ରାଜନୀତି ଆଉ ଆମେ




ପୁଞ୍ଜିବାଦ

 

                         ପୁଞ୍ଜି ସାହାଯ୍ୟରେ ଆମର ସଭ୍ୟତା ଗଢ଼ି ଉଠିଛି। ବଳକା ଧନ ଅଭାବ ଥିଲା ଲୋକଙ୍କୁ ଦିଆଯାଏ, ସେମାନେ ସଡ଼କ ପକାନ୍ତି, ପୋଖରୀ ଖୋଳନ୍ତି, ଦେଉଳ ତୋଳନ୍ତି…। ପୁଞ୍ଜି ବିନା ଏଗୁଡ଼ିକ ହୋଇପାରୁନଥାନ୍ତା। କିନ୍ତୁ ବିପଦ, ପୁଞ୍ଜିକୁ ୟା ତା ହାତରେ ଛାଡ଼ି ଦେବାରେ। ଯେଉଁମାନଙ୍କ ହାତରେ (ମୁଁ ହୁଏ ବା ତୁମେ ହୁଅ) ପୁଞ୍ଜି ରହିଲା ସେମାନେ ସମାଜର ହିତକାର କାମରେ ଏ ବଳକା ଧନକୁ ନ ଖଟାଇ ନିଜେ ଯହିଁରୁ ବେଶି ଲାଭ ପାଇବେ ସେହିଥିରେ ହିଁ ଖଟାନ୍ତି।

                          ପୁଞ୍ଜିବାଦ…ବ୍ୟକ୍ତିବିଶେଷଙ୍କ ହାତରେ ପୁଞ୍ଜକୁ ଛାଡ଼ିଦେବା… ଆଗେ ବେଶି ଉତ୍କଟ ହୋଇ ନଥିଲା। କଳକାରଖାନା ହେବା ଅଗେ ସାଧାରଣ ଲୋକ ଯାହା ରୋଜଗାର କରୁଥିଲା, ସେଥିରୁ ରାଜା ଓ ସାମନ୍ତଙ୍କୁ ଦେଲାପରେ ବଳୁଥିଲା ଖୁବ୍‌ କମ୍‌ । ରାଜା ଓ ସାମନ୍ତମାନେ ନିଜର ପୁଞ୍ଜି ଉପରେ ନିର୍ଭର କରୁନଥିଲେ,ଜାତି ଓ ବଂଶଗୌରବ ବଳରେ ସେମାନେ ସମାଜରେ ଆସ୍ଥାନ ମାଡ଼ି ବସିଥିଲେ। ସେମାନଙ୍କର ଶୋଷଣ ଥିଲା ଖୋଲାଖୋଲି…ଦସ୍ୟୁଭଳି।

                           ଶିଳ୍ପବିପ୍ଳବ ହେଲା। ଯେଉଁ କେତେଜଣଙ୍କ ହାତରେ ପୁଞ୍ଜିଥିଲା ସେମାନେ ବଡ଼ ବଡ଼ କଳକାରଖାନା ଖୋଲିପାରିଲେ, ବାଣିଜ୍ୟ ବ୍ୟବସାୟ କଲେ; ବହୁତ ଧନ ସେମାନଙ୍କର ହାତରେ ଜମା ହେଲା। ରାଜା ଓ ସାମନ୍ତମାନେ ସେମାନଙ୍କର ବଂଶଗୌରବ ଅଭିମାନରେ ସାଧାରଣ ଲୋକଙ୍କ ସହିତ ମିଶିଲେ ନାହିଁ ବା ବ୍ୟବସାୟ ବାଣିଜ୍ୟ କଲେ ନାହିଁ। ପୁଞ୍ଜିପତିମାନଙ୍କର ବଂଶଗୌରବ ପୁଞ୍ଜିପତି ଜମିଦାର ଓ କଳମାଲିକଙ୍କୁ ଯେପରି ବାଧୁଥିଲା, ରଇତ ଓ ଶ୍ରମିକମାନଙ୍କୁ ବି ସେହିପରି ବାଧୁଥିଲା।  ପୁଞ୍ଜିପତି ଓ ଶ୍ରମିକମାନେ ମିଳି ସାମନ୍ତବାଦ ଭାଙ୍ଗିବାକୁ ଆନ୍ଦୋଳନ କଲେ…ମୁକ୍ତି, ସାମ୍ୟ ମୌତ୍ରୀ ବାନା ଧରି । ସମାଜରୁ ସାମନ୍ତବାଦ ଦୂର ହୋଇଗଲା।

