ରାଜନୀତି ଆଉ ଆମେ




ମଣିଷର ଇତିହାସ

 

ହଜାର ହଜାର ବର୍ଷ ଆଗେ ଆମ ଏ ପୃଥିବୀରେ ସହର ନଥିଲା, ଗାଁ ନଥିଲା। ମଣିଷ ବୁଲୁଥିବା ବଣ ଜଙ୍ଗଲ ଭିତରେ ଛୋଟ ଛୋଟ ପଲ ବାନ୍ଧି…। ଫଳମୂଳ ଖାଏ, ଗଛତଳେ ଶୋଇ ତା’ର ଦିନ କାଟେ।  ବେଳେ ବେଳେ ଅନ୍ୟ ଜନ୍ତୁଜୁନ୍ତାଙ୍କ ସାଙ୍ଗରେ ତାର ଲଢ଼େଇ ହୁଏ ବି।

       ଏହି ଆଦିମ ଯୁଗ…। ମଣିଷର ପଲ ଥିଲା ଗୋଟିଏ ପରିବାର ଭଳି।…ଯିଏ ଯାହା ପାରିଲା ଫଳ ତୋଳେ, ନିଜେ ଖାଏ, ସମସ୍ତିଙ୍କି ଦିଏ । ନିଜର ବୋଲି କିଛି ନାହିଁ। ଯାହା କିଛି ହେଲା…ସୁଖ ହେଉ,ଦୁଃଖ ହେଉ… ସମସ୍ତେ ସମଭୋଗୀ।

       ମଣିଷର ବୁଦ୍ଧି ଅଛି; ଅନ୍ୟ ପ୍ରାଣୀମାନେ ସେତେ ଚାଲାକ ନୁହନ୍ତି। ମଣିଷକ୍ରମେ କେତେ କଥା ଶିଖିଲା। ବରଷା ଓ ବରଫରୁ ରକ୍ଷା ପାଇବ ବୋଲି ପତରରେ କୁଡ଼ିଆ ବାନ୍ଧିଲା… ଜଙ୍ଗଲ ସଫା କଲା…ପଥରରେ ଅସ୍ତ୍ରଶସ୍ତ୍ର କରି ଅନ୍ୟ ପଶୁଙ୍କୁ ମାଇଲା…ନିଆଁ ଜାଳି ବାଘ ଭାଲୁଙ୍କୁ ଘରଡ଼େଇଲା, ପଶୁପକ୍ଷୀ ଶିକାର କରି ତାଙ୍କ ମାଂସ ସିଝାଇ ଖାଇଲା, ପରେ ଘେରେଇ ହେଲା, ବକଳ ପିନ୍ଧିଲା ଓ ପରେ ଲୁଗା ବୁଣିଲା…।

       ଶିକାର ସବୁଦିନେ ଜୁଟେ ନାହିଁ। ପୁଣି ଝଡ଼ି କାହାଳ ଅଛି। ଏହିପରି ବେଳେ ବେଳେ ମଣିଷ ଉପାସ ରହିବାକୁ ପଡ଼ିଲା। ଏ ଅସୁବିଧା ଦୂର କରିବା ଲାଗି ମଣିଷ କେତେକ ବଣୁଆ ଜନ୍ତୁଆଣି ପୋଷିଲା…ଛେଳି,ମେଣ୍ଢା ,ଗୋରୁ। ଏମାନଙ୍କୁ ଚରାଏ, ତାଙ୍କଠୁ ଦୁଧ ନୁହେଁ, ସେମାନଙ୍କ ମାଂସ ଖାଏ। ପଶୁ ଚରେଇବାକୁ ଲୋଡ଼ା। ଠାଆକୁ ଠାଆ ମଣିଷ ପଶୁ ଧରି ବୁଲିଲା, ଚରାଭୂଇଁ ଖୋଜି। ଗୋଟିଏ ଥାନରେ ବସା ବାନ୍ଧି ରହିବା ଆଉ ହୁଏନାହିଁ।    

