ରାଜନୀତି ଆଉ ଆମେ




ଧନ ସମ୍ପତ୍ତି

 

              ବଣ ଜଙ୍ଗଲରେ ମଣିଷ…ଆମରି ପୂର୍ବପୁରୁଷ…ସେମାନେ ଟଙ୍କା କଣ ବୁଝୁନଥିଲେ…ସୁନା କଣ ଜାଣୁନଥିଲେ। ସେମାନେ ବଣରୁ ଫଳ ତୋଳନ୍ତି.ଶିକାର କରନ୍ତି…ଖାଇବା ପାଇଁ. ପେଟ ପୋଷିବା ପାଇଁ ସେଗୁଡ଼ିକ ଥିଲା ତାଙ୍କର ଦରକାରୀ ଜିନିଷ। ସେମାନଙ୍କର ସମ୍ପତ୍ତି ବୋଇଲେ, ସେହି ସାଉଁଟିଲା ଫଳ, ସେହି ମାଇଲା ଜୀବ। ସେତେବେଳେ ସୁନାର ମୂଲ୍ୟ ନଥିଲା…ହୀରା ନୀଳା ମାଟି ଗୋଡ଼ି ସଙ୍ଗେ ସମାନ। ଖରାବର୍ଷାରୁ ରକ୍ଷା ପାଇବା ମଣିଷର ଦରକାର ପଡ଼ିଲା…କୁଡ଼ିଆଟି ମଣିଷର ସମ୍ପତ୍ତି ହେଲା। ପୁଣି କୁଡ଼ିଆଟି ତିଆରି କରିବା ପାଇଁ ଦରକାର କାଠ, ବାଉଁଶ, ଛଣ…। ସେହିପରି ଶିକାର କରିବାକୁ ଧନୁ ଆଉ ଶର ଲୋଡ଼ା। ଚାଷ କରିବାକୁ ଦରକାର ଜମି, ହଳ ବଳଦ, ବିହନ…।

                ଦିନୁଁ ଦିନ ମଣିଷର ଦରକାରୀ ଜିନିଷ ବଢ଼ିଛି…ମଣିଷ ଗୋଟି ଗୋଟି ତା’ର ଅସୁବିଧା ଦୂର କରିବ ବୋଲି ନୂଆ ନୂଆ ଉପାୟ ଖୋଜିଛି…ଅଧିକ ସୁଖ ପାଇଁ କେତେ ନୂଆ ନୂଆ ବାହାର କରିଛି ମିହନ୍ତ କରି, ହାତ ଆଉ ମୁଣ୍ଡ ଖଟେଇ। ଯାହା ତାର ଅଭାବ ଦୂର କରିଛି,ଯାହା ତାକୁ ଅଧିକ ସୁଖ ଦେଇଛି, ଯାହା ତା’ର ବଞ୍ଚିବା ପାଇଁ ଦରକାର ହୋଇଛି, ମଣିଷ ତାକୁ ଆଦର କରି ସାଇତି ରଖିଛି, ଯାହା ତା’ର ଗୋଟାଏ ମୂଲ୍ୟ ଅଛି ବୋଲି ମନେ କରିଛି। ଧାନ, ଘର, ଗହଣା…ମଣିଷର ଏହି ବ୍ୟବହାର କଲା ଜିନିଷ ଗୁଡ଼ିକ ପାଇବା ଲାଗି ପୁଣି ଦରକାର ଆଉ କେତୋଟି ପଦାର୍ଥ।

                  ଜୀବନରେ ଆମର ଦରକାର ଭାତ, ଲୁଗା, ଘର,ମଟର…। ଏଗୁଡ଼ିକରୁ ଆମେ ଉପକାର ପାଉ ସିଧାସଳଖ;ଆମେ ଭାତ ଖାଉ, ଲୁଗା ପିନ୍ଧୁ, ଘରେ ରହୁ, ମଟରରେ ଯାଉ। ହେଲେ, ଭାତ ରାନ୍ଧିବା ପାଇଁ ଯେଉଁ ଚାଉଳ ଦରକାର, ସେଥିଲାଗି ଚାଉଳ କଳ ଲୋଡ଼ା, ଧାନରୁ ଚାଉଳ କରିବାକୁ।ପୁଣି ଧାନ ଆମଦାନି ଲାଗି ଦରକାର ଜମି, ହଳ ,ବଳଦ…। ମଣିଷ ଜମି ବା ଚାଉଳ କଳକୁ ଖାଏ ନାହିଁ ସତ, କିନ୍ତୁ ତା’ର ବ୍ୟବହାର ଜିନିଷ ଆମଦାନୀ କରିବା ଲାଗି ଏଗୁଡ଼ିକ ଦରକାରୀ। ଏହାରି ସାହାଯ୍ୟରେ ମଣିଷ ମିହନ୍ତ ଖଟେଇ ଆମଦାନୀ କରେ ତା’ର ଭୋଗ କଲା ପଦାର୍ଥ। ଜମି ବା ହଳବଳଦ ମଣିଷଠୁ ଯେବେ ଛଡ଼େଇ ନିଆଯାଏ, ସେ ଆଉ ଧନ ଆମଦାନୀ କରିପାରିବ ନାହିଁ। କଳଟି ତା’ହାତରୁ କାଢ଼ିନେଲେ ସେ ଆଉ ଚାଉଳ କରିବ କାହିଁରେ? ଏସବୁ ତେଣୁ ହେଲା ତାର ଉତ୍ପାଦନର ଆଶ୍ରା। ଏଗୁଡ଼ିକୁ ଆଶ୍ରାକରି ମଣିଷ ତାର ବ୍ୟବହାର ଜିନିଷ ଆମଦାନୀ କରେ;ଏହି ଗୁଡ଼ିକର ସାହାଯ୍ୟରେ ମଣିଷ ବଞ୍ଚିରହେ, ଖାଏ,ଶୁଏ, ମଉଜ ମଜଲିସ୍‌ କରେ। ଭାତ ଓ ଘର ଭଳି ଜମି ଓ କଳର ବି ମୂଲ୍ୟ ଅଛି। ଯାହାର ମୂଲ୍ୟ ଅଛି ତାକୁ ମଣିଷ କହିଲା ସମ୍ପତ୍ତି। କାହାକୁ ସମ୍ପତ୍ତି କୁହାଯିବ କାହାକୁ କୁହାନଯିବ ତା’ ନିର୍ଭର କରୁଛି ସେବେକାର ସମାଜ ଉପରେ।

