ରାଜନୀତି ଆଉ ଆମେ




ପ୍ରଗତି

 

       ଆଦିମ ସମାଜ ଆଉ ଆଜି…ଏହା ଭିତରେ ନାହିଁ କେବଳ କେତୋଟି ଦିନ ମାସ ବର୍ଷ। ସେଦିନ ଆଉ ଆଜି ମଧ୍ୟରେ ଖାଲି ସମୟର ବ୍ୟବଧାନ କାହିଁ ? ଅଛି ଅବସ୍ଥାର ତଫାତ୍‌ । ଯେଉଁମାନେ ବିଶ୍ବାସ କରନ୍ତି ଯେ, ମଣିଷର ସମାଜ ଆଜି ଯାହା ଅଛି ଚିରଦିନ ସେହିପରି ଥିଲା ଓ ଚିରଦିନ ସେହିପରି ରହିବ, ଚିରକାଳ ସମାଜରେ ଜଣେ ରଜା ଥିବ, ସବୁଦିନେ ଦଳେ ଧନୀ ଥିବେ, ସେମାନେ ମଣିଷର ଇତିହାସକୁ ଉପହାସ କରନ୍ତି। ଚିରନ୍ତନବାଦ ଏକ ମିଥ୍ୟା। ମଣିଷର ସମାଜରେ ଘନଘନ ପରିବର୍ତ୍ତନ ଘଟିଛି ଓ ଘଟୁଛି…ବିରାଟ ପରିବର୍ତ୍ତନମାନ।

        ଏ ପରିବର୍ତ୍ତନ ଘଟେ କାହିଁକି?କିଭଳି?ଯେ ପର୍ଯ୍ୟନ୍ତ ମଣିଷ ଗୋଟିଏ ଜିନିଷରୁ କିଛି ସୁବିଧା ଭୋଗ କରିପାରୁଛି, ମଣିଷ ତାକୁ ରଖିବାକୁ ଚାହେଁ…ସେ ଜିନିଷର ଆବଶ୍ୟକତା ଅଛି। ଯେଉଁ ମୁହୂର୍ତ୍ତରେ ମଣିଷ ତହିଁରୁ କୌଣସି ସୁବିଧା ପାଇଲା ନାହିଁ, ସେ ଜିନିଷର ଆବଶ୍ୟକତା ରହିଲା ନାହିଁ…ତାହା ଅପଦାଥଁ ହୋଇଗଲା। ତାକୁ ବୋହିବା ମଣିଷ ପକ୍ଷରେ ଖାଲି ଗୋଟାଏ ବୋଝ ତେଣୁ ମଣିଷ ସେ ଅପଦାର୍ଥ ଜିନିଷଟି ଫିଙ୍ଗିଦେବାକୁ ଚାହେଁ, ଚାହେଁ ତାର ସୁବିଧା ପାଇଁ ଅନ୍ୟ ଗୋଟିଏ ସୁବିଧା ଗ୍ରହଣ କରିବାକୁ ।ତୁମର ଲୁଗା ଖଣ୍ଡେ ଯେତେଦିନ ଭଲ ଅଛି ତୁମେ ତାକୁ ପିନ୍ଧ, ଯେବେ ଛିଣ୍ଡିଯାଏ ତୁମେ ତାକୁ ଫିଙ୍ଗିଦିଅ ନୂଆ ଖଣ୍ଡେ ପାଇଁ  ସେହିପରି ମଣିଷ ଗଛତଳେ ଶୋଇବାକୁ ଛାଡ଼ିଲା ପତରକୁଡ଼ିଆରେ ରହିବା ଲାଗି, ପତରକୁଡ଼ିଆକୁ ଛାଡ଼ିଲା ମାଟିଘର ପାଇଁ ,ମାଟିଘରର ହେତୁ ସେ ଗଢ଼ିଲା କୋଠାଘର । ଏ ଅବସ୍ଥାରୁ ଅନ୍ୟ ଏକ ଅବସ୍ଥାକୁ ମଣିଷ ଏହିପରି ଡେଇଁଛି ହେଲେ ନୂଆଲୁଗା ଖଣ୍ଡିଏ ନ ମିଳିଲା ଯାଏଁ ପୁରୁଣା ଛିଣ୍ଡା ଲୁଗାଟିର ବି ଯେପରି ଲୋଡ଼ାଥାଏ ସେହିପରି ନୂଆ ବ୍ୟବସ୍ଥାର ସନ୍ଧାନ ନ ପାଇଲା ଯାଏଁ ପୁରୁଣା ବ୍ୟବସ୍ଥାରେ ମଣିଷକୁ ପଡ଼ିରହିବାକୁ ହୁଏ।

