ରାଜନୀତି ଆଉ ଆମେ




କମ୍ୟୁନିଜିମ୍‌

 

                ଦୁନିଆର ଲୋକେ ବହୁତ ଆଗରୁ କମ୍ୟୁନିଷ୍ଟ ହୋଇ ସାରନ୍ତେଣି। ଏଥିରେ ପୁଞ୍ଜିପତିମାନେ ଯେତେ ବାଧା ଦେଉନାହାନ୍ତି, ଦେଉଛନ୍ତି କମ୍ୟୁନିଷ୍ଟ ନେତାମାନେ। ଏହି ନେତାମାନେ କମ୍ୟୁନିଜିମ୍‌ ଗ୍ରନ୍ଥ ସବୁ ପଢ଼ିଲା ପରେ ଏଡ଼େ ବିଭୋର ହୋଇଯାଆନ୍ତି ଯେ କେତେଗୁଡ଼ାଏ ବଡ଼ ବଡ଼ ଶବ୍ଦ କହି (ବିପ୍ଳବ, ସର୍ବହରା, ବୁର୍ଜୁୟା, ଶ୍ରେଣୀ ସଂଘର୍ଷ…ଆହୁରି ଅନେକ) ଲୋକଙ୍କୁ ଆହୁରି ଛାନିଆ କରେଇ ଦିଅନ୍ତି। ପ୍ରକୃତ କଥା ହେଉଛି, ଆମେ ବର୍ତ୍ତମାନ ବି ଅଧାଅଧି କମ୍ୟୁନିଷ୍ଟ। ନୀତି ଆମ ଘରେ ଖାଇବା ପିନ୍ଧିବାରେ ବି ଆମେ କମ୍ୟୁନିଜିମ୍‌ ନୀତି ଅନୁସାରେ କାମ କରୁଥାଉଁ।

               କମ୍ୟୁନିଜିମ୍‌ ନୂଆ କଥା ନୁହେଁ। ମଣିଷ ଏ ପୃଥିବୀରେ ପାଦ ପକେଇଲା ଦିନୁଁ ସେହି ନୀତିରେ ଚଳି ଆସିଛି। ଧନ ବାଣ୍ଟିବା କଥା; ସାମ୍ୟବାଦ କହେ ସମସ୍ତଙ୍କୁ ସମାନ କରି ବାଣ୍ଟ,କମ୍ୟୁନିଜିମ୍‌ କହେ, ଯାହାର ଯେତେ ଦରକାର, ସେ ତା ନେଉ। ଜିନିଷ କମେଇବା କଥାରେ ସାମ୍ୟବାଦ କହେ ପ୍ରତ୍ୟେକ ଲୋକଠାରୁ ତାର ଦକ୍ଷତା ଅନୁସାରେ କାମ ଆଦାୟ କରାଯିବ; କମ୍ୟୁନିଜିମ୍‌ କହେ ଯେ ଯେତେ ପାରୁଛି ସେ ତା କରୁ। ଆମେ କମ୍ୟୁନିଜିମ୍‌ ନ ଜାଣିଥିଲେ ବି ଠିକ୍‌ ସେହି ନୀତିରେ ଆମ ଘରଟି ଚଳଉଁ। ଘରେ ପିଲା ଅଛନ୍ତି, ଭେଣ୍ଡା ଅଛନ୍ତି, ବୁଢ଼ାବୁଢ଼ୀ ଅଛନ୍ତି। ପିଲା କିଛି କାମ କରିପାରେ ନାହିଁ; ବୁଢ଼ାବୁଢ଼ୀମାନଙ୍କର କିଛି ରୋଜଗାର କରିବାର କ୍ଷମତା ନାହିଁ। ସେମାନେ ଘର ଚଳେଇବାକୁ କାଣି କଉଡ଼ି ନ ଦେଲେ ଦ ଖରଚ ବେଳକୁ ପିଲାଟିର ଯାହା ଦରକାର,ତା ଦିଆଯାଏ। ବୁଢ଼ାବୁଢ଼ୀ କିଛି କାମ ନ କଲେ ବି ସେମାନଙ୍କୁ ଭେଣ୍ଡାମାନେ ନିଜ ଅର୍ଜିଲା ଧନରୁ ଖୋଇପେଇ ରଖନ୍ତି। ଏଇଠି ଆମେ କମ୍ୟୁନିଷ୍ଟ ହୋଇଚେଁ। କେବଳ ଆମ ଘର ଭିତରେ ନୀତିଟା ଚାଲୁ ନ ରଖି ଯେବେ ସାରା ଦେଶକୁ ଏ ନୀତିରେ ଚଳାଯାଏ, ସେ ଦେଶ କମ୍ୟୁନିଷ୍ଟ ପାଲଟିଗଲା। ଯାହାର ଯାହା ଶକ୍ତି ପାରୁଛି ସେ ସେତେ କାମ କରିବ ଆଉ ଯାହାର ଯାହା ଦରକାର ସେ ତା ଖର୍ଚ୍ଚ କରିବ। ଚାରି ଭାଇରେ ଘର କରି କାହା ଝିଅ ବାହା ହେବ, କାହା ପୁଅ ପାଠ ପଢ଼ିବ, କାହାର ନାତି ଲାଗି ଦୁଧ ଲାଗୁଆ ହବ ଆଦି ଖରଚ ଇଜମାଇଲି ପାଣ୍ଠିରୁ ଆମେ ଖରଚ କରିଥାଉଁ। ରାଜ୍ୟଟା ଅବିକଳ ଗୋଟିଏ ଘର ଭଳ… ଖାଲି ସେଠି କୋଡ଼ିଏ ଲକ୍ଷ ଭାଇ, ପାଞ୍ଚ ଲକ୍ଷ ପିଲା, ଦଶଲକ୍ଷ ବୁଢ଼ା। ଦେଶ କମ୍ୟୁନିଷ୍ଟ ହୋଇଗଲେ , ପିଲାଙ୍କର ପାଠ ପଢ଼ାଠୁ ବୁଢ଼ାବୁଢ଼ୀଙ୍କ ତତ୍ତ୍ବ ସବୁ ଦେଶର ଇଜ୍‌ମାଇଲି ପାଣ୍ଠିରୁ ଚାଲିବ।