                  ଆଦିମ ସମାଜରେ ଯାହାକିଛି ମଣିଷ ଅର୍ଜନ କରୁଥିଲା,ସବୁଥିଲା ଦଳର; ତାକୁ ଆମେ ଆମ ଭାଷାରେ କହିପାରୁ ତାଙ୍କର ଇଜ୍‌ମାଇଲ୍‌ ସମ୍ପତ୍ତି। ଦଳର ଆକାର ବଢ଼ିବାରୁ ଯେଝାର ଯିଏ ହୋଇ ସେମାନେ ରହିଲେ। ସମୁଦାୟ ଗୋରୁ ଜମି ବା କୁଡ଼ିଆରୁ ଯାହା ଉପକାର ମିଳେ ତା’ ସମୁଦାୟ ଦଳ ଭିତରେ ବଣ୍ଟା ହେବା ବନ୍ଦ ହେଲା। ଚାରିଟି ଗାଇ ହଟିଆ ନେଲେ ସାତଟି ଗାଇ ଜଟିଆ ରଖିଲା। ସେଗୁଡ଼ିକ ହେଲା ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି (private property) ସେ ଗାଇଙ୍କୁ ଚରେଇଲେ ବା ନ ଚରେଇଲେ ରଖିଲେ ବା ବାଘ ଖୁଆଇଦେଲେ, ବେଶି ଦୁଧ ପାଇଲେ ବା ମୋଟେ ନ ପାଇଲେ ସେ ବିଷୟରେ ତାଙ୍କୁ କହିବାକୁ ଅନ୍ୟ କାହାରି କିଛି ଅଧିକାର ରହିଲା ନାହିଁ। ଏ ରୀତି ଆଜିଯାଏଁ ବି ଚାଲିଆସିଛି ଅଳ୍ପବହୁତେ।

               ସମାଜ ବଡ଼ହେଲାରୁ ଜଣେ ଜଣେ ଗୋଟିଏ ଗୋଟିଏ କାମ ଧଇଲେ। କିଏ କେବଳ ଧାନ ଆମଦାନୀ କଲା ତ, କିଏ ଖାଲି ଲୁଗା ବୁଣିଲା। ଲୁଗା ବୁଣାଳୀଙ୍କର ଧାନ ଦରକାର ,ଚଷାର ବି ଲୁଗା ଦରକାର।ପହିଲେ ଜିନିଷ ଅଦଳ ବଦଳ କରୁଥିଲେ ତାଙ୍କ ଭିତରେ। ଧାନ ବଦଳରେ ଲୁଣ ,ଲୁଣ ବଦଳରେ ହଳଦୀ…।ବଦଳ ପାଇଁ ଦିଜଣ ଲୋକ ଦରକାର ,ଜଣେ ଦେବାକୁ ଚାହୁଁଥିବ ଯାହା ଅନ୍ୟ ଜଣେ ନେବାକୁ ଚାହୁଁଥିବ ଠିକ୍‌ ସେଇୟା ଏପରି ଲୋକ ଖୋଜିବାରେ କେତେ ମିହନ୍ତ ,ହଇରାଣ ,ହରକତ। ଏ ସବୁ ଅସୁବିଧାକୁ ଦୂର କରିବାକୁ ମଣିଷ ଚଳେଇଲା କଉଡ଼ି,ପଇସା, ଟଙ୍କା, ନୋଟ୍‌ ହୁଣ୍ଡି, ମୋହର…। ଟଙ୍କାକୁ ମଣିଷ ଖାଏନାହିଁ କି ଶୁଏନାହିଁ । ଟଙ୍କାର ନିଜର ବୋଲି କିଛି ମୂଲ୍ୟ ନାହିଁ,ଟଙ୍କା ଖାଲି ଗୋଟିଏ ଠାର, ଠିକ୍‌ ଯେପରି ‘ବହି’ ଏ ଦୁଇଟି ଅକ୍ଷର ଗୋଟିଏ ପଦାର୍ଥ ବୁଝିବାକୁ ଗୋଟିଏ ଠାର। ସେହିପରି ଟଙ୍କା କହିଲେ ବୁଝାଏ ଦଶସେରେ ଧାନ, ସେରେ ତେଲ ବା ଗୋଟିଏ ଲୁଗା…। ଚଷାର ଏଣିକି ଦଶସେର ଧାନ ବୋହି ତେଲି ଘରକୁ ଯିବା ଦରକାର ପଡ଼ିଲା ନାହିଁ। ସେ ଟଙ୍କାଟି ଧରି ତେଲି ଘରକୁ ଗଲା। ତେଲିଠୁ ତେଲ କିଣିଲା , ତେଲି ସେ ଟଙ୍କା ନେଇ ଚାହିଁଲେ ଧାନ କିଣିଲା , ନୋଇଲେ ଲୁଗା କିଣିଲା। ଜିନିଷ ବଦଳରେ ପାଇ ପାରିଲା ଟଙ୍କାର ମୂଲ୍ୟ ଅଛି ନୋଇଲେ ତା ମାଟିଠୁ ହୀନ।