        ଏହି କାଳର ଲୋକେ ପଶୁ ପାଳିବାକୁ ଏଣେ ତେଣେ ବୁଲୁଥିଲେ। ଚରାଭୂଇଁ ଖୋଜି ଖୋଜି କେତେକ ଦୂରଦେଶାନ୍ତରକୁ ଚାଲିଗଲେ ଯେ ଅନେକେ ଆଉ ଫେରିଲେ ନାହିଁ,ସେଣେ ସେଣେ ରହିଗଲେ। ଆମ ଏ ଭାରତକୁ ଆର୍ଯ୍ୟ ବୋଲି ଯେଉଁ ଦଳେ ଆସିଥିଲେ ସେମାନେ ଆଗେ ଥିଲେ କାଶ୍‌ପିୟାନ୍‌ ହ୍ରଦ କୂଳରେ ।  ସେଠୁ ଥୋକେ ଆସିଲେ ପାରସ୍ୟ ଦେଶକୁ। ତା’ ଭିତରୁ କିଛି ଏ ଦେଶକୁ ପସି ଆସିଲେ। ଆଉ ଥୋକେ ୟୁରୋପକୁ ଯାଇଥିଲେ।  ଏହିପରି ଗୋଟିଏ ଦଳରୁ ଲୋକ ଯାଇ ନାନା ଦେଶରେ ରହିଗଲେ, ହେଲେ ସେଠିକାର ବାସିନ୍ଦା।  ଯେଉଁମାନେ ଭାରତରେ ରହିଲେ, ସେମାନେ ଭାରତୀୟ ବୋଲାଇଲେ, ଯେଉଁମାନେ ତୁର୍କୀସ୍ଥାନରେ ରହିଲେ, ସେମାନେ ତୁର୍କ;ଯେଉଁମାନେ ଜର୍ମାନୀରେ ରହିଲେ, ସେମାନେ ଜର୍ମାନ୍‌। ଖରାଟାଣ ଦେଶକୁ ଯିଏ ସବୁ ଆସିଲେ, ତାଙ୍କର ଚମଡ଼ା ସିଝି କାଳିଆ ପଡ଼ିଗଲା। ଶୀତ ଦେଶରେ ଯିଏ ରହିଲେ ସେମାନେ ଶେତା ଦିଶିଲେ। କାଳକ୍ରମେ ସେମାନଙ୍କର ଭାଷା ବି ଫରକ ଫରକ ହୋଇଗଲା, ଆଚାର ବ୍ୟବହାର ଦୋସରା ହେଲା; ସେମାନେ ହେଲେ ଅଲଗା ଜାତି।

         ପଶୁ ପାଳି ମଣିଷ ଆଜି ଏଠି କାଲି ସେଠି ହୋଇ ବଡ଼ ହରକତ ହେଲା। ଦଳ ଭିତରେ ଛୁଆପିଲା ଅଛନ୍ତି, କିଏ ବା କେତେବେଳେ ବେମାର ପଡ଼େ। ସେମାନଙ୍କୁ ଧରି ବୁଲିବା ଲାଗି ହଇରାଣିଆ। ଠାଏକରେ ବସା ବାନ୍ଧି ଯେବେ ମଣିଷ ରହିପାରୁଥାନ୍ତା!

        ମଣିଷ ଫସଲ କରିବାକୁ ଶିଖିଲା। ଜଙ୍ଗଲ ସଫା କରି ପଡ଼ିଆ ଭାଙ୍ଗି ଶସ୍ୟ ବୁଣିଲା…ଯାହା ଫସଲ ହେଲା, ଆମଦାନି କରି ଆଣି ରଖିଲା, ତା’ର କୁଡ଼ିଆରେ । ଏଣିକି ଆଉ ତାକୁ ଅଦିନରେ ଉପାସ ରହିବାକୁ ପଡ଼ିଲା ନାହିଁ। ମଣିଷ ଏଣିକି ଠାଏକରେ ବସାବାନ୍ଧି ରହିପାରିଲା, ସେ ହେଲା ଚାଷୀ।