                            ନୂଆ ଯେଉଁ ସମାଜ ଗଢ଼ା ହେଲା, ସେଥିରେ ସମସ୍ତଙ୍କର ସମାନ ଅଧିକାର ବୋଲି ଘୋଷଣା କରାଗଲା। ହେଲେ ସମସ୍ତେ ସମାନ ସୁବିଧା ପାଇଲେ ନାହିଁ। ରାଜା ଓ ସାମନ୍ତମାନଙ୍କର ଶୋଷଣ ଲୋପ ପାଇଥିଲା ସତ, କିନ୍ତୁ ଯେଉଁମାନଙ୍କ ହାତରେ ପୁଞ୍ଜି ଥିଲା, ସେମାନେ ଅବସ୍ଥାର ସୁଯୋଗ ନେଲେ ଅଭାବଗ୍ରସ୍ତ ଲୋକଙ୍କୁ ପୁଞ୍ଜିଉଧାର ଦେବା ଲାଗି ସେମାନେ  ଏକ ଅନ୍ୟାୟ ଦାବି କଲେ, ମାଣଙ୍କ ଠି ପାଞ୍ଚପା । ଏହି ଅନ୍ୟାୟ ଦାବିକୁ ଉଦ୍ଧାର କଲା ଲୋକ ଯେପରି ଫାଙ୍କି ନ ଦେଇପାରେ, ପୁଞ୍ଜିପତି ସେଥିପାଇଁ ଦେଶର ସରକାରରେ ଏହି ଅନ୍ୟାୟ ଦାବିକୁ ନ୍ୟାୟ ବୋଲି ଆଇନ କରିନେଲା। ପୁଞ୍ଜିପତିର ଅନ୍ୟାୟ ଦାବିକୁ ପୂରଣ କରିବାକୁ ଯାଇ ବିଚରା ଚାଷୀ ଆଉ ସାଲକୁ ଆହୁରି ଅଭାବରେ ପଡ଼ିଲା। ଏହିପରି  ତାର ଅଭାବ ବଢ଼ିଚାଲିଲା। ସବାଶେଷକୁ ସେ ଆପଣାର ଜମିଟି ମହାଜନ ହାତକୁ ବଢ଼ାଇ ଦେବାକୁ ବାଧ୍ୟ ହେଲା। ପୁଞ୍ଜିପତି ହେଲା ଜମିର ମାଲିକ-ଜମିଦାର। ଉତ୍ପାଦନରେ ଆଶ୍ରା…ଜମି,ହଳବଳଦ…ସବୁତ ଜମିଦାର କିଣି ନେଇଛି। ଜମି ନାହିଁ, ଚାଷୀ ଏବେ ଜୀବିକା ଉପାର୍ଜନ କରେ କିଭଳି? ତାର ଏକମାତ୍ର ସମ୍ବଳ ରହିଛି ନିଜର ମିହନ୍ତ। ବର୍ତ୍ତମାନ ସେ ମୂଲ ଲାଗି ପେଟ ପୋଷେ। ଘଣ୍ଟାୱାରି ତାର ମିହନ୍ତର ମୂଲ।

               ସମାଜରେ ଏ ନୂଆ ଗୋଟିଏ ଶ୍ରେଣୀର ଲୋକ ବାହାରିଲେ ଯେଉଁମାନଙ୍କର ଉତ୍ପାଦନର ଆଶ୍ରା…କଳ,ଜମି…ଉପରେ କୌଣସି ସତ୍ତ୍ବ ନାହିଁ, ଯେଉଁମନଙ୍କର ଉତ୍ପାଦନ ଲାଗି କୌଣସି ଦାୟିତ୍ବ ନାହିଁ, ଏମାନେ ହେଲେ ସର୍ବହରା। ଅପରପକ୍ଷରେ ବାହାରିଲେ ଆଉ କେତେକ ଲୋକ ଯେଉଁମାନେ ମୋଟେ  ମିହନ୍ତ କରନ୍ତି ନାହିଁ, କେବଳ ତାଙ୍କର ପୁଞ୍ଜି ଉପରେ ସେମାନେ ନିର୍ଭର କରନ୍ତି। ପୁଞ୍ଜି ବଳରେ ସେମାନେ ଶ୍ରମିକ ଓ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନର ଆଶ୍ରାକୁ ଛାଡ଼ିବାକୁ ବାଧ୍ୟ କରିଛନ୍ତି। ବର୍ତ୍ତମାନ ସେମାନେ ଉତ୍ପାଦନର ଅଶ୍ରାର ମାଲିକ, ଉତ୍ପନ୍ନ ଦ୍ରବ୍ୟ ସେମାନଙ୍କର । ଏହିମାନେ ହେଲା ବୁର୍ଜୁୟା।

