ରାଜନୀତି ଆଉ ଆମେ




ରଜା ମୂଲକ

 

ମଣିଷ ଯେତେବେଳେ ଛୋଟ ଛୋଟ ଦଳରେ ଥିଲା, ଭଲମନ୍ଦ ହାନିଲାଭ ବିଚାର କଲା ବେଳକୁ ସମସ୍ତେ ରୁଣ୍ଡ ହେଉଥିଲେ, ଯାହାର ଯାହା କହିବାର କଥା କହୁଥିଲେ, ଯାହା ଉଚିତ୍‌ ଭାବୁଥିଲେ କରୁଥିଲେ। ବେଳେ ବେଳେ ସେମାନଙ୍କର ଦରକାର ପଡ଼େ ଜଣେ ମୁଖିଆ…ଯୁଦ୍ଧ ଲାଗିଲା ବେଳେ, ଦଳ ଭିତରେ ବାଦ ବିବାଦ ଲାଗି କଥାଟା ନ ଛିଣ୍ଡିଲେ।

          ପହିଲେ ପହିଲେ ଦଳର ଲୋକେ ଯେବେ ଦରକାର ପଡ଼େ, ତାଙ୍କ ଭିତରୁ ଜଣଙ୍କୁ ମୁଖିଆ ବାଛୁଥିଲେ; ତାହାରି ହୁକୁମ, ତାହାରି ନିଶାପକୁ ସାରା ବୋଲି ମାନି ନେଉଥିଲେ। ଦଳ ଯେବେ ବଢ଼ିଲା, ଦଳର ସବୁ କଥା ପାଇଁ ସମସ୍ତେ ଆଉ ରୁଣ୍ଡ ହୋଇପାରିଲେନାହିଁ। ପ୍ରତିବେଳେ ଏହିପରି ମୁଖିଆ ବାଛିବା ସୁବିଧା ନ ହେଲାରୁ ଯାହାକୁ ମୁଖିଆ ବୋଲି ଦଳ ବାଛି ଦେଉଥିଲା, ସେ ମୁଖିଆ ହୋଇ ଦିନାକେତେ କାମ ତୁଲାଏ। ଅବଶ୍ୟ, ଯାହାକୁ ସବୁଠୁ ଯୋଗ୍ୟ ବୋଲି ଦଳ ଭାବୁଥିଲା, ତାକୁ ସେମାନେ ମୁଖିଆ କରି ବାଛୁଥିଲେ।

          ଇମିତି ଅନେକ ସମୟରେ ହେଲା, ମୁଖିଆ ଲଢ଼ୁ ଲଢ଼ୁ ମରିଗଲା। ସେତେବେଳେ ତ ଆଉ ସମସ୍ତଙ୍କୁ ଡାକି ସର୍ଦ୍ଦାର ବାଛିବା ପାଇଁ ବେଳ ନାହିଁ। ମରିଯିବା ଆଗରୁ ସେ ଜଣକୁ ସର୍ଦ୍ଦାର କରି ଦେଇ ଯାଏ…ଦଳ ଏହି ନୂଆ ସର୍ଦ୍ଦାରର ଆଦେଶ ମାନିଚଳେ।…କେତେ ପୁରୁଷ ପରେ ଦେଖାଗଲା, ସର୍ଦ୍ଦାର ବାଛିବା ଆଉ ଦଳ ଲୋକଙ୍କୁ ଡକା ଯାଉନାହିଁ। ପୁରୁଣା ସର୍ଦ୍ଦାର ଦଳର ଯିଏ ସବୁଠୁ ଯୋଗ୍ୟ,ତାକୁ ତା ଆନ୍ତେ ସର୍ଦ୍ଦାର କରିଦେଇ ଯାଉଛି। ସର୍ଦ୍ଦାରର ପୁଅ, ପୁତୁରା,ଭାଇ ତା ପାଖରେ ରହିଥିବାରୁ ଦଳକୁ ଚଳାଇବା ବିଷୟରେ କିଛି କାଇଦା କଦର ଶିଖିଥାଆନ୍ତି।…କିଛିକାଳ ପରେ ଦେଖାଗଲା, ସର୍ଦ୍ଦାର ମଲାପରେ ତାର ପୁଅ ଦଳର ସର୍ଦ୍ଦାର ହେଉଛି। ପୁଅ ନଥିଲେ, ତା ବଂଶର ଅପର ଜଣେ ସେ କାମ ଚଳାଉଛି। ସର୍ଦ୍ଦାରଗିରି ଏହିପରି ବାପଠୁ ପୁଅ ଗଡ଼ିଲା…ଏ ଗଡ଼ିବା ଗୋଟାଏ ପ୍ରଥା ହୋଇଗଲା। ଲୋକଙ୍କର ଧାରଣା ହେଲା ସର୍ଦ୍ଦାର ପରେ ତାର ପୁଅ ସର୍ଦ୍ଦାର ହେବାକୁ ହକ୍‌ଦାର, ତାର ସେଥିପାଇଁ ଯୋଗ୍ୟତା  ଥାଉ ନ ଥାଉ। ଏହା ଭିତରେ ସର୍ଦ୍ଦାରର ବଳ ବି ବହୁତ ବଢ଼ିଗଲାଣି। ସେ ଆଉ ଜଣେ ଲୋକ ହୋଇନାହିଁ। ଇଜମାଇଲ କାମ ପାଇଁ ସେ କର ଆଦାୟ କରୁଛି। ଆଦାୟ ହେଉଥିବା କରରୁ କିଛି ଖଟେଇ ରାଜ୍ୟ ରକ୍ଷା ପାଇଁ ସେ ପାଇକ ରଖିଛି। ପାଇକଙ୍କର ଲୋକଙ୍କ ସହିତ ସମ୍ବନ୍ଧ ନାହିଁ। ସେମାନେ ସର୍ଦ୍ଦାରଠୁ ପାଆନ୍ତି ତାଙ୍କର ଭତ୍ତା, ଜାଗିରି। ସେମାନେ ସର୍ଦ୍ଦାରର କଥା ମାନି ଚଳିବାକୁ ଶିଖିଛନ୍ତି। ଯେବେ କେହି ସର୍ଦ୍ଦାର ବିରୁଦ୍ଧରେ ଉଠିଲା, ସର୍ଦ୍ଦାର ଏହି ପାଇକମାନଙ୍କୁ ଲଗେଇ ତାଙ୍କୁ ଦବେଇ ଦେଉଥିଲେ। ସର୍ଦ୍ଦାରକୁ ତଡ଼ିବା ତେଣୁ ଲୋକଙ୍କ ପକ୍ଷରେ ହେଲା କାଠିକର ପାଠ।