        ଏହି ଆଦିମ ଯୁଗରେ, ଯେତେବେଳେ ମଣିଷ ପଶୁ ପାଳି ବା ଚାଷ କରି ତା’ର ପେଟ ପୋଷୁଥିଲା, ସବୁ ସମ୍ପତ୍ତି ଥିଲା ଇଜମାଲି । ଗୋରୁପଲ ବା ଜମିର ମାଲିକ ବୋଇଲେ କେହି ଜଣେ ନୁହେଁ। ସବୁ ସମ୍ପତ୍ତି ଥିଲା ଦଳର। ସେ ଦଳ ଭିତରେ ଯେତେ ଜଣ କାମିକା ଥାଆନ୍ତି, ସେମାନେ ଖଟନ୍ତି, କୁଡ଼ିଆ ବାନ୍ଧନ୍ତି, ଛେଳି ଚରାନ୍ତି, ଜମି ହଳ କରନ୍ତି, ଧାନ କାଟନ୍ତି। ଯାହାର ଯେତେ ଦରକାର ସେ ତ ନିଏ ଓ ଏହିପରି ଦଳଟିଯାକ ଗୋଟିଏ ଘର ପରି ଚଳୁଥିଲେ।

          ଦଳ ବଢ଼ିଲା। ଗୋଟିଏ କୁଡ଼ିଆରେ ସମସ୍ତଙ୍କୁ ଥାନ ନ ହେଲାରୁ ଆଉ ଗୋଟିଏ କୁଡ଼ିଆ ହେଲା…ତା’ପରେ ଆଉ ଗୋଟିଏ, ଏହିପରି ଗାଁ ବସିଲା। ସେହି ଭଳିଆ ଏକା ଜମିରେ ଦଳଟିଯାକ ପହିଲେ ଚାଷ କରୁଥିଲେ। ଦଳ ବଢ଼ିଲାରୁ ଥୋକେ ନିଆରା ଥାନରେ ହଳ କଲେ। ଭିନ୍ନ ଭିନ୍ନ ଥାନରେ ଜମି ଚଷିଲେ କଣ ହବ, ସମସ୍ତେ ତ ଏକା ଦଳର ଲୋକ। ଜମି ଚାଷ ଯାହା ଆମଦାନି ହୁଏ ସବୁ ଏକାଠି ଠୁଳ କରନ୍ତି;ଯାହାର ଯେତେ ଲୋଡ଼ା, ସେ ତା’ କୋଠଧନରୁ  ନିଏ। ଏହିପରି ଦିନ କେତେ ଚାଲିଲା ପରେ ଯିଏ ଯୋଉ କୁଡ଼ିଆରେ ରହିଲା, ସେଇଟା ତାର କୁଡ଼ିଆ ବୋଲି ଧରାଗଲା। ଯିଏ ଯୋଉ ଜମିରେ  ଯିଏ ଯୋଉ ଜମିରେ ଚାଷ କରିଛି ସେ ଫସଲ ତାର ହେଲା…। ସେ ସେଥିରୁ ତା’ ପୁଅନାତିଙ୍କୁ ପୋଷିଲା,ତା’ ଘର ସେ ସମ୍ଭାଳିଲା। ତା’ର ଜମି ତା’ର ହେଲା। ତା’ର ହାନିଲାଭ ସହିତ ଅନ୍ୟ କାହାରି ସମ୍ପର୍କ ରହିଲା ନାହିଁ। ତାହା ପରେ ତା’ ପୁଅ ସେ କୁଡ଼ିଆରେ ରହିଲା, ସେ ଜମି ଚଷିଲା। ସେଇଟା  ହେଲା ତା’ଘର, ତା’ ଜମି । ସେହି କାଳରୁ ୟେ ମୋ ଜମି, ୟେ ମୋ ଘର, ୟେ ମୋ ସମ୍ପତ୍ତି, ଏକଥା ଗଡ଼ି ଆସିଚି ଆଜି ଯାଏଁ ବୋଲି।

