ତୁମେ ନାହଁ ସିନା


ଭଗବତୀ, ତୁମେ ନାହ ସିନା

ତୁମରି ଇଙ୍ଗିତ ଧରି ସହସ୍ର ମାନବ

ତୋଳେ ଊର୍ଦ୍ଧ୍ବେ ବିଦ୍ରୋହର ରଙ୍ଗୀନ ନିଶାଣ

କଣ୍ଠେ ତା ସମୁଦ୍ରର ଗାନ

ଜନତା ରକତେ ଲାଲ ମାଟି ସବୁଜ

ଜରାଜୀର୍ଣ୍ଣ ଆବରଣ ହୋଇଯାଏ ଚୂନା

 

ଆକାଶର କଳାମେଘଠାରୁ ଘନ

ବିକ୍ଷୋଭ ଜାଗିଛି, ଆଜି ମଣିଷର ପ୍ରାଣେ

ଲକ୍ଷ ଲକ୍ଷ ଧମନୀରେ, ଶିରା ପ୍ରଶିରାରେ

ପଟିଆ ଶଙ୍କରପୁର ତାକରଡ଼ା ଗ୍ରାମ

ବିପ୍ଲବୀ ଜନତା ଦିଏ ବିକଟ ହୁଙ୍କାର

କଲିକତା ତେଲିଙ୍ଗାନା ଅଗ୍ନିଗର୍ଭ ବୁକେ

ନିପୀଡ଼ିତ ପ୍ରାଣର ଯେ ବିସ୍ଫୋରଣ ଘଟେ

ଲକ୍ଷ୍ୟ ତାର ଶେଷ ହେବ ହୀନ ଉତ୍ପୀଡ଼ନ

 

ସେଇ ଲକ୍ଷ୍ୟ ଧରି

ଛେଦି ଶତ ମମତା ବନ୍ଧନ

ତୁଚ୍ଛ କରି ଶରୀରର ପ୍ରୀତି

ଚାଲିଛି ଜନତା ଆଜି ବିଦ୍ରୋହର ପଥେ

ସ୍ବେଚ୍ଛାତନ୍ତ୍ରୀଶାସନର ହିସାବ ନିକାଶେ

ଧନତନ୍ତ୍ରୀ ସମ୍ବାଦିକ ପ୍ରଚାରୁନା ମିଥ୍ୟା,

କଳଙ୍କ ରଟୁ ତା ନାମେ ସମାଜର ପଣ୍ଡା,

ବରଷୁନା ନେତାଙ୍କର ବୁଲେଟ୍କମାଣ,

ତଥାପି ତାନାହିଁ ପଛଘୁଞ୍ଚା-

ହାତେ ତା ରକତ ନିଶାଣ

କଣ୍ଠେ ତା ତୁମରି ବନ୍ଦନା

 

ମହାଭାରତେ

ଅତ୍ୟାଚରୀ! ରହ ସାବଧାନ

ଗ୍ରାମେ ଗ୍ରାମେ ଗୃହେ ଗୃହେ ଗର୍ଜିଉଠେ ଯେ ଅକଲ୍ୟାଣ

ନିନାନ୍ତରେ ତୋ ଉପରେ ହାଣିବ ସେ ବିଷାକ୍ତ  ତା ଫଣା,

ନାଗ ପରି ନାଚିବ ସେ, ଆଜି ଯାକୁ ମଣୁଛୁ ଢ଼ମଣା

 

ଆଶାନ୍ତିର ବାଷ୍ପ ଉଠେ ଜମି

ଉତ୍ପୀଡ଼ନ ଗୁରୁଚାପେ ନରପ୍ରାଣ ଯାଏନି ନରମି,

ବାରୁଦେ ଯେ ଘେନେ ତାହା ବିସ୍ଫୋରକ ଅଧିକ ଉତ୍ତାପ

ଚୀନ, ବର୍ମେ, ଅଦମ୍ୟ ମାଳୟେ,

ଦେଶେ ଦେଶେ ମୁକ୍ତିକାମୀ ଜନତାର ଦିଗନ୍ତ ଉଦୟେ

 

ଶତ୍ରୁ ଆରେ ଶୁଣ ଶୁଣ ମୃତ୍ୟୁଘଣ୍ଟି ତୋର ବାଜିଉଠେ

ଘରେ ଘରେ, ପଲ୍ଲୀପୁରେ, କାରାଗାରେ ଆଉ ଫାଶୀଖୁଣ୍ଟେ

ରକ୍ତେ ଲେଖେ ଅଲିଭା ସନ୍ତକ

ମଣିଷର ଶଙ୍କାହୀନ ବକ୍ଷ

ବଙ୍କାକରି ବେୟୋନେଟ୍ ମୁନ;

-ମରେନି ସେ, ମୃତ୍ୟୁରେ ଯେ ହାଣିପାରେ ଖୁଣ

 

ଖେତ ଆଉ କଳ ଗାଏ ନୂଆ ଗାନ ବଳିଷ୍ଠ ସଙ୍ଗୀତ

ଜୀବନର ସେ ସଙ୍ଗୀତ ତାଳଦେଇ ଭୀରୁ ମଧ୍ୟବିତ୍ତ

ଆଖି ମଳେ

କୋଟି କଣ୍ଠେ ବାଜେ ତାର ମରଣ-କାହାଳୀ

ଶୁଣ ଅତ୍ୟାଚାରୀ!

 

କହ ଦୁଃଶାସନ

କେଉଁ କାଳେ ପାଞ୍ଚାଳୀର ପଣ

ହୋଇଛି ଅନ୍ୟଥା?

ଦାନବ ହୁଂକାରେ କାହିଁ ଲିଭିଅଛି ମାନବର ବ୍ୟଥା?

ଲକ୍ଷକୋଟି ଦ୍ରୌପଦୀର ବେଣୀ ଏବେ ରହିଛି ମୁକୁଳା,

ଜନତାର ହସ୍ତପଦେ ଜଡ଼ିରହେ ନିଠୁର ଶିକୁଳା,

ଏହାର କି ହେବନାହିଁ କେଉଁକାଳେ ନ୍ୟାୟରେ ମୀମାଂସା?

 

ଶୁଣ ପାର୍ଥ ପାପ ନୁହେଁ ତୁମର ଲାଲ ପ୍ରତିହିଂସା

ମୋହନେତ୍ର ଫିଙ୍ଗି ଚାହଁ ସୁଦର୍ଶନେ:

କୁରୁକ୍ଷେତ୍ର ଡ଼ାକେ

-ବିଶ୍ବରୂପ ହେ ସାରଥି, ଯୁଯୁତ୍ସୁ ମୁଁ, ରଥ ଚଳା ଆଗେ!

 

(‘ସଂକେତ୧୯୪୯ ସାଲ ଜୁନ୍ମାସରେରାଜକିଶୋରଛଦ୍ମନାକରେ ପ୍ରକାଶିତ)




+ -

© Jataayu Charitable Trust
Site designed,developed & maintained by Tekons