       ଏବେ ବି… ଏହି ପୁଞ୍ଜିପତି ସମାଜରେ ବି… କମ୍ୟୁନିଷ୍ଟ ନୀତିରେ ରାଜ୍ୟର କେତୋଟି ବିଷୟ ଚାଲିଛି। ରାସ୍ତା ପଡ଼ୁଛି, ସେଥିପାଇଁ ଧନଠୁ ବେଶି ବିଜୟ ନିଆଯାଇଛି, ବିଚରା ଭିକାରୀଠୁ କିଛି ନିଆଯାଇପାରିବନାହିଁ। ହେଲେ ଭିକାରୀ ସେ ରାସ୍ତାରେ ସବୁଠୁ ବେଶି ଚାଲୁଛି। ସେହିପରି ପାଣିକଳ…ବତୀଖୁଣ୍ଟ …ସରାକାରୀ ଡାକ୍ତରଖାନା ଆଦି କମ୍ୟୁନିଷ୍ଟ ନୀତି ଉପରେ ଚାଲିଛି। ଯାହାର ଯେତେ ଦରକାର ସେ ତହିଁରୁ ସେତେ ବ୍ୟବହାର କରୁଛି, ଯାହାର ଶକ୍ତି ଯେତେ ସେହି ଅନୁପାତରେ ତାଠାରୁ ଏସବୁ କାମ ପାଇଁ ଟିକସ ଆଦାୟ କରାଯାଉଛି। ଦେଶଲୋକଙ୍କର ବାକି ବିଷୟଗୁଡ଼ିକ…ପିଲାଙ୍କ ପାଠପଢ଼ା, ସମସ୍ତଙ୍କର ରହିବା, ଖାଇବା ଆଦି ଏହିପରି ଯେଉଁଦିନ ଇଜମାଇଲି ବିଷୟ ହୋଇଯିବ, ସେ ଦିନ ଦେଶ ହୋଇଯିବ କମ୍ୟୁନିଷ୍ଟ।

         ସାମ୍ୟବାଦ ନୀତିରେ ସମସ୍ତଙ୍କୁ ସମାନ କରି ବାଣ୍ଟିଲେ ଯେଉଁସବୁ ଅସୁବିଧା ଉପୁଜେ, କମ୍ୟୁନିଜିମ୍‌ ସେ ସବୁ ଦୂର କରେ। ଗୋଟିଏ କଥା, ପିଲାଟିକୁ ଯେବେ ଭେଣ୍ଡା ସାଙ୍ଗରେ ସମାନ କରି ଦିଆଯାଏ, ପିଲାଟି ଥାଳିରେ ଗଣ୍ଡିଏ ବଳିବ, ଭେଣ୍ଡା ପେଟରୁ ଗଣ୍ଡିଏ ଊଣା ହବ। କାହାର କଣ ଦରକାର…ଏକଥା ଦେଖି ବାଣ୍ଟିଲେ,ସମସ୍ତଙ୍କ ପେଟ ପୂରିବ। ସମସ୍ତଙ୍କର ସବୁ କଥାରେ ଲୋଡ଼ା ନଥାଏ। ଯାହାର କାବ୍ୟ କବିତା ଆଡ଼େ ମନ, ତାର ଦରକାର ବହି…ସୁନ୍ଦର ବଗିଚାଟିଏ…ନାନା ଦେଶ ବୁଲିବା। ଯାହାର କୁସ୍ତି-କସରତ ଆଡ଼େ ମନ, ତାର ଦରକାର ଖେଳପଡ଼ିଆ, ଗଦା ମୁଦ୍‌ଗର। ଯିଏ ଅନ୍ୟ ଦେଶରେ ଦୂତ ହୋଇ ରହିବ, ତାର ହାତରେ ବେଶି ଧନ ଦରକାର;ତା ନ ହେଲେ ସେ ଦରକାର ବେଳେ ଚା’ ଭୋଜିର ବ୍ୟବସ୍ଥା କରିପାରିବ ନାହିଁ,ତାର କାମରେ ଖାଇବା ହେବ। ପ୍ରତ୍ୟେକ ଲୋକର ଆୟ ସମାନ କରି ଦେଲେ କେତେକ କ୍ଷେତ୍ରରେ ଅସୁବିଧା ହେବ ନିଶ୍ଚୟ’ ଯାହାର ଯାହା ଦରକାର ଯୋଗାଇ ଦେବାରେ ସରକାର ପ୍ରକୃତରେ ସମସ୍ତଙ୍କ ସ୍ବାର୍ଥପୂରଣ କଲେ। କବି ବହିଟିଏ ଲେଖିଲେ ଦେଶର ସମସ୍ତଙ୍କର ଉପକାରରେ ଆସିବ। ଡାକ୍ତର ନୂଆ ଔଷଧଟିଏ ବାହାର କରିପାରିଲେ ରାଜ୍ୟଯାକ ତାର ଉପକାର ପାଇବେ। ସାମ୍ୟବାଦ ଭଳି କମ୍ୟୁନିଜିମ୍‌ରେ ବି ଶୋଷଣବାଦର ସ୍ଥାନ ନାହିଁ ବା କେହି ବ୍ୟକ୍ତିଗତ ସଂପତ୍ତି କରି କିଛି ରଖିପାରିବେ ନାହିଁ। କେହି ଲୁଟିଖିଆ ହେଲେ ସାଙ୍ଗେ ସାଙ୍ଗେ ତାକୁ ଗାରଦ ଭିତରେ ଭର୍ତ୍ତି କରାଯିବାର କଡ଼ା ଆଇନ। କେବଳ ଖଟିଖିଆଙ୍କୁ ନେଇ ସମାଜ ଗଢ଼ା ହୁଏ-ଶ୍ରେଣୀହୀନ ସମାଜ।