                 ଏ ଦୁଇ କିସମର ଲୋକଙ୍କ ଭିତରେ ଆସିଲେ ଆଉ ଗୋଟିଏ ଶ୍ରେଣୀ ଲୋକ ଛୋଟଦୋକାନୀ, ଗୋଦାମବାଲା, କୁଟୀରଶିଳ୍ପର କାରିଗର,ଚାଷୀ…।ଏମାନେ ହେଲେ ମଧ୍ୟବିତ୍ତ । ଏମାନଙ୍କର କିଛି ପରିମାଣରେ ପୁଞ୍ଜି ଅଛି।ସେହି ପୁଞ୍ଜି ଉପରେ ଏମାନେ ଆଂଶିକ ନିର୍ଭର କରନ୍ତି ନିଜର ମିହନ୍ତ ଉପରେ।ଉଭୟ ଉପରେ ଭାରା ଦେଇ ମଧ୍ୟବିତ୍ତ ତାର ଜୀବିକା ଉପାର୍ଜନ କରେ।                  

                 ଶିଳ୍ପ ବିପ୍ଳବ ଉତ୍ପାଦନ ପ୍ରଣାଳୀକୁ ବିଲ୍‌କୁଲ୍‌ ବଦଳେଇ ଦେଇଥିଲା। ଆଉ ଛୋଟ ଛୋଟ ଶିଳ୍ପ ନାହିଁ। ବଡ଼ ବଡ଼ କଳ…ବହୁତ ଆମଦାନି।କଳ ସାହାଯ୍ୟରେ ଏ ଯେଉଁ ଆମଦାନି ହେଲା, ତା ସହିତ ତନ୍ତୀ,କମାର,କୁମ୍ଭାର ଆଦି ହାତରେ ଗଢ଼ିଲା ଲୋକେ ତାଳ ଦେଇ ପାରିଲେ ନାହିଁ। କଳ ସାହାଯ୍ୟରେ ଜିନିଷ ସବୁ ଶସ୍ତାରେ ଉତ୍ପନ୍ନ ହେଲା…ତାରିଫ୍‌ ଜିନିଷ। ସାମନ୍ତବାଦୀ ସମାଜରେ ଯେଉଁ ଭିନ୍ନ ଭିନ୍ନ ବେଉଷା ଥିଲା ତା ଭାଙ୍ଗି ପଡ଼ିଲା; ଜାତିପ୍ରଥା ବି ଉଠିଗଲା। ସମସ୍ତେ କଳର କୁଲି…ସଭିଏଁ ସର୍ବହରା।

                 ସର୍ବହରା ଓ ବୁର୍ଜୁୟା ମଧ୍ୟରେ ସମ୍ପର୍କ କେବଳ ପଇସାର ସମ୍ପର୍କ। ବୁର୍ଜୁୟା ସର୍ବହରା ମିହନ୍ତର ମୂଲ ଚଷେ। ସର୍ବହରାର ମିହନ୍ତର ଭାଉ, ମାଛ ଓ ପରିବାର ଭାଉ ପରି ବଢ଼େ ଓ ଖସେ। ବେଶି ମୂଲିଆ ମିଳିଲେ ମୂଲ ଶସ୍ତା ହୋଇଯାଏ; ମୂଲିଆ ଅଭାବ ପଡ଼ିଲେ ସର୍ବହରା ବେଶି ମଜୁରୀ ଦାବିକରି ବସେ। ଏହି ଭିଡ଼ା ଓଟରାକୁ କୁହାଯାଏ ଶ୍ରେଣୀ ସଂଘର୍ଷ।

                   ସର୍ବହରା…ସମାଜର ଅଧିକାଂଶ ଲୋକ ହେଲେ ଏହି ଶ୍ରେଣୀର। ସେମାନେ ମୂଲ ଲାଗନ୍ତି। ଶିକ୍ଷକ, ଓକିଲ ଲେଖକ ବି ଏହିପରି ମୂଲ ଲାଗି ପେଟ ପୋଷନ୍ତି। ଆମ ସମାଜରେ କାହାର ସମ୍ମାନ ନାହିଁ…ସମସ୍ତେ ମୂଲିଆ…ମୂଲ ହେଲା ମଣିଷ ମର୍ଯ୍ୟାଦାର ମାପକାଠି। ମଣିଷର ସୁଖ ଦୁଃଖ ସହିତ ମାଲିକର ସମ୍ପର୍କ ନାହିଁ। ଶ୍ରମିକର ଦେହ ଅସୁଖ ହେଲେ, ସେ କାମକୁ ନ ପାରିଲେ, ଭୋକରେ ମରିବା ଛଡ଼ା ତାର ଅନ୍ୟ ଉପାୟ ନାହିଁ। ହଡ଼ା ବଳଦରୁ ମଣିଷର ଦଶା ଆହୁରି ହୀନ ହେଲା।