              ରଜାର ଉତ୍ପତ୍ତି ଏହି ଛୋଟ ଛୋଟ ସର୍ଦ୍ଦାରରୁ।ଯେଉଁ ଲୋକଙ୍କର ଶାସନ ସେ ଚଳାଏ , ସେମାନେ ହେଲେ ପ୍ରଜା; ତାଙ୍କ ରହିବା ଦେଶ ହେଲା ରାଜ୍ୟ।        

               ପହିଲେ ରଜାର କାମ ଥିଲା ରାଜ୍ୟର ଇଜମାଇଲ୍‌ କାମଗୁଡ଼ିକ ତୁଲାଇବା, ଦେଶକୁ ବାହାର ଶତ୍ରୁଠୁ ରକ୍ଷା କରିବା, ରାସ୍ତା କରିବା,ପୋଖରୀ ଖୋଳିବା ଆଦି। ରାଜ୍ୟର ଶାସନ ବୋଇଲେ ଆଉ କିଛି ନୁହେଁ…ଏହି ସବୁ କାମ ଚଳେଇବା।ଏହି ସବୁକାମ ଲାଗି ଲୋକେ ରାଜାକୁ କର ଦେଉଥିଲେ ।ଯେଉଁ ମାନେ ସଚ୍ଚା ହୋଇ କାମ କଲେ,ସେମାନେ ପ୍ରଜାଙ୍କ ଖଜଣା ତାଙ୍କରି ହିତରେ ଖର୍ଚ୍ଚ କଲେ। କେବେ କିନ୍ତୁ ପ୍ରଜାଙ୍କଠୁ ଖଜଣା ଆଦାୟ କରି ଲୋକଙ୍କ ପାଇଁ ସେ ସବୁ ଲଗାନ୍ତି ନାହିଁ; ନିଜ ପାଇଁ ବ୍ୟୟ କରି ଦିଅନ୍ତି। ଆପଣା ପାଇଁ ଭଲ ଉଆସଟିଏ କଲେ, ନିଜ ଶିକାର ପାଇଁ ପଚାଶ ଘର ହାତୀ ବାନ୍ଧିଲେ, ରାଣୀହଂସପୁରରେ ଆଠଶହ ମାଇକିନା ପୋଷିଲେ। ଲୋକଙ୍କର  ଇଜ୍‌ମାଇଲ ଧନକୁ ରାଜା ଏପରି ତୋଷାରପ କଲା ଲୋକଙ୍କର ହୀତରେ  ଯେଉଁ ଧନ ବ୍ୟବହାର ହେବାର କଥା,ସେଥିରେ ରାଜା ଆପଣାର ଅୟସ କଲା। ରଜା ଲୋକଙ୍କର ଇଜ୍‌ମାଇଲ୍‌ ଧନକୁ ନିଜର ଧନ ବୋଲି ଜ୍ଞାନ କଲା।ପ୍ରଜା ଯେବେ ରାଜାର ଏଭଳି ଲୁଟି କରିବାର ଅଧିକାରକୁ ପ୍ରଶ୍ନ କଲା, ରାଜା ନାନା ଭଣ୍ଡାମିର ଆଶ୍ରା ନେଲା। ଭଗବାନ ତାକୁ ରାଜା କରିଛନ୍ତି, ତାକୁ ରାଜସିଂହାସନ ଦେଇଛନ୍ତି,ତାକୁ ମର୍ତ୍ତ୍ୟର ଦେବତା କରି ପଠାଇଛନ୍ତି ,ପ୍ରଜାଙ୍କର ରାଜାଙ୍କୁ ଖାଲି ମାନିବା କଥା, ତା’ର ଅଧିକାର ବିଷୟ ସେମାନେ ପଚାରି ନ ପାରନ୍ତି ଇତ୍ୟାଦି ନାନା ମିଥ୍ୟା ପ୍ରବଞ୍ଚନା ଦ୍ବାରା ଲୋକଙ୍କୁ ଠକେଇବାକୁ ଲାଗିଲା। ରାଜା ଦାବି କଲା ରାଜ୍ୟର ମାଲିକ ସେ, ରାଜ୍ୟ ଯାକର ଧନ ତାର।

