ରାଜନୀତି ଆଉ ଆମେ




ଗଣତନ୍ତ୍ର

       ରାଜା ଓ ସାମନ୍ତଙ୍କର ସରକାର…ପ୍ରଜାଏ ତା ଚାହୁଁନଥିଲେ ବି ଅନ୍ୟ କି ବ୍ୟବସ୍ଥା କରିବେ ଜାଣିନଥିଲେ। ବ୍ୟବସ୍ଥା ଭାବୁଥିଲେ ବି ପ୍ରଜାଙ୍କର ସେ ବଳ ନଥିଲା। ସେ ଯୁଗରେ ଖବରକାଗଜ ନଥିଲା,-ବହିପତ୍ରର ପ୍ରଚାର ନଥିଲା,ଯିବା ଆସିବା ପାଇଁ ସୁବିଧା ନଥିଲା ପ୍ରଜାଏ ମେଳି ବାନ୍ଧିବା କଷ୍ଟକର ଥିଲା। ରାଜାଙ୍କର ସବୁ ଅତ୍ୟାଚାର ସହି ବି ଲୋକେ ପଡ଼ିଥାଆନ୍ତି। କାହିଁ କାହିଁ ଲୋକେ ରାଜାର ଅତ୍ୟାଚାର ସହି ନପାରି ମେଳିବାନ୍ଧନ୍ତି। ରାଜାର ସୈନ୍ୟକୁ ହଟାଇ ଦେଇପାରୁଥିଲେ ଦୋସାରା ଜଣକୁ ରାଜଗାଦିରେ ବସାଇ ରାଜ୍ୟ ଚଳାନ୍ତି। ସେ ରାଜା କିଛିଦିନ ପାଇଁ ଲୋକଙ୍କ ହିତରେ କାମ କରେ, ପୁଣି ଯୋଉ କଥାକୁ ସେଇକଥା। ପୁଣି ରାଜାର ଅତ୍ୟାଚାର…ପୁଣି ସାଆନ୍ତଣଙ୍କ ଜୁଲୁମ। ହେଲେ, ଉପାୟ ନାହିଁ। ଅନ୍ୟ କି ପନ୍ଥା ଅଛି? ଦେଶର ଶାସନ କେହି ହେଲେ ତ କରିବ। ତାଜା ଓ ସାମନ୍ତମାନଙ୍କୁ ରଖିବାରେ ଲୋକେ ନାନା ଅସୁବିଧା ଭୋଗ କରୁଥିଲେ ବି ସେମାନଙ୍କୁ ରଖିବା ତ ଲୋକଙ୍କର ଦରକାର ଥିଲା- ଦେଶର ଇଜ୍‌ମାଇଲ୍‌ କାମଗୁଡ଼ିକ ଦେଖାଶୁଣା କରିବା ଲାଗି।

          ବିଲାତ ଦେଶରେ କେତେଥର ପ୍ରଜାଏ ମେଳିବାନ୍ଧି ରଜାଙ୍କଠୁ ସନନ୍ଦ ହାସଲ କରିଥିଲେ। ଫଳରେ ରାଜାହାତରୁ କେତେକ କ୍ଷମତା କାଢ଼ି ନିଆ ହୋଇଥିଲା।ଏହିପରି ସେଠି କ୍ରମେ କ୍ରମେ ରଜାକୁ ନିରସ୍ତ୍ର କରାଯାଇଥିଲା…ରାଜ୍ୟର ଶାସନ କ୍ଷମତା ଲୋକଙ୍କ ହାତକୁ ଆସିଲା। ଲୋକେ ତାଙ୍କର ପ୍ରତିନିଧି ବାଛି ରଜାଙ୍କ ଦରବାରକୁ ପଠାନ୍ତି। ଲୋକ ପ୍ତତନିଧିମାନଙ୍କର ଏହି ସଭା…ପାର୍ଲିଆମେଣ୍ଟ…ରଜାକୁ ଶାସନ ବିଷୟରେ ପ୍ରଥମେ ପରାମର୍ଶ ଦେଇଥିଲେ। ପରେ କାଳକ୍ରମେ ରାଜ୍ୟର ସମସ୍ତ ଶାସନ ଭାର ପାର୍ଲାମେଣ୍ଟ ହାତକୁ ଚାଲିଆସିଲା। ଏହି ଲୋକପ୍ରତିନିଧିମାନେ ଆଇନ ଗଢ଼ନ୍ତି, ଦେଶର ଶାସନ ଚଳାନ୍ତି। ବିଲାତର ରାଜା ନାମମାତ୍ର ଅଛି। ରାଜାର ପ୍ରକୃତରେ କୌଣସି କ୍ଷମତା ନାହିଁ।