          ମଣିଷ ତାର ଅଭାବ ଅସୁବିଧା ଦୂର କରିବାକୁ ନୂଆ ନୂଆ ବ୍ୟବସ୍ଥା ଗଢ଼ିଚାଲିଛି । କିଛି କାଳପାଇଁ ସେ ବ୍ୟବସ୍ଥାକୁ ଆଶ୍ରାକରି ମଣିଷ ଚାଲିଛି, ତାପରେ ନୂଆ ଏକ ବ୍ୟବସ୍ଥା ଆସୁଛି, ଯେଉଁଥିରେ ପୁରୁଣା ବ୍ୟବସ୍ଥା ଅକାମି ହୋଇ ପଡ଼ୁଛି,ମଣିଷକୁ ତାହା ଆଉ ଆଗେଇ ନେଇପାରୁନାହିଁ। ମଣିଷ ଯେତବେଳେ ନୂଆ ବ୍ୟବସ୍ଥା ଖୋଜିବୁଲୁଛି-ନୂଆର ବ୍ୟବସ୍ଥା , ଯାହା ତାର ଅଭାବ ଅସୁବିଧା ଦୂର କରିପାରିବ ଏହିପରି ମଣିଷ ନୂଆ ଗଢ଼ୁଛି ଓ ପୁରୁଣାକୁ ଛାଡ଼ୁଛି। ଏହି ଯାହା ଅଛି ଓ ଯାହା ନାହିଁ ଏହାରି ଭିତରେ ଲଢ଼ି ଲଢ଼ି ମଣିଷ ନୂଆ ଅବସ୍ଥାକୁ ପ୍ରାପ୍ତ ହେଉଛି। ଏହି ନୂଆ ଅବସ୍ଥାରେ ପହଞ୍ଚି ମଣିଷ ପୁଣି କେତେକ ଅଭାବ ଅସୁବିଧା ଅନୁଭବ କରୁଛି। ପୁଣି ଲଢ଼େଇ। ଏହି ଉପାୟରେ ଘନ ଘନ ପରିବର୍ତ୍ତନ ମଣିଷ ସମାଜରେ ଘଟି ଚାଲିଛି ଏବଂ ଏହି ପରିବର୍ତ୍ତନ ହିଁ ମଣିଷର ଗତି…। ମଣିଷ ଆଗେଇଚାଲିଛି।

           ଦିନେ ମଣିଷର ଅଭାବ ପଡ଼ିଥିଲା, ଦଳକୁ କିଏ ସଜାଡ଼ି ରଖିବ, କିଏ କଳିକଜିଆ ତୁଟେଇବ, କିଏ ଯୁଦ୍ଧରେ ହୁକୁମଦେବ। ତେଣୁ ସର୍ଦ୍ଦାରର ସୃଷ୍ଟି ହେଲା। ସର୍ଦ୍ଦାର ଦିନେ ପୁଣି ରଜା ଓ ସାମନ୍ତ ହୋଇ ଲୋକଙ୍କର ଧନ ଶୋଷିଲା, ଲୋକଙ୍କ ଉପରେ ନାନାଦି ଅତ୍ୟାଚାର କଲା ଓ ସମାଜରେ ନାନା ଅସୁବିଧା ଘଟାଇଲା। କିନ୍ତୁ ରଜାକୁ ଛାଡ଼ିବାକୁ ଉପାୟ ନଥିଲା , ରାଜ୍ୟ ଚଳାଇବ କିଏ? ରଜା ଓ ସାମନ୍ତମାନେ ଲୋକଙ୍କୁ ଘୃଣା କଲେବି ସମାଜ ପକ୍ଷରେ ସେମାନଙ୍କର ଆବଶ୍ୟକତା ଥିଲା। ତେଣୁ ସମାଜରେ ସାମନ୍ତବାଦ ବ୍ୟବସ୍ଥା ମୁଣ୍ଡ ଟେକି ରହିଥିଲା, ଲୋକେ ସେ ବ୍ୟବସ୍ଥାରେ ଯେଉଁ ଅଭାବ ଅନୁଭବ କରୁଥିଲେ-ମୁକ୍ତି ,ସାମ୍ୟ ଓ ମୈତ୍ରୀର ଅଭାବ- ତାହା ପୁଞ୍ଜିବାଦ ଦୂରକଲା। ନୂଆ ସଂସ୍ଥା ଲାଗି ଲୋକେ ସାମନ୍ତବାଦକୁ ଛାଡ଼ିଲେ ପୁରୁଣା ବ୍ୟବସ୍ଥାକୁ ଭାଙ୍ଗିଦେଲେ। ପୁଞ୍ଜିବାଦ ଅନ୍ୟଥିରେ ସମତା ଦେଲେ ବି ଏହି ସମାଜରେ ଧନର ସମତା ନାହିଁ ପୁଞ୍ଜିବାଦ ଲୋକଙ୍କର ସେ ଅଭାବ ପୂରଣ କରିପାରୁନାହିଁ  ତେଣୁ ଲୋକ ଆନ୍ଦୋଳନ କରୁଛନ୍ତି ସାମ୍ୟବାଦ ଲାଗି । ଏ ଧାରା ସୃଷ୍ଟିର ଧାରା , ଏ ଗତି ଅତି ସ୍ବାଭାବିକ।

