି, ଗାନନ୍ଧିବାଦରେ ତା ଦରକାର ପଡ଼ିବ ନାହିଁ। ହେଲେ ଗାନ୍ଧିବାଦକୁ କାମରେ ପରିଣତ କଲେ ପୁଞ୍ଜିବାଦର ଅବିଗୁଣ ସହିତ ତାହାର ଭଲ ଗୁଣଗୁଡ଼ିକ ବି ଲୋପ ପାଇଯିବ।

            କୁଟୀର ଶିଳ୍ପରେ କେତେକ ଅସୁବିଧା ଅଛି, ଖାଲି ଗଣ୍ଡେ ଖାଇବା ଖଣ୍ଡେ ପିନ୍ଧିବା ଲାଗି ମଣିଷକୁ ସାରାଦିନ ମିହନ୍ତ କରିବାକୁ ପଡ଼େ। ପେଟପାଟଣାରେ ହିଁ ମଣିଷର ଯାବତ ସମୟ କଟିଯାଏ।ତେଣୁ ଚଷା, କମାର, ତନ୍ତୀ…ଏମାନଙ୍କ ଜୀବନରେ ଆଉ ଅନ୍ୟ ବିଦ୍ୟାର ଆଲୋଚନା ନଥାଏ। କଳ ସାହାଯ୍ୟରେ ମଣିଷ ତାର ଦରକାରୀ ଜିନିଷ ଗୁଡ଼ିକ ଅଳ୍ପ ସମୟ ମଧ୍ୟରେ କରିଥାଏ। ତନ୍ତୀ ଦଶଖଣ୍ଡ ଲୁଗା ବୁଣିବା ଲାଗି ମାସେ ନେଲାବେଳକୁ କଳ ସାହାଯ୍ୟରେ ତାହା ଘଣ୍ଟାଏ ଦୁଇଘଣ୍ଟା ମଧ୍ୟରେ ହୋଇଯାଏ। ଏହାଦ୍ବାରା ମଣିଷ ପାଏ ବଳକା ସମୟ…ଜୀବନକୁ ଉପଭୋଗ କରିପାରିବ। କଳ ସାହାଯ୍ୟରେ ମଣିଷର ସଭ୍ୟତା ଆଗେଇଛି ନିଶ୍ଚୟ…ମଣିଷର ଶକ୍ତି ବଢ଼ିଛି, ମଣିଷ ତାର ବହୁ ଅଭାବ ଅଳ୍ପକେ ଦୂର କରିପାରିଛି। କଳକୁ ବର୍ଜନ କରିବା ଅର୍ଥ ମଣିଷକୁ ପୁଣି ଅନ୍ଧାରି ଯୁଗକୁ ଫେରାଇ ନେବା।

            ଗାନ୍ଧିବାଦରେ ଅନ୍ୟ ଗୋଟିଏ ଅସୁବିଧା ଅଛି।  ଯେବେ ସାରା ପୃଥିବୀ ଏହି ନୀତି ଗ୍ରହଣ ନ କରେ କୌଣସି ଗୋଟିଏ ଦେଶ ଏହା ଗ୍ରହଣ କେବଳ କ୍ଷତିଗ୍ରସ୍ତ ହେବ। ଅନ୍ୟ ଯେଉଁ ଦେଶମାନେ କଳ ପ୍ରତିଷ୍ଠା କରି ପୁଞ୍ଜିବାଦ ଉପରେ ସେମାନଙ୍କର ସମାଜ ଗଢ଼ିବେ, ସେମାନେ ବେଶି ଧନୀ ହେବେ, ଚାହିଁଲେ କଳ ନଥିଲା ଦେଶକୁ ଗ୍ରାସ କରିଯିବେ, ଭାରତକୁ ଇଂଲାଣ୍ଡ ଦଖଲ କରି ତାର ସାମ୍ରାଜ୍ୟ ଗଢ଼ିଲା ଭଳି । ପୁଣି କେତେକ ପୁଞ୍ଜିବାଦୀ ସରକାର ଗାନ୍ଧିବାଦୀ ସରକାରଙ୍କୁ ଲୋପ କରି ସେମାନଙ୍କର ଶୋଷଣ ଚଳାଇବେ।

              ସାମ୍ୟବାଦ ଓ କମ୍ୟୁନିଜିମ୍‌ କଳକୁ ନିନ୍ଦା କରନ୍ତି ନାହିଁ। କଳ ମଣିଷର ସଭ୍ୟତାକୁ ଆଗେଇଛି, ମଣିଷକୁ ନୂଆ ଶକ୍ତି ଦେଇଛି ବୋଲି ସେମାନେ ଭାବନ୍ତି। ସେମାନେ ପଛକୁ ଲେଉଟିବାର ପକ୍ଷପାତୀ ନୁହନ୍ତି…ତେଣୁ ଗାନ୍ଧିବାଦରେ ସେମାନଙ୍କର ଆସ୍ଥା ନାହିଁ। ଅପରପକ୍ଷରେ ସେମାନେ କହନ୍ତି କଳରୁ ଯେଉଁ ଅସୁବିଧା କରୁଛି, ତାହା ଦୂର କରିବା ଲାଗି ସମାଜ ଅନ୍ୟ ଉପାୟ ଖଞ୍ଜୁ।