          କମ୍ୟୁନିଷ୍ଟ ନୀତିରେ ଧନ ବାଣ୍ଟିବା ପୂର୍ବରୁ ଦେଶରେ ପ୍ରତ୍ୟେକ ଲୋକର ଅଭାବ ମେଣ୍ଟାଇଲା ଭଳି ଉତ୍ପାଦନ ହେବା ଦରକାର। ଯେ ପର୍ଯ୍ୟନ୍ତ ସେ ପରିମାଣରେ ପୂରା ଆମଦାନି ହୋଇନାହିଁ, ସେଯାଏ ସମସ୍ତଙ୍କ ଦରକାର ପୂରା ପରିମାଣରେ ମେଣ୍ଟାଯାଇପାରିବ ନାହିଁ।

           କମ୍ୟୁନିଷ୍ଟ ରାଷ୍ଟ୍ରର ପ୍ରାଥମିକ ଅବସ୍ଥାରେ ସାମ୍ୟବାଦ ନୀତିରେ ସମସ୍ତଙ୍କୁ ସମାନ କରି ବାଣ୍ଟିବାକୁ ପଡ଼ିବ;ପରେ ଉତ୍ପାଦନ ଯଥେଷ୍ଟ ହୋଇଗଲେ ଆବଶ୍ୟକ ଅନୁଯାୟୀ ଯାହାର ଯେତେ ଲୋଡ଼ା ନୀତିରେ ବଣ୍ଟନ ହେବ। ପାଞ୍ଚଜଣ ଲୋକଙ୍କୁ ଦଶଟି ମୁଆଁ ବାଣ୍ଟିଲା ବେଳେ ଆମେ ପ୍ରତ୍ୟେକକୁ ଦୁଇ ଦୁଇଟି ଧରେଇ ଦେଉଁ, ପାଛିଆଏ ମୁଆଁ ଥିଲେ କାହାକୁ ଦୁଇଟା, କାହାକୁ ଛଟା କାହାକୁ ଦଶଟା…ଯାହାର ଯାହା ଲୋଡ଼ା, ଯେପରି ଦିଆଯାଏ-କଥାଟା ଅବିକଳ୍ପ ସେହିପରି । କମ୍ୟୁନିଜିମ୍‌ ଯେଉଁ ବ୍ୟବସ୍ଥା କଳ୍ପନା କରେ, ସେଥିରେ ତେଣୁ ଦୁଇଟି ପାହାଚ:ପ୍ରାଥମିକ କମ୍ୟୁନିଜିମ୍‌ ବା ସାମ୍ୟବାଦ(Lower Communism of Socialism )ତତ୍ପରେ ଉନ୍ନତ କମ୍ୟୁନିଜିମ୍‌ (Higher Communism) ପ୍ରାଥମିକ କମ୍ୟୁନିଜିମ୍‌ ବା ସାମ୍ୟବାଦର ପ୍ରତିଷ୍ଠା ଉପରେ ସମାଜର ଉତ୍ପାଦନ ଶକ୍ତି ଅଦ୍ଭୁତ ପ୍ରକାରେ ବୁଦ୍ଧିପ୍ରାପ୍ତ ହୁଏ-ହେବା ସ୍ବାଭାବିକ।

           ଆମରି ଆଖି ଆଗର କଥା, ନିଆଣ୍ଟିଆ ଦେଶ ରୁଷରେ ସେମାନେ ବର୍ଷ ପନ୍ଦରଟା ମଧ୍ୟରେ ଏତେ ବେଶି ଉତ୍ପାଦନ କରିପାରିଥିଲେ ଯେ ଗଲା ଯୁଦ୍ଧର ଠିକ୍‌ ଆଗରୁ ଉନ୍ନତ କମ୍ୟୁନିଜମ୍‌ ନୀତିରେ ଧନ ବାଣ୍ଟିବାର ବ୍ୟବସ୍ଥା ଲାଗି ଆୟୋଜନ ସେମାନେ କରିସାରିଥିଲେ।

