ଏ ମୋର ସନ୍ତକ


କପୋତୀର ପକ୍ଷ ତଳେ କାଟିଦେଲି ମୋର ସନ୍ତକ-

ବ୍ୟର୍ଥ ଏହା ହେବ ନାହିଁ, ନୁହେଁ ଏହା କେବେ ନିରର୍ଥକ

ନିରର୍ଥକ ନୁହେଁ କେବେ ଜନଗଣ ସମ୍ମିଳିତ ସ୍ବର,

ଦାବିର ଅସଂଖ୍ୟ ମୁଷ୍ଟି, ଲକ୍ଷକୋଟି ନୟନର ଜଳ

 

ପବିତ୍ର ସ୍ବକ୍ଷରରେ କିଏ ତୁମେ କର ଉପହାସ

ବ୍ୟଥିତ ବୁକୁର ଭାଷା, ମଣିଷର ତତଲା ନିଶ୍ବାସ-

କୋଟିର ପୁକାର ଏହା, ପାଞ୍ଚଜନ୍ୟେ ମନ୍ତ୍ର ସଞ୍ଜୀବନୀ,

ମରଣ ନରକରୁ ଜୀବନର ଉଜ୍ଜଳ ସରଣୀ

 

ଆବାଜ ଛୁଟିଯିବ ଝଡ଼ ପରି ଗ୍ରାମୁଁ ଗ୍ରାମାନ୍ତରେ;

ଧ୍ବନି ତୋଳିବ ନିଶ୍ଚେଁ ପ୍ରତିଧ୍ବନି ପ୍ରତ୍ୟେକ ଅନ୍ତରେ;

ରଣାଙ୍ଗନେ ଘାତକର କ୍ରୂରହସ୍ତ କରିବ ଶିଥିଳ,

ମାନବର ରୋଷାନଳେ ଧସିଦେବ ଯୁଦ୍ଧର ଶିବିର

 

ପ୍ୟାରୀର ଅମର ପରୀ ଦେଶେ ଦେଶେ କରିଛି ଘୋଷାଣା

ଶାନ୍ତିର ଅମୃତ ବାର୍ତ୍ତା-ହେ ମଣିଷ, ମାରନା, ମରନା

ଷ୍ଟକହୋମ୍ମାନବାତ୍ମା, ୱାରସର ଗଣଦରବାର

ଚିଠା କରେ ଇସ୍ତାହାର ପ୍ରେମପୂର୍ଣ୍ଣ ନୂଆ ଦୁନିଆର

 

 

ନୋହୁଁ ଆମେ ଜାନୁଆର, ମିଥ୍ୟା ତୁମ ଜଙ୍ଗଲର ନ୍ୟାୟ

ଶାନ୍ତିନୀଡ଼େ ଜୀବନ ଛନ୍ଦ ରଚେ କଳରବ ପ୍ରାୟ

କପୋତୀର ପକ୍ଷତଳେ କାଟିଦେଲି ତେଣୁ ସନ୍ତକ;

ଜନତାର ମସୀଧାରେ ଭାସିଯାଉ ଅସିର କଳଙ୍କ

 

(ଶ୍ରୀ ଗଙ୍ଗାଧର ରଥଙ୍କ ସମ୍ପାଦିତସଂକେତପତ୍ରିକାରେ ପ୍ରକାଶିତ)




+ -

© Jataayu Charitable Trust
Site designed,developed & maintained by Tekons