                    ଯାହାପାଖରେ ଟଙ୍କା ସୁନା ବହୁତ ଅଛି ସେ ପ୍ରକୃତରେ ଧନୀ ନୁହେଁ। ଯେବେ ଟଙ୍କା ସୁନା ବଦଳରେ ଧାନ, ଚାଉଳ,ତେଲ,ଲୁଣ ତାକୁ ନ ମିଳେ, ବିଚରା ଭୋକରେ ମରିଯିବ। ଟଙ୍କା ସୁନାକୁ ଧନ ବୋଲି ଯେତେବେଳେ କହୁ, ଆମେ ପ୍ରକୃତରେ କହିବାକୁ ଚାହୁଁ, ତା’ବଦଳରେ ଯେଉଁ ଧାନ ,ଲୁଗା, ବହି ଓ ଘର ମିଳିବ।  ଦେଶର ସବୁ ଟଙ୍କା ସୁନା ମୋହରକୁ ସମୁଦ୍ରକୁ ଫୋପାଡ଼ିଦେଲେ ବି ଦେଶର ଧନ କମିଯିବ ନାହିଁ, ଯେତେ ବ୍ୟାଙ୍କ ଅଛି ସବୁକୁ ଯେବେ କାଲି ସକାଳୁ ମୂଳପୋଛ କରିଦିଆ ଯାଏ, ତେବେବି ଦେଶ ଯୋଉ ଧନୀ ଥିଲା ସେଇ ଧନୀ ରହିବ।  

                     ଟଙ୍କା ଧନ ନୁହେଁ, ଧନର ଠାର।

                      ଆମର ଧାରଣା, ଧନ କମେଇବାର ବାଟ ବହୁତ ଅଛି, କଳ କାରଖାନା ବସେଇ ଅମୁକ ଲୋକ ଭାରି ଧନ କମେଇଲା, ଜମିଦାରୀ ରୁ ସମୁକ ଲୋକ ତା’ର ସମ୍ପତ୍ତି କମେଇଛି, ଅମୁକ ଲୋକ ମହାଜନୀ କରି ପଇସା କମେଇଛି ବୋଲି ଆମେ କହୁ। ଧନ କମେଇବା ବାଟ କିନ୍ତୁ ଗୋଟିଏ ଧାନ ଦରକାର ତ ବିଲ ଚଷିବାକୁ ପଡ଼ିବ , ଫଳମୂଳ ଦରକାର ହେଲେ ଗଛ ଲଗେଇବାକୁ ପଡ଼ିବ, ଗଛମୂଳରେ ପାଣି ଦେବାକୁ ପଡ଼ିବ ।ଘରଟିଏ ତୋଳିବାକୁ ହେଲେ ନିଅଁ ଖୋଳିବା ଦରକାର, ମାଟି ଚକଟିବା ଦରକାର। ବହିଟି ଲେଖିବାପାଇଁ ମୋତେ କେତେଦିନ ଧରି ପାଠ ପଢ଼ିବାକୁ ହୋଇଛି, କେତେ ମଗଜ ଖରଚ କରିବାକୁ ହୋଇଚି, କେତେ ଘଣ୍ଟା ଖଟିବାକୁ ହୋଇଚି ସବୁଥିକି ଲୋଡ଼ା ମିହନ୍ତ। ମିହନ୍ତ ବିନା ଆଉ କିଛି ଆମଦାନୀ ହୋଇପାରେ ନାହିଁ। ମିହନ୍ତ କରି ମଣିଷ ପଡ଼ିଆ ଭୂଇଁରେ ଫସଲ ଉଠାଲ, ଅସନା ଥାନକୁ  ସୁନ୍ଦର କରେ, ପିଲାଟିର କିଛି ନଜାଣିଲା ମୁଣ୍ଡରେ ବାରଆଡ଼ର ଖବର ଅନ୍ତର ଭର୍ତ୍ତିକରି ତାକୁ ପାଠୁଆ କରେ। ମିହନ୍ତ ଫଳରେ ଆମେ ବଞ୍ଚି ରହିଛୁ, ସଂସାରର ଯାବତ ଉପଭୋଗ କରିପାରୁଛୁଁ। ସମାଜର ଯେତେ ଉତ୍ପାଦନ ଦୁନିଆର ଯାବତ ଧନ, ସୂତା ଠୁ ମୂଞ୍ଜ ଯାଏଁ ସବୁରି ପଛରେ ଅଛି ମଣିଷର ମିହନ୍ତ।

                    ମିହନ୍ତରୁ ଯେବେ ଧନ ହେଉଛି, ଯେ ମିହନ୍ତ କରୁଛି…ଚଷା,ମୂଲିଆ,ଲେଖକ…ଏମାନେତ ଭାରି ଧନୀ ହୋଇଥାନ୍ତେ, ହେଲେ ଆମେ ଦେଖୁଚୁ ଏମାନେ…ଯିଏ ଝାଳରେ ଓଦା ହୋଇ ହଳ ବୁଲାନ୍ତି, ଯିଏ ଧଇଁସଇଁ ହୋଇ କଳ ଚଳାନ୍ତି, ଯେ ରାତିରାତି ଅନିଦ୍ରା ହୋଇ କଲମ ଚଷନ୍ତି…ସେମାନେ ଗରିବ।ଆଉ ଲୋକ ଅଛନ୍ତି, ହଲେଇଲା ପାଣିକୁ ଗୋଡ଼ ନ ବଢ଼ାଇ ଟଙ୍କା ରୋଜଗାର କରୁଛନ୍ତି ଅକଳନ, ସେମାନେ ଧନୀ ହୁଏତ ଏକଥା ମୁଁ ମାନୁଛି, ହେଲେ ସେମାନେ କମାଇଲା ଧନକୁ ନିଜ ହାତକୁ ନେଇ ।ସେହିପରି ଜମିଦାର ଧନୀ ହେଉଛି ଚଷା କମେଇଲା ଧନକୁ ଆପଣା ହାତକୁ ଆଣେ। କଳ ମାଲିକ ଧନୀ ହେଉଛି କୁଲିମାନଙ୍କ ଅର୍ଜିଲା ଧନକୁ ତୋଷାରପ କରି।

