ଆମେ କି ରବର ଗଛ
ଆମ ଛାତି ନିଗିଡ଼ା ରସରେ
ରନ୍ଧାଯିବ କମ୍ପାନୀର ରକ୍ତଲାଲ ବହଳିଆ ଲାଭ?
କହ ଭାଇ ଏହାର ଜବାବ
ଦେବାନି କି ଆମେ?
କିଏ ତୁମେ ଅବସନ୍ନ ମାଳୟର ମ୍ଲେଚ୍ଛ ପ୍ରତିଗ୍ରାମେ
ଜାଳିଯାଅ ଆଶାର ଦିହୁଡ଼ି…,
ତୁମ ଗିରେ ସପନର ସ୍ବର୍ଣ୍ଣରେଣୁ ପଡ଼ୁଛି ବିଛୁଡ଼ି…,
ହେ ଅଦ୍ଭୁତ କବି।
ନିବିଡ଼ ନିଶାରେ ଆଙ୍କିଦିଅ ଉଦୟର ଛବି
ଆଗ୍ନେୟ ଭାଷାରେ;
କିଏ ତୁମେ ଲେଖିଦେଲ ଯୁଗାନ୍ତର ଲାଞ୍ଛିତ କପାଳେ
ରକ୍ତଟୀକା,
ସେ କିବା ସକାଳ ସୂର୍ଯ୍ୟ ଜଳିଅଛି କୁତ୍ସିତ ଆକାଶେ
ମରଣକୁ ମ୍ଲାନ କରି ଜୀବନର ଦୃପ୍ତ ପରିହାସେ!
ହେ କୋମଳ! ହେ ନିର୍ଭୀକ।
କିଏ ତୁମେ କୁହ?
ପରିଚିତ ପରି ଲାଗ;
ତୁମେ କି ହେ ଆମ ଆଖିଲୁହ?
ବଜ୍ରର ଆବାଜ ଶୁଭେ ଶୁଣ ଶୁଣ ଶୁଣରେ ନବାବ,
ମଣିଷର କଞ୍ଚା ମାଂସ ବିକ୍ରି କରି ହେଲା ଯେତେ ଲାଭ
ଆଜି ତା’ର ସୁଧ-ମୂଳ ହେବ ହେବ ହିସାବ ନିକାଶ।
ନୋଁହୁ ଆମେ କ୍ରୀତଦାସ : ଏ ଜୀବନ ବ୍ୟର୍ଥ ଦୀର୍ଘଶ୍ବାସ
ନୁହେଁ ନୁହେଁ…
ଶୁଣ ଶୁଣ, ଅମୃତର ବାଣୀ କହେ କୋଟି ଉପବାସ।