ରାଜନୀତି ଆଉ ଆମେ




ସାମ୍ରାଜ୍ୟବାଦ

 

    ରାଜା ଓ ସାମନ୍ତମାନଙ୍କ ହାତରେ ଯେତେବେଳେ ଦେଶର ସରକାର‌ ଥିଲା,ଏହି ଶ୍ରେଣୀ ଦେଶର ଖଟିଖିଆ ପ୍ରଜାଙ୍କଠାରୁ କର ଆଦାୟ କରି ସବୁ ଆତ୍ମସାତ୍‌ କରୁଥିଲେ।ପ୍ରଜାଏ ଅଭାବରେ ଚଳନ୍ତି,ରାଜା ଓ ସାମନ୍ତଙ୍କ ହାତରେ ବଳକା ଧନ ବହୁତ। ରାଜା ଓ ସାମନ୍ତ ମାନେ ସେମାନଙ୍କର ଦୈନିକ ଲୁଟ୍‌-ତରାଜ କ୍ଷେତ୍ର…ତାଙ୍କ ରାଜ୍ୟକୁ ଯେପରି ଅନ୍ୟ କେହି ନେଇ ନ ଯାଏ, ସେ‌ଥିଲାଗି ସୈନ୍ୟ-ସେନାପତି ରଖି ରାଜ୍ୟରକ୍ଷା ବ୍ୟବସ୍ଥା କରୁଥିଲେ।