            ଏକଦିଗରେ ରାଜ୍ୟର ହଜାର ହଜାର ଲୋକ ଅନ୍ୟ ଦିଗରେ ରାଜା। ରାଜା ଏକାଏକା ଭଲା କିଭଳିଆ ସମସ୍ତଙ୍କ ମୁଣ୍ଡ ଉପରେ ଚଢ଼ି ଶାସନ ଚଳାଏ? ଏ ରାଜା ତା’ ସାଙ୍ଗକୁ ଦଳେ ଲୋକବି ରଖିଥାଏ। ପାଇକ ଆଉ ପାଇକଙ୍କ ମୁଣ୍ଡିଆଳ।ଏମାନେ ରାଜାର ନୀତିକୁ ବଜାୟ ରଖନ୍ତି,ଲୋକେ ରାଜା ବିରୁଦ୍ଧରେ ଉଠିଲେ ସେମାନେ ରାଜାଙ୍କ ପଟେ ଲଢ଼ନ୍ତି, ପ୍ରଜାଙ୍କୁ ଚପେଇ ଦିଅନ୍ତି। ରାଜା ଏମାନଙ୍କୁ ହାତରେ ରଖିଥାଏ…ଧନର ଲୋଭ ଦେଖାଇ। ଆପେ ଯେପରି ପ୍ରଜାଙ୍କର ଧନ ଲୁଟ୍‌ କରେ ପାଇକ ମୁଣ୍ଡିଆଳଙ୍କୁବି ସେହି ସୁବିଧା ଦିଏ। ରାଜା ଏମାନଙ୍କୁ ଖଣ୍ଡେ ଖଣ୍ଡେ ଇଲାକା ଖଞ୍ଜିଦିଏ, ସେମାନେ ଖଟିଖିଆ ପ୍ରଜାଙ୍କ ରୋଜଗାରରୁ ଚୌଥ ଅସୁଲ କରନ୍ତି , କର ନିଅନ୍ତି, ଆଉ ଏହି ଅସୁଲି ଖଜଣାରୁ ରାଜ୍ୟକୁ ଗୋଟେ ଅଂଶ ଦିଅନ୍ତି ତାକୁ ସଲାମି କୁହ, ଭେଟି କୁହ।ରଜା ତଳେ ଏମାନେ ହେଲେ ଛୋଟ ରଜା…ସାମନ୍ତ । ସାମନ୍ତମାନେ ବି ରଜାଙ୍କ ଭଳି ଦାବି କରନ୍ତି,ଇଲାକାର ମାଲିକ ସେମାନେ।ରଜାଙ୍କ ପୁଅ,ନାତି ଭଳି ଏମାନଙ୍କ ପୁଅ,ନାତି ବି ସାମନ୍ତ ହୁଅନ୍ତି।

