ପଦଧ୍ବନି




ଆଗେ ଏ ଯେ ନିବିଡ଼ ରାତିର କଳାଝଡ଼ ଫୁଲି ଫୁଲି ଉଠେ…

ସମ୍ମୁଖରେ କୁହାଟେ ମୃତ୍ୟୁ;ଦେଖେ ଶୁଣେ, ନାହିଁ ସେ ଲେଉଟେ

ନିର୍ଯାତନା ମଣି ତୁଚ୍ଛ, କମାଣରେ କରି ଉପହାସ,

ଗଣବଳେ ବଳୀୟାନ, ବିଜୟେ ଯା’ ଅଟଳ ବିଶ୍ବାସ,

ପଦେ ପଦେ ଘାତକର ବେୟୋନେଟ୍‌ କରିଛି ସାମ୍‌ନା,

ତଥାପି ଦଳି ଯେ ଚଳେ କାଳସର୍ପ ହଳାହଳ ଫଣା,

ନିଶ୍ଚିତ ଗତିର ତାଳେ ବଦ୍ଧମୁଷ୍ଟି ହାଣି ଊର୍ଦ୍ଧ୍ବ ନଭେ,

ଜାଣେ ଜାଣେ ସେମାନେ ଆସିବେ।

 

ଶୁଣ ଶୁଣ ପଥେ ପଥେ ବାଜିଉଠେ  ଶୁଭ ପଦଧ୍ବନି

ଅଭିଯାତ୍ରୀ ଜନତାର…

ନୁହଁ ନୁହଁ ଅନ୍ୟର ସରଣୀ

ଏହା କେଭେଁ।

 

ଶିଖିନି ଯେ ଚାଲିବାକୁ ସମଷ୍ଟି ମେଳରେ,

ହରିଣୀର ରକ୍ତ ପିଇ ଲାଞ୍ଜ ପିଟେ ଯେ ହିଂସ୍ର ଗହ୍ବରେ,

ଜାଣେ ଜାଣେ ନୁହେଁ ଏହା ମାର୍ଗ ତା’ର;

ଏ ମାର୍ଗ ତାଙ୍କର

ଯାହାର ଚରଣପାତେ ଫୁଟିଉଠେ ହାସ୍ୟର କମଳ

କୋଟି ମୁଖେ;

ଜୀବନକୁ ପୂର୍ଣ୍ଣ କରି ବସ୍ତୁର ପ୍ରାଚୁର୍ଯ୍ୟେ

ପ୍ରଦୀପର ମ୍ଳାନପାତ୍ରେ ନାହିଁ ଜଳି

ଆପଣାରେ ପ୍ରକଟିତ କରେ ଯେହୁ ସକାଳର ସୁର୍ଯ୍ୟେ,

କୋଟି ନିମନ୍ତ୍ରଣ ଯା’ର ଧରିତ୍ରୀ ସବୁଜ ଉତ୍ସବେ

ଜାଣେ ଜାଣେ ସେମାନେ ଆସିବେ।

 

 

( ସହକାର-୧୩୫୭ ଜ୍ୟେଷ୍ଠ, ଅଷ୍ଟମ ସଂଖ୍ୟାରେ ପ୍ରକାଶିତ)




+ -

© Jataayu Charitable Trust
Site designed,developed & maintained by Tekons