ରାଜନୀତି ଆଉ ଆମେ




ସାମ୍ୟବାଦ ବା ସୋସିଆଲିଜିମ୍‌

 

ରାଜନୈତିକ ଗଣତନ୍ତ୍ର ପ୍ରତ୍ୟେକ ଲୋକକୁ ଭୋଟ ଦେବାର ଅଧିକାର ଦିଏ ସତ, ହେଲେ- ବାକ୍ସରେ ଭୋଟ ଗଳେଇ ଦେଇ ଆସିଲେ ଲୋକଙ୍କର ପେଟ ପୂରିଯାଏ ନାହିଁ। ସମସ୍ତେ ସୁଖରେ ରହିବା ଲାଗି ଅଧିକ କିଛି ବ୍ୟବସ୍ଥା କରିବା ଦରକାର।

            ଆମେ ତ ଦେଖିଛେ ଆମ ସମାଜରେ ଧନର ଅଭାବ ନାହିଁ। କିନ୍ତୁ ଧନ ଏପରି ଭାବରେ ବଣ୍ଟା ହେବାର ବ୍ୟବସ୍ଥା ହୋଇଛି ଯେ ଜଣେ ବିଳାସରେ ମାତିଲା ବେଳକୁ ତାର ପଡ଼ୋଶୀ ଉପାସରେ ମରୁଛି । ଅଭାବ ଅସୁବିଧାରେ ପଡ଼ିଲାରୁ ମଣିଷ ଦୁନିଆରେ ନାନା ଅଶାନ୍ତି ସୃଷ୍ଟି କରୁଛି। ବୁଝି ବିଚାରିଲା ଲୋକ ନିଶ୍ଚୟ ଭାବିବ ଯେ ଏହି ଧନ ଏପରି ଅସମାନ ହୋଇ ବଣ୍ଟା ଯିବା ଉଚିତ୍‌ ନୁହେଁ। ଜଣଙ୍କ ହାତରେ କୋଟି କୋଟି ଟଙ୍କା ରଖି ଅନ୍ୟକୁ ଫକଡ଼ କରିବାଠାରୁ ଧନଟା ସମାନ ବାଣ୍ଟିଲେ ଭଲ ହୁଅନ୍ତା। କିନ୍ତୁ କିପରି ବାଣ୍ଟିବା, ସେଇ ହେଉଚି କଥା। ଦରିଦ୍ରକୁ ଦୟାକରି ଦାନ କଲେ ତାହା ସମାଜରେ ସମସ୍ତଙ୍କର ଧନ ସମାନ କରି ଦିଏ ନାହିଁ। ଦାନ ଦେଇ ଆଜି ଜଣଙ୍କର ଯେଉଁ ଅଭାବ ଦୂର କରାଗଲା, କାଲି ପୁଣି ତାକୁ ସେହି ଅଭାବ ଘୋଟିଥିବ।

         ଧନ ବାଣ୍ଟିବା ବିଷୟରେ ସାମ୍ୟବାଦ ଗୋଟିଏ ନୂଆ କଥା କହେ-ବିପଦ। ବିପ୍ଳବ ନାଁରେ କେତେ ଛାନିଆଁ ହୁଅନ୍ତି, ତାଙ୍କର ଧାରଣା ବିନା ରକ୍ତପାତରେ, ବିନା ହାଣକାଟରେ ବିପ୍ଳବ ନାହିଁ। ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟାକଲେ (ମହାସମରରେ ଆହୁରି ଅଧିକ ଲୋକ ମରିଛନ୍ତି) ବିପ୍ଳବ ହୁଏନାହିଁ, ଅଥଚ ମାଛିଟିଏ ନ ମରି ବି ବିରାଟ ବିପ୍ଳବମାନ ଘଟି ଯାଇଛି।ବିପ୍ଳବ ବୋଇଲେ ଅବସ୍ଥାର ହଠାତ୍‌ ପରିବର୍ତ୍ତନ, ଦୃଷ୍ଟିକୋଣର ପରିବର୍ତ୍ତନ, ନୂଆ ଛାଞ୍ଚରେ ଗଢ଼ିବା। ତେଣୁ ଅହିଂସାବାଦୀ ଗାନ୍ଧିଜୀଙ୍କୁ ବିପ୍ଳବୀ କୁହାଯାଏ। ସେ ସମାଜରେ, ଭାରତୀୟଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଚାହୁଁଥିଲେ। ଭାରତରେ ଇଂରେଜ ଶାସନ ନ ରହୁ, ହରିଜନମାନେ ହିନ୍ଦୁ ଦେଉଳରେ ପଶନ୍ତୁ, ସେମାନେ ଅସ୍ପୃଶ୍ୟ ହୋଇ ନ ରହନ୍ତୁ…ଏଗୁଡ଼ିକ ଲାଗି ଯେ ଲଢ଼େଇ କଲା ସେ ହେଲା ବିପ୍ଳବୀ, କାରଣ ଚଳନ୍ତି ବ୍ୟବସ୍ଥାରେ ସେ ଚାହେଁ ଏକ ପରିବର୍ତ୍ତନ। ସେହିପରି ସମାଜରୁ ଲୁଟିଖିଆ ଶ୍ରେଣୀକୁ ଲିପି ପୋଛି ଦେବାହିଁ ହେଲା ବିପ୍ଳବ। ଧର୍ମଘଟ,ଲଢ଼େଇ, ହଣାମରା…ଏଗୁଡ଼ିକ ବିପ୍ଳବକୁ ସଫଳ କରିବା ଲାଗି ବାଟ।