                     ପ୍ରଜା,ରଇତ,କୁଲି,କିରାନୀ,କର୍ମଚାରୀ…ଏହିମାନେ ହିଁ ଦୁନିଆର ଯାବତ ପଦାର୍ଥ ଆମଦାନୀ କରନ୍ତି। ଆମେ ଯାହା କିଛି ସୁଖ ଭୋଗ କରୁଛୁ, ସବୁ ସେମାନଙ୍କର ଝାଳରେ ଓଦା, ତାଙ୍କ ରକ୍ତରେ ଭିଜା।ହେଲେ ଆମ ସମାଜର ବ୍ୟବସ୍ଥା ଏଭଳି ଯେ, ଖଟିଲା ଲୋକ (ଉତ୍ପାଦନକାରୀ) ଭାଗରେ ଅର୍ଜିଲା ଧନର ଛିଟିକାଏ ପଡ଼େ, ଢ଼ୋକେ ପିଇ ଦଣ୍ଡେ ଜିଇଁଲା ଭଳି। ବାକିତକ ମାରିନିଅନ୍ତି ଯେଉଁମାନେ ଅଳସୁଆ ହୋଇ ବସିଥାଆନ୍ତି…ରଜା, ଜମିଦାର,କଳମାଲିକ,ମହାଜନ ଏମାନଙ୍କୁ ଅଳସୁଆ କହୁଚି କାରଣ, ଜିନିଷ ଆମଦାନୀ କରିବାରେ (ତାକୁ ଉତ୍ପାଦନ କହନ୍ତି)ଏମାନଙ୍କର ମିହନ୍ତ ତିଳେ ହେଲେ ନାହିଁ। ଏପରି ସମାଜରେ ଦୁଇଟି ଶ୍ରେଣୀର ଲୋକ ଦେଖିବାକୁ ମିଳେ…ଅଧକାଂଶ ଲୋକ ଜିନିଷ କରୁଛନ୍ତି…ଏମାନେ ଖଟିଖିଆ…ଆଉ ଦଳେ…ଯେଉଁମାନେ ମୋଟେ ଜିନିଷ ଆମଦାନୀ କରୁନାହାନ୍ତି ଅଥଚ ସବୁ ଉପଭୋଗ କରୁଛନ୍ତି, ଏମାନେ ଲୁଟିଖିଆ।

                      ଏପରି ଲୁଟି ଦିନ ଦିପହରେ କିଭଳି ହେଉଚି ସରକାର,ପୁଲିସ,ହାକିମହୁକୁମା,ଶାସନ, ବିଧାୟକ, ସଭା ଏତେକଥା ଥାଉଥାଉ…ତମେ ଆଚମ୍ବିତ ହେବ।କିନ୍ତୁ ମନେ ରଖିବା କଥା ଏ ଲୁଟି ସରକାର ନ୍ୟାୟ ବୋଲି ବିଚାରୁଛନ୍ତି,ଆଉ ଏହି ଲୁଟି ନିର୍ବିଘ୍ନରେ ଚଳାଇବା ପାଇଁ ଆଇନ କାନୁନ ଗଢ଼ା ହେଇଛି ।ରାଜ୍ୟର ଆଇନ ରଜା ପ୍ରଜାଠୁ ତା’ର ଅର୍ଜିଲା ଧନ ନେଇ ମଉଜ କରିବ।  ସରକାର କହେ, ରଇତ ଉଠେଇଲା ଫସଲରୁ ଭାଗେ ଜମିଦାର ନେବ । ଦେଶର ଆଇନ କହେ କୁଲି ଯାହା ରୋଜଗାର କରିବ କଳାମାଲିକ ସେଥିରୁ ଅଂଶ ନେବ କେହି ଯେବେ ଏହି ଆଇନ ଭାଙ୍ଗେ, ସେଥିଲାଗି ଅଦାଲତ ଅଛି, ସୈନ୍ୟ ଅଛନ୍ତି,ଜେଲ୍‌ଖାନା ଅଛି, ଫାସିଖୁଣ୍ଟ ଅଛି ଏହି ବ୍ୟବସ୍ଥାକୁ ବାଧା ଦେବା ବେଆଇନ…ରାଜଦ୍ରୋହ…ବିପ୍ଳବ।

                  ଖଟିଖିଆ ମାନେ ଏଭଳି ହାଣ କୁରାଢୀ ବେକକୁ ଆଣି ଆଇନ କେବେ କରିବେ ନାହିଁ, ଏକଥା ନିଶ୍ଚୟ। ଏଭଳି ଆଇନ ନିଶ୍ଚୟ ସେହି ଲୁଟି ଖିଆ ମାନଙ୍କର ରଜା, ଜମିଦାର, କଳ ମାଲିକମାନଙ୍କ ହାତରେ ଏଭଳି ସରକାର ଚାଲେ…ଯାହା ହାତରେ ସରକାର ସେ ତାଙ୍କରି ସ୍ବାର୍ଥକୁ ରଖିବାକୁ ଆଇନ ଗଢ଼େ। ଫଳରେ ଧନ ଏପରି ବଣ୍ଟାଯାଏ ଯେ ଖଟିଖିଆମାନେ ଅଭାବରେ ପଡ଼ନ୍ତି ଆଉ ଦଳେ ମୋଟେ ଧନ ନ ଅର୍ଜି ବି ମହା ଅୟସରେ ରହନ୍ତି।  ଏଇଂ ବୁଦ୍ଧିଆ ଖଟିକିଆ ପାଟିକରେ।  (ନିର୍ଭୁଦ୍ଧିଆ ଭାଗ୍ୟକୁ ନିନ୍ଦେ) ରଜା ତାକୁ ଶୋଷିଲା, ଜମିଦାର ତାକୁ ଶୋଷିଲା ମାଲିକ ତାକୁ ଶୋଷିଲା,ଖଟିଖିଆଙ୍କ ଧନ ଦୋଷରା ଲୋକ ହାତକୁ ଦେବା…ଏଇ ନୀତିକୁ ପାଠୁଆମାନେ କହନ୍ତି ଶୋଷଣବାଦ।