          ଆମେ ଦେଖିଛେ ମଣିଷର ଇତିହାସ…ସେତ ବିରାଟ ଶୋଷଣବାଦର କାହାଣୀ, ଦଳେ ଶୋଷକ ଅନ୍ୟମାନେ ଶୋଷିତ, ଦଳେ ସୁଖରେ ଥାଆନ୍ତି ଅନ୍ୟମାନେ ଖଟି ଖଟି ମରନ୍ତି। କିନ୍ତୁ ଯେଉଁମାନଙ୍କୁ ଅଭାବ ବାଧେନାହିଁ ସେମାନେ ଚାହାଁନ୍ତି ନାହିଁ କୌଣସି ପରିବର୍ତ୍ତନ । ଯେଉଁମାନେ ଚଳନ୍ତି ବ୍ୟବସ୍ଥାରେ ସୁଖରେ ଥାଆନ୍ତି ସେମାନେ ପରିବର୍ତ୍ତନକୁ ଭୟ କରନ୍ତି, ତାର ବିରୋଧ କରନ୍ତି। ସେମାନେ କହନ୍ତି ଚଳନ୍ତି ବ୍ୟବସ୍ଥା ଚିରସ୍ଥାୟୀ ବ୍ୟବସ୍ଥା-ଚିରକାଳ ଏହିପରି ଚଳିଆସିଛି ଓ ଏହିପରି ରହିଥିବ। ସେମାନେ ପ୍ରଚାର କରନ୍ତି, ରଜା ପରମଦେବତା, ସବୁ ଭାଗ୍ୟଲକ୍ଷ୍ମୀଙ୍କ ପ୍ରସନ୍ନତା। ଅଭାବ ଦୂର କରିବାର ପନ୍ଥା ବୋଲି ସେମାନେ ଦେଖାନ୍ତି ଦାନ ,ଦାତବ୍ୟ ,ସଂସ୍କାର। ସେମନେ ଚାହାନ୍ତି ଶାନ୍ତି। ଏ ଶାନ୍ତିର ଅର୍ଥ ଚଳନ୍ତି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରନାହିଁ, ସେମାନଙ୍କର ଭୋଗ କରୁଥିବା ସୁବିଧାରେ କୌଣସି ଆଞ୍ଚ ଆଣିବାର ଚେଷ୍ଟା କରନାହିଁ । ଅପର ପକ୍ଷରେ ଯେଉଁମାନଙ୍କୁ ଅସୁବିଧା ବାଧୁଥାଏ ,ସେମାନେ ଚାହାନ୍ତି ପରିବର୍ତ୍ତନ, ନୂଆ ବ୍ୟବସ୍ଥା, ଯହିଁରେ ଏବେର ଦୁଃଖ ନଥିବ ସେମାନେ ଚଳନ୍ତି ବ୍ୟବସ୍ଥାକୁ ବିଲ୍‌କୁଲ୍‌ ବଦଳାଇ ଦେବାକୁ ଚାହାନ୍ତି ସେମାନେ ବିପ୍ଳବୀ। ସେମାନେ ଚାହାନ୍ତି ପୁରୁଣାକୁ ଭାଙ୍ଗିଦେବାକୁ…ସେମାନଙ୍କର ଆଖି ନୂଆ ବ୍ୟବସ୍ଥାରେ । ସେହିମାନେହିଁ ମଣିଷ ସମାଜକୁ ଆଗେଇ ନିଅନ୍ତି। ସେମାନେ ପ୍ରଗତିଶୀଳ। ଯେଉଁମାନେ ଏହାକୁ ବାଧା ଦିଅନ୍ତି ସେମାନଙ୍କୁ କୁହାଯାଏ ପ୍ରତିକ୍ରିୟାଶୀଳ । ସେମାନେ ମଣିଷର ଗତିକୁ ରୋକୁଛନ୍ତି ପଛକୁ ଟାଣି। ଏହି ପ୍ରତିକ୍ରିୟାଶୀଳ ମାନଙ୍କ ଭିତରେ  ନାନା କିସମ ଥାଏ। କେତେକ ରକ୍ଷଣଶୀଳ, ସେମାନେ କହନ୍ତି ଯା ଅଛି ତା ଥାଉ  ଆଉ କେତେକ ସଂସ୍କାରବାଦୀ ଏଠି ସେଠି ତାଳିପକାଇ ପୁରୁଣା ବ୍ୟବସ୍ଥାକୁ ଚଲାଇବା ତାଙ୍କର ମତ। ଅବସ୍ଥାର ପରିବର୍ତ୍ତନ ସହିତ ମଣିଷକୁ ତାର ସାମାଜିକ ବ୍ୟବସ୍ଥା ବଦଳାଇବାକୁହିଁ ହେବ। ଏହା ଅତି ସ୍ବାଭାବିକ ଗତିରେ…ଏହି ବିପ୍ଳବ ପଥରେ ପ୍ରତିକ୍ରିୟାଶୀଳମାନେ ଠିଆ ହୁଅନ୍ତି। ସେମାନେ କୌଣସି ପରିବର୍ତ୍ତନ କରିବାକୁ ଦେବେନାହିଁ, ସେମାନେ ରାଜ୍ୟର ଶାସନ ଅନ୍ୟମାନଙ୍କୁ ଦେବାକୁ ନାରାଜ;ବ୍ୟକ୍ତିଗତ ସମ୍ପତ୍ତିକୁ ଇଜ୍‌ମାଇଲ କରିବାକୁ ନାରାଜ… ଫଳରେ ଏକପକ୍ଷରେ ପ୍ରଗତିଶୀଳ ଜନତା ଓ ଅନ୍ୟ ପକ୍ଷରେ ପ୍ରତିକ୍ରିୟାଶୀଳ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିମାନେ ଛିଡ଼ାହୁଅନ୍ତି । ସମାଜରେ ଯେଉଁ ବ୍ୟବସ୍ଥା ପୋକରା ହୋଇଗଲାଣି ସେ ବ୍ୟବସ୍ଥାକୁ ରଖିବାକୁ ଚାହୁଁଥିବାରୁ ପ୍ରତିକ୍ରିୟାଶୀଳର ବଳ ଦିନକୁ ଦିନ ଖସେ। ହେଲେ ମଣିଷର ପ୍ରଗତିରେ ଏହି ପ୍ରତିକ୍ରିୟାଶୀଳମାନେ ଯେଉଁ ବାଧା ସୃଷ୍ଟି କରନ୍ତି, ଏଥିପାଇଁ କାହିଁ କାହିଁ ଦୁଇଶ୍ରେଣୀ ମଧ୍ୟରେ ଲଢ଼େଇ ସୃଷ୍ଟି ହୁଏ, ଲୋକଙ୍କୁ ଫାଶୀ କାଠରେ ଝୁଲାଇଦିଆଯାଏ, ଜେଲ୍‌ ଦିଆଯାଏ। କିନ୍ତୁ ଶେଷରେ ଜନତାର ଜୟ ହୁଏ… ଦୁର୍ବଳ ବକଳ ଖସିପଡ଼େ ବିପ୍ଳବର ସବୁଜତାରେ ମଣିଷ ହସିଉଠେ।