                    ଏହି ସର୍ବହରା ଶ୍ରେଣୀରୁ ବୁର୍ଜୁୟା ଶ୍ରେଣୀକୁ ଉଠିବା ଅସମ୍ଭବ। ପୁଞ୍ଜିପତି ମୂଲିଆକୁ ଯେଉଁ ମୂଲ ଦିଏ ତା ଏତେ ଅଳ୍ପ ଯେ ମୂଲିଆ ହାତରେ ପୁଞ୍ଜି ବଳିକା ସହଜ ନୁହେଁ। ଗଣ୍ଡେ ମୋଟାରୋଟା କରି ଖାଇବା ଆଣ୍ଠୁ ଲୁଚିଲା ପିନ୍ଧିବା ଭଳି ତାର ମୂଲ। ବାକିତକ ପୁଞ୍ଜିପତିର ଲାଭ। ଏଥିଯୋଗେ ସର୍ବହରା ଯେତେ ଚେଷ୍ଟା କଲେ ବି ତାର ଅବସ୍ଥା ସ୍ବଚ୍ଛଳ କରିପାରେ ନାହିଁ। ଗରିବ ଧନୀ ହେବା ଗୋଟାଏ ସ୍ବପ୍ନ ପରି…କୋଟୀକରେ ଗୋଟିଏ।ବୁର୍ଜୁୟା…ତାର ଏକମାତ୍ର ଚିନ୍ତା, ଅଧିକ ଲାଭ। କାହାରି ପ୍ରତି ତାର ଦାୟିତ୍ବ ନାହିଁ। ନ୍ୟାୟ ଓ ଅନ୍ୟାୟ ସେ ବୁଝେ ଟଙ୍କାରେ ହିସାବ କରି। ଦେଶପାଇଁ,ଜାତିପାଇଁ ମାନବସମାଜର ମଙ୍ଗଳ ପାଇଁ ତାର ଭାବନା ନାହିଁ। ମଦ ବିକିଲେ ଯେବେ ବେଶି ଲାଭ, ସେ ମଦଭାଟି ଖୋଲେ, ଶ୍ରୀମଦ୍‌ଭାଗବତ ବିକିଲେ, ଯେବେ ବେଶି ଲାଭ, ସେ ଶ୍ରୀମଦ୍‌ ଭାଗବତ ବିକ୍ରି କରେ। ଧର୍ମ, ଅଧର୍ମ ଓ ତା ଆଗରେ ପୁରୁଣା କଥା। ଟଙ୍କା ହିଁ ସତ୍ୟ।

                       ମଧ୍ୟବିତ୍ତ…ଏମାନେ ବରାବର ଚେଷ୍ଟା କରନ୍ତି ବୁର୍ଜୁୟା ହେବାଲାଗି। ହେଲେ, ବୁର୍ଜୁୟାର ବଳ ତାର ପୁଞ୍ଜି। ଏମାନଙ୍କର ପୁଞ୍ଜିବଳ ବେଶି ଥିବାରୁ ଏମାନେ ବୁର୍ଜୁୟା ସହିତ ତାଳ ଦେଇନପାରି ଖସି ପଡ଼ନ୍ତି ସର୍ବହରା ଶ୍ରେଣୀକୁ।

                       ପୁଞ୍ଜିବାଦୀ ଦେଶରେ ଯେତିକି କଳଶିଳ୍ପ ବଢ଼ୁଥିବ, ସମାଜରେ ସେତିକି ବୁର୍ଜୁୟା ଓ ସର୍ବହରା ଏହି ଦୁଇ ଶ୍ରେଣୀର ଲୋକେ ସ୍ପଷ୍ଟଭାବରେ ବିଭକ୍ତ ହୋଇଯାଉଥିବେ। ମଣିଷ ମଣିଷ ଭିତରେ ଏ ଦୁଇ ବିଭାଗ ଛଡ଼ା ଅନ୍ୟସବୁ ଭେଦ, ଜାତି, ଧର୍ମ, ବଂଶଲିଙ୍ଗ…ସବୁ ଡୁବିଯିବ। ଦିନୁଁଦିନ ନୂଆ ନୂଆ ଅଧିକ ଉନ୍ନତ କଳମାନ ଆବିଷ୍କାର ହେଉଛି। ଉତ୍ପାଦନର ଆଶ୍ରା ସରଳରୁ ସରଳ ହୋଇଯାଉଛି, ଶ୍ରମିକ ଆଉ ଶ୍ରମିକ ଭିତରେ ବୁଦ୍ଧି ଓ କୌଶଳରେ ଯେଉଁ ଭେଦ ଅଛି, ତା ବି ଲୋପ ପାଉଛି।

                        ଏ ସମାଜରେ ଆମେ ଦେଖୁଁ, ଏକ ଦିଗରେ କଳ ସାହାଯ୍ୟରେ ଆମଦାନି ବହୁ ପରିମାଣରେ ବଢ଼ିଛି, ପ୍ରଚୁର ମାଲ ଉତ୍ପନ୍ନ ହେଉଛି। ଅପରପକ୍ଷରେ ଦେଖାଯାଏ ଦାରିଦ୍ର୍ୟର ସୀମା ନାହିଁ, ଭୋକିଲା ଲୋକ ଘରେ ଘରେ। ଧାନ ଅମାର କରରେ ବସି ମଣିଷ ‘ହା ଅନ୍ନ ହା ଅନ୍ନ’ ହୋଇ ମରୁଛି। ଡାକ୍ତର ଦୁଆରେ ଔଷଧ ବିନା ରୋଗୀର ପ୍ରାଣ ଛାଡୁଛି। ଏହା ଘଟୁଛି କାହିଁକି?