                  ଲୋକ ମିହନ୍ତ କରି ଯେଉଁ ଧନ ଅର୍ଜନ କଲା, ସେ ହେଲା ତା’ର କମେଇ,ଜଣେ ଲୋକ ଯେତେ କମେଇ କରେ ଠିକ୍‌ ସେତିକି ଖର୍ଚ୍ଚ କରେନାହିଁ।ତା’ର ଖର୍ଚ୍ଚଯାଇ ଯାହା ବଳକା ରହେ ସେ ହେଲା ତା’ର ପୁଞ୍ଜି।ସେହିପରି କାହାର ବି କମେଇଠୁ ଖର୍ଚ୍ଚ ବଳିପଡ଼େ ତା’ର ହୁଏ ଅଭାବ। ଯାହା ହାତରେ ବଳକା ଧନ (ସେମାନେ ପୁଞ୍ଜିପତି)ସେ ତାକୁ ଆଗକୁ…ତା’ର ବୁଢ଼ାଦିନ, ବେମାର ବେଳଲାଗି ତାକୁ ସାଇତି ରଖିବାକୁ ଚାହେଁ।ଧାନ,ମୁଗ,କାଗଜ,ଲୁଗା ଏ ଜିନିଷଗୁଡ଼ାକ ଉତ୍ପାଦନକାରୀ ପାଖରେ ବଳକା ହୋଇ ରହିଲେ କିଛିଦିନ ପରେ ନଷ୍ଟ ହୋଇଯିବ ।ପୁଞ୍ଜିପତି ତେଣୁ ଚାହେଁ ଅଭାବଗ୍ରସ୍ତ ଲୋକକୁ ସେତକ ଏଇଲାଗି ଦେଇଦେବା , ଅଭାବଗ୍ରସ୍ତ ଲୋକ ସେତକ ନେଇ ତାର ଏବର ଅଭାବ ମେଣ୍ଟେଇ ଥିବ, ପୁଣି ପଣି ପୁଞ୍ଜିପତିର ଦରକାର ବେଳେ ଉଧାର ସୁଝିଦେବ। ଯେବେ କାହାର ଅଭାବ ରହିବାନାହିଁ, ପୁଞ୍ଜିପତିର ବଳକା ଧନ ତା ପାଖରେ ରହି କିଛି ଦିନ ପରେ ନଷ୍ଟ ହୋଇଯିବ। ଏଥିରୁ ଜଣାଯିବ ଯାହାର ଅଭାବ ଅଛି ତାର ଉଧାର ନେବାର ଯେତିକି ଗରଜ, ଯାହାର ବଳକା ଧନ ଅଛି ତାହାର ଉଧାର ଦେବାର ବି ସେତିକି ଗରଜ।

                    ଗରଜ ତ ଉଭୟଙ୍କର କିନ୍ତୁ ଯାହାର ବଳକା ଅଛି ସେ ଟିକେ ସତାର କରିପାରିବ ,ଯାହାର ନିଅଣ୍ଟ ପଡ଼ିଛି ସେ ତା’ ଅଭାବ ମେଣ୍ଟାଇ ନପାରିଲେ ଭୋକରେ ମରିବ,ନାନା ଅସୁବିଧା ଭୋଗ କରିବ।ଅଭାବଗ୍ରସ୍ତ ଲୋକକୁ ଏପରି ବିପଦରେ ପଡ଼ିବାର ଦେଖି ପୁଞ୍ଜିପତି ଧାର ଦେବାଲାଗି ଗୋଟିଏ ଅନ୍ୟାୟ ଦାବି କରେ। ସେ ଯେବେ ମାଣେ ଦେବ, ସୁଝିଲା ବେଳକୁ ଚାହେଁ ପାଞ୍ଚପା। ଅଭାବଗ୍ରସ୍ତ ଲୋକ ବାଧ୍ୟହୋଇ ପୁଞ୍ଜିପତିର ଏହି ଅନ୍ୟାୟ ସର୍ତ୍ତକୁ ମାନିନିଏ । ମହାଜନ ତା’ର ବଳକା ଧନ(ପୁଞ୍ଜି) ଉଧାର ଦେଇ ଯେଉଁ ଅଧିକା ପାଏ ତାହାର ଉତ୍ପାଦନ ଲାଗି ସେ ମୋଟେ ଖଟି ନାହିଁ, ସେ ତାହାର ଉତ୍ପନ୍ନ ନୁହେଁ , ସେ ଅଧିକା ପା’ଆକ ଖାତକର ମିହନ୍ତରୁ ହୋଇଚି ମହାଜନ ତା’ର ପୁଞ୍ଜି ବଳରେ ଆଉଜଣଙ୍କର ମିହନ୍ତରୁ ଭାଗ ନେଲା ତାକୁ ଶୋଷଣ କଲା।ଏହିପରି, ମହାଜନର ଯେତେବେଳେ ପୁଞ୍ଜି ଏତେବେଶି ହୋଇଯାଏ ଯେ, ଅଭାବଗ୍ରସ୍ତ ଲୋକମାନଙ୍କଠାରୁ ସୁଧ ଆଦାୟ କରି ସେ ତା’ର ସମସ୍ତ ଖର୍ଚ୍ଚ ନିର୍ବାହ କରିପାରିବ, ତା’ର ନିଜର ମିହନ୍ତ କରିବା ଦରକାର ପଡ଼େ ନାହିଁ। ସେ କେବଳ ଲୁଟିକୁ ତା’ର ଜୀବିକା କରେ। ତାକୁ ମୋଟେ ଖଟିବାକୁ ହୁଏ ନାହିଁ। ଖାତକମାନେ ଅନ୍ୟ କିସମର ଲୋକ…ସେମାନେ ଖଟିଲେ ତାଙ୍କ ପେଟ ପୋଷିବେ,ଏହିପରି ସମାଜ ଭିତରେ ଦୁଇଟି ଶ୍ରେଣୀ ଗଢ଼ାହୁଏ…ଖଟିଖିଆ ଓ ଲୁଟିଖିଆ। ଦଳେ ମିହନ୍ତ କରନ୍ତି ଆଉ ଅଳ୍ପ କେତେଜଣ ଅଳସୁଆ ହୋଇ ବସିରହନ୍ତି ତାଙ୍କ ପୁଞ୍ଜି ଉପରେ ନିର୍ଭର କରେ । ସେହିପରି ବଳକା ଧନକୁ ଖଟେଇ ଜଣେ କଳ କାରଖାନା ବସାଏ ,ଅଭାବଗ୍ରସ୍ତ ଲୋକ ସେଠି ଖଟେ, କଳରେ ଯାହା ଆମଦାନି ହୁଏ, କଳମାଲିକ ସେ ସମସ୍ତ ଶ୍ରମିକମାନଙ୍କୁ ନ ଦେଇ ଖାଲି ମୁଠେ ଖାଇ ଜୀବନ ଧରି ରହିଲାଭଳି ଭତ୍ତା ଦେଇ ବାକିତକ ନିଜେ ତୋଷାରପ କରେ। ଫଳରେ କଳମାଲିକ ତା’ର ପୁଞ୍ଜି ବଳରେ ବିନା ମିହନ୍ତରେ ଧନୀ ହୁଏ, ଅଥଚ ଯେଉଁମାନେ ଖଟି ଖଟି ଜିନିଷ ଉତ୍ପନ୍ନ କରନ୍ତି ସେମାନେ ଦରିଦ୍ର ହୋଇ ରହନ୍ତି। ପୁଞ୍ଜିରୁ ପୁଞ୍ଜି ବଢ଼ିଚାଲେ,ଟଙ୍କାରୁ ଟଙ୍କା ଜନ୍ମେ ଆଉ ମଣିଷର ମିହନ୍ତ ଯହିଁରୁ ସବୁ ସୁଖ ସମ୍ଭୋଗ  ଗଢ଼ିଉଠେ, ସେହି ପୁଞ୍ଜି ପାଖରେ ବନ୍ଧାପଡ଼େ।

