(ମ୍ୟାକ୍ ଆର୍ଥର ତାଙ୍କର ବିଜୟ ଘୋଷଣା କରିଛନ୍ତି କୋରିଆର କ୍ଷୁଦ୍ର ସହରଟିକୁ ଧ୍ବଂସସ୍ତୂପରେ କରିଣତ କରି. ଶିଶୁ ଉପରେ ପାଞ୍ଚଶହ ଟନ୍ ବୋମା ପକାଇ।
…ମା’ ର ମନ କିନ୍ତୁ ବୁଝେନା। ଗତ ୩ ଦିନ ଧରି ସେ ଧ୍ବଂସସ୍ତୂପ ମଧ୍ୟରେ ଖୋଜିଛି ତା’ର ପିଲାକୁ। ଆଶା, ମା’ର ଆଶା, ସେ ତା’ର ଶିଶୁଟିକୁ ଫେରିପାଇବ ସେହିପରି ଜୀବନ୍ତ, ଅକ୍ଷତ, ହସ ହସ…।
ମା’ ତାର ପିଲାକୁ ଫେରି ପାଇଛି-ବାସ୍ତବ ଜଗତରେ ନ ହେଲେ ବି ସ୍ବପ୍ନ ରାଜ୍ୟରେ। ମା’କୁ ସମ୍ବୋଧନ କରି ସେ କହୁଛି-)
ମା, ତୁମେ କାନ୍ଦନା…।
ଭଙ୍ଗା ଇଟାର ପାହାଡ଼…
ୟାରି ଭିତରେ କାହିଁ ତ ହଜିଗଲା ମୋ କୁନି ଖେଳନା;
ଖୋଜିଲିଣି ବହୁତ ମୁଁ… ପାଉନହିଁ… ଖୋଜି ଦିଅ ମୋତେ,
-ସୁଂଗଭାଇ ଦେଇଥିଲା ଉପହାର… ଯାଇଛି ସେ ଯୁଦ୍ଧେ,
ବାହୁଡ଼ା ବାଟରେ ତାର ଆସିବ ତ ଆମ ଘରେ ପୁଣି,
କୋଳରେ ବସାଇ ମୋତେ ପଚାରିବେ, ‘ କାହିଁ ତୋର କୁନି?’
କି କହିବି ତେବେ ତାକୁ?
ମୋ ଖେଳନା ମୋତେ ଖୋଜିଦିଅ,
ମା’, ତୁମେ ତ ଜାଣ, ଥିଲା ସେ ଖେଳନା’ ମୋର କେତେ ପ୍ରିୟ।
ସଞ୍ଜ ଖରା ହସୁଥିଲା…
ସାଇଯାକ ଯେତେ ପିଲା ପଡ଼ିଆରେ ହୋଇ ଏକେମେଳ
ଖେଳୁଥିଲୁ ମୁକ୍ତି ସେନା ଖେଳ।
ଶୁଣ ମା, ଆଜିଠୁଁ ମୋତେ କେବେହେଲେ ଭାବିବନି ପିଲା
ମୁଁ ଜାଣେ ଲାଲ ସିପାହୀ, ସିପାହୀରେ ପୁଣି ମୁଁ ଗରିଲା-
ଆମକୁ ଡ଼ାକରା ଆସେ ସହରରୁ, ଡ଼ାକେ ପୁଣି ଗାଆଁ
ମ୍ୟାକ୍ ଆର୍ଥର ଛାତି ଧୁଡ଼ୁ ଧୁଡ଼ୁ ଶୁଣି ଆମ ନାଆଁ
କଳ ହେବ ଶ୍ରମିକର, ଜମି ନେବ ହଳକଲା ଚାଷୀ,
ସିଂମାନ୍ରୀ ପଡ଼େ ଯେବେ ହାବୁଡ଼ରେ, ନିଶ୍ଚେ ଦେବୁ ଫାଶୀ।
ସିଂମାନ୍ରୀ… ଧରାପଡ଼େ, ଏଇ ଲାଗେ ପାଇବ ତ ସଜା,
ହୈ, ହୈ, ଖେଳ ବଡ଼ ମଜା!
କଣ୍ଠେ ଆମ ମୁକ୍ତିଗାନ
ଦୂର୍ ହୋ ଆମେରିକାନ୍!