                         ପୁଞ୍ଜିବାଦ ଏଥିପାଇଁ ଦାୟୀ। ପ୍ରତ୍ୟେକ ଲୋକର ପୁଞ୍ଜି ତାର… ସମାଜ ପ୍ରତି ତାର ଦାୟିତ୍ବ ନାହିଁ। ଏହି ନୀତି ଉପରେ ପୁଞ୍ଜିବାଦ ଗଢ଼ା ଯାଇଛି। ପୁଞ୍ଜିବାଦ ନୀତି ଉପରେ ଯେଉଁ ସରକାର ଗଢ଼ା, ତା’ ବ୍ୟକ୍ତିଗତ ସମ୍ପତ୍ତିକୁ ଜଗି ରହେ ମାତ୍ର । ପୁଞ୍ଜିବାଦ ଏପରି କି କେବଳ ପୁଞ୍ଜିକୁ ଗୋଟାଏ ବ୍ୟକ୍ତି ବୋଲି ସ୍ବୀକାର କରେ!! କମ୍ପାନୀ (କେତେଗୁଡ଼ିକ ପୁଞ୍ଜି ଏକାଠି କରି ଯାହା ଗଢ଼ାଯାଏ) ମକଦ୍ଦମା ଚଳାଇପାରେ, ମାନହାନି ଲାଗି ନାଲିସ୍‌ କରିପାରେ ଓ ଅଦାଲତ ତାକୁ ଡିଗ୍ରୀ ଦିଏ। ଏହି ବ୍ୟବସ୍ଥାରେ ଜଣେ ଲୋକ ତାର ଧାନ ନିଆଁ ଲଗେଇ ଜାଳି ପାଉଁଶ କରିଦେଲେ ବି ଅନ୍ୟର କାହାର ସେ ବିଷୟରେ କହିବାର ହକ୍‌ ନାହିଁ। ଧାନକୁ ଖତ କରି ତା ଉପରେ ନଡ଼ିଆଗଛ ଲଗେଇବା ତ ଆମ ଏ ଓଡ଼ିଶାରେ ଘଟିଛି, ଅଥଚ ଜଣେ ଭୋକିଲା ଲୋକ ପେଟ ବିକଳରେ କାହାର ଅମାରରୁ କଉଣିଏ ଧାନ ନେଲେ, ତାହା ଅନ୍ୟାୟ। ସେଥିଲାଗି ସରକାରୀ ବ୍ୟବସ୍ଥା ରହିଛି,ଆଇନ ଅଛି, ଅଦାଲତ ଅଛି, ପୁଲିସ ଅଛନ୍ତି , ହାକିମ ଅଛନ୍ତି। ପୁଞ୍ଜିବାଦୀ ସ୍କୁଲ କଲେଜରେ। ଏହି ପୁଞ୍ଜିବାଦୀ ସମାଜ ତାକୁ ଚୋର ବୋଲି ଘୃଣା କରିବ। ପରଧନ ନେବା ମହାପାପ ବୋଲି ଧର୍ମଗୁରୁ ଉପଦେଶ ଦିଅନ୍ତି; ଶିକ୍ଷକ ପିଲାମାନଙ୍କୁ ବି ସେହିକଥା ଶିକ୍ଷା ଦିଅନ୍ତି, ପୁଞ୍ଜିବାଦୀ ସ୍କୁଲ କଲେଜରେ। ଏହି ପୁଞ୍ଜିବାଦୀ ସମାଜର ଯାବତ ବ୍ୟବସ୍ଥାକୁ ଖାଲି ପୁଞ୍ଜିକୁ ପ୍ରତ୍ୟେକ ହାତରେ ଛାଡ଼ିଦେବାଲାଗି। ସେ ଲୋକ ଏହି ପୁଞ୍ଜି ନେଇ ଯାହା ପାରି ତା କରିପାରେ…ସେ ସ୍ବାଧୀନତା ପୁଞ୍ଜିବାଦ ସରକାର ତାକୁ ଦେଇଛି। ଏହାରି ଫଳରେ ଯାହା ହାତରେ ପୁଞ୍ଜି ଅଛି, ସେ ଅନ୍ୟମାନଙ୍କୁ ଶୋଷଣ କରିବାର ସୁବିଧା ପାଉଛି । ଶେଷରେ ସମାଜର ଅଧିକାଂଶ ଲୋକଙ୍କର ଧନ ଯାଇ ଅଳ୍ପ କେତେଜଣଙ୍କ ହାତରେ ଠୁଳ ହେଉଛି  ଆଉ ସେମାନେ ସେ ଧନରୁ କାହାରିକୁ ଭାଗ ଦେବାକୁ ନାରାଜ। ଯୁକ୍ତରାଷ୍ଟ୍ର(ଆମେରିକା) ରେ ଏହିପରି ରାଜ୍ୟର ଅଧିକାଂଶ ଧନ ଆଙ୍ଗୁଠି ଆଗରେ ଗଣିଲା ଭଳି କେତେଟା ଲୋକଙ୍କ ହାତରେ ଠୁଳ ହୋଇଛି; ଜନସାଧାରଣଙ୍କ ଭିତରେ ଭୋକିଲା ଲୋକ ଢେର ,ରାସ୍ତାରେ ଶୁଅନ୍ତି ଅନେକ।