           ବଳକା ଧନକୁ ଆମ ହାତରେ ଛାଡ଼ିଦେଲାରୁ ପୁଞ୍ଜିର ଏହି ଅନ୍ୟାୟ ବ୍ୟବହାର ହେଉଛି, କେତେଘର ଉଚ୍ଛନ୍ନ ହେଉଛନ୍ତି,ସମାଜର ଅଧିକାଂଶ ଲୋକ ଦରିଦ୍ର କାହାର ଖାଇବାକୁ ନାହିଁ ,କାହାର ରହିବାକୁ ନାହିଁ… ସାରା ସମାଜରେ ଗୋଟାଏ ବିଷ ଲହରୀ ଖେଳିଯାଉଛି। ଆମ ତମ ହାତରେ ବଳକା ଧନ ଛାଡ଼ିଦେବା ନୀତି ପୁଞ୍ଜିବାଦ ବୋଲାଯାଏ।

              ପୁଞ୍ଜିବାଦ, ଏହାର ମୂଳଦୁଆ ହେଲା ବ୍ୟକ୍ତିଗତ ସମ୍ପତ୍ତି(Private Property)ଯେ ଯାହାର ସମ୍ପତ୍ତି ଯାହାର, ଯେ ଯାହାର ପୁଞ୍ଜି ଯାହାର… ଅନ୍ୟ ଯେକି ସେ ସମ୍ପତ୍ତିରେ କେହି ହସ୍ତକ୍ଷେପ କରିପାରିବେ ନାହିଁ। ଏହି ନୀତିର ସୁଯୋଗ ନେଇ ପୁଞ୍ଜିବାଦ ବଞ୍ଚିରହିଛି ,କଳର ମାଲିକ ଗାଦିଗାଦି ଲୁଗା ଜମା କରିଥିଲେ ବି ତା’ରି କଳର ମୂଲିଆ ଛିଣ୍ଡା ଲୁଗା ପିନ୍ଧେ। ଗାଦିରୁ ଲୁଗା ଖଣ୍ତେ ଆଣିବାର ଅଧିକାର ତା’ର ନାହିଁ। ପୁଞ୍ଜିପତି ଅନ୍ୟ କାହାରି ସହିତ ସମ୍ବନ୍ଧ ନାହିଁ , ସେ କାହାରି ସୁଖ ଦୁଃଖରେ ଭାଗୀ ନୁହେଁ,ତା’ର ସମ୍ବନ୍ଧ କେବଳ ତା’ର ପୁଞ୍ଜି ସହିତ।  ବ୍ୟକ୍ତିଗତ ସମ୍ପତ୍ତି (Private Property)ଓ ନିଜସ୍ବ ସମ୍ପତ୍ତି (Personal Property)ଦୁଇଟି ଅଲଗା ଜିନିଷ। ମୋର କଲମ,ଜାମା,ଧାନ ସେଗୁଡ଼ିକର ବ୍ୟବହାର ଲାଗି ମୁଁ ତାକୁ ମୋର କରି ଅଲଗା ରଖେ। ଏସବୁ ହେଲା ମୋର ନିଜସ୍ବ କିନ୍ତୁ ଉତ୍ପାଦନର ଆଶ୍ରା…ଗାଇ,ଜମି,ଯନ୍ତ୍ରପାତି,କଳ ଏଗୁଡ଼ିକ କେହି ଯେବେ ତା’ର କରି ରଖିଲା ସେଗୁଡ଼ିକ ହେଲା ତା’ର ବ୍ୟକ୍ତିଗତ ସମ୍ପତ୍ତି।ଏହି ଉତ୍ପାଦନର ଆଶ୍ରା ଉପରେ ମାଲିକ ଯେ ହୁଏ ସେ ଅନ୍ୟ ମାନଙ୍କୁ ଉତ୍ପାଦନ କରାଇବାରେ ବାଧା ଦେବାର ସୁବିଧା ପାଏ ,ତେଣୁ ଉତ୍ପାଦନରୁ ସେ ଚାହେଁ ଭାଗ। ଧାନ,ଲୁଗା,ତେଲ ଯାହା ଆମଦାନି ହେଲା ଉତ୍ପାଦନର ଆଶ୍ରା ତା’ର ହୋଇଥିବାରୁ ସେଗୁଡ଼ିକ ମଧ୍ୟ ନିଜର ବୋଲି ସେ ଦାବି କରେ। ଏହି ଉପାୟରେ ସେ ଅନ୍ୟର ପରିଶ୍ରମରୁ ମୁନାଫା ଉଠାଏ…ଅନ୍ୟମାନଙ୍କୁ ଶୋଷଣ କରେ ।