            ଯେଉଁ ସରକାରୀ ବ୍ୟବସ୍ଥା କମ୍ୟୁନିଜମ୍‌ ନୀତି ଉପରେ ସମାଜରୁ ଛିଡ଼ା କରି ଶାସନ ଚଳାଏ, ତା ଏ ପୁଞ୍ଜିବାଦ ସରକାରଠୁ ଅନେକ ଅଂଶରେ ଭିନ୍ନ; ନ ହେଲେ କମ୍ୟୁନିଜମ୍‌ ତିଷ୍ଠି ପାରିବ ନାହିଁ। ଅବଶ୍ୟ ଗଣତନ୍ତ୍ର ଉପରେ, ଲୋକମତ ଉପରେ ସରକାର ଛିଡ଼ା ହେବ। କିନ୍ତୁ ପୁଞ୍ଜିବାଦୀ ଗଣତନ୍ତ୍ରରେ ଲୁଟିଖିଆମାନେ ତାଙ୍କ ମତ ପ୍ରକାର କରିବାକୁ, ଲୁଟି ଉପରେ ସମାଜକୁ ଗଢ଼ିବାକୁ ଯେଉଁ ସ୍ବାଧୀନତା ପାଆନ୍ତି, ସେ ସ୍ବାଧୀନତା ସେଠି ସେମାନଙ୍କୁ ଦିଆଯାଏ ନାହିଁ। ସେଥିଲାଗି ଦୁନିଆର ଯେତେ ପୁଞ୍ଜିବାଦୀ ସରକାର, ସମସ୍ତେ ଏକସ୍ବରରେ ପାଟି କରନ୍ତି, ‘କମ୍ୟୁନିଜମ୍‌ ଗଣତନ୍ତ୍ରକୁ ଧ୍ବଂସ କଲା’ । ସାମ୍ୟବାଦ ଓ କମ୍ୟୁନିଜିମ୍‌ ଉଭୟେ ଲୁଟିଖିଆଙ୍କୁ ସମାଜରୁ ମୂଳପୋଛ କରି ଦିଅନ୍ତି…ଲୁଟି କରିବାକୁ, ପୁଞ୍ଜିବାଦକୁ ବେଆଇନ ଘୋଷଣା କରନ୍ତି। ଏହାକୁ ପୁଞ୍ଜିବାଦିମାନେ ବଡ଼ ଭୟ କରନ୍ତି…ଭାବନ୍ତି ଏହା ସ୍ବେଚ୍ଛାଚାରିତା। ପୁଞ୍ଜିବାଦୀଙ୍କୁ କୋରଡ଼ ଯେତେ ବାଧୁନା କାହିଁକି , ଖଟିଖିଆମାନେ ଗଣତନ୍ତ୍ର ନୀତିରେ ଚାଲନ୍ତି, ତାଙ୍କ ଭିତରେ ଭୋଟ ନିଆଯାଇ ତାଙ୍କ ପ୍ରତିନିଧି ବଛା ଯାଆନ୍ତି, ଶାସନ ବିଧା଼ୟକ ସଭା ଗଢ଼ାଯାଏ, ଲୋକମତ ଉପରେ ତାଙ୍କର ଆଇନ ଗଢ଼ାଯାଏ…ପଞ୍ଚାୟତରାଜ ବା ସୋଭିଏଟ୍‌।

          କମ୍ୟୁନିଷ୍ଟମାନେ ଆଉ ଗୋଟାଏ କଥା କହନ୍ତି ଯେଉଁଥିରେ ନ ଜାଣିଲା ଲୋକ ଘାବୁଡ଼ି ଯିବ…କମ୍ୟୁନିଜିମ୍‌ରେ ସରକାରର ସଭା ଲୋପ ପାଇବ। କମ୍ୟୁନିଷ୍ଟ ନେତାଙ୍କଠୁ ଏ ପଦ ଶୁଣିକରି ଲୋକେ ସିଧାସଳଖ ଭାବନ୍ତି। (ମୁଁ ବି ଦିନେ ଏ କଥା ଭାବିଥିଲି )ଏ ନେତାମାନେ ଗୁଣ୍ଡାରାଜ ଚାହୁଁଛନ୍ତି, ସରକାର ନଥିବ, ୟାଠୁ ତାଠୁ ବାଡ଼େଇ ପିଟି ଯାହାର ବଳ ପାଇଲା ସେ ଖାଇବ। ନେତାଙ୍କର କହିବାର ,ହି ଭୁଲ୍‌ ଟିକକ ପାଇଁ କୋଟି କୋଟି ଲୋକ ଆଜି କମ୍ୟୁନିଷ୍ଟ  ହୋଇପାରିନାହାନ୍ତି। ସରକାରୀ ବ୍ୟବସ୍ଥା ଲୋପ କରିବାକୁ କମ୍ୟୁନିଷ୍ଟମାନେ ଯେତେବେଳେ କହନ୍ତି, ସେମାନେ କେବେହେଲେ ଚାହାନ୍ତି ନାହିଁ ଦେଶ କମ୍ୟୁନିଷ୍ଟ ହେଉ ସରକାରଙ୍କୁ ଭାଙ୍ଗି ଦେଇ ଯେଝା ହାତରେ ଯିଏ ଚଉଦପା’ କରି ଛାଡ଼ି ଦେବାକୁ।