         ଲୋକପ୍ରତିନିଧି ଦ୍ବାରା ଶାସନକୁ ଗଣତନ୍ତ୍ର କହନ୍ତି। ଆମ ଭାରତରେ ପ୍ରାଚୀନ କାଳରେ କୌଣସି ଗଣତନ୍ତ୍ର ଥିଲା। ହେଲେ, ଆଜିକାଲି ଜଗତର ଯେଉଁ ଗଣତନ୍ତ୍ର ଶାସନ ଚାଲୁଛି, ସେ ଧାରଣା ବିଲାତ, ଫ୍ରାନ୍ସ ଓ ଅନ୍ୟ ୟୁରୋପୀୟ ଦେଶରୁ ଆସିଛି। ଶିଳ୍ପ ବିପ୍ଳବ ପରେ ୟୁରୋପରେ ଗଣତନ୍ତ୍ରର ବାର୍ତ୍ତା ସବୁ ଦେଶରେ ଖେଳିଗଲା। ରାଜଶାସନକୁ ଲୋପକରିବା ପାଇଁ ସବୁ ଦେଶରେ ଦାବି ହେଲା। ଲୋକଙ୍କର ଏହି ଆନ୍ଦୋଳନ ଫରାସୀ ଦେଶରେ ଗୋଟାଏ ବଡ଼ ବିଜୟ ହାସଲ କରିଥିଲା… ଫରାସୀ ବିପ୍ଳବ(ସାଲ ୧୭୮୯) ସେତେବେଳେ ଚତୁର୍ଦ୍ଦଶ ଲୁଇ ବୋଲି ଫ୍ରାନ୍ସର ଜଣେ ରାଜା ଥିଲେ… ଭାରି ଅତ୍ୟାଚାରୀ। ତାର ଧାରଣା, ତାକୁ ରଜା କରିଛନ୍ତି ସ୍ବୟଂ ଭଗବାନ,ଲୋକଙ୍କର ତାର ଶାସନ ବିଷୟରେ କହିବାର କିଛିନାହିଁ। ଏହି ସମୟରେ ଭଲ୍‌ଟାୟାର ଓ ରୁଷୋ ବୋଲି ଦୁଇ ଜଣ ବଡ଼ ପଣ୍ଡିତ ଫ୍ରାନ୍ସ  ଦେଶରେ ଜନ୍ମଗ୍ରହଣ କରିଥିଲେ। ଲୋକମାନଙ୍କର ମୁକ୍ତି ଆନ୍ଦୋଳନର ଉଦ୍ଦେଶ୍ୟ ଓ ଗଣତନ୍ତ୍ରର ଆବଶ୍ୟକତା ବିଷୟରେ ସେମାନେ ନାନା ଗ୍ରନ୍ଥ ଲେଖିଥିଲେ। ସେମାନଙ୍କର ଲେଖା ସାରା ଦେଶରେ ବହୁଳ ପ୍ରଚାର ହୋଇଥିଲା। ସ୍ବାଧୀନତା, ସାମ୍ୟ ଓ ମୈତ୍ରୀ…ଏହି ତିନୋଟି ଆଦର୍ଶ ପାଇଁ ଲୋକଙ୍କର ମୁକ୍ତି ଆନ୍ଦୋଳନ ହେଲା। ଲୋକଙ୍କର ଅନ୍ଦୋଳନକୁ ଦବାଇବାକୁ ରଜା ସବୁପ୍ରକାର ଦମନ ଲୀଳା ଚଳାଇଥିଲା କିନ୍ତୁ ଲୋକେ ଏକତା ବାନ୍ଧି ରାଜପ୍ରାସାଦ ଆକ୍ରମଣ କଳେ, ସୈନ୍ୟମାନଙ୍କୁ ହଟାଇଦେଲେ,ରାଜା ଓ ରାଣୀଙ୍କୁ ବନ୍ଦୀ କରି ତାଙ୍କୁ ଫାଶି ଦେଲେ।

          ଫରାସୀ ବିପ୍ଳବ ପରେ ଗଣତନ୍ତ୍ର ଲାଗି ଲୋକଙ୍କ ଭିତରେ ଆନ୍ଦୋଳନ ଟାଣ ହେଲା। ଶିଳ୍ପ ବିପ୍ଳବ ପରେ ଗଣତନ୍ତ୍ର ଶାସନ ଲାଗି କାହିଁକି ଯେ ଲୋକେ ଆନ୍ଦୋଳନ କରିଥିଲେ, ତାର ଆଭାସ ଆଗରୁ ଦେଇଛି। ସାମନ୍ତବାଦୀ ସରକାରରେ ରାଜ୍ୟର ଧନ ସାମନ୍ତମାନଙ୍କ ପାଖରେ ଠୁଳ ହୋଇଥିଲା; ସେମାନେ ଥିଲେ ଜମିର ମାଲିକ, ଇଲାକାର ସର୍ବେସର୍ବା। ରାଜା ଓ ସାମନ୍ତମାନେ ଅନ୍ୟ ଲୋକଙ୍କୁ ତାଙ୍କଠୁ ହୀନ ଲୋକ ବୋଲି ଜ୍ଞାନ କରୁଥିଲେ ଓ ସବୁକ୍ଷେତ୍ରରେ ତାଙ୍କ ପ୍ରତି ସେହିପରି ବ୍ୟବହାର କରୁଥିଲେ।ଲୋକେ ଆପଣା ପେଟ ପୋଷିବା ଲାଗି ସାଆନ୍ତଙ୍କଠୁ ଜମି ଖଣ୍ଡେ ପାଇଁ ଚାହିଁ ବସିଥିଲେ। ସେଥିଲାଗି ସବୁ କଥାକୁ ଲୋକେ ନଇଁ ପଡ଼ୁଥିଲେ। ଯେତେବେଳେ ଦେଶରେ କଳ ଚାଲୁ ହେଲା,କଳ ମାଲିକମାନେ ବହୁତ କୁଲୀଙ୍କୁ କାମ ଯୋଗାଇଲେ। ପେଟ ପୋଷିବା ପାଇଁ ଲୋକେ ଆଉ ଜମି ଉପରେ ନିର୍ଭର କରି ରହିଲେ ନାହିଁ। ସାଆନ୍ତ ଜମି ନ ଦେଲେ ସେମାନେ ଯାଇ କଳରେ କାମ କରି ପେଟ ପୋଷିଲେ।ଜମି ଉପରୁ ଲୋକଗହଳି ଭାଙ୍ଗିଗଲା। କଳମାଲିକ ତାର ଜିନିଷ ବିକ୍ରି କରି ଧନୀ ହେଲା। ରାଜ୍ୟର ଧନ ଏଣିକି ସାଆନ୍ତଙ୍କ ହାତରେ ନ ରହି ଜମା ହେଲା ପୁଞ୍ଜିପତି କଳମାଲିକ ଓ ଜମିଦାରମାନଙ୍କ ହାତରେ । ସାଆନ୍ତମାନେ ଦୁର୍ବଳ ହୋଇପଡ଼ିଲେ, ରାଜା ଆଉ କାହା ବଳରେ ରାଜ୍ୟଟା ତାର ବୋଲି କହିବ? ଲୋକେ ତା ଆଗରୁ ସାମନ୍ତବାଦୀ ସରକାରକୁ ଘୃଣା କରୁଥିଲେ। ରାଜା ବା ସାମନ୍ତଙ୍କ ସହିତ କଳ ମାଲିକର ଯେବେ କିଛି  ଝଗଡ଼ା ଲାଗେ, ଳୋକେ କଳମାଲିକଙ୍କୁ ସାହାଯ୍ୟ କଲେ। ରାଜଶାସନ ସମାଜର ଏହି ନୂଆ ରୂପରେ ଅପଦାର୍ଥ ହୋଇପଡ଼ିଲା। କଳମାଲିକଙ୍କୁ ନେତା କରି ଲୋକେ ଆନ୍ଦୋଳନ କଲେ,ରଜା ଓ ସାମନ୍ତଙ୍କୁ ଲୋପ କରିବାକୁ, ଲୋକଙ୍କ ହାତକୁ ରାଜ୍ୟର ଶାସନ କ୍ଷମତା ଦେବାକୁ। ଲୋକଙ୍କର ଚକ୍ଷୁଶୂଳ, ଦରିଦ୍ର ଓ ଦୁର୍ବଳ ରାଜା ଓ ସାମନ୍ତମାନେ ଲୋକଙ୍କର ଦାବିକୁ ମାନି ନେବାକୁ ବାଧ୍ୟ ହେଲେ। ସାମନ୍ତବାଦୀ ଶାସନ ଭୁଷୁଡ଼ି ପଡ଼ିଲା। ଦେଶର ଶାସନ ଲୋକମତ ଅନୁସାରେ ହେବ ବୋଲି ବିଧାନ ହେଲା। ଏହାହିଁ ରାଜନୈତିକ ଗଣତନ୍ତ୍ର।     