           କେତେକ ରାଜା ଆଖପାଖ ଦେଶ ମାନଙ୍କୁ ଆକ୍ରମଣ କରି ସେ ରାଜ୍ୟର ଧନସମ୍ପତ୍ତି ଲୁଟି କରନ୍ତି। ଅବଶ୍ୟ ଏହି ଲୁଟି-ଉଦ୍ଦେଶ୍ୟ ରାଜାମାନେ ସବୁବେଳେ ଖୋଲାଖୋଲି କହିନଥାନ୍ତି,ନିଜ ଦେଶରୁ ସମର୍ଥନ ପାଇବେନାହିଁ।,ସୈନ୍ୟ ପାଇବେ ନାହିଁ ଏହି ଆଶଙ୍କାରେ।ଲୋକଙ୍କୁ ମତାଇବାକୁ ଧର୍ମ  ଅନ୍ୟାନ୍ୟ ଆଳର ଆଶ୍ରୟ ନିଆହୋଇଥାଏ।ଦୁଇଦେଶର ସୈନ୍ୟ ମାନଙ୍କ ମଧ୍ୟରେ ଲଢ଼େଇ ହୁଏ। ଯେଉଁ ପକ୍ଷ ହାରି ଯାଏ,ସେ ତାର ରାଜ୍ୟ ହରାଇ ଥାଏ।ଜିଣିଲା ରାଜା ଜିତିଲା ଦେଶକୁ ସୁବିଧା ହେଲେ ନିଜ ଦେଶ ସହିତ ସାମିଲ୍‌ କରି ନିଏ। କିନ୍ତୁ ଅନେକ ସମୟରେ ଏହା ସୁବିଧାଜନକ ହୁଏନାହିଁ।ଏତେବଡ ରାଜ୍ୟ ହାତକୁ ଆଣି ରାଜ୍ୟରକ୍ଷା ଆଦି ବ୍ୟବସ୍ଥା କରିବା କଷ୍ଟକର ବ୍ୟାପାର।ତେଣୁ ନିଜ ଦେଶର ସରକାରକୁ ସେ ଦେଶରେ ଚାଲୁ ନକରି,ସେ ଦେଶକୁ କେବଳ ଗୋଟିଏ ଅଧୀନ ଦେଶ କରି ରଖାଯାଏ। ସେଠା ଶାସନ ପୁରୁଣା ରାଜା ବା ଅନ୍ୟ କାହାରି ଦ୍ବାରା ଚଳାଯାଏ। ଏହି ଅଧୀନ ଦେଶକୁ ରାଜାର ସାମ୍ରାଜ୍ୟ କୁହାଯାଏ ଏବଂ ସାମ୍ରାଜ୍ୟର ସର୍ବୋଚ୍ଚ ଶାସକ ସେହି ରାଜା ‘ସମ୍ରାଟ’ ଆଖ୍ୟା ଗ୍ରହଣ କରେ । କ୍ଷମତାଶାଳୀ ସମ୍ରାଟ ହେଲେ ସାମ୍ରାଜ୍ୟର ଶାସନ ପ୍ରତି ସମ୍ରାଟ ଦୃଷ୍ଟି ଦିଏ, ନୋହିଲେ ସାମ୍ରାଜ୍ୟରୁ କେବଳ ବାର୍ଷିକ ବା ସାମୟିକ କିଛି ଧନ ନେଇ ସମ୍ରାଟମାନେ ସନ୍ତୁଷ୍ଟ ରହନ୍ତି। ଏହି ସାମ୍ରାଜ୍ୟ ଦ୍ବାରା ଦେଶର ଜନସାଧାରଣଙ୍କର କୌଣସି ଲାଭ ହେଉନଥିଲା; ସାମ୍ରାଜ୍ୟରୁ ଲାଭ ଉଠାନ୍ତି ସାମନ୍ତମାନେ-ଶାସକଗୋଷ୍ଠୀ। ଆମ ଓଡ଼ିଶା ଦେଶର ରାଜା ହେଲେ ଆଗେ ସାମ୍ରାଜ୍ୟ ବିସ୍ତାର କରିଥିଲେ ବୋଲି କେହି କେହି ଗର୍ବ ଅନୁଭବ କରନ୍ତି। ଏହି ସାମ୍ରାଜ୍ୟ ବିସ୍ତାର ଗର୍ବର ବିଷୟ ବୋଲି ପାଠ ପଢ଼ିଲା ପିଲାଙ୍କୁ ଶିକ୍ଷା ଦିଆଯାଇଥାଏ କିନ୍ତୁ, ଆମର ଜାତି ଯେବେ କୌଣସି ବିଷୟରେ ଲଜ୍ଜିତ ହେବାର ଅଛି, ତାହା ଆମର ସେହି ଦୁର୍ବୃତ୍ତ ରାଜାମାନେ ଆଉ ସେମାନଙ୍କର ସାମ୍ରାଜ୍ୟ । ଦେଶର ପ୍ରଜା ସାଧାରଣଙ୍କୁ ଲୁଟିକରି ଖାଇବା ସେମାନଙ୍କର ପେଶା ଥିଲା; ସେଥିରେ ସନ୍ତୁଷ୍ଟ ନ ହୋଇ ସେହି ଡକାୟତ ଦଳ ଅନ୍ୟ ଦେଶର ନିରୀହ ଖଟିଖିଆ ଲୋକଙ୍କ ଉପରେ ତାଙ୍କର ଲୁଟି ଚଳାଇଥିଲେ, ଖାରବେଳର ସାମ୍ରାଜ୍ୟ, ପ୍ରତାପରୁଦ୍ରର ସାମ୍ରାଜ୍ୟର ଅର୍ଥ ଏହାହିଁ…ସେମାନଙ୍କର ସାହାସ, ସେମାନଙ୍କର ବିଦ୍ୟା ଓ କୌଶଳହୀନ ଦସ୍ୟୁ କାର୍ଯ୍ୟର ଲାଗି ଜାତିର ମହତ୍‌ ନାମରେ କଳଙ୍କ ବୋଳିଛି।

              ଶିଳ୍ପବିପ୍ଳବ ପରେ ସାମନ୍ତବାଦ ଧ୍ବଂସ ପାଇଲା, ପୁରୁଣା କାଳିଆ ସାମ୍ରାଜ୍ୟ ମଧ୍ୟ ତା’ ସହିତ ଲୋପ ପାଇଲା। କିନ୍ତୁ ଶୋଷଣବାଦ ଦୁନିଆରୁ ଲୋକ ପାଇନଥିଲା। ପୁଞ୍ଜିବାଦୀ ଗଣତନ୍ତ୍ର ସରକାର ପକ୍ଷରେ ବି ସାମ୍ରାଜ୍ୟ ଦରକାର ପଡ଼ିଲା।