          ଆଗେ ଦଳର ଯାହା ଦରକାର ସେଥିପାଇଁ ସମସ୍ତେ ଲାଗି ଯାଉଥିଲେ। ଲଢ଼େଇ ଲାଗିଲେ ଯେତେ ଭେଣ୍ଡା ଭେଣ୍ଡା ଦଳରେ ଥାଆନ୍ତି ବାହାରି ପଡ଼ନ୍ତି। ରାନ୍ଧିବାକୁ ହେଲେ ପଲଟା ଯାକର ମାଇପେ ରୁଣ୍ଡ ହୋଇ ଯାଆନ୍ତି। ଦଳ ବଢ଼ିଗଲାରୁ ଲଢ଼େଇ ହେଲା ବା ଆଉ କୋଠକାମ ହେଲା, ସମସ୍ତେ ନ ଯାଇ ଘରପିଛା ଜଣେ ଜଣେ ଗଲେ। କେବେ କେବେ ବା କାହାଘରୁ ଲୋକ ପଠେଇବା ସୁବିଧା ହେଲାନାହିଁ; ସେ ସେଠୁ ଅନ୍ୟ ଜଣଙ୍କୁ ଧାନଦେଲା ତା’ ଲାଗି ବଦଳିଆ ହେବା ଲାଗି। କିଛିଦିନ ପରେ ଦଳର ସର୍ଦ୍ଦାର ପାଖରେ ସମସ୍ତେ ଏହି ପରି ଧାନ ଦେଇ ଆସିଲେ, ତାଙ୍କ ଲାଗି କୋଠକାମକୁ ବଦଳିଆ ନେବା ଲାଗି। ସର୍ଦ୍ଦାର ସେ ଧାନ ଦେଇ ତାର ଲୋକ ବାଛି କୋଠ କାମଯାକ ଚଳେଇ ନିଏ। କୋଠକାମ ଲାଗି ପ୍ରଥମେ ଏହିପରି ତୋଳା ଆଦାୟ ହେଲା। ପରେ ଯେତେବେଳେ କଉଡ଼ି ଓ ଟଙ୍କା  ଚଳିଲା, ଲୋକେ ସେଥିରେ ଖଜଣା ଦେଲେ। ଏହି କର ଯାଇ ରାସ୍ତା ତିଆରି ହୁଏ, ନାଳ ଖୋଳାଯାଏ, ଦଳର ଜଗୁଆର ରହନ୍ତି;ଗୋଟିଏ କଥାରେ କୋଠକାମ ପାଇଁ ସମସ୍ତଙ୍କଠୁ ତୋଳା ଉଠେ…ପଥକର, ଜଳକର, ରାଜସ୍ବ…।       

           ଛୋଟ ଦଳଟିଏ ଯେତେବେଳେ ଥିଲା, ତାଙ୍କର ଦରକାର ଥିଲା ଜମି; ସମସ୍ତେ ଏକା କାମରେ ଲାଗି ଯାଉଥିଲେ। ଦଳର ଯେତେବେଳେ ଲୋକସଂଖ୍ୟା ବଢ଼ିଗଲା, କାମ ବି ତା ସାଙ୍ଗେ ବଢ଼ିଗଲା। ସମସ୍ତେ ଏକା କାମରେ ଲାଗିଲା ବେଳକୁ ଦଳର ଆଉ କେତେଟା ଅଭାବ ମେଣ୍ଟିଲା ନାହିଁ। ତେଣୁ ମରଦମାନେ ଯୁଦ୍ଧ କଲେ, ଶିକାର କଲେ, ଚାଷ କଲେ; ମାଇପେ ରାନ୍ଧିଲେ, ଘରଟି ସଫାସୁତୁରା ରଖିଲେ, ପିଲାଙ୍କ ହେପାଜତ କଲେ, ଏହିପରି କାମ  ବଣ୍ଟରା ହୋଇଗଲା, କେତେ ଜଣ ଗଲେ ଯୁଦ୍ଧ କରି, କେତେ ଜଣ ଗଲେ ହଳକୁ, କେତେ ଜଣ ଘର ତୋଳିବାରେ ଲାଗିଲେ।