               ଆଦିମ ଯୁଗରେ କିନ୍ତୁ ବ୍ୟକ୍ତିଗତ ସମ୍ପତ୍ତି ବୋଲି କିଛି ନଥିଲା ଯାହା କିଛି ସମ୍ପତ୍ତି ରୋଜଗାର ହୁଏ,ତାହା ଦଳର ସମସ୍ତଙ୍କର-ଜାତିର । କିଛିକାଳ ପରେ ବ୍ୟକ୍ତିଗତ ସମ୍ପତ୍ତିର ଜନ୍ମ;ଏ ମୋର ଜମି, ସେ ତାର ଜମି ଏ ଧରଣର ସୃଷ୍ଟି। ଖଣ୍ଡେ ଜମିରେ କିଛି ଫସଲ ନ ହେଲେ, ତାର ମାଲିକ ଯିଏ ସେ ସେଥିଲାଗି ଭୋଗିବ; ଅନ୍ୟ କାହାରି କିଛି ସେ ବିଷୟରେ କରିବାର ନାହିଁ। ଏହାଦ୍ବାରା ପ୍ରତ୍ୟେକ ଲୋକ ଦଳର ଅନ୍ୟମାନଙ୍କ ପ୍ରତି ତାର ଦାୟିତ୍ବ ତୁଟାଇଦେଲା। ପ୍ରତ୍ୟେକ ନିଜ ନିଜର ସ୍ବାର୍ଥରେ ଲାଗି ରହିଲେ। ସମସ୍ତଙ୍କୁ ନିଜ ନିଜର ସୁବିଧା କରିବାକୁ ଛାଡ଼ି ଦିଆଗଲା। ଏପରି କରିବାରେ ପ୍ରତ୍ୟେକ ଲୋକଙ୍କୁ ଦଳପତି ଦାୟିତ୍ବରୁ ମୁକ୍ତି ମିଳିଲା ସତ; ହେଲେ ଏହି ସ୍ବାଧୀନତା ଫଳରେ ଦଳର ସମସ୍ତେ କେତେକ ବିଷୟରେ ହଇରାଣ ହେଲେ। ରାୟ, ବନ୍ଦର,ଇସ୍କୁଲ…ଏଗୁଡ଼ିକ କେହି ଏକା କରିପାରିଲେ ନାହିଁ। ଫଳରେ କେତେଗୁଡ଼ିଏ ବିଷୟ ଇଜିମାଇଲ ହୋଇରହିଲା, ସେଗୁଡ଼ିକ ହେଲା ସର୍ବସାଧାରଣଙ୍କର…ଜାତୀୟ ସମ୍ପତ୍ତି। ରାସ୍ତା ସମସ୍ତଙ୍କର, ପ୍ରତ୍ୟେକ ଲୋକ ତାକୁ ବ୍ୟବହାର କରିପାରିବେ। ସ୍କୁଲରେ ଯେ କୌଣସି ପିଲା ପାଠ ପଢ଼ିପାରିବ।                          
                ଶିଳ୍ପବିପ୍ଳବ ପରେ ପୁଞ୍ଜିପତିମାନଙ୍କ ହାତକୁ ଜାତିର ସମୁଦାୟ ସମ୍ପତ୍ତି ଚାଲିଆସିଲା। ଅନେକଗୁଡ଼ିଏ ଲୋକ ଯାହା ଛୋଟ ଛୋଟ ତନ୍ତର ମାଲିକ ଥିଲେ, ତା ବଦଳରେ ଜଣେ ଲୁଗାକଳ ମାଲିକ ଦଶହଜାର ତନ୍ତର ମାଲିକ ହେଲା। ପ୍ରତ୍ୟେକ ଲୋକର ଚାରି ଛ’ମାଣ ଯାହା ଜମି ଥିଲା,ତା ଲୋପ ପାଇ ଜଣେ ପୁଞ୍ଜିପତି ହାତରେ ତିନିଶହ ବାଟି ଜମି ଠୁଳ ହେଲା। ଦେଶର ସର୍ବସାଧାରଣଙ୍କ ହାତରେ ଆଉ କୌଣସି ସମ୍ପତ୍ତି ରହିଲା ନାହିଁ…ଚାଷୀ ତାର ହଳ ବଳଦ ବିକିଛି, ସେ ଏବେ ମୂଲିଆ; ତନ୍ତୀ ତାର ତନ୍ତ, ଘରଦ୍ବାର ବିକି କଳରେ କୂଲିଗିରି କରୁଛି; ବଢ଼େଇ ତାର କରତ ମୁଗୁର ନିହାଣ ଥୋଇଦେଇ କାଠ କାରଖାନାରେ ମୂଲ ଲାଗୁଛି। ପୁଞ୍ଜିବଳରେ ଦେଶର ପ୍ରତ୍ୟେକଙ୍କର ବ୍ୟକ୍ତିଗତ ସମ୍ପତ୍ତି ପୁଞ୍ଜିପତି ଟାଣି ନେଇଛି ଓ ନେଉଛି- ନିଜ ହାତକୁ।ଧନ କେନ୍ଦ୍ରୀଭୂତ ହେଉଛି। ଚାଷୀ, ତନ୍ତୀ, ବଢ଼େଇ ସମସ୍ତେ ଏବେ ସବୁ ହରେଇ ଫୁଙ୍ଗୁଳା ହୋଇ ନିଜର ଦେହକୁ ବିକି ବୁଲୁଛନ୍ତି। ପୁଞ୍ଜିପତି ହାତକୁ ଯାହା ଆସୁଛି, ସେ ତାର ସମ୍ପତ୍ତି, ସେଥିରୁ ସେକାହାକୁ ଭାଗ ନେବାକୁ ନାରାଜ। ଦେଶରେ ଦୁର୍ଭିକ୍ଷ ପଡ଼ିଲେ ବି ସେ ତାର ଅମରକୁ ଚାବି ପକାଇ ରଖେ। ଫଳରେ ଦେରେ ଆଜି ଦାରିଦ୍ର୍ର୍ୟ। ଦେଶର ଧନ ଅଳ୍ପ କେତେଜଣଙ୍କ ହାତମୁଠାରେ ରହିଛି, ଅନ୍ୟମାନଙ୍କ ପରେ ତେଣୁ ଖାଲି। ସାମ୍ୟବାଦ ଓ କମ୍ୟୁନିଜିମ୍‌ ଦେଶର ଧନ ଦେଶର ଲୋକଙ୍କ ଭିତରେ ବାଣ୍ଟିବାର ଯେଉଁ ବ୍ୟବସ୍ଥାମାନ କରନ୍ତି, ବ୍ୟକ୍ତିଗତ ସମ୍ପତ୍ତି ଥିବାଯାଏଁ , ସେ ସବୁ ବ୍ୟବସ୍ଥା କାମରେ ପରିଣତ କରାଯାଇପାରିବ ନାହିଁ। ଯେଝା ସମ୍ପତ୍ତି ଯାହାର କରି ରଖିଲେ ବଣ୍ଟାଯିବ କଣ? ବାଣ୍ଟିବା ଆଗରୁ ବ୍ୟକ୍ତିଗତ ସମ୍ପତ୍ତି କୋଠ ସମ୍ପତ୍ତି ହେବା ଦରକାର। ବ୍ୟକ୍ତିଗତ ସମ୍ପତ୍ତି ଲୋପ ନ ହେଲେ ଦେଶର ଜନସାଧାରଣ ଆଜିଭଳି ଚିରକାଳ ଅଭାବରେ ରହିଥିବେ। ଏବେ ତୁମେ ବୁଝିପାରିବ ଜମିଦାରଠାରୁ ତାର ବ୍ୟକ୍ତିଗତ ସମ୍ପତ୍ତି ଜମି କାଢ଼ିନେଲେ, କଳ ମାଲିକଠୁ ତାରକଳ କାଢ଼ିନେଲେ, ଏପରିକି ବ୍ୟାଙ୍କରେ ଜମା ଥିବା ସେମାନଙ୍କର ପୁଞ୍ଜିକୁ ନେଇଗଲେ,ଦେଶରେ ଜନସାଧାରଣ ପୁଣି ସେମାନଙ୍କୁ କ୍ଷତିପୂରଣ ଦେଇ ପାରୁଛି କି ନାହିଁ।

