ଗଣପତି




ମୌସୁମୀର ଆଦ୍ୟ ସ୍ପର୍ଶ ନିଦାଘର ଶୁକ୍ଳ ଶୀର୍ଣ୍ଣ ଘାସ

କଅଁଳେ ଯେପରି

ମଣିଷର ଲୋମକୂପେ ଅଭିଳାଷ ଶିହରି ଶିହରି

ସେହିପରି ଯାଉଅଛି ଖେଳି

ପ୍ରାଣର ସବୁଜ ଛନ୍ଦେ ଉଚ୍ଛ୍ବସିତ ଶାଖା ପତ୍ର ମେଲି

ଥରାଇ ପଞ୍ଜର ତଳେ ବଂଚିବାର ଅଦମ୍ୟ ଉଚ୍ଛ୍ବାସ।

 

ଅଗଣିତ ମଥା ତୋଳି ଜାଗିଉଠେ ଦୁର୍ଦ୍ଦାନ୍ତ ସଂତ୍ରାସ

ସମୁଦ୍ରର ଢ଼େଉ ପରି ସଂଗଠିତ, ବଦ୍ଧପରିକର,

ତାହାପରି ବ୍ୟାପ୍ତିମୟ, ବାଧାହୀନ, ତାପରି ଉଚ୍ଛଳା

ଶୁଣ! ଖଣିଗର୍ତ୍ତୁ ଶୁଭେ ବିପ୍ଲବର ପାଞ୍ଚଜନ୍ୟ ଶଙ୍ଖ…

ଇନ୍ଦ୍ରପ୍ରସ୍ଥ ରନ୍ଧ୍ରେ ରନ୍ଧ୍ରେ ଥରିଉଠେ ଭୟାଳୁ ଆତଙ୍କ।

ଦସ୍ୟୁ ! ଦସ୍ୟୁ ! ଦସ୍ୟୁ!

ସେତ ମାଳୟର ପ୍ରତି ତରୁ ଫାଙ୍କେ

କଙ୍କାଳର ଦାବି ଛୁଟେ ଝଡ଼  ଶ୍ବାସେ ଭୈରବୀର ଡ଼ାକେ।

ଲିଭିବାର ନୁହେଁ ସେ ତ- ପ୍ରଭାତର ନିଶ୍ଚିତ ପ୍ରକାଶ;

ଆଲୋକର ଅଧିବାସେ ଦିବସର ରକ୍ତିମ ଉଚ୍ଛ୍ବାସ।

 

‘ଜୟ ଗଣପତି ଜୟ’ ଗର୍ଜିଉଠେ ସମଗ୍ର ମାଳୟ

ଗଣପତି ନୁହେଁ ହତ, ରଣାଙ୍ଗନ ଗଣପତିମୟ।

 ବୀର ଗଣପତି

ଅଭିଯାତ୍ରୀ ଜନତାର ଅଗ୍ରଦୂତ, ହେ ସତ୍ୟ ସାରଥି।

ଚାହଁ ! ଚାହଁ ! ତୁମ ଧ୍ବଜା ଉଡ଼ିଉଠେ

ମାଳୟରେ ନୁହେଁ ଖାଲି-ବିଶ୍ବନଭେ ଉଚ୍ଚେ;

ନିଃସ୍ବତାର ମୁକ୍ତି ରଚେ ଆପଣାର ବଳୀୟାର ଭୁଜେ।

 

( ଶ୍ରୀ ଗଙ୍ଗାଧର ରଥଙ୍କ ସଂପାଦିତ ‘ସଂକେତ’ ପତ୍ରିକାରେ ଅଗଷ୍ଟ, ୧୯୪୯ ସଂଖ୍ୟାର ‘ ରବୀନ୍ଦ୍ର କୁମାର ଦାସ’ ଛଦ୍ମ ନାମରେ ପ୍ରକାଶିତ)




+ -

© Jataayu Charitable Trust
Site designed,developed & maintained by Tekons