            ସାମ୍ୟବାଦ (ସୋସିଆଲିଜିମ୍‌)କହେ, ସମସ୍ତଙ୍କ ଆୟ ସମାନ କରି ଦିଅ। ସଭିଙ୍କର ଆୟ ସମାନ ହେଲେ ଆମ ସମାଜରେ ଯେଉଁ ଧନୀ …ଗରିବ ତଫାତ୍‌ ଅଛି ଭାଙ୍ଗିଯିବ, ସମସ୍ତେ ସମାନ ସୁବିଧା ପାଇବେ। ରାଜ୍ୟର ଯେତେ ଲୋକ ଅଛନ୍ତି, ସମସ୍ତଙ୍କୁ ସମାନ କରି ଧନ ବାଣ୍ଟିବା ହେଲା ସାମ୍ୟବାଦର ମୂଳନୀତି। ଚପରାସୀର ଯାହା ଆୟ ହେବ, ହାକିମର ବି ସେହି ଆୟ ଓ କିରାନୀର ବି ସେହି ଆୟ ହେବ…କୌଣସି ପାତର ଅନ୍ତର ନାହିଁ। ଏହି ନୀତିକୁ କାମରେ ପରିଣତ କରିବାକୁ ହେଲେ. ନିଆରେ ପ୍ରକାରେ ଆଇନ ଗଢ଼ିବା ଦରକାର। ସମସ୍ତଙ୍କ ଆୟ ସମାନ କରିବାକୁ ଯେଉଁ ବ୍ୟବସ୍ଥା, ସେଥିରେ ସମସ୍ତଙ୍କୁ ମିହନ୍ତ କରିବାକୁ ପଡ଼ିବ। ବିନା ମିହନ୍ତରେ ଧନ ତ ଆମଦାନି  ହେବନାହିଁ, ବାଣ୍ଟିବ ବା କଣ? ଯେଉଁମାନେ କେବଳ ଅନ୍ୟମାନଙ୍କଠୁ ଲୁଟି କରି ଖାଇ ଅଳସୁଆ ହୋଇ ବସିଛନ୍ତି…ରାଜା, ଜମିଦାର, ପୁଞ୍ଜିପତି…ସେମାନଙ୍କୁ ସେ ସମାଜରେ ବିଲ୍‌କୁଲ୍‌ ମୂଳପୋଛ କରି ଦିଆଯିବ। ମୂଳପୋଛ ବୋଲି ଯେତେବେଳେ ମୁଁ କହୁଛି, କେହିଯେପରି ନଭାବନ୍ତି ମୁଁ କହୁଛି ମଣିଷ ମାରିବା କଥା। ସାମ୍ୟବାଦ ମଣିଷ ମାରିବା ପାଇଁ ନୁହେଁ, ମଣିଷକୁ ବଞ୍ଚେଇବାଲାଗି ବ୍ୟବସ୍ଥା। ରାଜାଠାରୁ ରାଜ୍ୟ ଛଡ଼ାଇ ନେଇଗଲେ ଜମିଦାରର ଜମିତକ ଚାଷୀକୁ ଦେଇ ଦେଲେ, କଳକାରଖାନାକୁ ସରକାରୀ କରିଦେଲେ, ରାଜା ଆଉ ରାଜା ହୋଇନଥିବ, ଜମିଦାର ଓ ପୁଞ୍ଜିପତି ବୋଲି ଆଉ ଦଳେ ଲୋକ ନଥିବେ। ରାଜ୍ୟଯାକ ହୋଇଥିବେ ଖଟିଖିଆ…ଶ୍ରେଣୀହୀନ ସମାଜ। ଆମ ପୁଞ୍ଜିବାଦୀ ସମାଜକୁ ଜଣକୁ ନେଇ ସେଠି ଛାଡ଼ିଦେଲେ ସେ ଆଚମ୍ବିତ ହେବ। ସେ ମନେ ମନେ ଭାବି ହେବ ୟେ କି ସମାଜ ଯେଉଁଠି ରାଜା ନାହିଁ, ଜମିଦାର ନାହିଁ, କଳମାଲିକ ନାହିଁ,ଗରିବ ନାହିଁ, ସାନବଡ଼ ନାହିଁ।