                          ପୁଞ୍ଜିବାଦର ଉଗ୍ରରୂପ ହେଉଛି ଫସିଜିମ୍‌ ଓ ନାଜୀବାଦ (ଏହାକୁ ‘ଜାତୀୟତାବାଦୀ ସାମ୍ୟବାଦ’ ବୋଲି କହନ୍ତି। ସେଥିରେ ପୁଞ୍ଜିବାଦ ବିରୁଦ୍ଧରେ ମତ ପ୍ରକାଶ କରିବାର ସ୍ବାଧୀନତା କାହାର ନାହିଁ, ପୁଞ୍ଜିବାଦକୁ ଭାଙ୍ଗିବାକୁ ଚେଷ୍ଟା କରିବା ବେଆଇନ। ଏହା ସର୍ବହରାଙ୍କର ଅବସ୍ଥାରେ ସାମାନ୍ୟ ଉନ୍ନତି କରିଥାଏ। ଉଦ୍ଦେଶ୍ୟ ନୁହେଁ,ଶ୍ରମିକମାନେ ଅଧିକ ସୁଖରେ ରୁହନ୍ତୁ; ମତଲବ, ସେମାନେ ଯେପରି ବେଶି ଆମଦାନି କରିପାରନ୍ତୁ, ବେଶୀ ଧନ ବୁର୍ଜୁୟାମାନଙ୍କ ହାତକୁ ଆସୁ। ଜର୍ମାନୀରେ ହିଟ୍‌ଲର ଓ ଇତାଲୀରେ ମୁସୋଲିନି ଏହି ପ୍ରକାର ଶାସନ ଚଳାଇଥିଲେ। ସେଣେ ସର୍ବହରାମାନଙ୍କୁ ଧପ୍‌ପା ଦିଆଯାଉଥିଲା, ‘ଜର୍ମାନୀ ଜାତି ପୃଥିବୀର ଶ୍ରେଷ୍ଠ ଜାତି ଜର୍ମାନ ଜାତୀୟ ଜୀବନ ଇତାଲି, ପୁଣି ରୋମ ସାମ୍ରାଜ୍ୟ ଗଢ଼ିବ’ ଆଦି ଯାବତ ଭାଣ୍ଡ କଥା ଶୁଣାଇ। ଏବେ ବି ସ୍ପେନ୍‌ରେ ସେହି ପ୍ରକାର ଶାସନ ଚାଲିଛି।