           କିନ୍ତୁ ସରକାର ବୋଇଲେ ଆମେ ବୁଝୁ କଣ?ପୁଲିସ…ଜେଲଖାନା…ସୈନ୍ୟ…ଆଇନ…କଚେରୀ…ହାକିମ…ମଣିଷ ଉପରେ ଜୁଲମ କରିବାର ଗୋଟାଏ କଳ।ଇତିହାସରୁ ଆମେ ଦେଖିଚେଁ, ଏହି କଳକୁ ରଗା ନିଜ ହାତକୁ ନେଇ ପ୍ରଜାଙ୍କୁ ଶୋଷିଲା। ଜମିଦାର ଓ କଳକୁ ମୋଡ଼ି ରଇତକୁ ଯାବତ ହଟହଟା କଲା। ସେହିପରି ଗଣତାନ୍ତ୍ରିକ ସରକାର ହେଲେ କି ବୁର୍ଜୁୟାର ଅତ୍ୟାଚାର ଚାଲିଲା ସର୍ବହରା ଉପରେ। ଏହି ଶୋଷଣ ବିରୁଦ୍ଧରେ ଯେଉଁମାନେ ପ୍ରତିବାଦ କଲେ, ଶାନ୍ତିରକ୍ଷା ନାଁରେ ସରକାର ସେମାନଙ୍କ ଉପରେ ବଳ ପ୍ରୟୋଗ କରି କାହାକୁ ମାରିଦେଲା,କାହାକୁ ବନ୍ଦୀ କରିରଖିଲା, କାହାକୁ ରାଜ୍ୟରୁ ତଡ଼ିଦେଲା। ସାମ୍ୟବାଦ ଉପରେ ସମାଜ ଓ ସରକାର ଗଢ଼ା ହେଲେ ବି ନେତାମାନ ସେଥିରୁ ସୁବିଧା ମାରିପାରନ୍ତି; ଯେଉଁମାନେ ଧନ ବାଣ୍ଟିବେ , ସରକାର ଚଳେଇବ, ସେମାନେ ପୁଣି କିଛି ଗଫଲତି ଭର୍ତ୍ତି କରିପାରନ୍ତି। ସରକାରୀ କଳଟି ଥିଲାରୁ ସିନା ସେ ଚଲାଖ ପଡ଼ୁଛି, ସେ ସରକାର ନାଁରେ ଯାବତ ଅନ୍ୟାୟକୁ ନ୍ୟାୟ ବୋଲି ଅନ୍ୟମାନଙ୍କ ଉପରେ (ଯେଉଁମାନେ କମ୍‌ ଚଲାଖ) ଚାପି ଦେଉଛି। ଏଥିଲାଗି ଥରକୁ ଥର ଏହି ସରକାରୀ କଳକୁ ବଦଳେଇବା ଦରକାର ପଡ଼ୁଛି। ଯେବେ ପୁଲିସ ନଥିବ, ସୈନ୍ୟ ନଥିବ, କଚେରୀ ନଥିବ…ଶୋଷଣ ଚାଲିବା କାହା ସାହାଯ୍ୟରେ?ଅନେକ ଭାବିବେ ପୁଲିସ ଓ କଚେରୀ ଉଠିଗଲେ କେହି କାହାକୁ ମାନିବେ ନାହିଁ, ଚୋରି ଡକାୟତି ବ୍ୟାପିବ। ହେଲେ, ଆମ ଘରେ ଆମେ ଯେ ମାଆକୁ ମାନୁଁ, ତା କଣ ପୁଲିସ ଭୟରେ କି ଆଇନ ଭୟରେ? ନୁହେଁ ତ। ପିଲାଟିକୁ ତୁମେ ଯେ ତା ଖାଇବା ସମୟ ଦେଖି ଖାଇବାକୁ ଦିଅ,ସେଥିଲାଗି ତ କିଛି ଆଇନ ବନ୍ଧା ହୋଇନାହିଁ। ମୁଁ ଯେ ମିଛ କହେନାହିଁ, ତା କଣ ସଦାବେଳେ ଆଇନ ଭୟରେ ? ଆମେ ପଶୁଠୁ ଉଠି ଉଠି ଆସି ଆଜି କେତେ ଉନ୍ନତ ହୋଇଗଲେଣି… ସେହିପରି ଆଉ କିଛି ବର୍ଷ ଶିକ୍ଷା ସଭ୍ୟତାର ପାଣିପବନରେ ବଢ଼ି ଆମର ହୃଦୟ ଆହୁରି ଉନ୍ନତ ହେବ, ଆମର ମନନରୁ ହୀନ କଥାଗୁଡ଼ାକ ପୋଛି ହୋଇଯିବ। ସମାଜ ପ୍ରତି, ଅନ୍ୟମାନଙ୍କ ପ୍ରତି ଆମର କି କର୍ତ୍ତବ୍ୟ ତା ଆମେ ମଣିଷ ସମାଜରେ ବଢ଼ିବା ସଙ୍ଗେ ସଙ୍ଗେ ଜାଣିପାରିବା। ଜୁଲମ କରି ତା ଆଦାୟ କରିବାର କୌଣସି ଦରକାର ନଥିବ। ଅବଶ୍ୟ ଦିନକରେ ଏସବୁ ସମ୍ଭବ ହେବନାହିଁ, ବର୍ଷକରେ ବି ନୁହେଁ, ଏକ ପୁରୁଷରେ ମଧ୍ୟ ନୁହେଁ। କମ୍ୟୁନିଜମ୍‌ ପ୍ରତିଷ୍ଠା ହେଲେ କାଲି ସକାଳୁ ସରକାର ଉଠିଯିବ ନାହିଁ-ଏ ବିଷୟରେ ନିଶ୍ଚିନ୍ତ ଥାଅ। କ୍ରମେ କ୍ରମେ ଏହା ହେବ;ଲୋକ ଯହୁଁ ଯହୁଁ ଉନ୍ନତ ହୋଇଥିବେ, ସରକାରୀ ବ୍ୟବସ୍ଥାକୁ ସେହିପରି କୋହଳ କରିଦିଆଯାଉଥିବ।

              ତେବେ ଦେଶର ଅବସ୍ଥାକୁ ଚାହିଁ ନିମ୍ନଲିଖିତ କେତୋଟି ବ୍ୟବସ୍ଥା କମ୍ୟୁନିଷ୍ଟ ସରକାର ତୁରନ୍ତ କାମରେ ପରିଣତ କରିପାରନ୍ତି।

          ୧.  ସବୁ ଜମି ସରକାରୀ ହୋଇଯିବ, ଯାହା ରାଜସ୍ବ ଆଦାୟ ହେବ ତା ସର୍ବସାଧାରଣ କାର୍ଯ୍ୟରେ ଲାଗିବ।

          ୨.   କ୍ରମଶଃ ଅଧିକରୁ ଅଧିକ ଆୟକର ଆଦାୟ ହେବ।

          ୩.   ସବୁପ୍ରକାର ଉତ୍ତରାଧିକାର ସ୍ବତ୍ତ୍ବ ଲୋପ କରାଯିବ।

          ୪.   ଯେଉଁମାନେ ଦେଶ ଛାଡ଼ି ଚାଲିଯିବେ ବା ଯେଉଁମାନେ ବିଦ୍ରୋହୀ ହେବେ, ସେମାନଙ୍କର ସମ୍ପତ୍ତି ବଜ୍ୟାପ୍ତ ହେବ।