             ସାମ୍ୟବାଦୀ ସରକାର ଗଣତନ୍ତ୍ର ନୀତିରେ ଚାଲେ;ଏହା କେବଳ ଖଟିଖିଆଙ୍କ ସରକାର। ଯେତେ ଲୁଟିଖିଆ, ସେମାନେ କିନ୍ତୁ ଏଥିରେ ପାଟି କରନ୍ତି ‘ଗଣତନ୍ତ୍ର ବିପନ୍ନ ହେଲା। ’ ଗଣତନ୍ତ୍ର ବୋଇଲେ ସେମାନେ ବୁଝନ୍ତି ଲୁଟି କରିବାର, ରାଜା,ଜମିଦାର,ପୁଞ୍ଜିପତି ହୋଇ ରହିବାର ସ୍ବାଧୀନତା। ଖଟିଖିଆମାନେ ଶୋଷଣବାଦୀର  ଏ ସ୍ବାଧୀନତାକୁ ବେଆଇନ ଘୋଷଣା କରନ୍ତି। ଏବେ ଯେପରି ଚୋର ଓ ଡକାୟତର ସ୍ବାଧୀନତା ନାହିଁ ଅନ୍ୟର ଧନ ନେବାଲାଗି, ସେ ବ୍ୟବସ୍ଥାରେ ସେହିପରି କାହାର ସ୍ବାଧୀନତା ନାହିଁ ଅନ୍ୟ କାହାରିକୁ ଶୋଷଣ କରିବାକୁ ବା ସେଥିଲାଗି ଜମାଏତ ବାନ୍ଧିବାକୁ। ଏହା ଲୁଟିଖିଆଙ୍କର ଦୃଷ୍ଟିକୋଣରୁ ସ୍ବେଚ୍ଛାଚାରିତା, ଠେଙ୍ଗାପିଟା ଶାସନ। ଖଟିଖିଆ ମଧ୍ୟ ସେହି କଥା ଖୋଲାଖୋଲି କହେ ଯେ ସେ ରାଜା, ଜମିଦାର, ପୁଞ୍ଜିପତିର ଶୋଷଣ ସପକ୍ଷରେ କୌଣସି ଯୁକ୍ତି ଶୁଣିବାକୁ ନାରାଜ। ଏହାକୁ ସର୍ବହରାର ଏକଛତ୍ର ଶାସନ (Dictatorship of the proletariate) କୁହାଯାଏ। ଆମ ଦେଶରେ କେତେ ସଭା ସମିତିରେ, ପତ୍ରପତ୍ରିକାରେ ସାମ୍ୟବାଦ ଓ କମ୍ୟୁନିଜିମ୍‌ରେ ‘ଯୋ ହୁକୁମ୍‌ ’ଶାସନ ଚାଲେ ବୋଲି ଜଣାଶୁଣା ନେତାମାନେ ପ୍ରକାଶ କରିଛନ୍ତି। ସାମ୍ୟବାଦ ଓ କମ୍ୟୁନିଜିମ୍‌ ଜାଣି ନଥିବା ଲୋକଙ୍କୁ ଠକେଇବା ମତଲବରେ ଯେବେ ଏହା କୁହାଯାଇଥାଏ, ତେବେ ସାବାସ୍‌। ସେମାନେ ସଇତାନ, ବୋଇଲେ ସେମାନେ ମୂର୍ଖ-ସାମ୍ୟବାଦ ବା କମ୍ୟୁନିଜିମ୍‌ ବିଷୟରେ କୌଣସି ବହିର ଡୋରି ତାଙ୍କ ଜୀବନରେ ଫିଟାଇ ନାହାନ୍ତି।

           ଏଇଠି ଗୋଟିଏ କଥା କହିରଖେ;ପୁଞ୍ଜିବାଦୀ ଗଣତନ୍ତ୍ରରେ ବି ଏକଛତ୍ର ଶାସନ ଚାଲେ-ତାହା ବ୍ୟକ୍ତିଗତ ସମ୍ପତ୍ତିର ଏକଛତ୍ର ଶାସନ (Dictatorship of private property) ଜଣେ ଲୋକ ଅମାର ଅମାର ଧାନ ରଖିଛି, ତାର ପଡ଼ୋଶୀ ଭୋକିଲା ରହିଛି। ଭୋକିଲା ଲୋକର ଅମାରର ଧାନରେ ଟିପ ଦେବାର ଅଧିକାର ନାହିଁ-ବଳାତ୍କାର କଲେ ଅମାରର ମାଲିକ ଭୋକିଲାକୁ ଜୀବନରେ ମାରିଦେଲେ ବି ପୁଞ୍ଜିବାଦୀ ସରକାରର ସହି। ଭୋକି ଲୋକକୁ ଅମାରରୁ ଧାନ ଆଣିବାକୁ କହିନାହିଁ ବେଆଇନ। ଏହା କେଉଁ ନ୍ୟାୟରେ ହେଉଛି? ଏଠି ନୀତି ହେଉଛି ମଣିଷ ମରୁ ବା ସରୁ ମୋର ଧନ ମୋର। ଏ ବ୍ୟବସ୍ଥାରେ ବ୍ୟକ୍ତିଗତ ସମ୍ପତ୍ତି ଆଗରେ ମନୁଷ୍ୟର ସୁଖ ସ୍ବାଚ୍ଛନ୍ଦ୍ୟ ଏପରିକି ଜୀବନ ବଳି ପଡ଼େ, ତାହା ବେଆଇନ ହୁଏ। ଏହାର ଠିକ୍‌ ଓଲଟା କଥାଟା ସାମ୍ୟବାଦ ଓ କମ୍ୟୁନିଜିମ୍‌ରେ । ମଣିଷର ଜୀବନ ଓ ସୁଖ ସ୍ବାଚ୍ଛନ୍ଦ୍ୟ ଆଗରେ ବ୍ୟକ୍ତିଗତ ସମ୍ପତ୍ତି…ଧନ ସମ୍ପତ୍ତିକୁ ଯାକି ରଖିବା…ବଡ଼ ନୁହେଁ। ମଣିଷ ଆଗ ବଞ୍ଚିବ, ସେଥିଲାଗି କାହାର ଲାଭରେ ବାଧା ପଡ଼ିଲେ ଯାଏ ଆସେ ନାହିଁ। ମଣିଷର ଜୀବନ ଉପରେ ବାଧା ଦେଇ ଲାଭ ଉଠାଇବାର ଯେ କୌଣସି ବ୍ୟବସ୍ଥା ବେଆଇନ। ପୁଞ୍ଜିବାଦରେ ବ୍ୟକ୍ତିଗତ ସମ୍ପତ୍ତିର ଦାସ ହୁଏ ମଣିଷର ଜୀବନ। ସାମ୍ୟବାଦରେ ମଣିଷ ଜୀବନର ଦାସ ହୁଏ ଯାବତୀୟ ସମ୍ପତ୍ତି।