                 ପୁଞ୍ଜିବାଦ…ବ୍ୟକ୍ତିଗତ ଲାଭରେ ହସ୍ତକ୍ଷେପ ନ କରିବା ହେଉଛି ନୀତି,କଳକାରଖାନାରେ ଯେଉଁ ଜିନିଷ ଉତ୍ପନ୍ନ ହେଲା, ପୁଞ୍ଜିପତିମାନେ ଦେଖିଲେ ସେସବୁ ନିଜ ଦେଶରେ ବିକିବା ଅପେକ୍ଷା ଅନୁନ୍ନତ ଦେଶ…ଭାରତ,ଚୀନ୍‌,ଆଫ୍ରିକାରେ ବିକିବାରେ ଅଧିକ ଲାଭ ଅଛି। ଦେଶବାସୀଙ୍କ ଭିତରେ ସେହି ଉତ୍ପନ୍ନ ଦ୍ରବ୍ୟର ଅଭାବ ଥିଲେ ବି,ଅଧିକ  ଲାଭ ଆଶାରେ ସେମାନେ ତାହାକୁ ବାହାରେ ବିକିଲେ। ଅନ୍ୟଦେଶରୁ କଞ୍ଚାମାଲ…ତୁଳା, ଲୁହା…ଆଣି ନିଜ ଦେଶରେ ଜିନିଷ ତଆରି କରି ପୁଣି ସେହି ଦେଶମାନେଙ୍କୁ ପଠାଇବା ଅପେକ୍ଷା ପୁଞ୍ଜିପତିମାନେ କଞ୍ଚାମାଲ ମିଳୁଥିବା ଦେଶମାନଙ୍କରେ କଳ ବସାଇବାରେ ବେଶି ଲାଭ ଦେଖିଲେ। ତାହାହିଁ ହେଲା, ନିଜ ଦେଶର କଳକାରଖାନା ବନ୍ଦ କରିଦେଇ ନଜ ଦେଶର ଶ୍ରମିକମାନଙ୍କୁ ବେକାର କରି ସେମାନେ ବିଦେଶରେ…ଭାରତ,ଚୀନ ଓ ଆଫ୍ରିକାରେ…ସେମାନଙ୍କର କଳକାରଖାନ ବସାଇଲେ । ଦେଶର ବଳକା ଧନ ଏହି ପ୍ରକାରେ ବିଦେଶକୁ ଗଲା। ଏହିସବୁ ଅନୁନ୍ନତ ଦେଶକୁ ଆଉ ଦେଶର…ଫରାସୀ, ଡିନାମାର, ଜର୍ମାନୀ…ପୁଞ୍ଜିପତି କଳମାଲିକମାନେ ମଧ୍ୟ ସେମାନଙ୍କର ଉତ୍ପନ୍ନଦ୍ରବ୍ୟ ପଠାଇଲେ, ସେଠି ସେମାନଙ୍କର କଳାକରଖାନା ଖୋଲିବାକୁ ଚାହିଁଲେ। ବାଣିଜ୍ୟରୁ ଲାଭଟା ବଜାୟ ରଖିବା ଲାଗି ଗରାଖ ଦେଶକୁ ନିଜ ଅଧୀନକୁ ଆଣିବା ଦରକାର ପଡ଼ିଲା।  ପୁଞ୍ଜିପତିମାନେ ତେଣୁ ଗରାଖ ଲାଗି ଗରାଖ ଦେଶକୁ ଦଖଲ କରିବା ଲାଗି ନିଜ ନିଜ ସରକାର ଉପରେ ଚାପ ପକାଇଲେ। ନିଜ ଦେଶର ଯେଉଁ ପୁଞ୍ଜି ବିଦେଶରେ ଏହି ପୁଞ୍ଜିପତିମାନେ ଲଗାଇଛନ୍ତି, ତାକୁ ରକ୍ଷା କରିବାକୁ ଓ ଏହି ପୁଞ୍ଜିପତି ମାନଙ୍କର ସେ ସବୁ ଦେଶରେ ସ୍ବାର୍ଥ ବଜାୟ ରଖିବାକୁ ସେମାନଙ୍କ ଦେଶର ସରକାର (ପୁଞ୍ଜିବାଦୀ ସରକାର ଯହିଁରେ ସେହିମାନେ ହିଁ ଶାସକଗୋଷ୍ଠୀ) ସେନା ଓ ସରଞ୍ଜାମ ପଠାଇ ଗରାଖ ଦେଶମାନଙ୍କୁ ଅଧିକାର କଲା। ଏହାହେଲା ସେ ଦେଶର ସାମ୍ରାଜ୍ୟ। ଏହିପରି ଭାବରେ ଭାରତ,ଚୀନ ଓ ଆଫ୍ରିକା ପ୍ରଭୃତି ଅନୁନ୍ନତ ଦେଶରେ ଇଂରେଜ, ଫ୍ରାନ୍ସ, ଜର୍ମାନୀ ଆଦି ଦେଶ ତାଙ୍କ ସାମ୍ରାଜ୍ୟ ଛିଡ଼ା କରିଥିଲେ।