            ଏହିଭଳି ରାଜ୍ୟର ଲୋକଙ୍କ ଭିତରେ ଦୁଇଟି ଦଳ ଦେଖାଗଲା। ପଟକରେ ରଜା ଓ ସାମନ୍ତ ଆଉ ପଟକରେ ରାଜ୍ୟର ଖଟିଖିଆ ପ୍ରଜା। ପ୍ରଜାମାନେ ଯାବତ ଧନ ଉପାର୍ଜନ କରନ୍ତି ମିହନ୍ତ କରି। ରଜା ଓ ସାମନ୍ତମାନେ ମୋଟେ ମିହନ୍ତ କରନ୍ତି ନାହିଁ। ପ୍ରଜାଏ ଅର୍ଜିଲା ଧନକୁ ନିଜ ହାତକୁ ନେଇ ଭୋଗ କରନ୍ତି। ପ୍ରଜା ସାଧାରଣଙ୍କ ଜୀବିକା ଅର୍ଜନ ପନ୍ଥା ଆଉ ସାମନ୍ତମାନଙ୍କ ଜୀବିକା ଅର୍ଜନ ପନ୍ଥା ନିଆରା। ସାମନ୍ତମାନେ ପ୍ରଜାଙ୍କଠୁ ଏହି ଯେ ଲୁଟି କରନ୍ତି ତା ନାନା ସ୍ଥାନ ଓ ସମୟରେ ନାନା ରୂପ ନେଇଥାଏ କେତେବେଳେ ଏହା ବର୍ଗୀମାନଙ୍କର ଲୁଣ୍ଠନ କରି ଖୋଲାଖୋଲି ଡକାୟତି, କେତେବେଳେ ଅମଳ ଫସଲରୁ ଭାଗ (ମୋଗଲ ଅମଳର ଚୌଥ)ନେଇ, କେତେବେଳେ ବା ଉତ୍ପାଦନର ଆଶ୍ରା (ଜମି,ତନ୍ତ୍ର,ଘାଟ,ବାଟ) ଗୁଡ଼ିକୁ ବ୍ୟକ୍ତିଗତ ସମ୍ପତ୍ତି କରି  ସେଥିରୁ କର ଅସୁଲ କରିବା ଦ୍ବାରା ।  ରଜା ଓ ସାମନ୍ତମାନେ ଯେଉଁ ସରକାର ଗଢ଼ିଲେ ସେଥିରେ ଏହି ଲୁଟିକୁ ସେମାନେ ଆଇନ କଲେ।  ଯେ ଭଲରେ ନଦେଲା , ତାକୁ ଶାସ୍ତି ଦେବାର ବିଧିବିଧାନ ଗଢ଼ାଗଲା। ରଜା ଓ ସାମନ୍ତ ମାନଙ୍କର ସୁଖ ସୁବିଧା ଲାଗି ରାଜ୍ୟର ଯାବତ ଆଇନ୍‌ କାନୁନ୍‌ , ପୁଲିସ୍‌ ଓ ଅଦାଲତ ଗଢ଼ାହେଲା।  ଏମାନେ ହେଲେ ଶାସକ ଗୋଷ୍ଠୀ ।

                  ଏହି ଶାସକ ଗୋଷ୍ଠୀହିଁ ଦେଶର ଅଧିକାଂଶ ସମ୍ପତ୍ତି ହସ୍ତଗତ କରି ଧନୀ ହୋଇ ପୃଥିବୀର ଯାବତୀୟ ସୁଖ ସାମଗ୍ରୀମାନ ଭୋଗ କରନ୍ତି, ଅପର ପକ୍ଷରେ ମିହନ୍ତ କଲା ଲୋକେ ଗରିବ ହୋଇ ରହନ୍ତି,ଗରିବ ହେତୁ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇ ପାରନ୍ତି ନାହିଁ, ଭଲ ଲୁଗା ଖଣ୍ଡେ ପିନ୍ଧାଇ ପାରନ୍ତି ନାହିଁ, ପରିଷ୍କାର ପରିଚ୍ଛନ୍ନ ହୋଇପାରନ୍ତି ନାହିଁ, ମୂର୍ଖ,କୁତ୍ସିତ ଅଶ୍ଳୀଳ ଜୀବନ ତାଙ୍କର ହେବା ସ୍ବାଭାବିକ।  ଏମାନଙ୍କୁ ଜନତା ବୋଲାଯାଏ।