          ସାମ୍ୟବାଦକୁ କାମରେ ଲଗାଇଲେ ଦେଖାଯିବ ରାଜ୍ୟର ଜମି, କଳକାରଖାନା ଆଦି ଉତ୍ପାଦନର ଆଶ୍ରା ଯେତେ, ସବୁକୁ ସରକାରୀ ନକଲେ ଗଣ୍ଡଗୋଳ ସୃଷ୍ଟି ହେଉଛି। ତେଣୁ ସାମ୍ୟବାଦରେ କଳକାରଖାନା,ଜମି ଆଦି ବ୍ୟକ୍ତିଗତ ସମ୍ପତ୍ତି ହୋଇ ରହିବନାହିଁ, ତାର ମାଲିକ ହେବ ସରକାର ଅର୍ଥାତ୍‌ ଦେଶର ଜନସାଧାରଣ। ତାହାହେଲେ, ରାଜ୍ୟର ପ୍ରତ୍ୟେକ ଲୋକକୁ ସରକାର ସମାନ ଦରମା ଦେଇପାରିବ, ରାଜ୍ୟର ସମସ୍ତଙ୍କ ମଧ୍ୟରେ ସମାନ ଭାବରେ ଧନ ବଣ୍ଟନ କରିପାରିବ।

            ପୁଣି କୌଣସି ଲୋକ ତାର ଚାପ ଦାଦିଠାରୁ ସେମାନଙ୍କର ସଞ୍ଚିଲା ଧନ ପାଇଯାଇ ଧନୀ ହୋଇଯିବାର ସମ୍ଭାବନା ଅଛି। ଏହାହେଲେ ଆୟରେ ପୁଣି ଅସମାନତା ଦେଖାଦେବ। ତେଣୁ ସବୁ ପ୍ରକାର ବ୍ୟକ୍ତିଗତ ସମ୍ପତ୍ତିକୁ…ଜାତୀୟ ସମ୍ପତ୍ତି ବା ସରକାରୀ କରି ଦେବା ଦରକାର ପଡ଼ିବ। କାହାରି ହାତରେ ଯେପରି ପୁଞ୍ଜି ନ ରହେ, ସେଥିଲାଗି ବ୍ୟବସ୍ଥା ହେବ। ସରକାର ପ୍ରତ୍ୟେକ ଲୋକଠାରୁ ତାର ପୁଞ୍ଜି ନେଇ ସେହି ଧନରେ ନାନା ଦେଶହିତକର କାମ କରି ନେବ ରାସ୍ତା କରିବ, ପାଣିକଳ ବସାଇବ, ବନ୍ଦର କରିବ…। ଏବକାର ସମାଜରେ ପୁଞ୍ଜି ଯେଝା ହାତରେ ଛାଡ଼ି ଦିଆଯାଉଛି। ତେଣୁ ଦେଶର ଯାହା ଯାହା ଇଜମାଇଲ୍‌ କାମ…ପାଣିକଳ, ପାଠଶାଳା, ଡାକ୍ତରଖାନା…ଲାଗି ସରକାରର ପଇସା ନିଅଣ୍ଟ। କେତେଗୁଡ଼ିଏ କାମ ଅଛି, ତାହା କେହି ଏକଲା ଆପଣା ପୁଞ୍ଜିରେ କରିପାରିବ ନାହିଁ…ଯେପରି ରାସ୍ତା, ବତୀଖୁଣ୍ଟ, ସ୍କୁଲ, ବନ୍ଦର…। ସମସ୍ତଙ୍କ ପୁଞ୍ଜି ଏକାଠି ମିଳି ଏସବୁ ଇଜମାଇଲ୍‌ କାମ ହୁଏ…ସମାଜର ସବୁ ଲୋକେ ଅଧିକ ସୁବିଧା ପାଆନ୍ତି…ଦେଶ ସଭ୍ୟ ହୁଏ। ମ୍ୟୁନିସିପାଲିଟି ଉଠେଇ ଦେଇ ଯେବେ ଆପଣା ପୁଞ୍ଜିରେ ଯେଝା ଯେଝାର ବ୍ୟବସ୍ଥା କରୁଁ, ତେବେ ଆମକୁ ଗୋଟିଏ ଗୋଟିଏ ମଶାଲ ଧରି ଅନ୍ଧାରରେ ଯିବାକୁ ପଡ଼ିବ…ଘରେ ଘରେ ଶିକ୍ଷକ ନ ରଖିପାରି  ଆମ ପିଲାଏ ମୂର୍ଖ ହେବେ।

