ମୃତ୍ୟୁହୀନ




ପୁଣ୍ୟ ଆମ ଜନ୍ମଭୂମି, ପୁଣ୍ୟ ଏହି କୋରିଆର ମାଟି,

କୋରିଆର ମୁକ୍ତି ଲାଗି ଆଗେ ଚାଲେ ସାଥୀ।

ଉଡ଼ନ୍ତା ଅସୁର ଭଳି ଝଡ଼ବେଗେ ଆସିଥିଲା ଛିଟିକା,

ମୁଁ କିନ୍ତୁ ମା, ଡ଼ରିନାହିଁ, ମୋ ହାତେ ଯେ ଜାତୀୟ ପତାକା।

 

ମା, ତୁମେ କାନ୍ଦନା।

ମୁଁ ମରିନି, ମୁଁ ବଞ୍ଚିଛି,ମିଛ ନୁହେଁ, ଏ ନୁହେଁ ଛଳନା,

ମୃତବତ୍ସା ହେ ଜନନୀ । ମୁଁ ବଞ୍ଚିଛି ତମରି ଗର୍ଭରେ,

ମୁଁ ବଞ୍ଚିଛି ମୋ ଦେଶର କୋଟି ପ୍ରାଣେ, ଘରେ ଘରେ ଘରେ।

 

ମୋତେ ତ ଭେଟିବ ତୁମେ ଗ୍ରାମେ ଗ୍ରାମେ, ପ୍ରତି ପଥପ୍ରାନ୍ତେ,

ମୁଁ ବଞ୍ଚିଛି ମାଆ କୋଳେ, ମାଟି ତଳେ, ପାହଡ଼ କନ୍ଦରେ,

ମୁଁ ବଞ୍ଚିଛି ଖେତେ ଖେତେ, ଖଣିଗର୍ତ୍ତେ ଦକ୍ଷିଣେ ଉତ୍ତରେ।

କ୍ଷୁଦ୍ର ମୋ ପ୍ରାଣରେ ଆଜି ଖେଳିଯାଏ ଅନନ୍ତ ପ୍ରେରଣା;

ସମଗ୍ର କୋରିଆ ଭୂଇଁ ଖୋଜିବି ମୁଁ ହଜିଲା ଖେଳନା।

ଜାଣେ ଜାଣେ ଦିନେ ତାରେ ଏ ମାଟିରେ କରିବି ମୁଁ ଠାବ

ଶାନ୍ତିର କପୋତ ଛୁଟେ ଚଞ୍ଚୁପୁଟେ ଘେନିଣ ପ୍ରସ୍ତାବ      

ପରିପୂର୍ଣ୍ଣ ନୂତନ ଦିନର।

ନୂତନ ଦିନର

ନିଶ୍ଚିତ ସୂଚନା ଏ ଯେ, ଘନାଇଛି ନିଶାନ୍ତ କଜ୍ଜଳ।

-ଏ ନୁହେଁ ସପନ-

ରକ୍ତାକ୍ତ ଉଷାର କୋଳେ ନବଭାନୁ ଶୁଭ ଉଦୟନ।

 

 

 

(ସହକାର-ଉନତ୍ରିଂଶ ଭାଗ, ପଞ୍ଚମ ସଂଖ୍ୟା, ମାଘ-୧୩୫୮ ରେ ପ୍ରକାଶିତ)




+ -

© Jataayu Charitable Trust
Site designed,developed & maintained by Tekons