                   ଶାସକ ଗୋଷ୍ଠୀ ହାତରେ ଧନ ଥିବାରୁ କେତେକ ଲୋକ ଏହିମାନଙ୍କୁ ସ୍ତୁତି କରିବା ଆରମ୍ଭ କରି ଦିଅନ୍ତି, ସେମାନଙ୍କ ସାମାଜିକ ବ୍ୟବସ୍ଥା ଆଦର୍ଶ ବ୍ୟବସ୍ଥା, ତାହା ସ୍ବୟଂ ଭଗବାନ କରୁଛନ୍ତି, ତାହା ଚିରକାଳ ରହିଥିବ ଆଦି ସ୍ତୁତିମୂଳକ କଥାମାନ କହି ସେମାନେ ଏକଦିଗରେ ଶାସକଗୋଷ୍ଠୀକୁ ସନ୍ତୁଷ୍ଟ ରଖନ୍ତି, ଅପର ଦିଗରେ ଜନତାର ଅସନ୍ତୋଷ ନିଆଁକୁ ଲିଭାଇ ଦିଅନ୍ତି।ଜନତା ଭାଗ୍ୟ ଓ ଭଗବାନର କାହାଣୀ ଉପରେ ବିଶ୍ବାସ କରି ନିଜ ଦୁଃଖର କାରଣ ଅନୁସନ୍ଧାନ କରେ ନାହିଁ…ଭାଗ୍ୟ ଆଦରି ପଡ଼ିରହେ।ଜନତା ଯେ ପୃଥିବୀରୁ ସବୁ ସୁଖ ଶାନ୍ତିରୁ ବଞ୍ଚିତ ହେଉଚି, ସେଥିରେ ସେମାନଙ୍କୁ ସ୍ବାନ୍ତନା ଦିଆଯାଏ ପର ଜନ୍ମରେ ସେମାନେ ସୁଖ ଭୋଗ କରିବେ!!ଏ ଜୀବନରେ ଯେଉଁ ରାଜୋଦ୍ୟାନ ଭିତରେ ସେମାନଙ୍କୁ ବୁଲିବାକୁ ଛାଡ଼ି ଦିଆଯାଇନଥିଲା, ଯେଉଁ ନୃତ୍ୟ,ଗୀତ ଉପଭୋଗ କରିବାର ସୁବିଧା ସେମାନଙ୍କ ଜୀବନରେ ହେଲା ନାହିଁ ସେମାନେ ସ୍ବର୍ଗରେ ସେହିପରି ନନ୍ଦନକାନନରେ ବୁଲିବେ ଉର୍ବଶୀର ନୃତ୍ୟ,ଗୀତ ଉପଭୋଗ କରି।ଏଠାକାର ଭୋକ ସେଠି ନଥିବ, ସେଠି ଅମୃତ କଣିକାଏ ଖାଇଦେଲେ ସବୁ କ୍ଷୁଧା ଯିବ ,ଏହି ଭାଣ୍ଡାମି ଦ୍ବାରା ଜନତାକୁ ଠକେଇ ଦିଆଯାଏ। ଶାସକମାନଙ୍କର ଶୋଷଣ ବିରୁଦ୍ଧରେ କୌଣସି ବାଧାଜାତ କରିବାରୁ ଜନତାକୁ ବିରତ କରି ସେମାନଙ୍କ ଉପରେ ପରମ ଶାନ୍ତିରେ ଯାବତ ଅମାନୁଷିକ ଅତ୍ୟାଚାର ଚଳାନ୍ତି ଏହି ଶାସକ ଗୋଷ୍ଠୀ।

                    ବେଳେବେଳେ ରଜା ଯେବେ ସାମନ୍ତମାନଙ୍କୁ ନିଜ ହାତରେ ରଖି ନପାରେ, ସେମାନେ ବିଦ୍ରୋହ କରନ୍ତି ରଜାକୁ ଗାଦିରୁ ତଡ଼ିଦିଅନ୍ତି। ସାମନ୍ତମାନଙ୍କ ଭିତରୁ ଯିଏ ବଳୁଆ ଥାଏ, ସେ ଗାଦି ମାଡ଼ିବସେ। ସେହିଭଳି ବି ଗୋଟିଏ ରଜା ଦୁର୍ବଳ ଥିଲେ ପାଖ ବଳୁଆ ରଜା ରାଜ୍ୟ ଉପରେ ଆକ୍ରମଣ କରି ନିଜେ ସେ ରାଜ୍ୟର ରଜା ହୋଇଯାଏ । ହେଲେ ଏପରି ରଜା ବଦଳରେ ପ୍ରଜା ସାଧାରଣଙ୍କର ଅବସ୍ଥାର କିଛି ବି ପରିବର୍ତ୍ତନ ହୁଏ ନାହିଁ ,ତାଙ୍କୁ ଜଣେ ଲୁଟି ଖାଉଥିଲା ଏବେ ଅନ୍ୟ ଜଣେ ଲୁଟି ଖାଇଲା।