          ମନେରଖିବାକୁ ହେବ ଯେ ସାମ୍ୟବାଦୀ ସରକାରରେ ପିଲାଙ୍କୁ ପାଠ ପଢ଼େଇବା ଲାଗିବା ବୁଢ଼ାଦିନେ ଖର୍ଚ୍ଚ କରିବା ଲାଗି, ଏପରିକି ବେମାରବେଳେ ଔଷଧପାତି ଲାଗି କିଛି ସଞ୍ଚିବା ଦରକାର ନାହିଁ;ସେ ସବୁ କାମ ସରକାରୀ ଖର୍ଚ୍ଚରେ ତୁଲାଯାଏ। ସାମ୍ୟବାଦ ମଣିଷକୁ ବଞ୍ଚାଇବାର …ଜୀବନକୁ ଅଧିକ ମଧୁମୟ କରିବାର ବ୍ୟବସ୍ଥା…ପୁଞ୍ଜିବାଦ ଭଳି ଏହା କୌଣସି ଲୋକକୁ ଅଭାବ ଓ ଅସୁବିଧା ନିଜର ଭାଗ୍ୟକୁ ଆଦରିବାକୁ ଛାଡ଼ିଦିଏ ନାହିଁ। ସମସ୍ତଙ୍କ ଭିତରେ ଧନ ସମାନ କରି ବାଣ୍ଟିବା ଲାଗି ଏହିପରି ନାନା ଆଇନ ଗଢ଼ିବାକୁ ଦରକାର ପଡ଼ିବ…ଅବସ୍ଥାକୁ ଦେଖି। ଏବେ ଯେପରି ବ୍ୟକ୍ତିଗତ ସମ୍ପତ୍ତିକୁ ରକ୍ଷା କରିବା ଲାଗି କଡ଼ାକଡ଼ି ଆଇନ, ସେ ବ୍ୟବସ୍ଥାରେ ସେପରି ସମସ୍ତଙ୍କର ଆୟ ସମାନ କରିବା ପାଇଁ  ପୁଲିସ ଓ ଅଦାଲତ ରହିବ। ରାଜ୍ୟ ଯାକରେ ସମସ୍ତେ ସମାନ ଧନ ପାଇଲେ ସମସ୍ତଙ୍କର ସମାନ ଅଧିକାର ଚାଲିଆସିବ, ସମସ୍ତେ ସମାନ ସୁଯୋଗ ପାଇବେ। ଅଉ ଏବକାର ସମାଜର ଅଶାନ୍ତି ନଥିବ ସେଠି।

          କିନ୍ତୁ ସମସ୍ତଙ୍କୁ ସମାନ କରି ଧନ ବାଣ୍ଟିଲେ, ଦଳେ ଠାପୁଆ ଆଉ ଅଳସୁଆ ବାହାରିବେ। ସେମାନେ ଚାହିଁବେ ବିନା ମିହନ୍ତରେ ଚଳିଯିବାକୁ। ଏପରି ହେଲେ ବିପଦ ବଡ଼ ସଙ୍ଗିନ୍‌। ଯେବେ କେହି ଦେହକୁ ନ ଲଗେଇ ନ ଖାଟନ୍ତି, ଦେଶରେ ଧନ ନିଅଣ୍ଟ ହେବ, ଖାଇବା ବିନା ସମସ୍ତେ ମରିବେ। ଏଥିପାଇଁ ରାଜ୍ୟର ଆଇନରେ ବ୍ୟବସ୍ଥା ମଧ୍ୟ ରହିବ ଯାହାର ଯାହା କରିବାର ଦକ୍ଷତା ଅଛି ସେହି ଅନୁପାତରେ ତା’ଠାରୁ କାମ ଆଦାୟ କରିବାକୁ ପଡ଼ିବ(From each according to his ability) ସାମ୍ୟବାଦ କୌଣସି କବି-କଳ୍ପନା ନୁହେଁ, ଏହା ପ୍ରକୃତରେ କାମରେ ପରିଣତ କରାଯାଇଛି ସୋଭିଏତ୍‌ ରୁଷ୍‌ରେ। ସେଠାରେ ସମାଜ ଏହି ନୀତିରେ ଗଢ଼ା ହୋଇଛି ଓ ଏହାର ସୁଫଳ ଲୋକେ ଭୋଗ କରିଛନ୍ତି ଓ କରୁଛନ୍ତି।