            ଆମ ଭାରତର ଜାତୀୟବାଦୀ ନେତାମାନେ ଜାତିକୁ ସୁଖସ୍ବାଚ୍ଛନ୍ଦ୍ବରେ ରଖିବେ ବୋଲି ତ୍ରିସନ୍ଧ୍ୟାରେ ବଡ଼ ପାଟିରେ ପ୍ରତିଜ୍ଞା କଲେ ବି ଭାରତ ଶାସନ ଖସଡ଼ାରେ ଆଇନ ବାନ୍ଧିଛନ୍ତି ଯେ କାହାରି ବ୍ୟକ୍ତିଗତ ସମ୍ପତ୍ତି ସରକାରୀ ହେଲେ, ସରକାର (ଅର୍ଥାତ୍‌ ଜନସାଧାରଣ) ସେଥିଲାଗି ଉପଯୁକ୍ତ କ୍ଷତିପୂରଣ ଦେବେ। ଅବଶ୍ୟ, ଆମର ସେ ବିଷୟରେ କହିବାର କିଛି ନାହିଁ କି ଥାଇନପାରେ। କାରଣ ପଣ୍ଡିତ ଜବାହାରଲାଲ ନେହରୁ ଆମର ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ଜାତୀୟ ସରକାର ଏବଂ ସେ ଯାହା କରନ୍ତି, ସବୁ ଜାତିର ମଙ୍ଗଳ ପାଇଁ। ବ୍ୟକ୍ତିଗତ ସମ୍ପତ୍ତି ଉପରେ ଏଭଳି ଆଇନ କରିବା ସତ୍ତ୍ବେ ଜାତୀୟ ସରକାର ଲୋକମାନଙ୍କୁ ସାପ୍ତାହିକ ଆଶା ଭରସା ଦେଉଛନ୍ତି ଯେ ଲୋକେ ପ୍ରଚୁର ଧନ ପାଇବେ। ପୁଞ୍ଜିପତି ମାନଙ୍କ ହାତରେ ଥିବା ଦେଶର ଅଧିକାଂଶ ସମ୍ପତ୍ତିକୁ ତାଙ୍କ ପାଖରେ ରଖିବା ଲାଗି କଡ଼ା କଡ଼ା ଆଇନ ବ୍ୟବସ୍ଥା କଲା ପରେ ଅନ୍ୟମାନଙ୍କ ପାଖରେ ରହିଲା କଣ? ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଅଛି କେବଳ ବହୁପରିମାଣ ବାୟୁ…ଜାତୀୟ ବାୟୁ। ବ୍ୟକ୍ତିଗତ ସମ୍ପତ୍ତିକୁ ଲୋପ ନକରି ଲୋକଙ୍କ ହାତକୁ ପ୍ରଚୁର ଧନ ଦେବା କୌଣସି ମନୁଷ୍ୟ ପକ୍ଷରେ ସମ୍ଭବ ନୁହେଁ, ଭଗବାନ କେବଳ ପାରନ୍ତି। ଲୋକମାନେ ଭଗବାନଙ୍କ ଉପରେ ବିଶ୍ବାସ ରଖନ୍ତୁ , ନୀତି ଭଗବତ୍‌ ପ୍ରାର୍ଥନା କରନ୍ତୁ। ସେମାନଙ୍କର ଅଶା ପୂର୍ଣ୍ଣ ହେଉ।

 

 




+ -

© Jataayu Charitable Trust
Site designed,developed & maintained by Tekons