ତନ୍ଦ୍ରା ପୋଛି ନୟନରୁ କିଏ ହେ ଜାଗିଲ!
ଏବେ ବି ତ ରାତ୍ରି ଅଛି ଅତୀବ ଗଭୀର,
ମୃତ୍ୟୁସମ ଆଶାଶୂନ୍ୟ, ତିମିର ଆଚ୍ଛନ୍ନ…
ଏ ନିଶୀଥେ ହେ ଆଶ୍ଚର୍ଯ୍ୟ ମୁକ୍ତିର ସମନେ !
ପ୍ରଭାତରେ ବହୁ ପୁର୍ବେ ତୁମରି ଉଦୟ
ଉଷାର ସପନେ ଦୀପ୍ତ ତୁମେ ଜ୍ୟୋତିର୍ମୟ
ଆଲୋକର ଅଗ୍ରଦୂତ ତୁମେ ଶୁକ୍ରତାରା,
ତୁମେ ବନ୍ଧୁ ଜାଗୃତିର ପହିଲି ଡ଼ାକରା।
ପଟିଆର ପ୍ରଜା ଆମେ, ଗଞ୍ଜାମ ରଇତ,
ଦଶପଣି ଭାଗ ପୁଣି ସାଲ ଭରି କୁତ…
(ଦୁଃଖେ ତାର ଫାଟିପଡେ ଧାର ଧାର ଲୁହ;)
ପାଞ୍ଚପ୍ରାଣୀ ନିର୍ଭାହେବୁଁ କି ଉପାୟ କୁହ।
ଚାଷୀର ଅତୁଟ ମେଣ୍ଟ, ହସିଉଠେ ଗାଆଁ,
ତୁମରି ସେ ପରିଚୟ କିଶାନର ଦାଆ।
ବ୍ୟଥିତ ବୁକୁର ସଖା, ନୟନର ବାରି
ଅସହାୟ ଜନଗଣ ପ୍ରାଣର ସଙ୍ଖାଳି।
‘ଯତନ ଉଆସ’ ଲାଗି ଆମେ ହେଲୁଁ ମଡ଼ା,
ବେଠିକି ସାଇତି ଲାଠି, ପିଠିକି କୋରଡ଼ା,
ହାହାକାରେ ଥରିଉଠେ, ବ୍ରହ୍ମାଣୀର ସୁଅ
ତାଳଚେର ନୁହେଁ ଏତ-ରାକ୍ଷସର ବ୍ୟୂହ।
ଅନ୍ୟାୟର ତୁମେ ଥିଲ ତୀବ୍ର ପ୍ରତିବାଦ,
ଅତ୍ୟାଚାର ପ୍ରତିପକ୍ଷେ ଚରମ ଆଘାତ,
ଅବିଚାରେ ବିଦ୍ରୋହର ସ୍ଫୁରନ୍ତ ଅନଳ,
ବିପ୍ଲବୀର ହାତେ ତୁମେ ଜଳନ୍ତା ମଶାଲ।
ପେଟ ଲାଗି ଚଟକଳେ ଚୁପୁଡ଼ିଲୁ ରକ୍ତ,
ତଥାପି ସପନ ଲାଗେ ଦିନ ଦୁଇ ବକ୍ତ,
ମୁଣ୍ଡପରେ ଝୁଲୁଛି ତ ଛଟେଇର ଖଣ୍ଡା;
କହିବାକୁ ଜୁଉନାହିଁ, କରିଦେବ ଥଣ୍ଡା।
ଶ୍ରମିକର କଣ୍ଠେ ତୁମେ ଏକତା ଆବାଜ,
ସାମ୍ୟମନ୍ତ୍ରେ ସଞ୍ଜୀବିତ ନୂତନ ସମାଜ,
ଶୋଷିତର ଲାଲ-ନେତ, ମୁକ୍ତିର ନିଶାଣ
ସହସ୍ର ସଂଗ୍ରାମ-ସିକ୍ତ, ତେବେ ବି ଅମ୍ଲାନ।
ଦୁର୍ଭିକ୍ଷର କଳା ଝଡ଼ ଗର୍ଜେ ସାଇ ସାଇଁ
ତୃଣ ସମ ଲୋଟିଗଲା ସାରା ଭୋଗରାଇ,
ଭାତ ଦିଅ, ହାତ ପାତି ମାଗେ ବାଲେଶ୍ବର
ଧାନ କାହିଁ? ଦେଶସାରା ପଡ଼ିଛି ଚହଳ।
ନିରନ୍ନ ଜନତା ମେଳେ ବଞ୍ଚିବାର ଦାବି;
ମହଜୁତ୍କାରୀର କି ଗନ୍ତାଘର ଚାବି।
କଙ୍କାଳର ଲାଗି ତୁମେ ବାର୍ତ୍ତା ଜୀବନର,
ଭଗବତି! ଭୋକିଲାର ବିକଳ ଅନ୍ତର।
ଜୀର୍ଣ୍ଣ କୁଟୀରର କୋଣେ ମୌନ କରୁଣତା
କୁଲି ହୋଇ ପରବାସେ ଗାଆଁର ମମତା,
ଟିଣ ଖପରୁଲି ତଳେ ତିକ୍ତ ଅସନ୍ତୋଷ…
ଦଳିତ ବକ୍ଷଭରି ପୁଞ୍ଜୀଭୂତ ରୋଷ।
ତୁମେ ତା’ର ଅଭିବ୍ୟକ୍ତି, ଅବ୍ୟକ୍ତର ଭାଷା,
ଆଗାମୀର ଚିତ୍ରକାର। ଅନ୍ଧକାରେ ଆଶା,
କୋଟିଏ ପ୍ରାଣର ଏହା ମୂର୍ତ୍ତ ପ୍ରତିଛବି,
ମୂକ ଜନତାର ଆହେ ପ୍ରାଣବନ୍ତ କବି।
ତୁମେ ଥିଲ ବଡ଼ ଦାଗୀ, ପୂରା ବେଆଇନ;
ହୁକୁମ, ପୁଲିସି, ଲାଠି ଶୃଙ୍ଖଳ, ସଙ୍ଗିନ୍
ସଦମ୍ଭେ କରିଲୁ ସବୁ ଦୃଢ଼ ଅସ୍ବୀକାର
କମ୍ୟୁନିଷ୍ଟ। ଆତଙ୍କରେ ଥରେ ସରକାର।
ପ୍ରଗତିର ପଥେ ପଥେ ଆଗୁଚଲା ସାଥୀ।
ତୁମରି ଶପଥ ନିଏ ତୁମ ପ୍ରିୟ ମାଟି
ଜାଗିଉଠେ ମୁକ୍ତିମନ୍ତ୍ରେ ଏ ମୁମୂର୍ଷୁ ଜାତି,
ଜିନ୍ଦାବାଦ ଉତ୍କଳର କମ୍ୟୁନିଷ୍ଟ ପାର୍ଟି।
ଜିନ୍ଦାବାଦ ମୃତ୍ୟୁହୀନ ବୀର ଭଗବତି।
(୧୯୫୦-୫୨ ସାଲ ମଧ୍ୟରେ ଓଡ଼ିଶା କମ୍ୟୁନିଷ୍ଟ ପାର୍ଟିର ତତ୍କାଳିନ ମୁଖପତ୍ର ‘ସଂଧାନ’ ରେ ପ୍ରକାଶିତ ହୋଇଛି ବୋଲି ଲେଖକଙ୍କ ଠାରୁ ପ୍ରକାଶ)