           ଯେଉଁମାନେ ଯୁଦ୍ଧ ଶିଖିଲେ, ତାଙ୍କ ପିଲାଏ ବାପାଙ୍କଠୁ ସେ ବିଦ୍ୟାଟା ହାସଲ କଲେ। ଯାହା ବାପ ହଳ କଲା, ତା ପୁଅ ବି ହଳ କରି ଶିଖିଲା।  ଅବଶ୍ୟ ସେତେବେଳେ ପୁଅ ବାପର ବେଉସା କରିବ ବୋଲି କିଛି ଧରାବନ୍ଧା କଥା ନଥିଲା। ହେଲେ, ବାପ ଯେଉଁ କଥା କରୁଥିଲା, ବାପ ଅନ୍ତେ ପୁଅ ଅଧିକାଂଶ ସ୍ଥଳରେ ସେଇୟା କଲା। ଇମିତି ହେଉ ହେଉ କେତେ ଘର ହେଲେ କ୍ଷତ୍ରିୟ, କତେ ହେଲେ ବ୍ରାହ୍ମଣ ,କେତେ ଚଷା… ଆଉ କେତେ ଜାତି। ବେଉସା ଧରି ଏ ଜାତି ବିଭାଗର ସୃଷ୍ଟି। ସେତେବେଳେ କ୍ଷତ୍ରିୟ ବ୍ରାହ୍ମଣ ଘରେ ବିଭା ହୋଇପାରୁଥିଲା, ଚଷା ବ୍ରାହ୍ମଣ ଘରେ ବନ୍ଧୁ ବାନ୍ଧୁଥିଲା। ଜାତିଟା ଏବେକା ଭଳି ମଣିଷ ମଣିଷ ଭିତରେ ତଫାତ୍‌ କିଛି ରଖୁ ନଥିଲା। ହେଲେ, କାଳକ୍ରମେ କ୍ଷତ୍ରିୟ କ୍ଷତ୍ରିୟଘରେ ବନ୍ଧୁ ବାନ୍ଧିଲା, ଚଷା ଚଷାଘରୁ ଝିଅ ଆଣିଲା। ହାନିଲାଭରେ ସେ ଡାକିଲା ତା’ରି ବେଉସାର ଲୋକଙ୍କୁ, ତାରି ଜାତିଭାଇ। ଆମ ଭାରତରେ ଯେଉଁମାନେ ଆସି ରହିଥିଲେ ତାଙ୍କ ଭିତରେ ଏହି ଜାତି ବିଭାଗଟା ବଡ଼ ସ୍ପଷ୍ଟ ଆଉ ଦୃଢ଼ ହୋଇଥିଲା। ଅନ୍ୟ ଦେଶର ବାସିନ୍ଦାଙ୍କ ଭିତରେ ଏଭଳି ଜାତିପ୍ରଥା ବିଶେଷ ଦେଖା ଦେଇନଥିଲା।