         ୫.   ସମସ୍ତ ପୁଞ୍ଜି ସରକାର ହାତକୁ ଦେଇଦେବାକୁ ହେବ। ଏଥିଲାଗି ସରକାରୀ ଧନରେ ଜାତୀୟ ବ୍ୟାଙ୍କ ଖୋଲିବା ଓ ଅନ୍ୟ ସବୁ ବ୍ୟାଙ୍କକୁ ଉଠେଇ ଦେବା ଦରକାର।

          ୬.    ଯାନବାହାନ, ରେଳପଥ, ଡାକ ଓ ତାର ବିଭାଗ, ବେତାର ବିଭାଗ, ଆଦି ସରକାର ନିଜ ହାତକୁ ନେବେ।

         ୭. ସରକାରୀ କଳକାରଖାନାର ସଂଖ୍ୟା ବଢ଼ାଇବାକୁ ପଡ଼ିବ। ଅଧିକରୁ ଅଧିକ ଉତ୍ପାଦନର ଆଶ୍ରା ସରକାରୀ କରିବାକୁ ପଡ଼ିବ। ପଡ଼ିଆ ଜମିକୁ ଉଠିଆ କରିବା ଓ ଜମିକୁ ଅଧିକ ଶସ୍ୟୋପଯୋଗୀ କରିବା ବ୍ୟବସ୍ଥାମାନେ ଲୋକମାନଙ୍କର ମିଳିତ ଯୋଜନା ଅନୁସାରେ କରାଯିବ।

         ୮.  ସମସ୍ତେ କାମ କରିବେ। ଶିଳ୍ପସେନା (ବିଶେଷତଃ ଚାଷବାସ ପାଇଁ) ଗଠନ କରାଯିବ। ଦେଶର ଆବଶ୍ୟକ ଅନୁଯାୟୀ ଏମାନେ ଉତ୍ପାଦନ ଗଢ଼ାଇବେ।

         ୯.   ଜିନିଷ ରତ୍ପାନି କରିବା ଭଳି ଶିଳ୍ପ (ଯଥା; ଲୁହା, ଲୁଗା, ଜୋତା) ସହିତ ଚାଷକୁ ଏକାଠି ଯୋଡ଼ିବା ଦରକାର। ଏହି ଉପାୟରେ ସହର ଓ ମଫସଲ ଭିତରେ ଯେଉଁ ତଫାତ୍‌ ଅଛି, ତାହା ଦୂର ହେବ। ଶିଳ୍ପକେନ୍ଦ୍ରମାନଙ୍କରୁ ଲୋକଗହଳି ଭାଙ୍ଗିଯାଇ ଲୋକେ ସାରା ଦେଶଯାକ ବିଛୁଡ଼ି ହୋଇ ରହିବେ।

        ୧୦.   ସରକାରୀ ସ୍କୁଲରେ ସବୁ ପିଲାଙ୍କୁ ସରକାରୀ ଖର୍ଚ୍ଚରେ ଶିକ୍ଷା ଦିଆଯିବ। କାରଖାନାମାନଙ୍କରେ ପିଲାମାନଙ୍କୁ ଖଟାଯିବ ନାହିଁ। କଳକାରଖାନାରେ ଯେଉଁମାନେ କାମ କରୁଛନ୍ତି, ସେମାନେ ଯେଉଁ କାମ କରୁଛନ୍ତି, ତାହାରି ସହିତ ଶିକ୍ଷା ଦେବାର ବ୍ୟବସ୍ଥା କରାଯିବ।

                  ଏହା କିପରି କାର୍ଯ୍ୟକାରୀ ହୁଏ ଉଦାହରଣ ଦେଇ ବୁଝାଇ ଦିଏଁ; ମନେକର, ତୁମେ ଜଣେ ଚାଷୀ। ସବୁ ଜମି ସରକାରୀ, ସରକାର ତୁମକୁ ଦଶମାଣ ଜମି ଦେଲା। ତୁମେ ସରକାରଙ୍କୁ ଖଜଣା ଦେବାପରେ ବାକିତକ ଫସଲ ସମୁଦାୟ ନିଜ ଖର୍ଚ୍ଚକୁ ନେଇଯିବ;ଆଉ ଜମିଦାରକୁ ଅଧେ ଦେବାକୁ ପଡ଼ିବ ନାହିଁ। ଅଧିକ ଉତ୍ପାଦନ ଲାଗି ଉନ୍ନତ ଧରଣର ଚାଷ ଦରକାର, କଳଲଙ୍ଗଳ ଲୋଡ଼ା ଏବଂ କଳଲଙ୍ଗଳ ଲାଗି ବିସ୍ତୃତ କ୍ଷେତ ଚାହି। ସେଥିଲାଗି ସୋଭିଏଟ୍‌ରେ ଯୌଥ ଚାଷ (Collective farm)ର ପ୍ରସାର ହୋଇଛି। ଏଥିରେ ସରକାର ଗୋଟିଏ ମୌଜାକୁ କୋଡ଼ିଏ ବାଟୀ ଜମି ଦେଲା ମନେକର। ଗ୍ରାମର ଚାଷୀମାନେ ଏକାଠି ମିଳି ଚାଷ କରନ୍ତି, ସରକାରକୁ ଖଜଣା ଦେଲା ପରେ ବାକିତକ ସେମାନେ ସେମାନଙ୍କ ମଧ୍ୟରେ ଗ୍ରାମର ଚାଷୀ ପଞ୍ଚାୟତ ଜରିଆରେ ବାଣ୍ଟି ନିଅନ୍ତି ‘ଯିଏ ଯେତେ ଖଟିଛି’ (According to his work)ନୀତିରେ । ସେହିପରି କଳକାରଖାନା କଥା। କଳ ସରକାରୀ, କଳର ମରାମତି ଆଦି ଖର୍ଚ୍ଚ ଓ ଖଜଣା ବାଦ ଉତ୍ପନ୍ନ ଦ୍ରବ୍ୟ ଯାହା ମୂଲ୍ୟ ହେଲା କଳର ଶ୍ରମିକମାନେ ସେମାନଙ୍କ ମଧ୍ୟରେ ତାକୁ ବାଣ୍ଟି ନିଅନ୍ତି। ପୁଞ୍ଜିବାଦରେ ଶ୍ରମିକ ପାଏ ଖାଲି ମଜୁରୀ, ଲାଭତକ ନିଏ ମାଲିକ। କିନ୍ତୁ ଏ ବ୍ୟବସ୍ଥାରେ ପ୍ରତ୍ୟେକ ଶ୍ରମିକ କର୍ମନୁଯାୟୀ ଫଳ ପାଏ।