                          ପୁଞ୍ଜିବାଦକୁ ବେଶିଦିନ ବଞ୍ଚାଇବାଲାଗି ବୁର୍ଜୁୟାଙ୍କ ଲାଭ ଉପରେ ଲଗାମ ଦେବା ଦରକାର ପଡ଼େ। ବୁର୍ଜୁୟା ଲାଭ ଲୋଭରେ ସମୁଦାୟ ଧନ ଆତ୍ମସାତ୍‌ କରିବାକୁ ବସେ। ଶ୍ରମିକର ପେଟକୁ ନ ଅଣ୍ଟିଲେ, ସେ ଲୁଟ୍‌ପାଟ ଆରମ୍ଭ କରିବ,ଧର୍ମଘଟ କରିବ, ନାନା ଗଣ୍ଡଗୋଳ ସୃଷ୍ଟି କରିବ …ପୁଞ୍ଜିପତିଙ୍କର ବ୍ୟକ୍ତିଗତ ସମ୍ପତ୍ତି ଆତ୍ମସାତ୍‌ କରିବ…ଫଳରେ ପୁଞ୍ଜିବାଦ ଭାଙ୍ଗି ପଡ଼ିବ। ସେଥିଲାଗି ପୁଞ୍ଜିବାଦୀ ନେତାମାନେ ବୁର୍ଜୁୟାର ଲାଭରୁ ଶ୍ରମିକମାନଙ୍କୁ କିଛି କିଛି ସୁବିଧା ଦେଇଦିଅନ୍ତି ଯେପରି କି ସେମାନେ ଆଉ ପାଟିତୁଣ୍ଡ ହଟଗୋଳ ନ କରନ୍ତି। ଏପରି ବ୍ୟବସ୍ଥାରେ ପୁଞ୍ଜିପତିମାନେ କନ୍ଦାକଟା କରି ଲୁହ ନିଗାଡ଼ିଲେ ବି ଏହା ପ୍ରକୃତରେ ତାଙ୍କର ହିତକୁ। ଏହାକୁ କେହି କେହି କହନ୍ତି ବୁର୍ଜୁୟା ଓ ସର୍ବହରା ମଧ୍ୟରେ ସାଲିସ୍‌,କେହି କେହି କହନ୍ତି ସଂସ୍କାର, ବା କହେ ବୁର୍ଜୁୟା ସାମ୍ୟବାଦ। ଇଂଲାଣ୍ଡର ବର୍ତ୍ତମାନ ବୈଦଶିକ ମନ୍ତ୍ରୀ ବେଭିନ୍‌, ଏହିପରି ଗୋଟିଏ ବ୍ୟବସ୍ଥା ତାଙ୍କ ଦେଶଲାଗି ଖଞ୍ଜିଛନ୍ତି-ବେଭିନ୍‌ ଯୋଜନା। ସେ ବ୍ୟବସ୍ଥା ଅନୁସାରେ ଦେଶର ପ୍ରତ୍ୟେକ ଲୋକଙ୍କୁ ଅତି କମ୍‌ରେ ମାସିକ ପଞ୍ଚସ୍ତରୀ ଟଙ୍କାର ଆୟ ମିଳିବ, ପ୍ରତ୍ୟେକ ଲୋକ ବିନା ପଇସାରେ ଡାକ୍ତରୀ ଚିକିତ୍ସା ପାଇ ପାରିବ ଇତ୍ୟାଦି। ସାମ୍ୟବାଦ ପରି ଦିଶିଲେ ବି ଏହା ସାମ୍ୟବାଦ ନୁହେଁ। ଏହାଦ୍ବାରା ଶୋଷଣବାଦ ଲୋପପାଏ ନାହିଁ, ବେଶିଦିନ ବଞ୍ଚିବାର ସୁଯୋଗ ପାଏ ମାତ୍ର।