           ଚାଷ ପାଇଁ ମଣିଷ ଗାଁ ବସେଇ ଠାଏକରେ ଘର କରି ରହୁଥିଲା। ଗହୀର ବିଲ ଚାରିପଟେ, ମଝିରେ ଗାଁ। ଯୋଉ ଚଷା ହଳ କରିବ, ତା’ ହଳଟି ସଜାଡ଼ିବାକୁ ବଢ଼େଇ ଘରଟିଏ ଦରକାର, ତା’ ଲୁହା ଆଉ ଦାଆ ଗଢ଼ିବାକୁ କମାର ଜଣେ ଲୋଡ଼ା,ତା’ ସୋରିଷକୁ ପେଡ଼ି ତେଲ କରିବାକୁ ତେଲୀ ଦରକାର।ସେହିଯୋଗୁଁ ଆମ ଦେଶରେ ପ୍ରାୟ ଅଧିକାଂଶ ଗାଁରେ ଦେଖାଯାଏ ବ୍ରାହ୍ମଣ କେତେଘର, ଚଷା କେତେଘର, କମାର ଓ କୁମ୍ଭାର, ତେଲି ଓ ହାଡ଼ି…ନାନା ଜାତିର ଲୋକ। ଛୋଟ ଗାଁଟି ଭିତରେ ସେ କାଳର ଜଣେ ସାଧାରଣ ଲୋକ ଚଳିବାକୁ ଯାହା ଲୋଡ଼ା ସବୁଥିଲା। ଲୋକେ ବି ଗାଁଟି ଭିତରେ ତାଙ୍କ ଜୀବନ ବିତେଇ ଦେଉଥିଲେ,ଦୂରଦେଶାନ୍ତର ଯିବା କଦବାୟ, ଯିବାର ଲୋଡ଼ା ନଥିଲା। ସେ କାଳର ଅଧିକାଂଶ ଲୋକ ଗାଁରେ ରହୁଥିଲେ; ସହର ସଂଖ୍ୟା ଥିଲା ଖୁବ୍‌ କମ୍‌। ରାଜାଙ୍କ ରାଜଧାନୀ ବା ତୀର୍ଥ ଜାଗାରେ ଲୋକ ଟିକିଏ ବେଶି, ବେପାର ବଣିଜ ଚାଲେ; ତେଣୁ ସେଇଠି ଗାଁ ବଡ଼ ହୋଇ ନଅର ହୋଇଯାଏ।

           ଆଗେ ମଣିଷ ସବୁ ଜିନିଷ ହାତରେ ନିଜ ଦେହ (ମଗଜ ବି ଏ ଦେହ ଭିତରେ) ଖଟେଇ କରୁଥିଲା। ଯୋଉ ଯନ୍ତ୍ରପାତି ବି ପରେ ତିଆରି କଲା…ଲଙ୍ଗଳ,ଅରଟ,କୁମ୍ଭାର ଚକି,ସେଗୁଡ଼ିକ ଏଡ଼େ ସାଧାସିଧା ଯେ ଆମେ ମେହନତ ନ କଲେ, ଚାଷ ହେବ ନାହିଁ କି ଲୁଗା ବୁଣା ହେବନାହିଁ କି ହାଣ୍ଡି ଗଢ଼ି ହେବନାହିଁ। ଏ ଯନ୍ତ୍ର ସାହାଯ୍ୟରେ ବି ଖୁବ୍‌ ବେଶି ରୋଜଗାର କରି ହୁଏନାହିଁ। ଜଣେ ଚଷା ପାଞ୍ଚମାଣ ଦଶମାଣ ଜମି ଚଷୁଥିଲା, ଗୋଟିଏ ତନ୍ତୀ ମାସକରେ ବୁଣୁଥିଲା ଚାରି ହଳ ଶାଢ଼ୀ।