            ସାମନ୍ତବାଦରେ ଲୋକଙ୍କର ସ୍ବାଧୀନତା ବୋଲି କିଛି ନଥିଲା। ସେମାନେ ସରକାରକୁ ସମାଲୋଚନା କଲେ ରାଜା ତାଙ୍କୁ ବାନ୍ଧି ନେଉଥିଲା। ଲୋକଙ୍କର କହିବାର ସ୍ବାଧୀନତା ନଥିଲା, ଲେଖିବାର ସ୍ବାଧୀନତା ନଥିଲା, ରାଜାର ହୁକୁମ ସରକାରର ଆଇନ ଆଇନ ହୋଇଥାଏ। ରାଜା ଯାହାକୁ ହୁକୁମ ଦିଏ ମାରିଦେବା ଲାଗି, ତାକୁ ବିନା ବିଚାରରେ ବି ମାରିଦିଆଯାଉଥିଲା। ଲୋକଙ୍କର ଜୀବନ ଥିଲା ରାଜାର କୃପା। ଗଣତନ୍ତ୍ରରେ ଲୋକଙ୍କର ସ୍ବାଧୀନତା ହେଲା ମୂଳକଥା। ସମସ୍ତଙ୍କର ଅଧିକାର ଅଛି କହିବାକୁ, ଲେଖିବାକୁ, ଦଳ ଗଠନ କରିବାକୁ, ନିଜର ମତ ପ୍ରଚାର କରିବାକୁ । କୌଣସି ଲୋକର ସ୍ବାଧୀନତା ଉପରେ ସରକାର ହସ୍ତକ୍ଷେପ କରିପାରିବ ନାହିଁ। ଆଇନ ବଳରେ ହିଁ କେବଳ କୌଣସି ଲୋକଙ୍କୁ ବନ୍ଦୀ କରାଯାଇପାରେ, ଫାସି ଦିଆଯାଇପାରେ ବା ଅନ୍ୟ ଶାସ୍ତି ଦିଆଯାଇପାରେ। ବିନା ବିଚାରରେ କିନ୍ତୁ ରାଜ୍ୟର କୌଣସି ଲୋକ (ନାଗରିକ)ର ଏହିସବୁ ମୌଳିକ ସ୍ବାଧୀନତାରେ ସରକାର ହସ୍ତକ୍ଷେପ କରିପାରିବ ନାହିଁ।