              ଆମ ଭିତରେ କେତେକ ଅଛନ୍ତି, ଯେଉଁମାନେ ଗାନ୍ଧିବାଦରେ ସେମାନଙ୍କ ଆସ୍ଥା ଅଛି ବୋଲି ଲୋକଙ୍କୁ କହନ୍ତି। ସର୍ବସାଧାରଣରେ ତାଙ୍କର ଆସ୍ଥାକୁ ଲାଗି ସେମାନେ ଚରଖା ଧରି ସୂତା କାଟନ୍ତି ବି । ଅଥଚ ଏହିମାନେ ହିଁ ସୂତାକଳ ଓ ଲୁଗାକଳମାନ ବସାଇବା ଲାଗି ଅଂଶ କିଣିବାରେ ଆଗ!! ଏହା ସେମାନଙ୍କର ବୋକାମି ନୁହେଁ, ଅନ୍ୟମାନଙ୍କୁ ବୋକା ଭାବି ସେମାନେ ଏହା କରିବାକୁ ସାହାସ କରନ୍ତି। ସେହିଭଳି ଆଉ କେତେକ ଲୋକ ଅଛନ୍ତି ଯେଉଁମାନେ ସାମ୍ୟବାଦରେ ବିଶ୍ବାସ କରନ୍ତି ବୋଲି କହନ୍ତି। ପୁଣି ବି କହନ୍ତି ଖଦଡ଼, ଗ୍ରାମସେବା, ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟାବଳୀରେ ସେମାନଙ୍କର ଆସ୍ଥା ଅଛି। ହୁଏତ ସେମାନେ ଗାନ୍ଧିବାଦ କଣ ଓ ସାମ୍ୟବାଦ କଣ ବୁଝିନାହାନ୍ତି। ଯେବେ ବା ବୁଝିଥାନ୍ତି, ସେ ଦୁଇଟିରୁ କାହିଁରେ ତାଙ୍କର ଆସ୍ଥା ନାହିଁ। ତାଙ୍କର ଆସ୍ଥା ଅଛି କେବଳ ଧପ୍‌ପାବାଜିରେ। ସୁବିଧାବାଦୀ…ଯେତେବେଳେ ଯାହା ସୁବିଧା ତା ସେମାନେ କହନ୍ତି, ଗାନ୍ଧିଙ୍କ ଉପରେ ଆସ୍ଥା ଥିବା ଲୋକ ପାଖରେ ଗାନ୍ଧିବାଦର କାର୍ଯ୍ୟକ୍ରମ, ସାମ୍ୟବାଦରେ ଆସ୍ଥା ଥିବା ଲୋକ ପାଖରେ ସାମ୍ୟବାଦର କାର୍ଯ୍ୟକ୍ରମ ଥୋଇ ଶସ୍ତା ନେତା ବନିବା ଲାଗି ଏଗୁଡ଼ାକ କେବଳ ଗୁଡ଼ିଏ ରାଜନୈତିକ ଢ଼ମ। ସେମାନେ ଯେ ଏ ପ୍ରକାର ଦୁଇ ନାଆରେ ଗୋଡ଼ ଦେଇଛନ୍ତି, ତା ଯେବେ ନିଜେ ବୁଡ଼ି ମରିବା ଲାଗି ହୋଇଥାନ୍ତ, ତୁମ ନିଶ୍ଚୟ ସୁଖୀ ହୁଅନ୍ତ। କିନ୍ତୁ ସେମାନେ ଯେ ଚାହାନ୍ତି ଆମକୁ ବୁଡ଼ାଇ ମାରିବାକୁ।

                ଶିଳ୍ପ କେନ୍ଦ୍ରକୁ ଭାଙ୍ଗି ଗାଁକୁ ପୁନର୍ଗଠନ କରିବା…ଗାଁ ଗହଳରେ ପୁଣି ଚରଖା ଓ ତନ୍ତ ଚାଲୁ ରଖିବା,ପ୍ରତି ଗାଁରୁ ଗ୍ରାମବାସୀମାନଙ୍କର ଆବଶ୍ୟକ ଜିନିଷ ଉତ୍ପନ୍ନ କରାଇବା ହେଲା ଗାନ୍ଧିବାଦର ଉଦ୍ଦେଶ୍ୟ। ସମାଜର ଅର୍ଥନୀତି ଯେପରି ଭାବରେ ଗଢ଼ା ରାଜନୀତି ମଧ୍ୟ ସେହିପରି ହେବ। ପ୍ରତି ଗାଁ ତାର ଶାସନ କରିବ…ପଞ୍ଚାୟତ ଜରିଆରେ। କେତେଗୁଡ଼ିଏ ଗାଁ ମିଳି ପୁଣି ୟୁନିଅନ ପଞ୍ଚାୟତ ଗଢ଼ିବେ; ଗାଁ ଗାଁ ମଧ୍ୟରେ ସମ୍ପର୍କ ନେଇ ଉପୁଜିବା ବିଷୟରେ ୟୁନିଅନ ପଞ୍ଚାୟତ ସ୍ଥିର କରିବେ। ଗାଁ ପଞ୍ଚାୟତ ୟୁନିଅନ ପଞ୍ଚାୟତକୁ ସଭ୍ୟ ପଠାଇବ। ସେହିପରି ଗ୍ରାମପଞ୍ଚାୟତ, ଜିଲ୍ଲା ପଞ୍ଚାୟତ, ପ୍ରାଦେଶିକ ସଭା ଓ ରାଷ୍ଟ୍ରସଭା ଗଠିତ ହେବ। ଏହାହିଁ ସମାଜ ଲାଗି ଗାନ୍ଧିଜୀଙ୍କର ଅର୍ଥନୈତିକ ଓ ରାଜନୈତିକ ବ୍ୟବସ୍ଥା …କଳ୍ପିତ ରାମରାଜ୍ୟର ସଂଗଠନ।

 

 




+ -

© Jataayu Charitable Trust
Site designed,developed & maintained by Tekons