           ସେ ସମାଜ ବଦଳିଲା ଯେତେବେଳେ ମଣିଷ ଆଉ ଗୋଟିଏ ନୂଆ ଜିନିଷ ବାହାର କଲା-କଳ। ଲୁଗାକଳରେ ଜଣେ ଲୋକ ବୁଣି ପାରିଲା ମାସକେ ଚାରିଶହ ଯୋଡ଼ା। କଳଲଙ୍ଗଳରେ ଜଣେ ଲୋକ ଦିନକେ ଚଷିପାରିଲା ବାଟିଏ ଜମି।ଲୁହାକଳରେ ଜଣେ ଲୋକ ଆମଦାନି କଲା ଯାହା ଦିଶହ କମାର କରିପାରି ନଥାନ୍ତେ। ଯେ କଳଟି କିଣି ପାରିଲା, ସେ ଏକା ଏକା ଜମା କଲା ଅନେକ ଲୋକଙ୍କ ରୋଜଗାର। କଳମାଲିକ ତା’ କଳରେ କାମ କରିବାକୁ ଲୋକେ ଚାହିଁଲା। ତାକୁ ଦରମା ବଢ଼େଇ କରି ଦେଲେ ବି ତା’ର କ୍ଷତି ନାହିଁ। ଗାଁର କମାର ବିଚରା ଦେଖିଲା, ସେ ଆଉ କଳମାଲିକ ସାଙ୍ଗେ ତାଳ ଦେଇ ଜିନିଷ ତିଆରି କରି ପାରିବ ନାହିଁ କି ଏଡ଼େ ଶସ୍ତାରେ ବିକ୍ରି କରି ପାରିବ ନାହିଁ। ସେ ତା’ର ଶାଳ ବନ୍ଦ କରି ଦେଇ ଚାଲିଲା କଳରେ କୂଲିଗିରି କରିବାକୁ। କଳ ଯୋଉଠି ବସିଲା ଗାଁରୁ ଲୋକେ ଧାଇଁଲେ ସେଠିକି ବେଶି ମଜୁରୀ ଲୋଭରେ। ଗାଁରୁ ଗହଳି କମିଗଲା। କଳ ବସିବା ଥାନମାନଙ୍କରେ ସହର ଗଢ଼ିଉଠିଲା। ଗାଁ ଛାଡ଼ି ଲୋକେ ଏହି ସହରମାନଙ୍କରେ ଠୁଳ ହେଲେ। ଆଗରେ ଶିଳ୍ପ ଥିଲା ଗାଁ ଗହଳର କଥା…କୁଟୀର ଶିଳ୍ପ। କଳ ଚାଲୁ ହେବାଠାରୁ ଆସ୍ତେ ଆସ୍ତେ ହାତ ତିଆରି ଜିନିଷ ଛପିଗଲା। କଳରେ ସବୁ ତିଆରି ହେଲା। ଏହି ପରିବର୍ତ୍ତନକୁ କହନ୍ତି ଶିଳ୍ପ ବିପ୍ଳବ। ଶିଳ୍ପବିପ୍ଳବ ପ୍ରଥମେ ଆରମ୍ଭ ହେଲା ଇଂଲଣ୍ଡ ଓ ୟୁରୋପରେ, ଆଜିକି ପ୍ରାୟ ଦୁଇଶହ ବର୍ଷ ଆଗେ। ଆମ ଦେଶରେ ସେ ବିପ୍ଳବ ଏବେ ଚାଲିଛି ବି।

            ଶିଳ୍ପ ବିପ୍ଳବ ସହିତ ଦେଶର ରୂପ ବି ବଦଳିଗଲା। କୁଟୀରଶିଳ୍ପରେ ଯେଉଁସବୁ ଜିନିଷ ଆମଦାନି ହେଉଥିଲା, ତା’ ନିଜ ଗାଁ ଓ ଆଖପାଖ ପାଇଁ । ସେବେ ସାରା ଦେଶଟାଯାକ-ଗାଁଏ ଗାଁଏ-ଜିନିଷର ଆମଦାନି ବିଛୁଡ଼ି ହୋଇପଡ଼ିଥିଲା। କଳ କିନ୍ତୁ ଗୋଟିଏ ଥାନରେ (ତାକୁ ଶିଳ୍ପକେନ୍ଦ୍ର ବୋଲାଯାଏ)    ଅନେକଗୁଡ଼ିଏ ଜିନିଷ ଆମଦାନି କଲା-ସାରା ଦେଶପାଇଁ। ଶିଳ୍ପ ଏହିପରି କେନ୍ଦ୍ରୀଭୂତ ହେଲା; ଗୋଟିଏ ଗୋଟିଏ କଳକୁ ଲକ୍ଷ ଲକ୍ଷ ଲୋକ ତାଙ୍କ ବ୍ୟବହାର ଜିନିଷ ପଇଁ ଚାହିଁ ରହିଲେ।