                ସାମ୍ୟ…।ସାମନ୍ତବାଦୀ ସରକାର ଅଧୀନରେ ଦେଶର ଜନସାଧାରଣ ଅତି ଦୀନ ଦରିଦ୍ର ହୋଇ।ଚଳୁଥିଲେ। ଅଥଚ ରାଜା ଓ ସାମନ୍ତମାନେ ଅନେକ ସମ୍ପତ୍ତିର ମାଲିକ ଥିଲେ। ରାଜା ଓ ସାମନ୍ତଙ୍କ ଛଡ଼ା ରାଜ୍ୟର ମାଲିକ ହେବାର ଅଧିକାର କାହାର ନଥିଲା। ଦେଶର ଶାସନରେ ଆଉ କାହାରି ଭାଗ ନଥିଲା। ପ୍ରଜାମାନେ ଥିଲେ ତଳିଆ ଜୀବ। ସମାଜରେ ରାଜା ଓ ସାମନ୍ତମାନଙ୍କଠୁ ସେମାନେ ପ୍ରତ୍ୟେକ ବିଷୟରେ ହୀନ । ରାଜପୁତ୍ର ଯେଉଁ ଆସନରେ ବସିବ, ସାଧାରଣ ଲୋକ ସେଠି ବସିପାରିବ ନାହିଁ। କେବଳ ସାମନ୍ତ ଛଡ଼ା ଅନ୍ୟ କେହି ସୈନ୍ୟମାନଙ୍କର ସେନାପତି ହୋଇପାରିବ ନାହିଁ। ବାହ୍ମଣ, କ୍ଷତ୍ରିୟ ଓ କରଣମାନେ ପାଲିଙ୍କିରେ ବସିପାରିବେ, ଅନ୍ୟମାନଙ୍କର ପାଲିଙ୍କିରେ ବସିବାର ଅଧିକାର ନାହିଁ। ଏହିପରି ମଣିଷ ମଣିଷ ଭିତରେ ପାତର ଅନ୍ତର ଭାବ ଥିଲା ହଜାରେ। ସାମାନ୍ତବାଦ ବ୍ୟବସ୍ଥାର ଏଗୁଡ଼ିକ ସୃଷ୍ଟି, ଏହା ବିରୁଦ୍ଧରେ ଳଢ଼ି ଲୋକମାନେ ଗଣତନ୍ତ୍ରର ଏକ ମୂଳକଥା ହିସାବରେ ସାମ୍ୟ ନୀତିକୁ ଗ୍ରହଣ କଲେ। ଗଣତନ୍ତ୍ରରେ ଜଣେ ନାଗରିକର ଯେତେ ଅଧିକାର ଅଛି ଅନ୍ୟ ଜଣଙ୍କର ସେହି ସେହି ଅଧିକାର ଅଛି। ସାମନ୍ତ ସାମନ୍ତଙ୍କ ମଧ୍ୟରେ ରଜା ରଜା ମଧ୍ୟରେ ଯେଉଁ ହୀନ କଳି ତକରାଳ ଇର୍ଷା ଓ ଦ୍ବେଷ ଦ୍ବାରା ସମାଜ ଭିତରେ ହଜାର ଫାଙ୍କ ଓ ଦଳ ଦେଖାଯାଉଥିଲା, ତାହା ଏଣିକି ଲୋପପାଇବ। ସମସ୍ତେ ସମାନ ଆସନରେ ବସିବେ…ସମସ୍ତେ ପରସ୍ପରର ଭାଇ…ମନୁଷ୍ୟ ମନୁଷ୍ୟ ମଧ୍ୟରେ କୌଣସି ବିରୋଧ ନାହିଁ…ବିବାଦ ନାହିଁ…ସମସ୍ତେ ଏ ମୈତ୍ରୀ ସୂତ୍ରରେ ବନ୍ଧା। ଏହି ନୀତି ହେଲା ଗଣତନ୍ତ୍ରର ମୌଳିକ ଆଦର୍ଶ। ସାମନ୍ତବାଦରେ ଯେଉଁ ଯେଉଁ ଅସୁବିଧାରେ ଲୋକେ ପଡୁଥିଲେ,ସେଗୁଡ଼ିକ ଦୂର କରିବାକୁ ଗଣତନ୍ତ୍ର ବ୍ୟବସ୍ଥାର ସୃଷ୍ଟି, ରାଜା ରାଜୋଡ଼ାର ଅଭିଜ୍ଞତା ଉପରେ ଗଣତନ୍ତ୍ର ଗଢ଼ା।

                 ଗଣତନ୍ତ୍ର ଶାସନରେ ଲୋକେ ସେମାନଙ୍କର ପ୍ରତିନିଧି ବାଛି ଆଇନ ସଭାକୁ ପଠାନ୍ତି। ଆଇନ ସଭା ଲୋକଙ୍କ ଲାଗି ଆଇନ ଗଢ଼େ ଓ ସେହି ଆଇନ ଅନୁସାରେ ସରକାରୀ କର୍ମଚାରୀମାନେ କାର୍ଯ୍ୟ କରନ୍ତି। ରାଜାମାନଙ୍କର ମନମୁଖୀ ଶାସନ ବିରୁଦ୍ଧରେ ଏ ପ୍ରକାର ବିଧାନ ଗଢ଼ା ହୋଇଥିଲା। ଲୋକ ଯେଉଁ କଥା ଚାହିଁବେ,ତାହା ଦେଶର ଆଇନ ହେବ, ସେହି ଅନୁସାରେ ସରକାର ଚାଲିବ…ଏହାହିଁ ଗଣତନ୍ତ୍ରର ଉଦ୍ଦେଶ୍ୟ।

                 ସବୁ ଦେଶରେ ଗଣତନ୍ତ୍ରର ବ୍ୟବସ୍ଥା ସମାନପ୍ରକାର ନାହିଁ। କେତେ ଜାଗାରେ ଅଛି ଦେଶର ପ୍ରତି ସାବାଳକ ଭୋଟ ଦେଇ ପ୍ରତିନିଧି ପଠାଇପାରିବେ । କେଉଁଠିବା ସ୍ତ୍ରୀଲୋକମାନଙ୍କୁ ସେ ଅଧିକାର ଦିଆ ଯାଇନାହିଁ। କେତେକସ୍ଥଳରେ ଭୋଟ ଦେବା ଲୋକର ସମ୍ପତ୍ତି ବାଡ଼ି କେତେ,ତା ଖୋଜା ଲୋଡ଼ା ହୁଏ ଭୋଟଦାତାର ଯୋଗ୍ୟତା ଠିକ୍‌ କରିବା ଲାଗି। ଏହିପରି ନାନାପ୍ରକାର ଭେଦ ଅଛି।