             ସାମ୍ରାଜ୍ୟଟିଏ ରଖିବା ଦ୍ବାରାଦେଶର ଜନ ସାଧାରଣଙ୍କର ଲା‍‍ଭ ନ ଥାଏ, ବରଂ ସେଥିରେ ସେମାନେ କ୍ଷତିଗ୍ରସ୍ତ ହୋଇଥାନ୍ତି।ଇଂଲଣ୍ଡ ଆମ ଭାରତକୁ ତାର ଅଧୀନରେ ରଖିଥିଲା।ଭାରତ ସାମ୍ରାଜ୍ୟଟି ରଖିବା ଲାଗି ଇଂଲଣ୍ଡ ଦେଶର ବହୁ ବୁଦ୍ଧିଆ ଆଉ ବଳୁଆ ଲୋକ ଭାରତରେ ରହୁଥିଲେ।ଭାରତର ଶାସନ କିପରି ଚାଲେ, ସେଥିଲାଗି ମିହନ୍ତ କରୁଥିଲେ।ଭାରତରେରେଳପଥ ବସାଇବା,ସହର ତୋଳିବା,ଶାନ୍ତିଶୃଂଖଳା ରଖିବା,ସରକାରୀ ଦପ୍ତର ସଜାଡିବା ଆଦି କାମରେ ସେମାନେ ଯେଉଁ ପରିଶ୍ରମ କଲେ, ଯେବେ ଭାରତ ସାମ୍ରାଜ୍ୟଟି ନଥାନ୍ତା ସେହି ଇଂରେଜ ଲୋକେ ତାଙ୍କ ଦେଶର ଉନ୍ନତି ଲାଗି ମିହନ୍ତ କରିଥାନ୍ତେ, କୋଉଠି ନଈନାଳ ବନ୍ଧାଇଥାନ୍ତେ,ଅସନା ସହରତଳି ଜାଗାମାନ ସଫାସୁତୁରା କରି ତାଙ୍କ ଦେଶକୁ ଆହୁରି ସୁନ୍ଦର କରିଥାନ୍ତେ।ଇଂଲାଣ୍ଡର ଜନସାଧାରଣଙ୍କର ପ୍ରକୃତ ଉପକାର କରିଥାନ୍ତେ। ଇଂରେଜ ପୁଞ୍ଜିପତିମାନେ ତାଙ୍କ ଦେଶର ଲୋକଙ୍କୁ ବେକାର ଓ ଅଧାପେଟା ରଖି ନିଜ ନିଜା ବଳକାଧନ ବିଦେଶରେ ,ଭାରତ ଓ ଚୀନରେ ଖଟେଇ ଏଠି ରେଳପଥ ନିର୍ମାଣ କଲେ, କଳକାରଖାନା ଛିଡ଼ାକଲେ, ବିଜୁଳିବତୀ ଖଞ୍ଜିଲେ,ଭାରତୀୟ ଲୋକଙ୍କୁ କାମ ଯୋଗାଇଲେ ଇଂରେଜ ଦେଶର ବଳକା ଧନରେ ଭାରତର ଏହି ଉନ୍ନତିମାନ ହେଲା। ତେଣେ,ଇଂଲାଣ୍ଡର ଜନସାଧାରଣଙ୍କର ହଜାର ଅଭାବ ମେଣ୍ଟାଇବା ଲାଗି ଲୋକ ନାହାନ୍ତି, ଧନ ଅଭାବ। କହିରଖେ, ଭାରତର ରାଜସ୍ବରୁ ଇଂଲାଣ୍ଡ ସରକାର କିଛି ନେଉନଥିଲା। ବରଂ ଭାରତ ସାମ୍ରାଜ୍ୟଟି ରଖିବା ଲାଗି ଇଂଲାଣ୍ଡର ରାଜସ୍ବରୁ  କିଛି ଅଂଶ ବିଲାତ ସରକାର ଖର୍ଚ୍ଚ କରିଥିଲା। ବିଲାତ ଭାରତରୁ ଲାଭ ପାଉଥିଲା ତାର ବାଣିଜ୍ୟ ସୂତ୍ରରେ…ସେ ଦେଶର ପୁଞ୍ଜିପତିମାନଙ୍କର କଳକାରଖାନାର ଜିନିଷ ଭାରତ ବଜାରରେ ବିକି। ଭାରତରେ ଇଂଲାଣ୍ଡର ପୁଞ୍ଜିପତିମାନେ  ଯେଉଁ ଧନ ଖଟେଇଲେ, ତାହା ଯେବେ ତାଙ୍କ ଦେଶରେ ତାଙ୍କ ଦେଶରେ ଖଟାଯାଇଥାନ୍ତା,ସେ ଦେଶରର ଜନସାଧାରଣ ବହୁ ପରିମାଣରେ ଉପକାର ପାଇପାରିଥାଆନ୍ତେ। ହେଲେ, ପୁଞ୍ଜିପତିମାନଙ୍କ ହାତକୁ ଯୋଉ ଲାଭ ଏପରି ଆସିଲା, ତାହା ସେମାନେ ପାଇନଥାନ୍ତେ। ପୁଞ୍ଜିପତିମାନେ ଦେଶର ମଙ୍ଗଳକୁ ନ ଚାହିଁ, ଚାହିଁଲେ ଆପଣାର ଲାଭକୁ।

