ସାଗରର ତଳୁ ନାଚିଉଠେ ଯେବେ ତରଳ କନକ ତପନ,
ପ୍ରତି ଳହରୀର କପୋଳି ଚୁମ୍ବି ବୁଣାଯାଏ ସପନ,
ନଡ଼ିଆ ଫୁଲର ଶୀତଳ ଗନ୍ଧ ଭାସିଆସେ ମୃଦୁ ସମୀରେ,
ଗଭୀର ଆବେଗେ ଧାଇଁଯାଏ ମୃଗ ବିସ୍ତୃତ ବେଳାଭୂମିରେ,
ସରଗ ପାଲଟେ ଧରଣୀ
ମୃତ୍ୟୁ ଗୋ , ତୁମେ ସେତେବେଳେ କିଆଁ ଆସନି?
ଅଙ୍ଗେ ଅଙ୍ଗେ ଯୌବନ ଯେବେ ଗୌରବ ଉଠେ ଫୁଟିଗୋ
ପ୍ରତିପଦେ ଯେବ କବିତା ମାଧୁରୀ ଅନାୟାସେ ଯାଏ ଲୁଟିଗୋ,
ଭାଦ୍ର ମାସରେ ବିଜୟ ପତାକା ଉଡ଼ିଯାଏ ତା’ର ମଳୟେ,
ବିଶ୍ବ ସୁଷମା ଅର୍ଚ୍ଚନା ପାଏ ଯୌବନ-ଦେବେ- ମଳୟେ,
ପ୍ରଣୟ-ଗଢ଼ା ତା ଜୀବନୀ
ମୃତ୍ୟୁ ଗୋ , ତୁମେ ସେତେବେଳେ କିଆଁ ଆସନି?
ଶରତ ନିଶୀଥେ ଶ୍ୟାମ ପ୍ରାନ୍ତରେ ଶୋଇଯାଏ ଯେବେ ଜୋଛନା,
ହିମ ଅର୍ଚ୍ଚତା ଧରଣୀ କୋଳେ ଆକାଶରୁ ହୁଏ ରଚନା,
ଆଧୀର ଚରଣେ ଗୋପନ ପ୍ରଣୟେ ଛାଇତଳେ ଛୁଟେ କାମିନୀ,
ଅଫୁଟା ଭାଷାରେ ମରମ ଫିଟାଉଁ ତୁଟିଯାଏ ସାରା ଯାମିନୀ,
ଆବେଗ ଉଛୁଳା ରଜନୀ
ମୃତ୍ୟୁ ଗୋ , ତୁମେ ସେତେବେଳେ କିଆଁ ଆସନି?
ପୌଷର ଶେଷେ ଗୌରବେ ମେଲେ ଯେବେ ଧାନଗଛ ଗହିରେ,
ଗରିବ ଚଷାର ଫୁଲିଉଠେ ଛାତି ସୁନା ଫଳିଛିକି ମହୀରେ !
ଧାନ କାଟୁଁ କାଟୁଁ ଗାଇଦିଏ ପଦେ ଭୁଲି ଜମିଦାର ସାହୁକୁ।
ନିମିଷକ ଲାଗି ପାସୋରି ଯାଏ ସେ ଜୀବନର ଶତ ରାହୁକୁ।
ଅନ୍ନପୂର୍ଣ୍ଣା ଘରଣୀ
ମୃତ୍ୟୁ ଗୋ , ତୁମେ ସେତେବେଳେ କିଆଁ ଆସନି?
( କବି ରାଧାମୋହନ ଗଡ଼ନାୟକଙ୍କ ‘ମୃତ୍ୟୁ ଗୋ , ତୁମେ ସେତେବେଳେ କିଆଁ ଆସ?” ଯାହା ‘ ସହକାର’ ପତ୍ରିକାରେ ପ୍ରକାଶିତ ହୋଇଥିଲା, ତା ହିଁ ପଢ଼ି, ତାର ବିରୋଧାଭାସ ଭାବରେ କବିତାଟି ରଚିତ ହୋଇଥିଲା ଓ ‘ସହକାର’- ବିଂଶଭାଗ, ୩ୟ ସଂଖ୍ୟା, ଆଷେଢ଼ ୧୩୪୬ ସଂଖ୍ୟାରେ ପ୍ରକାଶିତ ହଖୋଥିଲା।)