ଅତ୍ୟାଚରୀ! ରହ ସାବଧାନ।
ଗ୍ରାମେ ଗ୍ରାମେ ଗୃହେ ଗୃହେ ଗର୍ଜିଉଠେ ଏ ଯେ ଅକଲ୍ୟାଣ
ନିନାନ୍ତରେ ତୋ ଉପରେ ହାଣିବ ସେ ବିଷାକ୍ତ ତା ଫଣା,
ନାଗ ପରି ନାଚିବ ସେ, ଆଜି ଯା’କୁ ମଣୁଛୁ ଢ଼ମଣା।
ଆଶାନ୍ତିର ବାଷ୍ପ ଉଠେ ଜମି…
ଉତ୍ପୀଡ଼ନ ଗୁରୁଚାପେ ନରପ୍ରାଣ ଯାଏନି ନରମି,
ବାରୁଦେ ଯେ ଘେନେ ତାହା ବିସ୍ଫୋରକ ଅଧିକ ଉତ୍ତାପ
ଚୀନ, ବର୍ମେ, ଅଦମ୍ୟ ମାଳୟେ,
ଦେଶେ ଦେଶେ ମୁକ୍ତିକାମୀ ଜନତାର ଦିଗନ୍ତ ଉଦୟେ।
ଶତ୍ରୁ ଆରେ । ଶୁଣ ଶୁଣ ମୃତ୍ୟୁଘଣ୍ଟି ତୋର ବାଜିଉଠେ
ଘରେ ଘରେ, ପଲ୍ଲୀପୁରେ, କାରାଗାରେ ଆଉ ଫାଶୀଖୁଣ୍ଟେ।
ରକ୍ତେ ଲେଖେ ଅଲିଭା ସନ୍ତକ
ମଣିଷର ଶଙ୍କାହୀନ ବକ୍ଷ
ବଙ୍କାକରି ବେୟୋନେଟ୍ ମୁନ;
-ମରେନି ସେ, ମୃତ୍ୟୁରେ ଯେ ହାଣିପାରେ ଖୁଣ।
ଖେତ ଆଉ କଳ ଗାଏ ନୂଆ ଗାନ ବଳିଷ୍ଠ ସଙ୍ଗୀତ
ଜୀବନର। ସେ ସଙ୍ଗୀତ ତାଳଦେଇ ଭୀରୁ ମଧ୍ୟବିତ୍ତ
ଆଖି ମଳେ…।
କୋଟି କଣ୍ଠେ ବାଜେ ତାର ମରଣ-କାହାଳୀ
ଶୁଣ ଅତ୍ୟାଚାରୀ!
କହ ଦୁଃଶାସନ।
କେଉଁ କାଳେ ପାଞ୍ଚାଳୀର ପଣ
ହୋଇଛି ଅନ୍ୟଥା?
ଦାନବ ହୁଂକାରେ କାହିଁ ଲିଭିଅଛି ମାନବର ବ୍ୟଥା?
ଲକ୍ଷକୋଟି ଦ୍ରୌପଦୀର ବେଣୀ ଏବେ ରହିଛି ମୁକୁଳା,
ଜନତାର ହସ୍ତପଦେ ଜଡ଼ିରହେ ନିଠୁର ଶିକୁଳା,
ଏହାର କି ହେବନାହିଁ କେଉଁକାଳେ ନ୍ୟାୟରେ ମୀମାଂସା?
ଶୁଣ ପାର୍ଥ । ପାପ ନୁହେଁ ତୁମର ଏ ଲାଲ ପ୍ରତିହିଂସା।
ମୋହନେତ୍ର ଫିଙ୍ଗି ଚାହଁ ସୁଦର୍ଶନେ:
କୁରୁକ୍ଷେତ୍ର ଡ଼ାକେ…
-ବିଶ୍ବରୂପ ହେ ସାରଥି, ଯୁଯୁତ୍ସୁ ମୁଁ, ରଥ ଚଳା ଆଗେ!
(‘ସଂକେତ ’ ୧୯୪୯ ସାଲ ଜୁନ୍ ମାସରେ ‘ରାଜକିଶୋର’ ଛଦ୍ମନାକରେ ପ୍ରକାଶିତ)