( ଶ୍ରୀ ସଚ୍ଚି ରାଉତଙ୍କ ‘ ପଦଧ୍ବନି’ କବିତା ପଢ଼ି)
ଯାହାର ଏ ପଦଧ୍ବନି ଶୁଣାଯାଏ ଉତ୍ତର ମେରୁରେ
ମାଞ୍ଚୁରିଆ ଖେତେ ଖେତେ, ୟାଂସୀତଟେ, ଈରାବତୀ କୂଳେ,
ସାଇଗନ୍ ଉପକଣ୍ଠେ, ଇନ୍ଦୋନେଶା, ଉତ୍ତ୍ୟକ୍ତ ମାଳୟେ,
ଯାହାର ଉନ୍ନତ ଧ୍ବଜା ଉଡ଼ିଉଠେ ତ୍ରସ୍ତ ହିମାଳୟେ,
ଯା’ ପଥେ ମଶାଲ ତେଜେ ସମ୍ମିଳିତ ଦକ୍ଷିଣ ଆଫ୍ରିକା,
ଅଷ୍ଟ୍ରେଲିଆ ନାବିକର ନେତ୍ରେ ନେତ୍ରେ ଯା’ ଲାଗି ପ୍ରତୀକ୍ଷା,
ଅବାହନ ଗୀତ ଯାର ଶୁଭେ ଶୁଭେ ଲକ୍ଷକୋଟି ଜିଭେ,
ଜାଣେ ଜାଣେ ସେମାନେ ଆସିବେ।
ଋଣଦାୟେ ସର୍ବସ୍ବାନ୍ତ ହାଡ଼ମାଳ ଖେତ-ମଜୁରିଆ
ଯା’ ଲାଗି ବାନ୍ଧିଚି ଆଣ୍ଟ କାଲି ପୁଣି କରିବ ଉଠିଆ
ଯେତେକ ପଡ଼ିଆ ଭୂଇଁ, ଫଳାଇବ ପ୍ରଚୁର ଫସଲ
ଆପଣାର ମେରୁମୂଳେ ଷୋଳପଣ କରିବ ଅମଳ;
ଅର୍ଦ୍ଧରାତ୍ରେ ଶ୍ରମଜୀବୀ ପଢ଼େ ଯା’ର ବେଆଇନ ଭାଷା
ସଂଗୋପନେ, ପଢ଼େ ଆଉ ପ୍ରାଣ ପୋଷେ ସଂଜୀବିତ ଆଶା
ସେ ଦିନରେ, ଯେବେ ତା’ର ହେବ ଏହି କଳକାରଖାନା
ସାହୁକର ହାତୁଁ ଭିକ୍ଷା କରିବନି ଆପଣାର ଦାନା;
ଯାହାର ସ୍ବାଗତ ଫୁଟେ ଜନତାର ସହସ୍ର ବିକ୍ଷୋଭେ,
ଜାଣେ ଜାଣେ ସେମାନେ ଆସିବେ।
ସେମାନେ ଆସିବେ
ହିମଗିରି ଦୃପ୍ତବାଧା ଲଙ୍ଘି, ଚିରି ବିନ୍ଧ୍ୟାଚଳ ବକ୍ଷ;
ଅଗଣିତ ଜନତାର ଅଗ୍ରଗାମୀ ଆସିବେ ଅସଂଖ୍ୟ;
ଆସିବେ ଆକାଶ ପଥେ, ଜଳସ୍ରୋତ, ଗହନେ ଜଙ୍ଗଲେ,
ସମୁଦ୍ର ଲହଡ଼ି କାଟି, ଦୀର୍ଣ୍ଣ କରି ହଜାର ଜିହଲେ,
ଆସିବେ ନବୀନୋଚ୍ଛ୍ବାସେ ଯୁଗାନ୍ତର ବନ୍ଧନ ତୁଟାଇ,
ଆସିବେ ମୁକ୍ତିର ଗାନ କଣ୍ଠେ କଣ୍ଠେ ଳହର ଛୁଟାଇ,
ବିଷର୍ଣ୍ଣ ବିଶ୍ବକୁ ଛାଇ ଅପୂର୍ବ ବିଭବେ,
ସେମାନେ ଆସିବେ।