           ସାମ୍ୟବାଦର ନାନା ସମାଲୋଚନା ପୁଞ୍ଜିବାଦୀମାନେ କରିଥାନ୍ତି।ସାମ୍ୟବାଦ ମୋଟେ ନ ଜାଣିଲା ଲୋକେ ସାମ୍ୟବାଦ ବିରୁଦ୍ଧରେ ସବୁଠୁ ବଡ଼ ପାଟି କରନ୍ତି। ହାତର ପାଞ୍ଚ ଆଙ୍ଗୁଠି ସମାନ ନୁହେଁ ବୋଲି ବିତଣ୍ଡା ଯୁକ୍ତି କରି ସେମାନେ ଚଳନ୍ତି; ସମାଜରେ ଧନୀ ଓ ଗରିବ ପାର୍ଥକ୍ୟ ଚିରକାଳରହିବ-ୟେ ଧାରଣା ଜନ୍ମାନ୍ତି। ସେମାନେ ଏକଥା କହିଲାବେଳେ କିନ୍ତୁ ଭୁଲିଯାଆନ୍ତି ସବୁ ମଣିଷଙ୍କର ସମାନ ହୋଇ ହାତକେ ପାଞ୍ଚଟି ଆଙ୍ଗୁଠି ଅଛି, ସମସ୍ତଙ୍କର ସମାନ ଦୁଇଟି ହାତ, ଗୋଟିଏ ପେଟ, ଗୋଟିଏ ମୁଣ୍ଡ। ସେହି ଲୋକମାନେ ପୁଣି ପାଜି ଓ ସାଧୁ, ପତଳା ଓ ମୋଟା, ଗୋରା ଓ କାଳିଆ,ଡେଙ୍ଗା ଓ ବାଙ୍ଗରା ଭେଦ ଭୁଲିଯାଇ ସବୁ ମୂଲିଆଙ୍କୁ ସମାନ କରି ମଜୁରି ଦିଅନ୍ତି।ଦୁନିଆରେ ଏତେ କଥା ସମାନ ଥିବା ସ୍ଥଳେ ସମାଜରେ ସମସ୍ତଙ୍କର ସୁବିଧା ଲାଗି କିଆଁ ଆୟଟାକୁ ସମାନ କରି ବାଣ୍ଟି ନ ଦିଆଯିବ।

           ହୁସିଆର! ମୁଁ ସାମ୍ୟବାଦ ବିଷୟରେ କହୁଛି କିଛି  ସାମ୍ୟବାଦୀଙ୍କ ବିଷୟରେ ନୁହେଁ।

           ସାମ୍ୟବାଦୀ ଓ ସାମ୍ୟବାଦ ଏକା କଥା ନୁହେଁ, ଏହା ଈକାର-ଭେଦ-ଶବଦ ମାତ୍ର ନୁହଁ। ଦୁନିଆରେ ସାମ୍ୟବାଦ ବୋଲି ଗୋଟାଏ ଜିନିଷ କିନ୍ତୁ ସାମ୍ୟବାଦୀ(ସୋସିଆଲିଷ୍ଟ) ବୋଇଲେ ବହୁ କିସମର ଲୋକ। ଏହି ଭିନ୍ନ ଭିନ୍ନ ସାମ୍ୟବାଦୀ ଦଳକୁ ଯେବେ ଏକାଠି ଛାଡ଼ି ଦେବ, ସେମାନେ ତାଙ୍କ ଭିତରେ ବାଡ଼ିଆପିଟା ହୋଇ ମରିଯିବେ –କାହାରି କଥା କାହା ସଙ୍ଗରେ ମିଳିବ ନାହିଁ। ଏ ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ନକଲି ସାମ୍ୟବାଦ ଅଛି; ଆଉ ସେମାନେ ସେହି ନକଲି ଜିନିଷ ନ ଜାଣିଲା ଲୋକଙ୍କୁ ଧରେଇ ତାଙ୍କୁ ପଟଟାଏ ଚିତା କାଟନ୍ତି। ଏତେଗୁଡ଼ିଏ ଦଳ ନିଜକୁ ସାମ୍ୟବାଦୀ ବୋଲି କହିବାର କାରଣ ହେଉଛି, ଜନସାଧାରଣ ସାମ୍ୟବାଦକୁ ପସନ୍ଦ କରନ୍ତି। ସାମ୍ୟବାଦ ନାଁ ନ ଧରିଲେ,‘ଚାଷୀମୂଲିଆର ଜୟ’ ନ କହିଲେ ଏମାନଙ୍କୁ ପାଖରେ ପୂରାଇବେ ନାହିଁ, ତାଙ୍କ କଥା ଶୁଣିବେ ନାହିଁ କି ଠକି ହେବେ ନାହିଁ । ତେଣୁ ଉଗ୍ର ପୁଞ୍ଜିବାଦୀ ଦଳମାନେ ମଧ୍ୟ ନିଜକୁ ସାମ୍ୟବାଦୀ ବୋଲି ପରିଚୟ ଦେଇଥାଆନ୍ତି ଓ ସାମ୍ୟବାଦର ମୁଖ ପିନ୍ଧନ୍ତି। ବାହାର ଭେକରୁ କିଏ ସଚ୍ଚା, କିଏ ଠକ ବାରି ହୁଏ ନାହିଁ। କେତେକ ସାମ୍ୟବାଦୀ ବୋଲାନ୍ତି, ଖାଲି ଭୋଟ ପାଇ ପୁଞ୍ଜିବାଦୀ ସରକାରକୁ ଆଉ ଦିନାକେତେ ବଂଚେଇ ଦେବାକୁ; ଏହିମାନେ ‘ଚାଷୀ ମୂଲିଆର ରାଜ’ ହେଉ ବୋଲି ବଡ଼ ପାଟି କରନ୍ତି ଆଉ ସେହି ଉପାୟରେ ଚାଷୀ ଓ ମୂଲିଆଙ୍କ ଏକତାକୁ ଫଟାନ୍ତି ସାମ୍ୟବାଦକୁ ବଦନାମ କରିବା ଲାଗି ଚାଷୀ ମୂଲିଆଙ୍କ ହରକତ କଲାଭଳି ଯାବତ ଆଇନ ଗଢ଼ନ୍ତି। ଫଳରେ ସାମ୍ୟବାଦ ବିରୁଦ୍ଧରେ ଚାଷୀମୂଲିଆ ଉଠି ପୁଣି ପୁଞ୍ଜିପତିଙ୍କ ବାକ୍ସରେ ଭୋଟ ଗଳାନ୍ତି। ଉଦାହରଣ, ବର୍ତ୍ତମାନ ବିଲାତରେ ଚାଲିଥିବା ଆଟଲୀଙ୍କ ଶ୍ରମିକ ସରକାର। ଆଉ କେତେକ ସାମ୍ୟବାଦୀ ବୋଲି ନିଜକୁ ପରିଚୟ ଦିଅନ୍ତି କାରଣ ବଡ଼ ବଡ଼ ଜାଣିଲା ଶୁଣିଲା ଲୋକେ ସାମ୍ୟବାଦକୁ ପ୍ରଶଂସା କରନ୍ତି ଓ ଲୋକେ ସାମ୍ୟବାଦକୁ ପସନ୍ଦ କରନ୍ତି। ଅଧିକାଂଶ ସାମ୍ୟବାଦୀ କାରଣ ସେମାନେ ସାମ୍ୟବାଦ କଣ ବୁଝନ୍ତି ନନାହିଁ ( ମୁଁ ପରୀକ୍ଷା କରି ଦେଇଛି;ତୁମେ ସୁବିଧା ପାଇଲେ ମୋ କଥାର ସତମିଛ ପରଖ କରି ନେବ)। ସାମ୍ୟବାଦ କଣ ତା ଯେବେ ସେମାନେ ବୁଝୁଥାନ୍ତେ, ସେମାନେ ସାମ୍ୟବାଦ ବିରୁଦ୍ଧରେ ହୁଏତ ପ୍ରଚାର କରୁଥାନ୍ତେ!!