                    ବିଲାତରେ ପହିଲେ ରଜାର କ୍ଷମତା କାହିଁରେ କେତେ ଥିଲା। ପ୍ରଜାଙ୍କ ଧନଜୀବନ ସବୁର ପ୍ରଭୁ ଥିଲା ରଜା ।ରଜାର ଅତ୍ୟାଚାର ପ୍ରଜାଏ ସହିପାରନ୍ତି ନାହିଁ ,ଏପରିକି ସାମନ୍ତିମାନେବି ସହିପାରନ୍ତି ନାହିଁ। ଥରକୁ ଥର ଲୋକ ମେଳି ବାନ୍ଧି ରଜାର କ୍ଷମତା ତା’ଠାରୁ କାଢ଼ି ନିଅନ୍ତି, ରଜା କଣ କଣ କରିପାରିବେ ନାହିଁ ସେ ବିଷୟରେ,ରଜାଠାରୁ ପ୍ରତିଶୃତି ନିଅନ୍ତି,ଏହିପରି ପ୍ରଜା ଅନ୍ଦୋଳନ ଫଳରେ କ୍ରମେ କ୍ରମେ ରଜା ହାତରୁ ଦେଶର ଶାସନ କାଢ଼ି ନିଆହେଲା, ଏବେ ଦେଶର ଶାସନଭାର ପ୍ରଜାଙ୍କ ହାତରେ । ପ୍ରଜାମାନେ ତାଙ୍କ ପ୍ରତିନୀଧି ବାଛି ପାର୍ଲିଆମେଣ୍ଟକୁ ପଠାନ୍ତି ,ରଜା ସେଥିରେ ସହିଦିଏ।ରଜା ଖାଲି ନାକୁ , କ୍ଷମତା ତା’ହାତରେ ପ୍ରାୟ କିଛି ନାହିଁ ।

                     ବିଲାତରେ ପ୍ରଜାମାନେ ଯେପରି ରାଜାଠୁ କ୍ଷମତା କାଢ଼ିନେଲେ, ତା’ ଅନ୍ୟ କୌଣସି ଦେଶରେ ସମ୍ଭବ ହୋଇନଥିଲା। ବିଲାତ ଗୋଟିଏ ଟାପୁ, ସେଠି ବାହାରର କୌଣସି ରଜା ଆକ୍ରମଣ କରିବାର ଭୟ ନଥିଲା। ଏହି ରାଜବଂଶ ବହୁଦିନ ଧରି ରାଜତ୍ବ କଲେ,ବିଲାତର ଅଳ୍ପ ସଂଖ୍ୟକ ପ୍ରଜା ସହଜେ ମେଳି ବାନ୍ଧି ପାରିଲେ ଓ ରଜାକୁ କାବୁ କରି ଦେଇପାରିଲେ। ଅନ୍ୟ ଦେଶମାନଙ୍କରେ ରାଜବଂଶରେ ଅନେକ ପରିବର୍ତ୍ତନ ଦେଖାଯାଏ। ଆଗେତ ଆଜିକାଲି ଭଳି ଦୂରଦେଶାନ୍ତର ଖବର ଗାଁଗହଳ ଲୋକ ପାଇ ପାରୁ ନଥିଲେ। ଲୋକ ମେଳି ବାନ୍ଧିବା ତେଣୁ କଷ୍ଟ ଥିଲା, ଆମ ଭାରତରେ କିମ୍ବା ଅନ୍ୟ ଦେଶ ମାନଙ୍କରେ ତେଣୁ ରାଜାର କ୍ଷମତା ହ୍ରାସ କରିବା ସମ୍ଭବ ହୋଇନଥିଲା।

    ଆମ ଭାରତରେ ଦେଖାଯାଏ, ଜଣେ ରାଜା ଅନ୍ଯ ରାଜା ମାନଙ୍କର ରାଜ୍ଯ ଆକ୍ରମଣ କରି ନିଜେ ସମ୍ରାଟ ହେଉଛି ଓ ର୍ଦୁବଳ ରାଜା ମାନଙ୍କୁ ତାର ଅଧୀନସ୍ଛ କରି ରଖିଛି।‍ଫୁଣି ରାଜା ର୍ଦୁବଳ ହେଲେ ତାର ସାମନ୍ତମାନେ ନିଜକୁ ସ୍ବାଧୀନ ବୋଲି ଘୋଷଣା କରୁଛନ୍ତି।ରାଜାକୁ ସେମାନଙ୍କର ଦେୟ ଖଜଣା ଅସୁଲ ଦେଉ ନାହାନ୍ତି। ଆମ ଓଡିଶା ଗଡଜାତର ରାଜା ମାନେ ଆଗେ ସେହିପରି ଓଡିଶା ରାଜାଙ୍କର ସାମନ୍ତ ଥିଲେ-ପରେ ରାଜା ହୋଇଗଲେ।