                   ପୁଞ୍ଜିପତିମାନେ ଦେଶର ଧନ ନେଇ ବିଦେଶରେ ଥୋଇଲେ। ପ୍ରତି ବଦଳରେ ସେମାନେ ସାମ୍ରାଜ୍ୟର ଧନକୁ ଶୋଷଣ କରି ନିଜେ ଧନୀ ହେଲେ। ଏହି ଶୋଷଣ ଧନରୁ କିଛି ଭାଗ ସେମାନେ ପୁଣି ନିଜ ଦେଶରେ ଖର୍ଚ୍ଚ କରନ୍ତି, ଦେଶର ମିହନ୍ତ କଲା ଲୋକେ ସାମ୍ରାଜ୍ୟରୁ ଲୁଟି ହେଲା ଧନରୁ ଛିଟିକାଏ ଏହି ଉପାୟରେ ପାଆନ୍ତି। ଏହାଦ୍ବାରା କିନ୍ତୁ ଜାତିର ସର୍ବନାଶ ଘଟେ, ଜାତି ଧ୍ବଂସ ଆଡ଼କୁ ଗତିକରେ। ଇଂଲାଣ୍ଡର ଲୋକେ ସେବେ ନିଜେ କିଛି ଜିନିଷ ଉତ୍ପନ୍ନ ନ କରି ଖାଲି ବିଦେଶକୁ ଲୁହା କଣ୍ଟାଠୁ ମଟର ଗାଡ଼ି ପର୍ଯ୍ୟନ୍ତ ସବୁ ପାଇଁ ଶୋଷଣ ଧନ ଉପରେ ନିର୍ଭର କରନ୍ତି, ଇଂଲାଣ୍ଡର ଲୋକେ ଯେବେ ଚାଷୀ ନ ହୋଇ ପୁଞ୍ଜିପତିମାନଙ୍କର ଟହଲଟୁକୁରା ଚାକର, ଦରବାନ, ପରଶୁଣି ବା ମଟରଚାଳକ ହୁଅନ୍ତି, ଦିନ ଆସିବ ଯେବେ ସାମ୍ରାଜ୍ୟରୁ ଶୋଷଣ ବନ୍ଦ ହୋଇ ଗଲେ ଇଂଲାଣ୍ଡର ଲୋକେ ଠକ୍‌ ଠକ୍‌ ଭୋକରେ ମରିବେ, ନୋଇଲେ ଇଂଲାଣ୍ଡ ଛାଡ଼ି ଧାଇଁଲେ ଅନ୍ୟ ଦେଶକୁ କାହାର ଚାକର ହେବା ଲାଗି, କାହାର ବୋଲହାକ କରିବାକୁ।