                 ପୁଣି ପ୍ରତିନିଧି ପଠେଇଲେ ସେମାନେ ଲୋକମତକୁ ନ ମାନି ଯେବେ କାମ କରନ୍ତି, ସେଥିପାଇଁ ନାନା ଦେଶରେ ବିଭିନ୍ନ ବ୍ୟବସ୍ଥା ଅଛି। ଲୋକେ ଚାରି ପାଞ୍ଚବର୍ଷ  ଅନ୍ତରରେ ଥରେ ଲେଖା ସାନି ଶାସନ-ବିଧାୟକ ସଭା ପାଇଁ ପ୍ରତିନିଧି ବାଛିବାର ବ୍ୟବସ୍ଥା ପ୍ରାୟ ପ୍ରତି ଗଣତାନ୍ତ୍ରିକ ସରକାରରେ ଅଛି। ବିଲାତ ଭାରତ ଆମେରିକା ପ୍ରଭୃତି ଦେଶରେ ଯେଉଁ ଗଣତନ୍ତ୍ର , ସେଥିରେ ପ୍ରତିନିଧି ଯେବେ ଲୋକଙ୍କ ମତ ଅନୁସାରେ କାମ ନକରେ;ତେବେ ଲୋକେ ପୁଣି ତାକୁ ପ୍ରତିନିଧି କରି ପଠାଇବେ ନାହିଁ-ଏହାଛଡ଼ା ପ୍ରତିନିଧି ଉପରେ ଲୋକଙ୍କର ଆଉ ଅଧିକ କର୍ତ୍ତୃତ୍ବ ନାହିଁ। ରୁଷର ସୋଭିଏତ୍‌ ସରକାରରେ ବିଧାନ ଅଛି ଯେ ଲୋକ ଇଚ୍ଛାକଲେ ପ୍ରତିନିଧିଙ୍କୁ ଫେରାଇ ଆଣିବେ। ଆଉ କେତେ ଦେଶରେ (ସୁଇଜରଲ୍ୟାଣ୍ଡ,ରୁଷ)ବ୍ୟବସ୍ଥା ଅଛି ଯେ ପ୍ରତ୍ୟେକ ଗୁରୁତର ବିଷୟରେ ଲୋକମାନଙ୍କର ମତ ଗ୍ରହଣ କରାଯିବ। ଏହାକୁ ଜନମତ ଗ୍ରହଣ ବା Referendum କହନ୍ତି।

                     ଦେଶର ଶାସନ କିଭଳି ହେବ, କେଉଁ ନୀତି ଉପରେ ତାହା ଗଢ଼ାଯିବ; ଏ ବିଷୟରେ ଲୋକଙ୍କ ଭିତରେ ଅନେକ ସମୟରେ ମତଭେଦ ହୁଏ। ନିଜ ନିଜର ସ୍ବାର୍ଥ ଦୃଷ୍ଟିରୁ ସମାଜର ଭିନ୍ନ ଭିନ୍ନ ଶ୍ରେଣୀ ମଧ୍ୟରେ ମତଭେଦ ହୋଇ ଭିନ୍ନ ଭିନ୍ନ ଦଳ ଗଢ଼ାଯାଏ। ବିଭିନ୍ନ ଦଳ ତରଫରୁ ପ୍ରାର୍ଥୀ ଛିଡ଼ା କରନ୍ତି। ଲୋକେ ଯାହାକୁ ପସନ୍ଦ କରନ୍ତି, ତାକୁ ଭୋଟ ଦିଅନ୍ତି। ଶାସନ-ବିଧାୟକ ସଭାକୁ ଏହି ପ୍ରକାରେ ବିଭିନ୍ନ ମତ, ବିଭିନ୍ନ ଦଳର ପ୍ରତିନିଧି ଆସନ୍ତି। ସେମାନେ ମିଳିମିଶି ଯେବେ ଗୋଟିଏ ସରକାର ଗଢ଼ନ୍ତି, ତାହାକୁ ମିଳିତ (Coalition) ସରକାର ବୋଲାଯାଏ। ପ୍ରତିନିଧିମାନେ ଭିନ୍ନ ଭିନ୍ନ ନୀତିରେ ବିଶ୍ବାସ କରୁଥିବାରୁ ସାଧାରଣତଃ ମିଳିମିଶି ଗୋଟିଏ ସରକାର ଗଢ଼ି ପାରନ୍ତି ନାହିଁ। ତେଣୁ ଯେଉଁ ଦଳର ବେଶି ପ୍ରତିନିଧି ଥାଆନ୍ତି, ସେପରି ଦଳ ସରକର ଗଢ଼େ। ଯେଉଁମାନେ ସେ ଦଳରେ ନଥାନ୍ତି, ସେମାନେ ବିରୁଦ୍ଧ ଦଳ (Opposition) ରାଜ୍ୟ ପାଇଁ କୌଣସି ବ୍ୟବସ୍ଥା କରିବାକୁ ହେଲେ ତାହା ଏହି ଶାସନ ବିଧାୟକ ସଭାରେ ଆଲୋଚିତ ହୁଏ। ଆଲୋଚନା ପରେ ପ୍ରତିନିଧିମାନଙ୍କର ମତ ନିଆଯାଏ ଓ ଅଧିକ ସଂଖ୍ୟକ ପ୍ରତିନିଧିଙ୍କ ମତ ଅନୁସାରେ ଆଇନ ଗଢ଼ାଯାଏ। କୌଣସି ବିଷୟରେ ଯେଉଁ ପ୍ରସ୍ତାବ ଆଗତ କରାଯାଏ, ତାକୁ ବିଲ୍ କହନ୍ତି। ବିଲ୍‌ଟି ଅଧିକ ସଂଖ୍ୟକ ଭୋଟରେ ପ୍ରତିନିଧିମାନଙ୍କ ଦ୍ବାରା ଗୃହୀତ ହେଲେ ସେହି ଅନୁସାରେ ଆଇନ ଗଢ଼ା ହୁଏ। ସରକାର ଗଢ଼ିବା ଦଳରେ ସମୁଦାୟ ପ୍ରତିନିଧି ସଂଖ୍ୟାରୁ ଅଧେ ଉପରେ ଥିବା ଦରକାର। ନୋହିଲେ, ସରକାର ଯେଉଁ ଆଇନ ଆଗତ କରିବେ, ଯେଉଁ କର ଧାର୍ଯ୍ୟ କରିବାର ବ୍ୟବସ୍ଥା କରିବେ, ତାହା ବିରୁଦ୍ଧରେ ଅଧିକ ଭୋଟ ହୋଇ ପ୍ରସ୍ତାବ କାଟ୍‌ ହୋଇଯିବ,ସରକାର ମୋଟେ ଚାଲିପାରିବ  ନାହିଁ। ତେଣୁ ଏହି ସରକାର ସଂଖ୍ୟାଧିକ ଲୋକଙ୍କର ସରକାର ବୋଲି କୁହାଯାଏ।