         ପ୍ରଜାମାନେ ଏହି ଅଳସୁଆ ଦଳେ ଲୋକଙ୍କର ଖର୍ଚ୍ଚ ତୁଲେଇବା ଲାଗି କର ଦେଇ ଘୋର ଅସୁବିଧାରେ ପଡନ୍ତି। ଜଣେ ଅଧେ ଯାହାର ବଳକା ଧନ ଥାଏ,ତା ପାଖକୁ ଅ‍‍‍‍ଭାବଗ୍ରସ୍ତ ଲୋକ ଧାଆଁନ୍ତି…ଧାନ ପାଇଁ,ଟଙ୍କା ପାଇଁ। ତାର ପୁଞ୍ଜିଲାଗି ସେ ଦାବି କରେ ସୁଧ।ଅଭାବଗ୍ରସ୍ତ ଲୋକ ବାଧ୍ୟ ହୋଇ ଉତ୍ପାଦନର ଆଶ୍ରାକୁ (ଜମି,ତନ୍ତ,କରତ) ବନ୍ଧା-ଛନ୍ଦା ପକେଇ ନୋହିଲେ ବିକି-ଭାଙ୍ଗି ଧନ ଆଣେ। ଯେ କିଣିଲା, ସେ ତ ପୁଣି ତା ଜମି ଚଷୁଥିଲା। ଏ ଅଧିକା ଜମି ସେ ପୁଣି ଚଷେ କିଭଳି? ଏହି ଅଧିକା ଜମିରେ ସେ ଖଟାଏ ଜମି ନ ଥିବା ଅଭାବଗ୍ରସ୍ତ ଲୋକଙ୍କୁ। ତାଙ୍କ ସହିତ ଗୋଟାଏ ଚୁକ୍ତି କରି ନିଏ…ଚଷିଲା ଲୋକ ପୂରା ନେବ ନାହିଁ, ଉତ୍ପନ୍ନ ଧାନ ମୁଗ ମିହନ୍ତ କଲା ଲୋକ ଆଉ ଜମିବାଲା ଭିତରେ ବଣ୍ଟାଯିବ। ଜଣେ ହେଲା ରଇତ, ଅନ୍ୟ ଜଣେ ହେଲା ଜମିଦାର। ରଇତ ତାର ମିହନ୍ତର ପୁରା ଫଳ ପାଇଲା ନାହିଁ ,ଜମିଦାର ସେଥିରୁ ଭାଗ ନେଲା। ଜମିଦାରର ପୁଞ୍ଜିରୁ ପୁଞ୍ଜି ବଢ଼ିଲା । ଏପରି ଭାଗ ଦେଇ ଦେଇ ଜମିଦାରର ଏହି ଅନ୍ୟାୟ ଦାବି ପୂରଣ କରି କରି ଅଭାବଗ୍ରସ୍ତ ଲୋକ ଅଧିକରୁ ଅଧିକ ଅଭାବରେ ପଡ଼େ; ତେଣେ ପୁଞ୍ଜିପତି ତାର ଜମିତକ କିଣିନିଏ। ଶେଷରେ ପୁଞ୍ଜିପତିର ଆଉ ଆପେ ମିହନ୍ତ କରିବା ଦରକାର ପଡ଼େନାହିଁ, ରଇତମାନଙ୍କଠାରୁ ଆଦାୟ ଭାଗ ଉପରେ ଯେତେବେଳେ ତାର ସମସ୍ତ ଖର୍ଚ୍ଚ ତୁଲାଇବା ଲାଗି ସେ ନିର୍ଭର କରିପାରେ, ନିଜେ ପରିଶ୍ରମ କରି ଧାନ ଉଠାଇବା ସେ ବିଲକୁଲ ଛାଡ଼ିଦିଏ। ଫଳରେ ଉତ୍ପାଦନକାରୀ ରଇତ ଆଉ ଭୋଗକାରୀ ଅଳସୁଆ ଜମିଦାର, ଏହିପରି ଦୁଇଟା ଶ୍ରେଣୀ ସମାଜରେ ଦେଖାଦିଏ।