              ସାମ୍ୟବାଦୀ ବୋଲାଉଥିବା ଅନେକ ଦେଶରେ ଅନେକ ଦଳ ଗଢ଼ା ହୋଇଛି; ହିଟଲର ଓ ମୁସୋଲିନିଙ୍କ ଦଳର ନାମ ମଧ୍ୟ ସାମ୍ୟବାଦୀ ଦଳ ଥିଲା। ଏହି ସବୁ ଜାଲ ସାମ୍ୟାବାଦୀ ଦଳର ଇତିହାସ ଜାଣିଲେ ଲୋକେ ଆଗେ ସାମ୍ୟବାଦୀଙ୍କ ସାଙ୍ଗେ ଲଢ଼ିବେ, ପରେ ପୁଞ୍ଜିପତିଙ୍କ କଥା ବୁଝିବେ। ସାମ୍ୟବାଦ ପାଇବ ବୋଲି ଆଖିବୁଜି ଯେବେ ସାମ୍ୟବାଦଙ୍କ ପିଛାଧର, ଦେଖିବ, କେହି ସାମ୍ୟବାଦୀ ପୁଣି ରଜାଙ୍କୁ ଆଣି ଗାଦିରେ ଥୋଇଲା ବେଳକୁ, କେହି ଆଣି ଥାପିବ ଛୋଟ ଛୋଟ ବୁର୍ଜୁୟମାନଙ୍କୁ ସମାଜର କର୍ଣ୍ଣଧାର କରି କେହି କେବଳ ସମାଜର ଛିଣ୍ଡା ଜାଗାରେ ତାଳି ପକେଇବ (ଏମାନଙ୍କୁ ସଂସ୍କାରବାଦୀ କୁହାଯାଏ)। କିନ୍ତୁ ଅଧିକାଂଶ ସାମ୍ୟବାଦୀ ବୋଲାନ୍ତି ଖାଲି ତୁଚ୍ଛାକୁ ଗଣ୍ଡଗୋଳ କରି ଲୋକଙ୍କର ଆଶା ଭରସାକୁ ପଣ୍ଡ କରିବେ, ଲୋକଙ୍କୁ ଅଧିକ ହଇରାଣରେ ପକାଇବେ ବୋଲି।