                     ସଂଖ୍ୟାଧିକ ଦଳ ଦ୍ବାରା ଯେଉଁ ସରକାର ଗଢ଼ା ହେଲା, ତାହା ଅନ୍ୟ ଦଳମାନଙ୍କ ପ୍ରତି ଅବିଚାର କରିପାରେ, ଲୋକମାନଙ୍କର ମୌଳିକ ଅଧିକାର ଉପରେ ହସ୍ତକ୍ଷେପ କରିପାରନ୍ତି… ଏହି ଭୟ ଅଛି। ଏହି ବିପଦରୁ ରକ୍ଷା ପାଇବା ଲାଗି କେତେକ ଦେଶରେ ବିଚାର ବିଭାଗକୁ ସରକାରଠୁ ଅଲଗା କରିଦିଆଯାଇଛି। ତାହା ସରକାରର ଅଧୀନ ନୁହେଁ। ଲୋକମାନଙ୍କର ମୌଳିକ ଅଧିକାରରେ ହସ୍ତକ୍ଷେପ କଲାଭଳି କୌଣସି ଆଇନ ସରକାର ଗଢ଼ିଲେ ବା ଅନ୍ୟାୟରେ କୌଣସି ଦଳ ବା ଲୋକ ଉପରେ କିଛି ବ୍ୟବସ୍ଥା କଲେ ବିଚାର ବିଭାଗ ତାହା ଅସିଦ୍ଧ ଘୋଷଣା କରେ, ବନ୍ଦୀ ହେଲା ଲୋକଙ୍କୁ ଦିଏ। ବିଲାତ ଓ ରୁଷ ପ୍ରଭୃତି ଦେଶରେ ବିଚାରବିଭାଗ ସରକାରୀ ନୀତିଠାରୁ ପୂରା ସ୍ବତନ୍ତ୍ର।

                       ଗଣତନ୍ତ୍ର ଶାସନର ସଫଳତା ନିର୍ଭର କରେ ଭୋଟଦାତାଙ୍କର ବିଚାରଶକ୍ତି ଉପରେ। ଭୋଟଦାତାମାନେ ଯେବେ ଭଲ ନୀତି କିଏ, ଖରାପ ନୀତି କିଏ,କିଏ ସଚ୍ଚା, କିଏ ଶଠ ଏକଥା ବାଛି ନ ଜାଣନ୍ତି, ଯେଉଁ ସରକାର ଗଢ଼ାଯିବ,ତାହା ଲୋକମତ ଅନୁସାରେ ଗଢ଼ା ହୋଇଥିଲେ ବି ଲୋକଙ୍କର ମଙ୍ଗଳ ଲାଗି ବ୍ୟବସ୍ଥା କରିବ ନାହିଁ। ତାହାହିଁ ଆମେ ଅଙ୍ଗେ ଲିଭେଇଲା କଥାରୁ ଦେଖିଥାଉଁ। ମୁକ୍ତି, ସାମ୍ୟ, ମୈତ୍ରୀ, ଏ ନୀତି ଉପରେ ଗଣତନ୍ତ୍ର ଗଢ଼ା ହୋଇଥିଲେ ବି ସମାଜରେ ପ୍ରକୃତରେ ସାମ୍ୟ ଆସିନାହିଁ। ପୁଞ୍ଜିପତି ଓ ଜନସାଧାରଣଙ୍କର ମଧ୍ୟରେ ଯେଉଁ ପାର୍ଥକ୍ୟ,ତାହା ରାଜା ପ୍ରଜାର ପାର୍ଥକ୍ୟ ସଙ୍ଗେ ସମାନ। ସମସ୍ତେ ସମାନ ବୋଲି ବିଧାନ ଥିଲେ ବି ଯାହାର ଧନ ବେଶି ଅଛି, ସେ ଉଚ୍ଚ ଆସନରେ ବସେ, ଗରିବ ବିଚରା ସେ ଆସନରେ ବସିବାର ସୁବିଧା ସୁଯୋଗ ପାଏ ନାହିଁ। ଏ ଦୁହିଁଙ୍କ ଭିତରେ ମୈତ୍ରୀର ବା କି ପ୍ରଶ୍ନ ଉଠିପାରେ?

                       ଏହା ହେଲା କି ଭଳି?ପୁଞ୍ଜିବାଦୀମାନଙ୍କ ହାତରେ ଦେଶର ଧନ। ଖଟିଖିଆମାନେ ପେଟ ପୂରିଲା ନ ପୂରିଲା ଭଳି ଯେଉଁ ଦରମା ବା ଭତ୍ତା ପାଆନ୍ତି, ସେଥିଲାଗି ସେମାନଙ୍କୁ ଗଧଖଟଣି ଖଟିବାକୁ ହୁଏ। ସେମାନଙ୍କର ରାଜନୀତି ବିଷୟରେ ମୁଣ୍ଡ ପୁରେଇବାକୁ ବେଳ ବା କାହିଁ।