                କମ୍ୟୁନିଜିମ୍‌ର ଭାବଧାରା ଏ ପୃଥିବୀରେ ପ୍ରଥମେ ପରିପୁଷ୍ଟ ଭାବେ ପ୍ରଚାର ହେଲା ଆଜିଠାରୁ ଠିକ୍‌ ଏକ ଶହ ବର୍ଷ ଆଗେ। କାର୍ଲମାର୍କସ୍‌ ବୋଲି ଜଣେ ଜର୍ମାନ୍‌ ପଣ୍ଡିତ ଥିଲେ। ମାର୍କସ୍‌  ଓ ତାଙ୍କର ସହଯୋଗୀ ଏଞ୍ଜେଲ୍‌ସ୍‌ କମ୍ୟୁନିଷ୍ଟ କାର୍ଯ୍ୟକ୍ରମ ବୋଲି ଗୋଟିଏ ପ୍ରବନ୍ଧ ୧୮୪୮ ମସିହାରେ ଲେଖିଥିଲେ। ଏହି ପ୍ରବନ୍ଧରେ ସେମାନେ ସାମ୍ୟବାଦରୁ ଏକ ବୈଜ୍ଞାନିକ ଭିତ୍ତି ଉପରେ ସ୍ଥାପନ କରିଥିଲେ, କମ୍ୟୁନିଜିମ୍‌ ଓ ଶ୍ରମିକର ଆନ୍ଦୋଳନକୁ ନିର୍ଦ୍ଦିଷ୍ଟ ରୂପରେଖ ଦେଇଥିଲେ।

               ଥୋକେ ଅଛନ୍ତିତ ଯେଉଁମାନେ କହନ୍ତି କମ୍ୟୁନିଜିମ୍‌ ସହିତ ସେମାନଙ୍କର ଅମର ନାହିଁ କିନ୍ତୁ କମ୍ୟୁନିଷ୍ଟମାନେ ଖରାପ। ଏହାଦ୍ବାରା ଏମାନେ କମ୍ୟୁନିଜିମ୍‌ ଲୋକମାନଙ୍କର ଶ୍ରଦ୍ଧା ଓ ଆଦରରେ ବାଧା ନ ଦେଇ କମ୍ୟୁନିଜମ୍‌କୁ ପୋଥିବାଇଗଣ କରିବାକୁ ଚାହାନ୍ତି, ତାହା ଯେପରି କାର୍ଯ୍ୟକାରୀ ହୋଇନପାରେ । ଏ ପ୍ରକାର ସମାଲୋଚକଙ୍କୁ ଏତିକି ମାତ୍ର ଜବାବ ଯେବେ କମ୍ୟୁନିଜମ୍‌ ଭଲ ଓ କୌଣସି କମ୍ୟୁନିଷ୍ଟ ଦଳ ଭୁଲ୍‌ ମାର୍ଗରେ ଚାଲିଛି, ତେବେ ସେମାନେ କମ୍ୟୁନିଜମ୍‌ ପ୍ରତିଷ୍ଠା କରିବାକୁ ଲାଗିପଡ଼ନ୍ତୁ। କମ୍ୟୁନିଷ୍ଟ ଦଳକୁ ଛାଡ଼ି ଏମାନେ କମ୍ୟୁନିଜମ୍‌ ସହିତ ଅମତ ହେବାର କୌଣସି ଯୁକ୍ତି ନ ଦେଖି ତାହାର କାର୍ଯ୍ୟକାରୀ ଅଙ୍ଗ କମ୍ୟୁନିଷ୍ଟ ଦଳ ନାମରେ ନାନା କୁତ୍ସାରଟନା କରନ୍ତି। ପ୍ରତ୍ୟେକ ପୁଞ୍ଜିବାଦୀ ଦେଶରେ ଏହି ଚାଲ। ପୁଞ୍ଜିପତିମାନେ ନିଜେ କେବେ କେଉଁଠି କିନ୍ତୁ କମ୍ୟୁନିଜମ୍‌ ବିରୁଦ୍ଧରେ କହନ୍ତି ନାହିଁ। ସେମାନେ ଜାଣନ୍ତି ଯେଉଁ ମୁହୂର୍ତ୍ତରେ ସେମାନେ କମ୍ୟୁନିଜମ୍‌ ବିରୁଦ୍ଧରେ ପାଟି ଫିଟାଇବେ, ସେହି ମୁହୂର୍ତ୍ତରେ ଜନତା କମ୍ୟୁନିଜମ୍‌ ଗ୍ରହଣ କରିଯିବ। ଏଥିଲାଗି ପୁଞ୍ଜିପତିମାନେ ଦଲାଲ(ନେତା) ନିଯୁକ୍ତ କରନ୍ତି। କମ୍ୟୁନିଜମ୍‌ ବା କମ୍ୟୁନିଷ୍ଟଙ୍କ ବିରୁଦ୍ଧରେ କହିବାକୁ ଯେଉଁମାନେ ପେଶା କରିଛନ୍ତି, ସେମାନଙ୍କ ଆୟବ୍ୟୟ ହିସାବ ତୁମକୁ ଦେଖାଇବାକୁ ମାଗ;ତନଖିରେ ଦେଖିବ କେତେଗୁଡ଼ିଏ ଧନ ସେମାନଙ୍କ ହାତକୁ ଆସିଛି ଯାହା ସେମାନେ କୋଉଠୁ, କିପରି ଓ କାହିଁକି ପାଇଲେ ତା ପ୍ରକାଶ କରିବାକୁ ନାରାଜ।