            ସାମ୍ୟବାଦୀ ବୋଲାଉଥିବା କେତେକ ନେତା କହି ବୁଲନ୍ତି ସେମାନେ ଗଣତାନ୍ତ୍ରିକ ସାମ୍ୟବାଦରେ ବିଶ୍ବାସ କରନ୍ତି…ସର୍ବହାରର ଏକଛତ୍ର ଶାସନ ଚାହାନ୍ତି ନାହିଁ…ବୋଇଲେ, ପୁଞ୍ଜିପତି ,ଜମିଦାର ପ୍ରଭୃତି ଶୋଷକ ଶ୍ରେଣୀକୁ ବେଆଇନ କରିବାକୁ ଚାହାନ୍ତି ନାହିଁ (କିଆଁ? ଶୋଷକ ଶ୍ରେଣୀ ପ୍ରତି ଏମାନଙ୍କର ଏ ଉଦାରତା କାହିଁକି? ଏମାନେ ପୁଞ୍ଜିପତିଙ୍କୁ ବିରୋଧ କରନ୍ତି ତ?) ତେବେ ସେମାନେ ଯେଉଁ ସମାଜ କଳ୍ପନା କରୁଛନ୍ତି, ସେଥିରେ ପୁଞ୍ଜିପତି,ଜମିଦାର ଆଦି ରହିବେ। ପୁଣି ପୁଞ୍ଜିପତି ଓ ସେମାନଙ୍କର ଦଲାଲମାନେ ପୁଞ୍ଜିବାଦ ଭଲ ଓ ସାମ୍ୟବାଦ ଖରାପ ବୋଲି ନ ଜାଣିଲା ଲୋକଙ୍କୁ ଭାଗ୍ୟ-ଭଗବାନ୍‌ ଆଦି ନିଚ୍ଛକ ମିଛ କହି ଭଣ୍ଡାଇବାର ସ୍ବାଧୀନତା ପାଇବେ। ଏହି ଗଣତନ୍ତ୍ରରେ ଦିନେ ପୁଣି ପୁଞ୍ଜିବାଦୀମାନେ ଅଧିକ ସଂଖ୍ୟାରେ ଭୋଟ ପାଇବା ଭୋଟ ପାଇଥିବା ସଭ୍ୟଙ୍କୁ ହାତ କରି  ସେମାନଙ୍କ ସରକାର ଗଢ଼ିପାରନ୍ତି ଓ ସାମ୍ୟବାଦୀ ବ୍ୟବସ୍ଥାକୁ ଭାଙ୍ଗି ପୁଣି ପୁଞ୍ଜିବାଦୀ ବ୍ୟବସ୍ଥା ଛିଡ଼ା କରି ପାରନ୍ତି ତ! କଥାଟାକୁ ଯେତିକି ଯେତିକି ବେଶି ଫେଣେଇବ, ଏ ପ୍ରକାର ସାମ୍ୟବାଦୀଙ୍କ ସ୍ବରୂପ ସେତିକି ସ୍ପଷ୍ଟ ହେବ। ସମାଜରେ ପୁଞ୍ଜିପତି ରହିଲେ ସବୁ ଧନ ତ ତାଙ୍କ ହାତରେ ଠୁଳ ହେବ…ଜନସାଧାରଣଙ୍କ ଭିତରେ ଖାଲି ଦାରିଦ୍ର୍ୟ। ଶୋଷକ ଶ୍ରେଣୀକୁ ବେଆଇନ ଘୋଷଣା ନ କରି ଏହି ସାମ୍ୟବାଦୀମାନେ ଦାରିଦ୍ର୍ୟକୁ ସମାନ କରି ବାଣ୍ଟିବେ ସିନା!! ପୁଞ୍ଜିବାଦରେ ଚାଲିଥିବା ଲୁଟି ବିରୁଦ୍ଧରେ ଯେଉଁ ସାମ୍ୟବାଦ ଗଢ଼ା ହେବ,ସେଥିରେ ପୁଣି ଶୋଷଣକୁ ବଞ୍ଚାଇ ରଖିବାକୁ ପ୍ରଚାର ଓ ସଙ୍ଗଠନକୁ କିଭଳି ଓ କାହିଁକି ପ୍ରଶ୍ରୟ ଦିଆଯିବ?ସାମ୍ୟବାଦକୁ ଭାଙ୍ଗିବାକୁ ଯେଉଁଠି ସବୁ ମତେ ଚେଷ୍ଟା କରିବାର ସ୍ବାଧୀନତା ପୁଞ୍ଜିବାଦଙ୍କୁ ଦିଆଯାଏ, ସେଠି ସାମ୍ୟବାଦ ଗଢ଼ା ଯିବାର ଅର୍ଥ? ଏହି ସାମ୍ୟବାଦୀ ନେତାମାନେ କଣ ତେବେ କହିବାକୁ ଚାହାନ୍ତି ପୁଞ୍ଜିବାଦ ଗଢ଼ାଯିବାର ଅର୍ଥ?ଏହି ସାମ୍ୟବାଦୀ ନେତାମାନେ କଣ କହିବାକୁ ଚାହାନ୍ତି ପୁଞ୍ଜିବାଦ ଦ୍ବାରା ସମାଜର କ୍ଷତି ହେଉନାହିଁ।ଆଉ ଏ କ୍ଷତି ସୁଧାରିବାର ଉପାୟ ସାମ୍ୟବାଦ ନୁହେଁ ? ଶୋଷକ ଶ୍ରେଣୀକୁ ବେଆଇନ ନ କରିବାକୁ ସେହିମାନଙ୍କର ଦଲାଲମାନେହିଁ କେବଳ ଯୁକ୍ତି ବାଢ଼ି ପାରନ୍ତି।…ଶୋଷିତ ସର୍ବହରା ଶ୍ରେଣୀର ଭାଷା ଭିନ୍ନ। ସର୍ବହରାର ଏକଛତ୍ର ଶାସନ (ଅର୍ଥ-ପୁଞ୍ଜିବାଦକୁ ବେଆଇନ ଘୋଷଣା କରିବା) ବିନା ସାମ୍ୟବାଦ ଛଳନା ମାତ୍ର! ଜଲିଆତି କଥା!!

 

 




+ -

© Jataayu Charitable Trust
Site designed,developed & maintained by Tekons