                        ଏହା ପୁଞ୍ଜିବାଦୀ ବ୍ୟବସ୍ଥାରେ ଗରିବ ରିକ୍ସାବାଲା, ସ୍କୁଲ-ଶିକ୍ଷକ,କୁଲି ଓ ଚାଷୀ ଯାହା ରୋଜଗାର କରେ,ସେଥିରେ ସେ ଖବରକାଗଜ ଖଣ୍ଡେ କିଣିବାକୁ ପଇସା ପାଏନାହିଁ, ରାଜନୈତିକ ଜ୍ଞାନ ଲାଭ କରିବା ଲାଗି  ସଭାସମିତିରେ ଯୋଗ ଦେବାକୁ ସମୟ ପାଏନାହିଁ। ଫଳେ ଲୋକସାଧାରଣଙ୍କର ରାଜନୀତି ବିଷୟରେ ଭଲମନ୍ଦ ବିଚାର କରିବାର ଶକ୍ତି ନଥାଏ।

                        ଅପର ପକ୍ଷରେ ଯାହା ହାତରେ ଧନ, ସେ ରାଜନୀତିରେ ନାନା ଆନ୍ଦୋଳନ କରିବାର ସୁବିଧା ଓ ସୁଯୋଗ ସୃଷ୍ଟି କରେ। ପୁଞ୍ଜିପତିମାନଙ୍କ ହାତରେ ଖବରକାଗଜ, ଛାପଖାନା, ପ୍ରଚାର କରିବା ଲାଗି ସବୁ ଅସ୍ତ୍ର। ଏହାପରେ ବି ପୁଞ୍ଜିପତିମାନଙ୍କର ଲୋକଙ୍କୁ ହାତରେ ରଖିବାର ସୁବିଧା ଅଛି, ସେମାନଙ୍କ ଅଧୀନରେ ଶ୍ରମିକମାନେ କାମ କରନ୍ତି, ସେମାନଙ୍କର ଜମିରେ ଦେଶର ଲୋକେ ରଇତ, ଖବରକାଗଜ ଗୁଡ଼ିକର ମାଲିକ ସେହିମାନେ ।ମୂର୍ଖ ଜନତାକୁ ନାନା ମିଥ୍ୟା ଛଳନାପୂର୍ଣ୍ଣ ପ୍ରଚାର ଦ୍ବାରା ଏମାନେ ସହଜରେ ଭୁଲାଇ ଦିଅନ୍ତି, ଭୋଟ ନେଇ ବ୍ୟବସ୍ଥାପକ ସଭାକୁ ଯାଆନ୍ତି; ଶ୍ରମିକ ଓ କୃଷକମାନଙ୍କ ଲାଗି କୌଣସି ସୁବିଧା କରନ୍ତି ନାହିଁ;ଯାହାକିଛି ବ୍ୟବସ୍ଥା ହୁଏ ସବୁ କେବଳ ସେହିମାନଙ୍କର ସୁବିଧା ଲାଗି। ଫଳରେ ଏହି ରାଜନୈତିକ ଗଣତନ୍ତ୍ର ପୃଥିବୀରେ କୌଣସି ପୁଞ୍ଜିବାଦୀ ଦେଶରେ ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ। ସମାଜକୁ ଦାରିଦ୍ର୍ୟ ଦୂର କରିବାଲାଗି, ଦେଶର ଲୋକମାନଙ୍କୁ ସୁଖରେ ରଖିବା ଲାଗି କୌଣସି ପୁଞ୍ଜିବାଦୀ ଗଣତନ୍ତ୍ର ଶାସନ ଏ ପର୍ଯ୍ୟନ୍ତ ଆଗଭର ହୋଇନାହିଁ। ଦେଶର ଶାସକ ତେଣୁ ଧନୀ ଶ୍ରେଣୀ ହୋଇଥାନ୍ତି;ଖଟିଖିଆଙ୍କ ପ୍ରତିନିଧି ସରକାରରେ ଖୁବ୍‌ କମ୍‌ ଥାଆନ୍ତି, ନଥାନ୍ତି କହିଲେ ଚଳେ।

                       ରୁଷ ଦେଶରେ ସେଠି ସୋଭିଏତ୍‌ ସରକାର ଗଢ଼ା ହେବା ଆଗରୁ (୧୯୧୩ ମସିହାରେ। ରୁଷ ଦେଶର ଶାସନ ବିଧାୟକ ସଭାରେ    କେଉଁ ଶ୍ରେଣୀରୁ କେତେଜଣ ପ୍ରତିନିଧି ଥିଲେ, ତାର ହିସାବ ତଳେ ଦିଆଗଲା।

 କେଉଁ ଶ୍ରେଣୀର ଲୋକ                            ଲୋକସଂଖ୍ୟା ଅନୁପାତରେ                               ଶାସନ ବିଧାୟକ

                                                      ଶତକରା ପ୍ରାୟ                                     ସଭାରେ ଶତକରା ପ୍ରାୟ

 

ରଇତ                                                      ୬୫                                                     ଶୂନ୍ୟ

ମୂଲିଆ                                                      ୧୭                                                      ୨ (୧/୨)

ମଧ୍ୟବିତ୍ତ ଜମିଦାର                                          ୧୨                                                      ୧୫(୧/୨)

ଜମିଦାର ଓ ପୁଞ୍ଜିପତି                                                                                              ୮୨

ଅନ୍ୟାନ୍ୟ                                                                                                           ଶୂନ୍ୟ

 

                       ଏଥିରୁ ଦେଖାଯିବ ଯେ ଗଣତନ୍ତ୍ର ନାମକୁ ମାତ୍ର ଲୋକ ଶାସନ ହେଲେବି ପ୍ରକୃତିରେ ଏହା ଜମିଦାର ଓ ପୁଞ୍ଜିପତିମାନଙ୍କର ଶାସନ। ସେହିମାନେ ହିଁ ଏଥିରେ ଶାସକ-ଗୋଷ୍ଠୀ।