                             କେହି କେହି ପୁଞ୍ଜିବାଦ(ପୁଞ୍ଜିପତି ବା ସେମାନଙ୍କର ଦଲାଲ) ଶ୍ରେଣୀ ସଂଘର୍ଷକୁ ପସନ୍ଦ ନକରି ଶ୍ରେଣୀ ସହଯୋଗ କଥା କହନ୍ତି। ପୁଞ୍ଜି ଓ ମଣିଷ, ସାପ ଓ ବେଙ୍ଗ ଭିତରେ କି ଯେ ସହଯୋଗ ହେବ କଳ୍ପନା କରିବା କଠିନ। ଯାହାହେଉ, ଶ୍ରେଣୀସହଯୋଗ ବୋଇଲେ ବୁର୍ଜୁୟା ଓ ସର୍ବହରା ମଧ୍ୟରେ ସାଲିସ୍‌ ଛଡ଼ା ଅନ୍ୟ କିଛି ନୁହେଁ।  କିନ୍ତୁ ଏକଥା କହିଲା ବେଳେ ସେମାନେ ଆଉ ଗୋଟିଏ ପ୍ରସ୍ତାବ ଉଠାନ୍ତି…କିଂଭୂତକିମାକାର ପ୍ରସ୍ତାବ ଯାହା କେବେହେଲେ ସମ୍ଭବ ହୋଇପାରିବନାହିଁ-ପୁଞ୍ଜିପତିର ହୃଦୟ ପରିବର୍ତ୍ତନ। ପୁଞ୍ଜିପତି ତ କେବଳ ଟଙ୍କା, ଟଙ୍କାର ପୁଣି ହୃଦୟ କାହିଁ ଯେ ତାର ପରିବର୍ତ୍ତନ ହେବ? ମନେକର,ଜଣେ ଶ୍ରମିକ ଏହି ହୃଦୟ ପରିବର୍ତ୍ତନ କଥାଟାକୁ ମାନି ନେଇ ସେହି ଅନୁସାରେ ସତକୁ ସତ କାମ କରିବାକୁ ଚାହିଁଲା। ସେକ’ଣ କରିବ? କମ୍ପାନୀର ମାଲିକ ତ ଜଣେ ନୁହେଁ, ଅନେକ । ବିଲାତରୁଶହେ କଣ ଆମେରିକାରୁ ଦି’ଶହ, ବମ୍ବେରୁ ଦି’ଶହ ମିଳି କମ୍ପାନି ଗଢ଼ିଛନ୍ତି। (ଅଧିକାଂଶ କଳକାରଖାନା କମ୍ପାନୀ ଏହିଭଳି ଗଢ଼ା ହୋଇଥାଏ)। ଯେଉଁମାନେ ପୁଣି କମ୍ପାନୀ ଗଢ଼ିଛନ୍ତି, ସେମାନେ ଅଧିକାଂଶ ସମୟରେ କୌଣସି ବ୍ୟାଙ୍କରୁ ଟଙ୍କା କରଜ ଆଣିଥାନ୍ତି, ବ୍ୟାଙ୍କ ସେମାନଙ୍କଠାରୁ ସୁଧ ଆଦାୟ କରେ। ଏହି ବ୍ୟାଙ୍କର ପୁଣି ମାଲିକ ଜଣେ ନୁହନ୍ତି, ଅନେକ । ବିଚରା ଶ୍ରମିକ ଯାଇ କାହାର ହୃଦୟ ପରିବର୍ତ୍ତନ କରିବ? ମ୍ୟାନେଜରକୁକହି କିଛି ଲାଭ ନାହିଁ, ସେ କମ୍ପାନୀର ଚାକର କମ୍ପାନୀର ଲାଭ ନଦେଖାଇପାରିଲେ, ତାକୁ ତଡ଼ି ଦିଆଯିବ। ବିଚରା ଶ୍ରମିକଙ୍କୁ ଭୂଆଁ ବୁଲାଇବା ଲାଗି ପୁଞ୍ଜିପତିଙ୍କର ଦଲାଲମାନଙ୍କର ଏହା ଗୋଟାଏ ଚାଲବାଜି। ସେମାନେ କେବେହେଲେ ତ କାହିଁ ପୁଞ୍ଜିପତିଙ୍କ ପାଖରେ ହୃଦୟ ପରିବର୍ତ୍ତନ କଥା କହନ୍ତି ନାହିଁ? ଶ୍ରମିକମାନଙ୍କ ଆଗରେ ଖଶଲି ତାଙ୍କର ଏ ଧର୍ମ ଶିକ୍ଷା। ସେମାନେ ପୁଞ୍ଜିପତିମାନଙ୍କ ଆଗରେ କେବେ ତ  ଏ ପ୍ରସ୍ତାବ କରନ୍ତି ନାହିଁ। ପୁଞ୍ଜିପତିମାନଙ୍କୁ ଶ୍ରମିକମାନଙ୍କ ର ମାରଫତ୍‌ରେ ଛାଡ଼ି ଦେବାକୁ; ସେମାନେ କେବଳ କହନ୍ତି ଶ୍ରମିକମାନେ ପୁଞ୍ଜିପତିମାନଙ୍କର ମାରଫତ୍‌ରେ ରହନ୍ତୁ।

                              ଯାବତ ଭାଣ୍ଡାମି। 

                               ପୁଞ୍ଜିବାଦୀ ବ୍ୟବସ୍ଥାରେ ସାମନ୍ତବାଦ ଯୁଗର ପାତର ଅନ୍ତର ବ୍ୟବସ୍ଥା ପାଇଛି ସତ। ସମାଜରେ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଛି, ସମସ୍ତଙ୍କ ଲାଗି ଏକା ଆଇନ। ହେଲେ, ଯେ ଗରିବ, ସେ ତା ପିଲାକୁ ପାଠ ପଢ଼ାଇପାରେ ନାହିଁ ତା ଦେହକୁ ଜାମା, କୁରୁତା କରିପାରେ ନାହିଁ, ମୋର ଏହି ବହିଟି ତାର ଯେତେ ପସନ୍ଦ ହେଲେ ବି ସେ କିଣିପାରେ ନାହିଁ। ତୁଚ୍ଛା ସୁଯୋଗରେ କିଛି ମୂଲ୍ୟ ନାହିଁ, ଯେବେ ତାକୁ କାର୍ଯ୍ୟକାରୀ କରିବାକୁ ତାର ସୁବିଧା ନ ହୁଏ, ସାମର୍ଥ୍ୟ ନଥାଏ। ପୁଞ୍ଜିବାଦ ବ୍ୟବସ୍ଥାରେ ସମାଜର ଯାବତ ସୁବିଧା, ପୁଞ୍ଜିପତିମାନେହିଁ ଉପଭୋଗ କରିପାରନ୍ତି। ଲୋକଙ୍କ ହାତରେ ଧନ ଅସମାନ ହୋଇଥିଲେ, ସମସ୍ତଙ୍କର ସମାନ ସୁବିଧାର ପ୍ରଶ୍ନ ଉଠେନାହିଁ। ଗରିବ ଓ ଧନୀ ଭିତରେ ସାମ୍ୟବାଦ କାହିଁ

 

 




+ -

© Jataayu Charitable Trust
Site designed,developed & maintained by Tekons