            ଶିଳ୍ପ ବିପ୍ଳବ ଯେତେବେଳେ ହେଲା, ଯେଉଁମାନଙ୍କ ହାତରେ ପୁଞ୍ଜି ଥିଲା, ସେମାନେ କଳକାରଖାନା କିଣିପାରିଲେ। ଅଭାବଗ୍ରସ୍ତ ଲୋକଙ୍କୁ ଏହି ପୁଞ୍ଜିପତିମାନେ କାମ ଯୋଗାଇଲେ। ଫଳରେ ଜମି ଉପରୁ ଚାପ କମିଗଲା। ଲୋକେ କାମ ପାଇଁ କଳକୁ ଧାଇଁଲେ। ରାଜ୍ୟର ଧନ ଏହି ପୁଞ୍ଜିପତି; କଳମାଲିକ ଓ ଜମିଦାରଙ୍କ ହାତରେ ଠୁଳ ହେଲା। ସମାଜରେ ରାଜା ଓ ସାମନ୍ତମାନଙ୍କର ମର୍ଯ୍ୟାଦା କମିଗଲା। କଳକବ୍‌ଜା ଚାଲୁ ହେବା ସହିତ ସମାଜରେ ବହୁ ଉନ୍ନତି ଦେଖାଗଲା। ରେଳ ମୋଟର ଆଦି ଦ୍ରୁତଗାମୀ ଯାନଦ୍ବାରା ରାଜ୍ୟର ସବୁ ଅଞ୍ଚଳ ମଧ୍ୟରେ ଯାତାୟତ ହେଲା। ଖବରକାଗଜ ଓ ବହିପତ୍ର ପ୍ରଚାର ହେବା ବର୍ତ୍ତମାନ ସମ୍ଭବ ହେଲା। ଲୋକେ ସହଜରେ ମେଳି ହୋଇପାରିଲେ।

             ପ୍ରଜାମେନେ…ଶ୍ରମିକ ଓ ପୁଞ୍ଜିପତି ଉଭୟ ଏହି ରାଜା ଓ ସାମନ୍ତମାନଙ୍କୁ ଚାହୁଁନଥିଲେ। ସାମନ୍ତମାନେ ନିଜକୁ ପ୍ରଜାମାନଙ୍କଠୁ ଉଚ୍ଚରେ ବୋଲି ମନେ କରୁଥିଲେ; ତାଙ୍କର ବଂଶଗୌରବ ଅଛି ବୋଲି ବଢ଼ାଇ କରି ସବୁ ପ୍ରଜାଙ୍କୁ ଘୃଣା ଚକ୍ଷୁରେ ଦେଖୁଥିଲେ। ପ୍ରଜାମାନେ ଏହି ଅନାବଶ୍ୟକ ଶ୍ରେଣୀ…ରାଜା ଓ ସାମନ୍ତଙ୍କୁ ଲୋପ କରିବାକୁ ଏକତାବଦ୍ଧ ହେଲେ। ତାଙ୍କର ଦାବି ହେଲା ସାମନ୍ତବାଦ ବେଆଇନ ହେଉ। ସାମନ୍ତବାଦକୁ ବେଆଇନ କରିବା ଲାଗି ସବୁ ଶ୍ରେଣୀର ପ୍ରଜା ଆନ୍ଦୋଳନ କଲେ। ଶେଷକୁ ସରକାରକୁ ନିଜ ହାତକୁ ନେଲେ। ବିଲାତ ଦେଶରେ ଏହା ଶାନ୍ତିପୂର୍ଣ୍ଣଭାବେ ହୋଇଥିଲା। ରାଜା ଓ ସାମନ୍ତମାନେ ପ୍ରଜାମାନଙ୍କର ଦାବିକୁ ମାନିନେଇ ଶାସନ କ୍ଷମତା ପ୍ରଜା-ପ୍ରତିନିଧିଙ୍କ ହାତକୁ ବଢ଼ାଇ ଦେଲେ। ଫ୍ରାନ୍ସ ଓ ଅନ୍ୟାନ୍ୟ କେତେକ ଦେଶରେ ରାଜା ଓ ସାମନ୍ତମାନେ ସେମାନଙ୍କର କ୍ଷମତା ଛାଡ଼ିବାକୁ  ନ ମଙ୍ଗିବାରୁ ଏହା ହାଣକାଟ ଉପରକୁ ଗଲା। ଶିଳ୍ପବିପ୍ଳବ ପରେ ପରେ ସାମନ୍ତବାଦ ଲୋପପାଏ। ସବୁ ଦେଶରେ ତାହାହିଁ ହୋଇଛି। ଆମ ଭାରତରେ ଏହା ଏବେ ଘଟିଯାଇଛି ବି।

 

 




+ -

© Jataayu Charitable Trust
Site designed,developed & maintained by Tekons