ଇନ୍‌କିଲାବ୍‌ ଜିନ୍ଦାବାଦ୍‌

  …ଛୋଟ ବହି। ଏହାରି ଅଳ୍ପ କେତୋଟି ପୃଷ୍ଠା ଭିତରେ ବହୁତ ଗୁଡ଼ିଏ କଥା କହିଗଲି। କହିବାକୁ ରହିଗଲା କିନ୍ତୁ ଅନେକ କଥା, ସେହି ଅକୁହା କଥାଗୁଡ଼ିକ ଶୁଣିବାଲାଗି ନିଜକୁ ପ୍ରସ୍ତୁତ କରି ରଖ…କାରଣ ଯାହା ଶୁଣାଯାଇ ନାହିଁ ତାହା ଶୁଣାଯିବ, ଯାହା ଦେଖାଯାଇ ନାହିଁ ତାହା ଦେଖାଯିବ, ଯାହା ହୋଇନାହିଁ ତାହା ହେବ। ଏହା ଈଶ୍ବରଙ୍କର ଆଜ୍ଞା ନୁହେଁ ଜଗତର ନିୟମ…ସୃଷ୍ଟିର ଛନ୍ଦ…ଜୀବନ!

 

 




+ -

© Jataayu Charitable Trust
Site designed,developed & maintained by Tekons