             ମଣିଷ ସମାଜ ଏବେ ଏହି କଳିଯୁଗରେ। ତାହାର ଦରକାରୀ ଜିନିଷ ପାଇଁ ସେ ଅନାଇଁ ରହିଛି କଳକୁ…ତା’ର ଚାଉଳ ପାଇଁ, ଲୁଗା ପାଇଁ, ଏପରିକି ଲୁହା କଣ୍ଟାଟିଏ ପାଇଁ। ଏହି କଳଯୁଗ ପୃଥିବୀର ରୂପକୁ, ମଣିଷ ସମାଜର ରୂପକୁ ବିଲକୁଲ  ଓଲଟପାଲଟ କରି ଦେଇଛି। କଳର ଆବିଷ୍କାର ପରେ ପରେ ନାନାଦି ବିଷୟରେ କଳ ଖଞ୍ଜା ହୋଇଗଲା; ଯାନବାହାନ, ଲେଖାପଢ଼ା, କଥାଭାଷା…। ଏହିସବୁ ନୂତନ ଆବିଷ୍କାର …ରେଳ, ଉଡ଼ାଜାହାଜ,ବେତାରଯନ୍ତ୍ର…ସାହାଯ୍ୟରେ ମଣିଷର କାର୍ଯ୍ୟ କରିବା ଶକ୍ତି ବଢ଼ିଗଲା। ଯେଉଁଠି ସେ ଦିନକେ ସାତକୋଶ ବାଟ ଯାଉଥିଲା, ସେ ଗଲା ସାତଶହ କୋଶ। ଯେଉଁଠି ସେ  ପାଞ୍ଚପତର ଦିନକେ,ଏବେ ଲେଖିଲା ପାଞ୍ଚଖଣ୍ଡ ବହି। ଯାହା ସେ ତା’ର ଗାଁର ଲୋକଙ୍କ ପାଖେ କହୁଥିଲା, ସେ କହିଲା ସାତ ସମୁଦ୍ର ସେପାରିର ଲୋକଙ୍କୁ। ଫଳରେ ଦେଶ ଦେଶ ଭିତରେ ଦୂରତା କମିଗଲା। ପ୍ରତ୍ୟେକ ରାଜ୍ୟର ଲୋକ ଅନ୍ୟ ରାଜ୍ୟର ଲୋକଙ୍କ ସାଙ୍ଗରେ ମିଳାମିଶା, ବାଣିଜ୍ୟ-ବନ୍ଧୁତା କଲେ। ଗୋଷ୍ଠୀ ଗୋଷ୍ଠୀ ଭିତରେ ଥିବା ତଫାତ୍‌ ଭାଙ୍ଗିପଡ଼ିଲା। ସାରା ପୃଥିବୀ ଗୋଟାଏ ଘର ହୋଇଉଠିଛି ଆଜିକାଲି।

             ବଣ ଜଙ୍ଗଲରୁ ଆଜିର ଏ ସଭ୍ୟତା… ଏହା ଭିତରେ ବହୁବର୍ଷ…ହଜାର ନୁହେଁ ଲକ୍ଷ…ବହି ଯାଇଛି, ଅନେକ ପୁରୁଷ ବିତିଯାଇଛି। ମଣିଷ ଆଜି ଯାହା, ଏ ପୃଥିବୀ ଆଜି ଯେଉଁ ରୂପ ଧରିଛି, ତ ସବୁଦିନେ ନଥିଲା। ମଣିଷ ପାହାଚ ଚଢ଼ିଛି…କେବେ ଅଭାବ ଆଉ ଅସୁବିଧା ବିରୁଦ୍ଧରେ ଲଢ଼ିଛି…କେତେ ନୂଆ ନୂଆ କଥା ଗଢ଼ିଛି…ମଣିଷର ଏ ଯେଉଁ ସଂଗ୍ରାମ ତା ଆପଣାର ଜୀବନକୁ ମଧୁମୟ କରିବା ଲାଗି…ବଂଚିବାକୁ ଉପଭୋଗ କରିବାଲାଗି। ଏହା ଇଶ୍ବରଙ୍କ ଲୀଳା ନୁହେଁ। ଜୀବନ ମାୟା ନୁହେଁ, ସତ୍ୟ।

 

 




+ -

© Jataayu Charitable Trust
Site designed,developed & maintained by Tekons