କମ୍ୟୁନିଷ୍ଟିମାନେ ରୁଷିଆକୁ, ଦେଶଟା ବିକିଦେବେ?ଭଣ୍ଡାମି। ପ୍ରତ୍ୟେକ ପୁଞ୍ଜିବାଦୀ ସରକାର ତାଙ୍କ ନିଜ ନିଜ ଦେଶର କମ୍ୟୁନିଷ୍ଟ ଦଳ ବିରୁଦ୍ଧରେ ଏହି ଏକା ଅଭିଯୋଗ କରୁଥିଲେ ବି ସେମାନେ ରୁଷିଆ ଆଉ ସେମାନଙ୍କର ଦେଶର କମ୍ୟୁନିଷ୍ଟ ଦଳ ମଧ୍ୟରେ କୌଣସି ଯୋଗସୂତ୍ର ଥିବାର କେବେ କୌଣସି ପ୍ରମାଣ ଦେଇନାହାନ୍ତି। ଲୋକମାନଙ୍କର ସ୍ବଦେଶ ପ୍ରୀତି ଭାବର ସୁବିଧା ନେଇ ଏମାନେ ପୁଞ୍ଜିବାଦରକୁ କିଛିଦିନ ବଞ୍ଚାଇ ଦେବାକୁ ଚେଷ୍ଟା କରୁଛନ୍ତି ମାତ୍ର- କମ୍ୟୁନିଷ୍ଟ ଦଳ ବିଷୟରେ ଲୋକଙ୍କ ଭିତରେ ଭୁଲ୍‌ ଧାରଣା ଖେଳାଇ। ଏକଥା କିନ୍ତୁ ସତ କମ୍ୟୁନିଷ୍ଟମାନେ ଜାତୀୟବାଦରେ ବିଶ୍ବାସ କରନ୍ତି ନାହିଁ। ଭାରତର ଜନତା, ଇଂଲାଣ୍ଡର ଜନତା ଓ ରୁଷ୍‌ର ଜନତା ମଧ୍ୟରେ କୌଣସି ବିବାଦ ନାହିଁ।ସେମାନେ ପ୍ରତ୍ୟେକ ଚାହାନ୍ତି, ଆପେ ଖଟିବେ, ଅପେ ଖାଇବେ। ଅପରକୁ ଶୋଷଣ କରିବା, କାହାରିକୁ ଆପଣାର କବ୍‌ଜାରେ ରଖିବା କମ୍ୟୁନିଜମ୍‌ର ନୀତି ବିରୁଦ୍ଧ। ପୁଞ୍ଜିବାଦରେ ହିଁ କେବଳ ଜାତୀୟତା ପ୍ରଶ୍ନ ଉଠେ; ଏକ ଜାତିର ପୁଞ୍ଜିପତି ଅନ୍ୟ ଦେଶର ଖଟିଖିଆଙ୍କୁ ଲୁଟି କରନ୍ତି। ଏଥିଲାଗି ଜାତି ଜାତିର ସଂଘର୍ଷ, ଇଂଲାଣ୍ଡ ଓ ଭାରତର କଳି, ଇଂଲାଣ୍ଡ ଓ ଜର୍ମାନୀର ଯୁଦ୍ଧ।ପୁଞ୍ଜିବାଦ ଲୋପପାଇଲେ ଯେଝା ମିହନ୍ତର ଫଳ ଯିଏ ଭୋଗ କରିବ, ଯେଝା ଦେଶ ସେଠାର ଲୋକ ସଂଭାଳିବେ, ସାରା ପୃଥିବୀର ଲୋକେ-ଜାତି,ଧର୍ମ,ବର୍ଣ୍ଣର ଭେଦ ଭୁଲି-ଭାଇ ଭଳି ଚଳିବେ, ଯୁଦ୍ଧ କରିବାର କାରଣ ନଥିବ, ବାଦବିବାଦର ଅବସର ନଥିବ। ମୁକ୍ତି,ସାମ୍ୟ ଓ ମୈତ୍ରୀର ଯୁଗ ସତକୁ ସତ ପ୍ରତିଷ୍ଠା ହେବ। ପୃଥିବୀରେ ଅଖଣ୍ଡ ଶାନ୍ତି ବିରାଜିବ।

 

ଓଁ  ଶାନ୍ତି  ଶାନ୍ତି   ଶାନ୍ତି

 

 




+ -

© Jataayu Charitable Trust
Site designed,developed & maintained by Tekons