                    ପୁଞ୍ଜିପତିମାନେ ଜାତୀୟତା ନାମରେ ଯୁଦ୍ଧ ଚଳାନ୍ତି, ସାମ୍ରାଜ୍ୟ ଗଢ଼ନ୍ତି,ଅନ୍ୟ ଦେଶର ଲୋକଙ୍କୁ ଶୋଷଣ କରି ନିଜ ଦେଶରେ ସାମ୍ରାଜ୍ୟର ଗର୍ବ କରନ୍ତି। ଉଭୟ ଦେଶର ଆପଣା ଓ ମୂଲିଆଙ୍କର କିନ୍ତୁ ଦଶା ଏକା…ଉଭୟେ ଶୋଷିତ। ସେମାନଙ୍କର ଭିତରେ ବିରୋଧ କିଛିନାହିଁ…କେହି କାହାର ଲୋକସାନି କରେନାହିଁ…ସେମାନେ ଖଟିକରି ଆପଣା ପେଟ ପୋଷନ୍ତି…ସେମାନେ ପରସ୍ପରର ଭାଇ। ଭାରତ ସାମ୍ରାଜ୍ୟରୁ ଇଂଲାଣ୍ଡର ଜନସାଧାରଣ ମୋଟେ ଲାଭବାନ ହୋଇନାହାନ୍ତି, ସେ ଧନ ଯାଇଛି ଇଂଲାଣ୍ଡ ର ମୋଟେ ଶତକଡ଼ା ସାତଜଣ ଲୋକଙ୍କ ହାତକୁ । ଶତକଡ଼ା ସାତ ଏହି ପୁଞ୍ଜିପତିମାନେ ହିଁ ଭାରତରୁ ଶୋଷିତ ଧନର ଶତକଡ଼ା ପଞ୍ଚାଅଶୀଭାଗ ପାଆନ୍ତି। ପୁଞ୍ଜିପତିମାନେ କେବେ ନିଜ ଜାତିର ମଙ୍ଗଳରେ ନଥାନ୍ତି,ସେମାନେ ଅର୍ଥପିଶାଚ, ଖାଲି ନିଜେ କିପରି ନିଜେ କିପରି ବେଶି ଲାଭ କରିବେ ତାହାହିଁ ତାଙ୍କର ଏକମାତ୍ର ଚିନ୍ତା।

                   ସାମ୍ରାଜ୍ୟବାଦ ପୁଞ୍ଜିବାଦର ଏକ ମାରାତ୍ମକ ପରିଣତି ଯାହାଫଳରେ ସାମ୍ରାଜ୍ୟବାଦୀ ସରକାରମାନେ ସେମାନଙ୍କର ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ କମାଣ ମୁହଁରୁ ଠେଲି ଦିଅନ୍ତି, କେବଳ କେତେଜଣ ଲୋଭୀ ପୁଞ୍ଜିପତିଙ୍କ ହାତକୁ ଅଧିକ ଧନ ଦେବାକୁ। ଦୁଇ ଦୁଇଟା ମହାସମର ଯେ ପୃଥିବୀରେ ତାଣ୍ଡବଲୀଳା ଲଗେଇଗଲା,ତାହା ଏହି ଅର୍ଥପିଶାଚମାନଙ୍କର ଚକ୍ରାନ୍ତ…ତାଙ୍କର ଲୋଭ। ପୁଞ୍ଜିବାଦ ଯେଉଁଦିନ ଲୋପ ପାଇବ, ସାମ୍ରାଜ୍ୟଟିଏ ରଖିବାକୁ ଯେକୌଣସି ଜାତି ପଛେଇବ। କିଏ କାହିଁକି ନିଜ ଧନ ନେଇ ବିଦେଶରେ ଫୋପାଡ଼ିବ? ନିଜ ଦେଶର ଲୋକଙ୍କୁ ନେଇ ଅନ୍ୟ ଦେଶ ଲୋକଙ୍କ ପାଇଁ ଖଟେଇବ?

 

 




+ -

© Jataayu Charitable Trust
Site designed,developed & maintained by Tekons