                        ଗଣତନ୍ତ୍ର ସରକାର ସଫଳ ହେବା ଲାଗି ଦରକାର ଦେଶର ଜନସାଧାରଣ ରାଜନୀତି ବିଷୟରେ ଜ୍ଞାନାଲାଭ କରିଥିବେ…ଭଲମନ୍ଦ ବାରିପାରୁଥିବେ, ତାଙ୍କର ଅଧିକାର ପ୍ରତି ସବୁବେଳେ ସଜାଗ ଥିବେ। କିନ୍ତୁ ଦେଶରେ ଅଧିକାଂଶ ଲୋକ ଦରିଦ୍ର ଥିବାରୁ ରାଜନୀତି ବିଷୟରେ ମୁଣ୍ଡ ପୁରେଇବାକୁ ତାଙ୍କର ଅବସର ନଥାଏ। ରିକ୍ସାବାଲା,କୁଲି; ନିମ୍ନପ୍ରାଇମେରୀ ଶିକ୍ଷକମାନଙ୍କୁ ତାଙ୍କର ପେଟ-ପାଟଣାରେହିଁ କେବଳ ବ୍ୟସ୍ତ ରହିବାକୁ ପଡ଼େ;ଖବରକାଗଜ ଖଣ୍ଡେ ପଢ଼ିବାକୁ ସେମାନଙ୍କର ପଇସା ନଥାଏ, ସମୟ ନଥାଏ। ଖବରକାଗଜ ଦଳଗଠନ କରିବା,ଭାଷଣ ଦେବା ଆଦି ଯେଉଁସବୁ ବିଷୟରେ ଗଣତନ୍ତ୍ର ସ୍ବାଧୀନତା ଦିଏ, ସେ ସବୁର ଅର୍ଥ ଜନସାଧାରଣଙ୍କ ପ୍ରତି କିଛି ନଥାଏ… ରାଜନୀତି ଧନୀମାନଙ୍କର ବିଳାସ ହୋଇଥାଏ।

                        ଆମ ଭାରତରେ ଗଣତନ୍ତ୍ର ସରକାର ପ୍ରତିଷ୍ଠା ହୋଇଛି। ପ୍ରତ୍ୟେକ ପ୍ରଦେଶରେ ଶାସନବିଧାୟକ ସଭା ଅଛି, ପ୍ରଦେଶର ଶାସନଭାର ପ୍ରାଦେଶିକ ସରକାର ଉପରେ। ପ୍ରତ୍ୟେକ ପ୍ରଦେଶ ଲାଗି କେତେକ ବିଷୟରେ (ଯଥା ରାଜ୍ୟରକ୍ଷା, ଡାକ ବିଭାଗ,ବୈଦଶିକ ସମ୍ପର୍କ ଆଦି) ସେମାନେ ଏକ କେନ୍ଦ୍ର ଶାସନ ବିଧାୟକ ସଭା ଗଢ଼ିଥାନ୍ତି। ପ୍ରତ୍ୟେକ ପ୍ରାଦେଶିକ ଶାସନ ବିଧାୟକ ସଭାକୁ ସେମାନଙ୍କର ସଭ୍ୟ ପଠାନ୍ତି। କେନ୍ଦ୍ର ବିଷୟ ଗୁଡ଼ିକରେ କେନ୍ଦ୍ରବିଧାୟକ ସଭା ବା ଭାରତ ପାର୍ଲାମେଣ୍ଟ ଆଇନ ପ୍ରଣୟନ କରନ୍ତି। କେନ୍ଦ୍ର ବିଷୟ ଗୁଡ଼ିକରେ ବ୍ୟବସ୍ଥା କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥାଆନ୍ତି। ସବୁ ପ୍ରଦେଶ ମିଶି ଏହି ଯେଉଁ ଶାସନ ଲାଗି ମେଣ୍ଟ ବାନ୍ଧିଲେ, ତାକୁ ଶାସନ-ସଂଗଠନ ବା ୟୁନିଅନ ବୋଲାଯାଏ। ଆମେରିକା ଯୁକ୍ତରାଷ୍ଟ୍ର, ରୁଷିଆର କେନ୍ଦ୍ର ସରକାର ମଧ୍ୟ ଏପରି ଶାସନ ସଂଗଠନ ଗଢ଼ି ସେମାନଙ୍କର ରାଜ୍ୟ ଚଳଉଛନ୍ତି।

                        ରାଜନୈତିକ ଗଣତନ୍ତ୍ରରେ ଆମେ ଦେଖିଲେ, ଜନସାଧାରଣଙ୍କର ମଙ୍ଗଳ ଲାଗି କୌଣସି ବ୍ୟବସ୍ଥା ହୋଇପାରୁନାହିଁ। ଏହା ସମସ୍ତଙ୍କୁ କେବଳ ସମାନ ଅଧିକାର ଦିଏ,ପୁଞ୍ଜିପତିମାନେ ଏହି ଅଧିକାରର ସୁଯୋଗ ନିଅନ୍ତି… ତାଙ୍କୁ ଏ ବ୍ୟବସ୍ଥା ସୁହାଏ। ଜନତା କିନ୍ତୁ ଏ ତୁଚ୍ଛା ଅଧିକାରରୁ କିଛି ପାଏ ନାହିଁ। ତେଣୁ ସମୁଦାୟ ସମାଜର ବାସ୍ତବ ମଙ୍ଗଳ ଲୋଡ଼ା, ଖାଲି ଅଧିକାରରେ ସାମ୍ୟ ନୁହେଁ…ଲୋଡ଼ା ସତକୁ ସତ ସାମ୍ୟ, ସତକୁ ସତ ମୈତ୍ରୀ …ସତକୁ ସତ ମୁକ୍ତି।

 

 




+ -

© Jataayu Charitable Trust
Site designed,developed & maintained by Tekons